Unknown

 

 

 

 

 

 

 

 

 

 

 

ପରାଣ ପିତୁଳା କାନ୍ଦୁଚି

ରାଧାବିନୋଦ ନାୟକ

 

ସୂତ୍ରଧର ଉବାଚ :

 

ଏ ପୃଥିବୀ ଈଶ୍ୱରଙ୍କର ଏକ ବିରାଟ୍ ରଙ୍ଗମଞ୍ଚ ବୋଲି ଧରି ନିଆଯାଇପାରେ । ଏଠି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଚରିତ୍ର ଏବଂ ସେ ଦୃଷ୍ଟିରୁ ପ୍ରତ୍ୟେକର ଭୂମିକା ମଧ୍ୟ ସ୍ଵତନ୍ତ୍ର । ଦିନ ଥିଲା ଯେତେବେଳେ ପ୍ରତ୍ୟେକ ଚରିତ୍ରର ଜୀବନଧାରା, ଚାଲିଚଳନ ତଥା ଆଚାର ବିଚାରରେ ଏକ ସର୍ବଜନସ୍ଵୀକୃତ ପନ୍ଥା ଥିଲା (ଧର୍ମଚିନ୍ତା ପରି କେତେକ ସାଧାରଣ ଧାରଣାରେ ଜୀବନର ଏସବୁ ବିଭାବ ନିୟନ୍ତ୍ରିତ ହେଉଥିଲା) ଫଳରେ ପ୍ରତ୍ୟେକର ଭୂମିକା ସ୍ୱତନ୍ତ୍ର ହେଲେବି ଏକ ଅଖଣ୍ଡ ଯୋଗସୂତ୍ରରେ ସମସ୍ତେ ଆବଦ୍ଧ ଥିଲେ । ସେଠି ବ୍ୟକ୍ତିର ଉପଲବ୍‌ଧି ଥିଲା ତା’ପଛରେ ଗୋଷ୍ଠୀ ବା ସମାଜ ଅଛି, ସେ ଏକୁଟିଆ ନୁହେଁ । ତେଣୁ ତା’ ସଂଳାପରେ ଛନ୍ଦ ଥିଲା ଓ ସେ ତା’ର ସୁଖ-ଦୁଃଖ, ଜଞ୍ଜାଳ-ଯନ୍ତ୍ରଣାକୁ ଅନ୍ୟପାଖରେ ପ୍ରକାଶ କରି ଦଉଥିଲା ପଦଟିଏ ‘ଆହା’ ପାଇଁ ଏବଂ ସେ ପାଉଥିଲା ମଧ୍ୟ । ଆଜି କିନ୍ତୁ କଥା ଭିନ୍ନ । ଈଶ୍ଵର ଏକ ନାମବାଚକ ବିଶେଷ୍ୟ, କେତେଜଣ ଦୁର୍ବଳ ବ୍ୟକ୍ତିଙ୍କର ହୁଗୁଳା ଆତ୍ମବିଶ୍ଵାସ ବା କେତେକଙ୍କର ଅର୍ଥନୀତିକ ଅବଲମ୍ବନ ମାତ୍ର । ସେ ପୁଣି ବିପର୍ଯ୍ୟସ୍ତ ଯେତେବେଳେ ଏବର ମଣିଷ ‘ହଠାତ ଫଳପ୍ରାପ୍ତି ଆଶାରେ’ ସେ ବିରାଟ୍ ସତ୍ତାକୁ ସଂକୁଚିତ କରିଆଣି ଥୋଇଛି ଜୀବନ୍ତ ବାବାମାନଙ୍କ ଉପରେ । କାରଣ ଏ ଈଶ୍ଵର ସଚରାଚର ବିରାଜନ୍ତି ଓ ତାଙ୍କ ହସରେ ପୃଥିବୀ ହସେ । ଈଶ୍ଵରଙ୍କର ଏ ମିନି ସଂସ୍କରଣ ପଛରେ ମଣିଷର ଆଧ୍ୟାତ୍ମିକ ଚେତନା ଅପେକ୍ଷା ହତୋତ୍ସାହ (Frustration) ସ୍ପଷ୍ଟ । ଯେଉଁ ସାଧାରଣ ବିଶ୍ୱାସରେ ମଣିଷ ବଞ୍ଚି ଆସିଥିଲା ବା ତା’ ମଧ୍ୟରେ ଏକ ସାର୍ବଜନୀନ ଉପଲବ୍‌ଧିଥିଲା ତାହା ଭାଙ୍ଗିପଡ଼ିବାଫଳରେ ସେ ପରସ୍ପରଠାରୁ ବିଚ୍ଛିନ୍ନ ଏବଂ ନିଃସଙ୍ଗ । ତେଣୁ ତା’ କହିବାରେ ଯେମିତି କ୍ରମିକତା ନାହିଁ, ଶୁଣିବା ଲୋକର ଧୈର୍ଯ୍ୟର ଅଭାବ ସେମିତି । ଏମିତି ଅବସ୍ଥାରେ ସେ ଯାହାକିଛି ଅସ୍ପଷ୍ଟ କହେ ଏବଂ ସହୃଦୟ ବ୍ୟକ୍ତିର ଅଭାବରେ ତାହା ଏକ କରୁଣ ସ୍ଵଗତୋକ୍ତିରେ ପରିଣତ ହୁଏ-

 

ଆଜି ପ୍ରତ୍ୟେକ ବ୍ୟକ୍ତି ନିଃସଙ୍ଗ, ଅଥଚ ନିଜର ସ୍ଵତନ୍ତ୍ର ସତ୍ତା (Entity) ନାମକ ଏକ କ୍ଷୁଦ୍ର ବୃତ୍ତ ମଧ୍ୟରେ ଘୂର୍ଣ୍ଣାୟମାନ । ଯେ ସଚେତନ, ସେ ଟିକେ ଥକ୍କା ନିଏ, ଅବସ୍ଥାକୁ ବିଶ୍ଳେଷଣ କରେ ଓ ମୁହୂର୍ତ୍ତକ ପାଇଁ ଚିନ୍ତା କରେ ଯଦି ଏଇ କ୍ଷୁଦ୍ର ବୃତ୍ତର ପରିଧିକୁ ବୃହତ୍ତର କରିଦିଆଯାଇପାରନ୍ତା; ସେଥିରେ ସମସ୍ତଙ୍କର ଅବାଧ ପ୍ରବେଶ ରହନ୍ତା କ୍ଷତି କ’ଣ ! ଏଇ କଥାଟା କେବଳ ତା’ର ମୁହୂର୍ତ୍ତକର ଚିନ୍ତା ନୁହେଁ, ବରଂ ସେ ଉଦ୍ୟମ କରେ ଓ ନିଜର ପରିଷ୍କାର ହାତ ଦୁଇଟିକୁ ସାମାଜିକମାନଙ୍କ ଆଡ଼କୁ ପ୍ରସାରିତ କରି କହେ: ଦେଖନ୍ତୁ, ମୋ ହୃଦୟ କେମିତି ଶରତ ଆକାଶ ପରି ନିର୍ମଳ, ଅଥଚ ମୁଁ ନିଃସ୍ଵ । ଆସନ୍ତୁ ହୃଦୟକୁ ହୃଦୟ ମିଶାଇ ଦେବା, ସମସ୍ତେ ଏକ ହେଇଯିବା । ତା’ ହାତରେ ଅନ୍ୟର ହାତ ଆସି ମିଶେ, କିନ୍ତୁ ସେମାନଙ୍କ ହୃଦୟରେ ଯେମିତି ବିରାଟ୍ କୋଲପ ଏବଂ ମୁହଁର ହସ ସବୁ ପଥର ଦାନ୍ତର । ଏଇଠି ପୁଣି ସଂଘର୍ଷ ସମାଜ (Establishment) ଆଉ ସଚେତନ ବ୍ୟକ୍ତିର, ପ୍ରବଞ୍ଚନା (Hypocrisy) ଓ ସରଳ ପ୍ରାଣର-। ବିଚରା ସଚେତନ ବ୍ୟକ୍ତି ଅବୁଝା ରହିଯାଏ ।

 

ଏପରି ଏକ ଅସହାୟ ଅବସ୍ଥାରୁ ମୁକ୍ତି ଅଛି, ନା ୟାର କିଛି ସମାଧାନ ଅଛି ! ମୁକ୍ତି କିମ୍ବା ସମାଧାନର ଦିଗ୍‌ଦର୍ଶନ ହୁଏତ ସମୟ ଦେବ, ସୂତ୍ରଧର ନୁହେଁ ଯେହେତୁ ସୂତ୍ରଧର ଏ ଜଟିଳ ପରିସ୍ଥିତିରୁ ମୁକ୍ତ ନୁହେଁ ।

 

ସୂତ୍ରଧର କିଛିଟା ସୂଚନା ଦେଲା ମାତ୍ର । ଅବଶିଷ୍ଟ କଥା କହିବେ ଗଳ୍ପର ଚରିତ୍ରମାନେ । ତେଣୁ ନାଟକରେ ଦର୍ଶକର ରସୋପଲବ୍‌ଧି ପରି ସହୃଦୟ ପାଠକେ ବିଚାର କରିବେ ଗଳ୍ପଗୁଡ଼ିକୁ ।

 

ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକ ଝଙ୍କାର, ସମାବେଶ, ଗଳ୍ପ, ନବରବି, ଡଗର, କଳିଙ୍ଗ, ଅନ୍ୟଥା, ଚୈତକ ଇତ୍ୟାଦି ପତ୍ରିକାରେ ପୂର୍ବରୁ ପ୍ରକାଶିତ । ତଥାପି କେତୋଟିର ନାମକରଣ ଓ ବିଷୟବସ୍ତୁରେ କିଛି ପରିବର୍ତ୍ତନ ଘଟିଛି ।

 

ଓଡ଼ିଆ ଗଳ୍ପ ସାହିତ୍ୟରେ ମୁଁ ଯଥେଷ୍ଟ ଅନୁଜ ହେଲେବି ଫ୍ରେଣ୍ଡସ୍ ପବ୍ଳିଶର୍ସର ମାଲିକ ଶ୍ରୀ ସହଦେବ ପ୍ରଧାନ ମୋ କାହାଣୀଗୁଡ଼ିକୁ ବହି ଆକାରରେ ପ୍ରକାଶ କରିବାର ଦାୟିତ୍ଵ ନେଇଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ମୋ ଚିନ୍ତା ଉଦୟବାବୁଙ୍କ ତୂଳୀରେ ରଙ୍ଗ ହେଇ ବହିର ପ୍ରଚ୍ଛଦକୁ ଯେମିତି ବ୍ୟାପିଛି ତା’ର ତାରିଫ ଶିଳ୍ପୀଙ୍କପାଇଁ ଯଥେଷ୍ଟ ନୁହେଁ । ସର୍ବୋପରି ଏ ବହିର ପ୍ରକାଶ କାଳରେ ଯେଉଁମାନଙ୍କୁ ସ୍ମରଣ କରିବା କଥା ସେମାନେ ହେଲେ ମୋର ଅନ୍ତରଙ୍ଗ ବନ୍ଧୁ ତଥା ଶୁଭେଚ୍ଛୁ ସର୍ବଶ୍ରୀ ଦଶରଥ ସାମଲ, ସମରେନ୍ଦ୍ର ପ୍ରସାଦ ଦାସ, ନାରାୟଣ ପଣ୍ଡା, ଓ ପ୍ରଥମ ପାଠିକା ତୃପ୍ତି ମହାପାତ୍ର (ସଂପ୍ରତି ବିଶ୍ଵାଳ) ।

 

ବାସୁଦେବପୁର,

ରାଧାବିନୋଦ

୧, ମେ, ୧୯୭୨

 

Image

 

ସୂଚିପତ୍ର

 

୧.

ପରାଣ ପିତୁଳା କାନ୍ଦୁଚି

୨.

ବାଟ

୩.

ନିଜକଥା

୪.

ଅରକ୍ଷିତ

୫.

ମଧ୍ୟମ ଶୂନ୍ୟତା

୬.

ହିପ୍‍ପୀ

୭.

ନରବାନର

୮.

ସମୟ : ସହଯାତ୍ରୀ

୯.

ବିବର୍ତ୍ତନ

୧୦.

ବିବର୍ଣ୍ଣ ବସନ୍ତ

୧୧.

ବୁଦ୍ଧଂ ଶରଣମ୍

୧୨.

ତରୁଣ ଦାସ ସମ୍ପର୍କରେ

 

ଶୀତରାତି (ଏକ)

 

ଶୀତରାତି (ଦୁଇ)

୧୩.

ବୃହନ୍ନଳା

୧୪.

ଆତ୍ମଭାବ

Image

 

ପରାଣ ପିତୁଳା କାନ୍ଦୁଛି

 

ମୃତ୍ୟୁ ଯେତେବେଳେ ସନାତନର କୋଠରି ମଧ୍ୟରେ ଏକ ଅସହାୟ ପରିବେଶ ସୃଷ୍ଟି କରିଥିଲା, ଠିକ୍ ସେଇ ସମୟରେ କାଳ ପେଚାଟିଏ ତା’ ଛାତ ଉପରେ ବସି ଦୁଇଟି ଗୋଲ ରହସ୍ୟମୟ ଆଖିରେ ଦୁନିଆର ରୂପ କଳୁଥିଲା ।

ତେଣେ ସମୁଦ୍ରର ଢେଉ ଆକାଶକୁ ଛୁଇଁବାପାଇଁ ପର୍ଯ୍ୟାୟକ୍ରମେ ଅଧିକ ସ୍ଫୀତ ହେଉଥିଲାବେଳେ ଆକାଶରେ ମେଘ ଜମାଟବାନ୍ଧି ଆକସ୍ମିକ ବଜ୍ରପାତର ଆଶଙ୍କା ମନରେ ଆଣୁଥିଲା ।

ସନାତନର ମୁକ୍ତି ମୁହୂର୍ତ୍ତ ନିକଟ ହେଉଛି ।

ସନାତନର ରୋଗଶଯ୍ୟା । ପୁରୁଣା ତକ୍ତପୋଷ ଉପରେ ହାତଗୋଡ଼ ମେଲାକରି ପ୍ରକାଶ୍ୟ ସନାତନ ମୃତ୍ୟୁକୁ ଅପେକ୍ଷା କରିଛି । ପାଖ ଟି’ପୟ ଉପରେ କେତୋଟି ଫାଙ୍କା ଶିଶି । ଅନ୍ଧକାର କୋଠରିଟିରେ ଆଲୋକ କହିଲେ ଗୋଟିଏ ଲଣ୍ଠନ । କାଚ ଦେହରେ କଳା ବସିଯାଇଥିବାରୁ ଟି’ପୟର ଗୋଲାକାର ଭୂମି କେବଳ ଆଲୋକିତ ।

ପ୍ରକାଶ୍ୟ ସନାତନ ଯନ୍ତ୍ରଣାରେ ଚିତ୍କାର କରୁଛି । ତା’ ଭିତରର ସ୍ଥିତପ୍ରଜ୍ଞ ସନାତନ ତାକୁ ସତର୍କ କରୁଛି : ଦେଖ ସନାତନ, ଏତେଦିନ ଗୋଟେ ଧାରଣାରେ ବଞ୍ଚିଆସିଲୁ । ମଣିଷ ମୁକ୍ତହୋଇ ଜନ୍ମ ନେଇଛି । ସ୍ଵାଧୀନତା ତା’ର ଅଧିକାର । ଅନେକ ତ ଦଉଡ଼ିଲୁ, ଜଣ ଜଣ କରି ବୁଝେଇଲୁ, ପ୍ଲାଟଫର୍ମରେ ହାତ ମୁଠାକରି ଘୋଷଣାକଲୁ ତୁ ମୁକ୍ତ... ମୁକ୍ତ...ମୁକ୍ତ ! କିନ୍ତୁ କିଛି ଅନୁଭବ କଲୁ ? ତୋରି ଘୋଷଣା ତୋ କାନରେ ଏକ ପରିହାସରେ ପରିଣତ ହେଲା । ତୁ କେବେ ମୁକ୍ତ ନଥିଲୁ ଏବେ ମଧ୍ୟ ନୁହେଁ । ଶୁଣ ମୋ କଥା–ଯଦି ପ୍ରକୃତରେ ମୁକ୍ତି ଚାହୁଁ ବାହାରକୁ ପିଠିକରି ଶୋଇପଡ଼ । ଅଯଥାରେ ଛାଟିପିଟି ହେଇ ଶରୀରକୁ କଷ୍ଟ ଦେବାର ଅର୍ଥ କ’ଣ !

ସନାତନ ନୀରବ ହେଲା । ତା’ର ମୁକ୍ତି ମୁହୂର୍ତ୍ତ ନିକଟ ହେଉଛି ।

ସନାତନ ଶୋଇ ଶୋଇ ସ୍ୱପ୍ନ ଦେଖୁଛି । ଠିକ୍ ସ୍ଵପ୍ନ ତ ନୁହେଁ, ବରଂ ମୃତ୍ୟୁକାଳୀନ ଅଛି ନାହିଁର ଅସଂଯତ ମାନସିକ ଅବସ୍ଥା ଭିତରେ ସେ କେତୋଟି ଖଣ୍ଡିତ ଚିତ୍ର ଦେଖୁଛି । ଚିତ୍ରଗୁଡ଼ିକ ସନାତନର ଦୀର୍ଘ ତିରିଶବର୍ଷ ଜୀବନକାଳ ମଧ୍ୟରେ କେତେଗୁଡ଼ିଏ ଅନୁଭୂତି; ତାକୁ ନାଚିବା, ହସିବା, କାନ୍ଦିବାରେ ସାହାଯ୍ୟ କରିଛନ୍ତି କିମ୍ବା ଏମିତି ସବୁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଫଳରେ ଏ କ୍ରିୟାଗୁଡ଼ିକ ତା’ ଜୀବନରେ ସ୍ୱତଃ ସଂଘଟିତ ହୋଇଛନ୍ତି । ଘଟୁଥିବା ଘଟନାଗୁଡ଼ିକର କ୍ରମ ଏହିପରି-: ସାମାନ୍ୟ କୋଳାହଳରେ ସନାତନ ଆଖି ଖୋଲି ଦେଖିଲା କୋଠରିରେ କେତେଗୁଡ଼ିଏ ବିଚିତ୍ର ମଣିଷ । ଆପାତ ଦେଖାରେ ସେମାନଙ୍କୁ ମଣିଷ ବୋଲି ଧରିନେବାରେ କିଛି ଅସୁବିଧା ନାହିଁ-। କାରଣ ମଣିଷଠାରୁ ବ୍ୟତିକ୍ରମ କହିଲେ କେବଳ ସେମାନଙ୍କର ମସ୍ତିଷ୍କ । ମଣିଷର ମସ୍ତିଷ୍କକୁ ସୁରକ୍ଷିତ କରୁଥିବା ପିଟା ଲୁହା ଚାଦର ରୂପକ ଖପୁରିର ଉପରଅଂଶ ସେମାନଙ୍କର ନଥିଲା-। ଖପୁରିଟି ନ ଥିବାରୁ ମସ୍ତିଷ୍କ ସୁରକ୍ଷିତ ହେଇପାରିନି, ଫଳରେ ସେ ସ୍ଥାନ ଶୂନ୍ୟ ।

ସନାତନ ଆଖିର ଡୋଳା ଦୁଇଟିକୁ ସେମାନଙ୍କ ଉପରେ ସ୍ଥିର କଲା । କିନ୍ତୁ ମଣିଷ ନାମଧାରୀ ସେହି ଅସମ୍ପୂର୍ଣ୍ଣ ଜୀବଗୁଡ଼ିକ ତରଙ୍ଗାୟିତଭାବେ ତା’ ବିଛଣାର ଧାରେ ଧାରେ ଘୂରୁଥିଲେ ଏବଂ ଅଳ୍ପ ବ୍ୟବଧାନରେ ଆନନ୍ଦଧ୍ଵନି କରୁଥିଲେ । ସେମାନେ ବୋଧହୁଏ ସେମାନଙ୍କର ହିପ୍ ହିପ୍ ହୁରା କିମ୍ବା ‘ଜୟ’ ପରି କେତେଗୁଡ଼ିଏ ଧ୍ଵନି ଦେଉଥିଲେ ।

 

ସନାତନ ସେମାନଙ୍କୁ ଚିହ୍ନିବାକୁ ଚେଷ୍ଟା କଲା । ମୁହଁଗୁଡ଼ିକ ଅନେକ ଜଣା ଜଣା । କେବେ ଯେମିତି ଅତି ଆପଣାର ଥିଲେ, ଅଥଚ କେଉଁଠି କ’ଣ ସମ୍ପର୍କଟା ଛିଡ଼ିଗଲା ଯେ ଆଉ ଯୋଗସୂତ୍ର ନାହିଁ । ହୁଏତ ସେମାନେ ଦୂରକୁ ଚାଲିଗଲେ କିମ୍ବା ସନାତନ ଛିଟିକିଯାଇ କେଉଁ ଅପନ୍ତରାରେ ପଡ଼ିଗଲା ।

 

ସନାତନକୁ ବେଢ଼ି ନାଚୁଥିବା ମଣିଷମାନଙ୍କ ମଧ୍ୟରୁ ଦୁଇଜଣ ଧାଡ଼ିରୁ ବାହାରି ଆସି ତା’ ବିଛଣା କଡ଼ରେ ବସିଲେ । ତା’ପରେ ପରସ୍ପରକୁ ଚାହିଁ ଆଖିରେ ହସିସାରି ଜଣେ ତା’ର କପାଳରେ ଏବଂ ଅନ୍ୟଜଣକ ତା’ ଦେହରେ ହାତ ବୁଲେଇଲା ।

 

ସନାତନ ବୋକାହେଇ ସେମାନଙ୍କୁ ଚାହିଁଲା । ଆଗନ୍ତୁକ ଦୁଇଜଣ ବୁଝିଗଲେ ସନାତନ ସେମାନଙ୍କୁ ଠିକ୍‌ଭାବେ ଚିହ୍ନିପାରୁନି । ତା’ପରେ ସେମାନେ ଉଠି ଠିଆହେଲେ ଓ ସେମାନେ ଯୁଆଡ଼େ ଯାଉଛନ୍ତି ତାଙ୍କ ପଛେ ପଛେ ଚାଲିବାକୁ ସନାତନକୁ ନିର୍ଦ୍ଦେଶ ଦେଲେ ।

 

ସନାତନ ଆଖି ବନ୍ଦ କଲା । (ପ୍ରକାଶ ଥାଉକି ଆଖି ବନ୍ଦକଲା ପରେ ଘଟନାଗୁଡ଼ିକ ସନାତନକୁ ସ୍ପଷ୍ଟ ମନେହେଉଛି ।)

 

ପ୍ରଥମ ପର୍ବ :

 

ସନାତନ ସେମାନଙ୍କ ପଛେ ପଛେ ଚାଲିଛି । ଏମିତି ସେମାନେ ଚାଲିଲେ କିଛି ସମୟ-। ପରେ ଦେଖାଗଲା ଗୋଟିଏ ଆଲୋକିତ ଅଞ୍ଚଳ ଯେଉଁଠି ବିରାଟ୍ କୋଠାଘରମାନ ଆକାଶକୁ ଛୁଇଁଲାପରି । ସମସ୍ତ ଅଞ୍ଚଳଟି ଏକ ଉଚ୍ଚ ଇଟା ପ୍ରାଚୀରଦ୍ୱାରା ପରିବେଷ୍ଟିତ । ସେ ସ୍ଥାନର କେନ୍ଦ୍ରବିନ୍ଦୁରେ ମନ୍ଦିରଟିଏ ଏବଂ ମନ୍ଦିର ମଧ୍ୟରେ କେତେଗୁଡ଼ିଏ ପାହାଚ କ୍ରମେ ଉପରକୁ ଉଠିଯାଇ ଶେଷରେ ଏମିତି ସ୍ଥାନରେ ମିଶିଯାଇଛି ଯେଉଁଠାରେ ପହଞ୍ଚିବା ପାଇଁ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାନ୍ତି । ସେଠାରେ ପହଞ୍ଚିଗଲା ପରେ ସେ ଲୋକଙ୍କୁ ସ୍ଵତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇ ଦୁନିଆରେ ସେ ଜଣେ ବିଜ୍ଞ ଲୋକ ବୋଲି ସ୍ଵୀକୃତି ଦିଆଯାଏ ।

 

ସେଠାରେ ପହଞ୍ଚିଗଲା ପରେ ସନାତନ ସ୍ଵତଃ ସେ ପାହାଚ ନିକଟକୁ ଚାଲି ଯାଉଛି ଏବଂ ତାକୁ ଏତେବାଟ ଟାଣିନେଇ ଆସିଥିବା ଭଦ୍ରବ୍ୟକ୍ତି ଦୁଇଜଣ ମନ୍ଦିର ନିକଟରୁ ଦୂରେଇ ଯାଇ ନିକଟସ୍ଥ ଘାସ ପଡ଼ିଆରେ ପଦଚାରଣ କରୁଛନ୍ତି ।

 

ସନାତନକୁ ସ୍ଥାନଟି କ୍ରମେ ପରିଚିତ ମନେହେଉଛି ।

 

ଛନ୍ଦାଛନ୍ଦି ହୋଇ ଅନେକ ସରୁରାସ୍ତା କଡ଼କୁ କୃଷ୍ଣଚୂଡ଼ା ଗଛ । ଗଛଗୁଡ଼ିକର ଶୀର୍ଷଦେଶ ଏବଂ ଆକାଶ ମଝିରେ ଥିବା ଶୂନ୍ୟତାର ସ୍ଵତନ୍ତ୍ର ରଙ୍ଗ ନାହିଁ, ଅଥଚ ପରିଷ୍କାର କାଚପରି । ସେଇ ଗଛମାନଙ୍କ ଉପରେ ଥାକଥାକ ଫୁଲ ସବୁଜ କ୍ୟାନ୍‌ଭାସ୍ ଉପରେ ଡିପ୍ ଲାଲରଙ୍ଗ ପରି ।

 

ତା’ ତଳେ ପୁଣି ଦେଖାଯାଉଛି ଯୁବକଯୁବତୀ କିମ୍ଵା ରକ୍ତମାଂସର ଶୋଭାଯାତ୍ରା । ଅନେକ ପସନ୍ଦ କରୁଛନ୍ତି ସେ ମନ୍ଦିରର ପାହାଚ ଦେଇ ଅନିର୍ଦ୍ଦିଷ୍ଟ ପଥ ଅତିକ୍ରମ କରିବା ଅପେକ୍ଷା କୃଷ୍ଣଚୂଡ଼ା ଗଛମୂଳେ ରକ୍ତ ବିନିମୟକୁ । ଯୁବତୀମାନଙ୍କ ଅନାବୃତ ନାଭିମଣ୍ଡଳର ନିମ୍ନାଂଶ, ଉଚ୍ଚ ବକ୍ଷ ଆଉ ସେମାନଙ୍କ ଚାହାଣିକୁ ମିଶାଇ ଦେଲା ପରେ ହଠାତ ସେ ଅଞ୍ଚଳରେ ବକୁଳଫୁଲର ବାସ୍ନା ଅନୁଭବ କରାଯାଏ ଓ ପ୍ରତ୍ୟେକ ବସ୍ତୁ କେବଳ ରକ୍ତବର୍ଣ୍ଣ ଦେଖାଯାନ୍ତି ।

 

ଯୁବକଯୁବତୀଙ୍କର ସେ ଶୋଭାଯାତ୍ରାରେ ଲୋକ ଦି’ଜଣ ମିଶି ଯାଉଛନ୍ତି ଓ ପରେ ପରେ ସେଠାରୁ ଅଳ୍ପ ଦୂରରେ ଥିବା ଜଙ୍ଗଲକୁ ଯୁବତୀ କନ୍ୟାମାନଙ୍କୁ ଡାକିନେଇ ଉଲଗ୍ନ କରୁଛନ୍ତି । ତା’ପରେ ତାଙ୍କ ପାଟିରେ ସେମାନଙ୍କ ତାଜା ରକ୍ତକୁ ପିଇ ଯାଉଛନ୍ତି ।

 

ପୁଣି ସେ ଦୁଇଜଣଙ୍କୁ ଦେଖାଯାଉଛି ନିର୍ଦ୍ଦିଷ୍ଟ କେଫ୍‌ରେ । ଦି’ କପ୍ କଫି କିଛି ସିଗ୍ରେଟ ପରେ ପ୍ରଶସ୍ତ ରାସ୍ତା, ଜହ୍ନରାତି, ଯୁବତୀମାନଙ୍କ ପାଇଁ ନିର୍ମିତ ପ୍ରସାଦର ଦ୍ୱାର ଦେଶରେ ।

 

ସନାତନ ସେ ପାହାଚଗୁଡ଼ିକୁ ଯେତେ ଅତିକ୍ରମ କରୁଛି ଲୋକ ଦୁଇଟି ତାକୁ ଅଧିକ ପରିଚିତ ମନେ ହେଉଛନ୍ତି ।

 

ସନାତନ ପାହାଚର ଶୀର୍ଷଦେଶରେ ପହଞ୍ଚିଗଲା ଓ ସେତେବେଳେ ସ୍ପଷ୍ଟ ଚିହ୍ନିପାରିଲା ସେ ଦୁଇଜଣ ତା’ର ସମଧର୍ମୀ ବନ୍ଧୁ ଗୋବର୍ଦ୍ଧନ ଏବଂ ଗଦାଧର । ଯଦିଓ ସେମାନେ ମନ୍ଦିରରେ ପ୍ରବେଶ କରିବାକୁ ଇଚ୍ଛା କରିନାହାନ୍ତି । କାରଣ ସେମାନେ ସେଠାକାର ଯୁବତୀ, ରାସ୍ତା, ଜହ୍ନରାତି, କେଫ୍ କୃଷ୍ଣଚୂଡ଼ା ଗଛମାନଙ୍କୁ ଆବୋରି ନେଇଥିଲେ ନିଜକୁ, ନିଜର ଖିଆଲକୁ ପ୍ରକାଶ କରିବାପାଇଁ-

 

(ଗୋବର୍ଦ୍ଧନର ନାମ ସହିତ ଆକୃତି ଏବଂ ଆକୃତି ସହିତ ବୁଦ୍ଧିର ମେଳ, ଗଦାଧର ଆକୃତିରେ ସ୍ଥୂଳ ଅଥଚ ଧୂର୍ତ୍ତ, ସନାତନ ସାଧାରଣ ସ୍ଵାସ୍ଥ୍ୟର ଯୁବକ କିନ୍ତୁ ସ୍କଲାର ବୋଲି ପରିଚିତ)

 

ସନାତନ ଆଲୋକ ରାଜ୍ୟରେ ରହି ଚାରିଆଡ଼କୁ ଚାହିଁଲା...ଚାହିଁଲା ଗୋବର୍ଦ୍ଧନ ଓ ଗଦାଧରକୁ । କେତେଟା ବର୍ଷ ବିତିଯାଇଛି । ସେମାନେ ଭୁଲିଗଲେ ସେମାନଙ୍କର ଉଦ୍ଦେଶ୍ୟ । ସନାତନ ଖୁବ୍‍ ହାଲୁକା ଅନୁଭବ କରୁଛି ।

 

ସେଠାରୁ ସନାତନକୁ ପାଛୋଟି ନେବାପାଇଁ ଜଣେ ଲୋକ (ଯେ ଏକ ସ୍ୱତନ୍ତ୍ର ପୋଷାକ ପରିଧାନ କରିଛନ୍ତି) ସେଠାରେ ଉପସ୍ଥିତ ହେଲେ ଓ ସନାତନକୁ ଜଣାଇଲେ ଯେ ତା’ ସହିତ ଅନ୍ୟ ଯେଉଁମାନେ ସେ ଆଲୋକିତ ରାଜ୍ୟରେ ପହଞ୍ଚିଛନ୍ତି ସେମାନଙ୍କୁ ସ୍ଵୀକୃତି ଦେବାକୁ ମନ୍ଦିରର ମହନ୍ତଙ୍କଦ୍ୱାରା ଏକ ଉତ୍ସବର ଆୟୋଜନ ହେଉଛି । ସନାତନର ଦୃଷ୍ଟି ଦିଗନ୍ତକୁ ପ୍ରସାରିତ ହେଉଛି-

 

ମନ୍ଦିରର ମହନ୍ତ ଘୋଷଣାକଲେ ଆଜି: ଯେଉଁମାନଙ୍କୁ ଏଠାରେ ସ୍ଵୀକୃତି ଦିଆଗଲା ସେମାନେ ସମାଜରେ ଏକ ସ୍ଵତନ୍ତ୍ର ଗୋଷ୍ଠୀ । ସେମାନଙ୍କ ମସ୍ତିଷ୍କର ଉଚିତ ବିନିଯୋଗରେ ସମାଜର ରୂପ ବଦଳିବ । ତା’ପରେ ସେ ସନାତନ ସମେତ ଅନ୍ୟମାନଙ୍କ ମୁଣ୍ଡଉପରେ ନିଜର ହାତଟିକୁ ଟେକିଦେଇ ଆଶୀର୍ବାଦ କଲେ–ଯାଅ ବତ୍ସ ! ତମମାନଙ୍କ ପାଇଁ ଦୁନିଆର ପଥ ଏବେ ଉନ୍ମୁକ୍ତ । ତରୁଣୀ ଭାର୍ଯ୍ୟା ସହିତ ସୁଖରେ ସାଂସାରିକ ଜୀବନ ଅତିବାହିତ କର ।

 

ଗୁରୁଙ୍କର ଆଶୀର୍ବାଦ ଶିରରେ ବହି ସନାତନ ଉତ୍ସବ ମଣ୍ଡପରୁ ତଳକୁ ଓହ୍ଲେଇ ଆସୁଥିଲାବେଳେ ଦେଖିଲା ଗୋବର୍ଦ୍ଧନ ଏବଂ ଗଦାଧର ତାକୁଇ କେବଳ ଅପେକ୍ଷା କରିଛନ୍ତି । ସେମାନଙ୍କ ପରାଜୟରେ ସନାତନ ଦୁଃଖ ପ୍ରକାଶ କଲା । ସେମାନେ କିନ୍ତୁ ବେଶ୍ ପ୍ରଫୁଲ୍ଲ ଦେଖା ଯାଉଥିଲେ । ସନାତନ ତାଙ୍କ ନିକଟରେ ପହଞ୍ଚିଗଲା ପରେ ତିନି ବନ୍ଧୁଙ୍କର ଏକ ଛୋଟ ଶୋଭାଯାତ୍ରା ବାହାର ଦୁନିଆ ଉଦ୍ଦେଶ୍ୟରେ ଆଗେଇଲା ।

 

ବିରାଟ୍ ଇଟା ପ୍ରାଚୀରର ପ୍ରବେଶ-ଦ୍ୱାର ଖୋଲିଗଲା । ତିନି ବନ୍ଧୁ ସେ ପରିବେଶ ମଧ୍ୟରୁ ମୁକ୍ତ ହୋଇ ରାଜପଥରେ ପାଦ ଦେଲେ । କିଛି ବାଟ ଚାଲିଲା ପରେ ଗୋଟାଏ ଟ୍ରାଫିକ୍ ପୋଷ୍ଟ, ଯେଉଁଠି ସେମାନେ ଅଟକି ଯାଇ ପରସ୍ପରକୁ ଚାହିଁଲେ ଓ ଦୁଇ ହାତ ପାପୁଲିରେ କିଛି ସମୟ ଧରି ନିଜ ନିଜର ମୁହଁକୁ ପୋଛିବାକୁ ଲାଗିଲେ । ଠିକ୍ ସେତିକିବେଳେ ଗୋଟିଏ ଶୋଭାଯାତ୍ରା ସେଇ ବାଟ ଦେଇ ଆସିଲା । ସୁଯୋଗ ଉପସ୍ଥିତ ଦେଖି ଗୋବର୍ଦ୍ଧନ ସେ ଟ୍ରାଫିକ୍ ପୋଷ୍ଟ ଉପରେ ଠିଆହୋଇ ଶୋଭାଯାତ୍ରାକାରୀଙ୍କ ଉଦ୍ଦେଶ୍ୟରେ କିଛି କହିବାକୁ ଉଦ୍ୟତ ହେଉଥିଲାବେଳେ ଗଦାଧର ‘‘ଜନନେତା ଗୋବର୍ଦ୍ଧନ ଭୋଇକି ଜୟ” ବୋଲି କେତୋଟି ପଦ ଉଚ୍ଚାରଣ କଲା ଓ ପରେ ପରେ ସେ ଲୋକମାନେ ସେମାନଙ୍କର ମିଳିତ ସ୍ୱର ଗଦାଧରର ସ୍ଵର ସହିତ ମିଶାଇଦେଲେ-। ତା’ପରେ ସେମାନଙ୍କ ହାତରୁ ଗୋଟିଏ ଫୁଲମାଳ ଆଣି ଗଦାଧର ଗୋବର୍ଦ୍ଧନ ବେକରେ ଗଳେଇଦେଲା । ଗୋବର୍ଦ୍ଧନର ବପୁ ଏବଂ ତା’ର ବୋକାଳିଆ ଚେହେରା ସହିତ ଫୁଲମାଳଟି ମିଶିଗଲା ପରେ ସେ ଗୋଟିଏ ଆଧୁନିକ ନେତାପରି ଦେଖାଗଲା ।

 

ସନାତନ ଚାହିଁ ରହିଛି । ଶୋଭାଯାତ୍ରା ଆଗରେ ଗୋବର୍ଦ୍ଧନ, ତା’ପଛକୁ ଗଦାଧର ଓ ସେମାନଙ୍କ ପଛକୁ ଶୋଭାଯାତ୍ରାକାରୀ ।

 

ଶୋଭାଯାତ୍ରା ଚାଲିଗଲା । ସନାତନ ଆଗରେ ଚାରିଦିଗକୁ ଚାରୋଟି ରାସ୍ତା । କୌଣସି ଗୋଟିଏ ରାସ୍ତାରେ ଚାଲିବାକୁ ପଡ଼ିବ । ସନାତନ ସେ ଭିତରୁ ଗୋଟିଏ ଦିଗ ହଠାତ ଠିକ୍ କରିନେଇ ସେଇ ରାସ୍ତାରେ ଚାଲିବାକୁ ଲାଗିଲା । ଆଗରେ ବିରାଟ୍ କୋଠାଘର । ସନାତନ ମନରେ ଦ୍ୱନ୍ଦ୍ୱ । ତଥାପି ଗୋଟିଏ ରାସ୍ତାରେ ଚାଲିବାକୁ ହେବ । ସନାତନ ସେ କୋଠା ଘରେ ପଶିଗଲା ।

 

ସନାତନ ଆଖି ଖୋଲିଲା ।

 

ପୂର୍ବବର୍ତ୍ତୀ ଘଟନା ସହିତ ସମ୍ପର୍କ ଥିବାରୁ ସେ ଦୁଇଜଣ ବ୍ୟକ୍ତିଙ୍କୁ ଏବେ ଚିହ୍ନି ପାରିଲା । କ୍ଷୋଭ ଏବଂ ଉଦ୍‌ବେଗରେ ସେ ବ୍ୟସ୍ତହୋଇ ପଡ଼ିଲା । ପୁଣି କାହିଁକି ! ତମ ନିକଟକୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ନେଇ ହାରିଯାଇଛି ବୋଲି ଘୋଷଣା କରି ସାରିଲା ପରେ ମୋର ନିଜପଣିଆ ଆଉ କ’ଣ ରହିଲା ଯେ ତମେ ମୋ ପାଖକୁ ପୁଣି କଷ୍ଟକରି ଆସିଛ !!!

 

ସନାତନ ତା’ର ଦୁଇଟି ଦୁର୍ବଳ ହାତରେ ଶେଯକୁ ଜାବୁଡ଼ି ଧରିଲା... । ଗୋଟିଏ ଅନ୍ଧକାର ଗହ୍ୱରରେ ପଡ଼ି ଯାଇଥିଲାବେଳେ କେତେ ତମକୁ ଡାକିଛି, ଅନୁନୟ ବିନୟ ହୋଇ କେତେ ଚିତ୍କାର କରିଛି ଗୋବର୍ଦ୍ଧନ, ଗଦାଧର ମୋତେ ବଞ୍ଚାଅ, ମୋ ହାତଧରି ଟିକେ ଆଲୋକ ରାଜ୍ୟରେ ପହଞ୍ଚିବାକୁ ମୋତେ ସାହାଯ୍ୟ କର... । କିନ୍ତୁ ତୁମେ ଶୁଣିଲ ? ବରଂ ମୋ ଯନ୍ତ୍ରଣାରେ ତମେ ଆନନ୍ଦିତ ହେଲ । ମୋ ପାଖ ଦେଇ ଚାଲିଗଲାବେଳେ ତମ ନିଜସ୍ଵ ଅହଂକାର ଟିକକ ଫୁଲ୍‌କା ହେଇ ତମ ମୁହଁରେ ରୂପ ପାଇଛି । ମୁଁ ସେମିତି ଖୋଲାହାତ ଦୁଇଟି ଟେକି ତମକୁ ଚାହିଁଥିଲି ସିନା ଧରି ପାରିଲି ନାହିଁ । ଆଉ ଫେରେ କାହିଁକି !

 

ଗୋବର୍ଦ୍ଧନ : ଏଥିରେ ଆମର ଦୋଷ ରହିଲା କେଉଁଠି ?

 

ସନାତନ : ମୁଁ କାହାରିକୁ ଦୋଷ ଦେଉନି ।

 

–ତେବେ ?

 

–କିଛି ନୁହେଁ, ତୁମେ ଚାଲିଯାଅ ।

 

–ଚାଲିଯିବୁ ନିଶ୍ଚୟ, କିନ୍ତୁ ଦେଖ, ତୁ ବଞ୍ଚିବା ସହିତ ସନ୍ଧିକରି ପାରିଲୁ ନାହିଁ । ସବୁବେଳେ ସ୍ରୋତର ପ୍ରତିକୂଳରେ ଚାଲିବାକୁ ଚେଷ୍ଟାକଲୁ । –ନା, ଠିକ୍ ସେଇଆ ନୁହେଁ, ବରଂ ମୁଁ …ମୁଁ ଚେଷ୍ଟା କରୁଥିଲି ଯଦି ଏଇ ପୁରୁଣା ସ୍ରୋତର ଧାରାକୁ ବଦଳେଇ ଦିଆଯାଇ ପାରନ୍ତା ।

 

–ପାରିଲୁ ? ପାରିବୁ ନାହିଁ । ନ ପାରିଲେ ସନ୍ଧିପତ୍ରରେ ସ୍ୱାକ୍ଷର କରିବା ଏକ ସ୍ୱାଭାବିକ କଥା । ତୋ ମୁଣ୍ଡର ଉପର ଅଂଶକୁ କାଟିଦେଇ ଯଦି ସେମାନଙ୍କ ପରି ହେଇ ଯାଇଥାନ୍ତୁ କ’ଣ କ୍ଷତି ହୋଇଥାନ୍ତା !

 

–ମୁଁ ପାରୁନି ।

 

–ଚେଷ୍ଟାକର । ଏବେବି ସମୟ ଅଛି । ସେମାନେ ତୋ ପାଖକୁ ଆସିଛନ୍ତି । ସନାତନର ବିଛଣା କଡ଼ରେ ଅନ୍ୟ ଯେଉଁମାନେ ରହି ତରଙ୍ଗାୟିତଭାବେ ଗତି କରୁଥିଲେ ସେମାନେ ତା’ ନିକଟକୁ ଆସିଲେ । ସେମାନେ ନିକଟକୁ ଆସି ସନାତନକୁ ପ୍ରଶ୍ନ କଲେ–ଆମକୁ ଚିହ୍ନି ପାରୁଛ ?

 

ସନାତନ ପୁନଶ୍ଚ ଆଖି ବନ୍ଦ କଲା ।

 

ଦ୍ଵିତୀୟ ପର୍ବ :

 

ପୂର୍ବର ସେହି କୋଠାଘର । ଭିତରେ ପଶିଗଲେ ଲମ୍ବା ଲମ୍ବା ହଲ୍ । କାନ୍ଥରେ ଝରକା ନାହିଁ, ବାହାରର ମୁକ୍ତ ବାୟୁ ନାହିଁ । ବିଜୁଳିପଙ୍ଖା, ଅସ୍ପଷ୍ଟ ଆଲୋକ ସହିତ ସେଠାକାର ଲୋକମାନଙ୍କ ଦୀର୍ଘଶ୍ୱାସ ମିଶି (ଯେଉଁମାନେ ବଞ୍ଚିବା ସହିତ ସାଲିସ୍ କରି ନେଇଛନ୍ତି) ହଲ୍‍ର ବାୟୁମଣ୍ଡଳ ଦୂଷିତ ଏକପ୍ରକାର । ତା’ ଭିତରେ ସନାତନର ଗୋଟିଏ ନିର୍ଦ୍ଦିଷ୍ଟ ଆସନ । କାର୍ଯ୍ୟକ୍ଷେତ୍ର ଖଣ୍ଡିଏ ପୁରୁଣା ଟେବୁଲ ଯେଉଁଥିରେ ଅନେକ ଥର ଢାଳିହେଇ ପଡ଼ିଥିବା ନାଲି ଏବଂ କଳା କାଳିର ଚିହ୍ନ ବିକୃତ ଦିଶୁଛି । ସନାତନକୁ ଧାରଣା ଦିଆଯାଇଛି ସେଠି ଥିବାପର୍ଯ୍ୟନ୍ତ ସେଇ ଟେବୁଲ ଓ ତା’ ନିକଟରେ ଥାକମରା ହୋଇଥିବା ପୁରୁଣା କାଗଜପତ୍ର ତା’ର ସାମ୍ପ୍ରତିକ ଦୁନିଆ । ଅନ୍ୟ କଥା କିଛି ନାହିଁ ।

 

ସନାତନ ସେଇ ହଲ୍ ମଧ୍ୟରେ ପ୍ରବେଶ କରୁଛି । ବହୁତ ପାନ ଖାଇ ଦାନ୍ତ ନାଲି କରିଥିବା ସେ ଯେଉଁ ଚନ୍ଦା ବୃଦ୍ଧ ଜଣକ ସେ ହେଲେ ସେଠାକାର ପର୍ଯ୍ୟବେକ୍ଷକ । ସେଠାରେ ନିଯୁକ୍ତ ସମସ୍ତ ଲୋକଙ୍କୁ ସମୟାନୁବର୍ତ୍ତୀ କରି ଗୋଟିଏ ନିର୍ଦ୍ଦିଷ୍ଟ ରୀତିରେ ପକେଇବା ତାଙ୍କ କାମ । ତେଣୁ ପ୍ରଥମ ଦେଖାରେ ସେ ସନାତନକୁ ସେଠାକାର ନୀତିନିୟମ ବିଷୟରେ କିଛି କହିବା ନିହାତି ସ୍ୱାଭାବିକ ।

 

ସନାତନ ସେ ବୃଦ୍ଧଙ୍କର ଦୀର୍ଘ ଭାଷଣ ଶୁଣିବାକୁ ବାଧ୍ୟ । କାରଣ ସେଠି ଯିଏ ପାଦ ଦିଏ ସେ ସେମିତି ଅନେକ କଥା ତାଙ୍କଠାରୁ ଶୁଣେ ବୋଲି କଥା ଅଛି । ତେଣୁ ସନାତନ ଧୈର୍ଯ୍ୟର ସହିତ ଶୁଣୁଥିବାର ଛଳନା କରୁଛି ।

 

ବୁଝିଲେ, ଆପଣ ଯୁବକ ଲୋକ, ନୂଆକରି ଜୀବନ ଆରମ୍ଭ କରୁଛନ୍ତି । ନିଜକୁ ଯେମିତି ସଜାଡ଼ିବେ, ସେ ଫାର୍ମାରେ ପଡ଼ିଯିବେ । ଧୈର୍ଯ୍ୟ ଦରକାର···ମାନେ ପେସେନ୍‌ସ...ଫାରମା ସହିତ ନିଜକୁ ଟିକେ ଖାପ ଖୋଇନେବେ । ଅବଶ୍ୟ ପ୍ରଥମେ ଏଡ଼ଜଷ୍ଟ କରିବାକୁ ଅଡ଼ୁଆ ଲାଗିବ । କିନ୍ତୁ ଦେଖିବେ କିଛିଦିନ ଗଲାପରେ ଆପଣ ଗୋଟେ ନୂଆ ଲୋକ...ସମ୍ପୂର୍ଣ୍ଣ ନୂଆ, ବୁଝିଲେ, ବୃଦ୍ଧ ଫାଇଁ ଫାଇଁ ହେଇ ହସିଲେ ।

 

ହଁ, ମୋ କଥା ଶୁଣିବେ–ପିଲାବେଳେ ଭାରି ଦୁଷ୍ଟ ଥିଲି । ମେଟ୍ରିକ୍ ଖଣ୍ଡକ କରିବାକୁ ପାଞ୍ଚଥର ଲାଗିଗଲା । ବାପାଙ୍କର ଗୋଟିଏ ପୁଅ କି ନା, ଗେହ୍ଲା ହୋଇଥିଲି । ବୁଲିଲି ଗୁଡ଼ାଏ ଦିନ...କେତେଦିନ ବା ବୁଲନ୍ତି ? ତା’ ସାଙ୍ଗକୁ ବାହାଘରଟା ହୋଇଗଲା...ମାନେ ଅଠରବର୍ଷରେ ରଂଜନା ବୋଉ, ରଂଜନା ମୋ ବଡ଼ ଝିଅ, ନାତିଟା ଆସି ବାହାହବାକୁ ହେଲାଣି, ତା’ର ଚଳାଚଳ ତ ଗୋଟେ ରଜାଘର ପରି । ହଁ, ରଂଜନା ବୋଉ ଆସିଗଲା । ଏବେ ଆପଣମାନେ ସବୁ ତିରିଶ ଟପିଲେ ବାହାଘର କଥା ଚିନ୍ତା କରୁଛନ୍ତି…ଆମବେଳେ ଚିନ୍ତା କ’ଣ ! ଭାବିଲି କିଛିଗୋଟେ ଧନ୍ଦା କରିବା । ଆପଣ ବିଶ୍ୱାସ କରିବେନି, ବ୍ରାହ୍ମଣ ପିଲା ତ, ବାପା କହିଲେ ଗୋରା ଅଧୀନରେ କାମ କଲେ ଜାତି ଯିବ । ମୁଁ କାହିଁକି ମାନନ୍ତି...ସେତେବେଳକାର ମେଟ୍ରିକ୍, ମାନେ ଆପଣଙ୍କ କ୍ୱାଲିଫିକେଶନର ଏବେ କ’ଣ ଗୁରୁତ୍ଵ ଅଛି ! ...ଛାଡ଼ନ୍ତୁ, ସେଇ ସମୟରୁ ଏପର୍ଯ୍ୟନ୍ତ । ଆଉ ଦି‌’ବର୍ଷ ପରେ ବିଶ୍ରାମ ।

 

ହଁ ଅସଲ କଥା ଭୁଲିଗଲି‌–ସାହେବମାନେ ଏ ଦେଶରୁ ଯେଉଁଦିନ ଗଲେଣି ସେତେବେଳେ ଆପଣଙ୍କ ଜନ୍ମ ନ ଥିବ । କିନ୍ତୁ ଗୋଟେ କଥା ଜାଣନ୍ତି...ସେ ଯେଉଁ ଫାରମାଟା ପକେଇ ଦେଇ ଗଲେ, ଏବେ ତ ଦେଶୀ ସାହେବ ହେଲେଣି, କେହି ବଦଳଉଛନ୍ତି ? କ’ଣ ଦରକାର, ସେମାନେ କୋଉ ଭୁଲ୍ କରିଛନ୍ତି । ଆପଣ ମୋ ଭିତରେ ଯଦି ମାଲିକ...ମାନେ ମାଷ୍ଟର ସାରଭେଣ୍ଟ ସମ୍ପର୍କ ନ ରହେ ଏଡ଼ମିନିଷ୍ଟ୍ରେସନ ଚଳିବ...କହନ୍ତୁ, ଚଳିବ ?

 

ସନାତନକୁ ବୃଦ୍ଧ ବଡ଼ ରହସ୍ୟମୟ ମନେ ହେଉଛନ୍ତି । ତା’ର ଏତେ କଥା ଶୁଣିବାକୁ ଧୈର୍ଯ୍ୟଚ୍ୟୁତ ଘଟୁଛି କ୍ରମେ । ସନାତନ ମୁହଁରେ ପ୍ରଶ୍ନ‌–ଯାହା କହିବାର କଥା ସଂକ୍ଷେପରେ କୁହନ୍ତୁ ।

 

ଏଇତ ଏଇଠି ଧରାପଡ଼ିଲା ଆପଣଙ୍କର ପେସେନ୍‌ସ କେତେ କମ୍ । ସେମିତି ନୁହେଁ, ଦରକାର ପଡ଼ିଲେ କାଠଟିଏ ପରି ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିବ । ଏ ଭିତରେ ଥିଲାବେଳେ ବାହାରେ ଗୋଟିଏ ଦୁନିଆ ଅଛି ବୋଲି ଭୁଲି ଯାଆନ୍ତୁ । ଏଠାକାର ଉପରିସ୍ଥମାନେ ଆପଣଙ୍କ ବାପା ପରି ଗୁରୁଜନ । ହସ ତାମସା କରିବେ ନାହିଁ, ତଳିଆମାନଙ୍କ ସହିତ ଯଥାସମ୍ଭବ ଗାମ୍ଭୀର୍ଯ୍ୟ ରଖିବେ । ଏଠି ସବୁ ଲୋକମାନଙ୍କର ସ୍ଥାନ ବିଭିନ୍ନ ଶ୍ରେଣୀରେ ବିଭକ୍ତ । ମୋର କହିବା କଥା‌–ଆପଣ ଟୋକା ଲୋକ ତ, ଆକାଶ ତଳେ ଘୂରୁଥିଲେ, ଏବେ ଏ ଛାତତଳେ ଟିକେ ଅସୁବିଧା ଲାଗିବ । ନିଜକୁ ଖାଲି ଚଳେଇ ନିଅନ୍ତୁ । ହଁ, ଯେତେବେଳେ ଯାହା ଅସୁବିଧା ହେଉଥିବ ମୋତେ କହୁଥିବେ ।

 

ଧନ୍ୟବାଦ, ସନାତନ ନିଜ ଆସନରେ ବସି ସତର୍କରେ ଚାରିଆଡ଼େ ଆଖି ବୁଲାଇ ନେଉଛି । ପ୍ରତ୍ୟେକ ଲୋକ ନିଜ ନିଜର ଆସନରେ ବସି ଯେମିତି ସେ ଟେବୁଲ ଉପରେ କିଛି ଜିନିଷକୁ ନିରୀକ୍ଷଣ କରୁଛନ୍ତି । କାହାରି ମୁହଁରେ ହସ ନାହିଁ, ଖାଲି ଗୋଟେ ବହଳ ବିମର୍ଷତା ।

 

ବୃଦ୍ଧଙ୍କର କଥା ଶୁଣିଲାବେଳୁ ସନାତନର ମନେ ହେଉଛି ଯେମିତି ସେ ଦୀର୍ଘ ଦିନର ପେଣ୍ଟପିନ୍ଧା ଅଭ୍ୟାସ ଛାଡ଼ି ଦଶହାତ ଧୋତିଟିଏ ପିନ୍ଧିଛି ଓ ସେ ଖଣ୍ଡକ ଠିକ୍ କରି ପାରୁନି, ଫଳରେ ଛନ୍ଦିହେଇ ପଡ଼ୁଛି । ବୃଦ୍ଧଙ୍କର ଖଣ୍ଡିତ ବାକ୍ୟଗୁଡ଼ିକ ଯେମିତି ଗୋଟାଏ ଶୃଙ୍ଖଳିତ ଜୀବନର କିଛି ଭୂମିକା ।

 

ସନାତନ ଚିନ୍ତାଗ୍ରସ୍ତ ।

 

ଦିନକୁଦିନ ସନାତନ ସେ ପରିବେଶରେ ପୁରୁଣା ହେଉଛି ଓ ପରିବେଶଟି ତା‌’ ନିକଟରେ ଅଧିକ ସ୍ପଷ୍ଟ ହେଉଛି । ପୁଣି ଯେତିକି ସ୍ପଷ୍ଟ ହେଉଛି ତାକୁ ସେତିକି ଭୟଙ୍କର ମନେ ହେଉଛି । ସେ ଲକ୍ଷ୍ୟ କରୁଛି, କେତେଗୁଡ଼ାଏ ବ୍ୟତିକ୍ରମ ନିଜଠାରୁ । ଯେମିତି ସେ ଛାତ ଆଉ ଘରର ଧୂଆଁଳିଆ ଅନ୍ଧକାର ତା‌’ ଉପରେ ଲଦିହେଇ ତା‌’ର ନିଜପଣିଆକୁ ଦଳିମକଚି ଛିନ୍‌ଛତର କରି ଦେଉଛି । ସେ କ୍ରମେ ସଂକୁଚିତ ହୋଇଯାଉଛି ଓ ସେଠାକାର ଲୋକମାନଙ୍କର ଚେହେରାରେ ପରିବର୍ତ୍ତନ ଦେଖାଯାଉଛି ।

 

ସନାତନ ଦିନେ ହଠାତ ଦେଖୁଛି ସେ ଲୋକମାନଙ୍କର ମୁଣ୍ଡର ଉପର ଅଂଶ ଖୋଲାଯାଇ ସେମାନଙ୍କ ମସ୍ତିଷ୍କ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି । ଅଥଚ ଲୋକମାନେ ସେପାଇଁ ଚିନ୍ତିତ ନୁହନ୍ତି । ସେ ଅସହାୟ ବୋଧ କରୁଛି ଏବଂ ଏକୁଟିଆ ଭାବ ତା‌’ ପଛରେ ଗୋଡ଼େଇ ଗୋଡ଼େଇ ଶେଷରେ ତାକୁ ଟକ କରି ଗିଳିଦେଉଛି ।

 

ସନାତନ ଚିତ୍କାର କରୁଛି । ରୁଦ୍ଧଶ୍ୱାସ ହେଇ ଏଠାରେ ମରିଯିବା ଅପେକ୍ଷା ଟିକେ ଆଲୋକ ଆଉ ମୁକ୍ତ ବାୟୁ ତା‌’ର ଦରକାର । ସନାତନ ବାଟ ଖୋଜୁଛି । କିନ୍ତୁ ସେଠାକାର ଲୋକମାନେ ତାକୁ ଯେମିତି ପଛରୁ ଟାଣି ଧରୁଛନ୍ତି, ଆଉ ତାକୁ କହୁଛନ୍ତି‌–ତୁ କୁଆଡ଼େ ଯାଇ ପାରିବୁନି ସନାତନ । ଯେକୌଣସି ପରିସ୍ଥିତିରେ ମୁକ୍ତ ଆଉ ଆଲୋକିତ ବୋଲି ଅନୁଭବ କରିବାକୁ ଚେଷ୍ଟା କର ।

 

ସନାତନ ପାରୁନି । ତା’ ସାମ୍ନାରେ ପୂର୍ବର ସେ ବୃଦ୍ଧ ଆସି ଠିଆ ହେଉଛନ୍ତି । ତା’ ମୁଣ୍ଡରେ ହାତ ମାରି ତାକୁ ସାନ୍ତ୍ଵନା ଦେଉଛନ୍ତି–ଆଉଥରେ ଚେଷ୍ଟା କର, ଅନ୍ୟମାନଙ୍କ ପରି ନିଜ ମୁଣ୍ଡଟାକୁ ଫାଙ୍କା କରିଦିଅ ଦେଖିବ ତମେ ଫାରମାରେ ପଡ଼ିଯାଇଛ ।

 

ଗୋଟାଏ ଫାରମା, ଗୋଟାଏ ଶୃଙ୍ଖଳା ପୁଣି ନିଜଠାରୁ ନିଜକୁ ଆଉ ଏକ ନୂଆ ଲୋକ ବୋଲି ଅନୁଭବ କରିବା ସବୁ ଯେମିତି ଅସମ୍ଭବ ସନାତନ ପାଇଁ...ନା...ନା...ନା...

 

ନିଜ ଶବ୍ଦରେ ନିଜେ ଚମକିଯାଇ ସନାତନ ଆଖି ଖୋଲିଦେଲା । ତା’ ରୋଗଶଯ୍ୟାରେ ତଥାପି ଗୋବର୍ଦ୍ଧନ, ଗଦାଧର ଏବଂ ତାକୁ ବେଢ଼ି ନାଚୁଥିବା ଲୋକମାନେ ବସିଛନ୍ତି । ସେମାନେ ସନାତନ ଆଖି ମେଲା କରିବାର ଦେଖି ତା’ ପ୍ରତି ଆଗ୍ରହୀ ହେଲେ, ଯଦି ସନାତନ ସେମାନଙ୍କ ସର୍ତ୍ତରେ ରାଜିହୁଏ । ହୁଏତ ଲୋକଟା ବଞ୍ଚିଯିବ । ସେମାନଙ୍କ ଉପସ୍ଥିତି କିନ୍ତୁ ସନାତନ ପାଇଁ ବିରକ୍ତିକର ଥିଲା । ତେଣୁ ସେ ପୁନର୍ବାର ଆଖି ବନ୍ଦକଲା ।

 

ଶେଷ ପର୍ବ :

 

ସନାତନ ଘୂରୁଛି । ତା’ର ନିର୍ଦ୍ଦିଷ୍ଟ କକ୍ଷ ନାହିଁ, ଚାରିଦିଗକୁ ସେ ଧାଉଁଛି । ଲକ୍ଷ୍ୟ ଏକ ଆଲୋକରାଜ୍ୟ ଯେଉଁଠି ପ୍ରତ୍ୟେକ ଲୋକର ଅନୁଭବ ଅଛି ଏବଂ ସେମାନଙ୍କ ମସ୍ତିଷ୍କର ଉପର ଅଂଶ ସୁରକ୍ଷିତ ।

କେତେବେଳେ ଥକ୍କା ଆସୁଛି–ସେ ବସିପଡ଼ୁଛି ଓ ଦେଖୁଛି ସେହିସବୁ ପୁରୁଣା ଦୃଶ୍ୟ ଯାହା ଅନେକ ଦିନ ତଳେ ଦେଖିଥିଲା । ଆକାଶରେ ମେଘ ଆସୁଛି, ଟପ୍‍ଟପ୍ ବର୍ଷାରେ ଦେହ ଭିଜିଯାଉଛି । ଠିକ୍ ସେତିକିବେଳେ ତା’ ସାମ୍ନା ଦେଇ କୌଣସି ଯୁବତୀ ତା’ ଆଣ୍ଠୁ ପର୍ଯ୍ୟନ୍ତ ଲୁଗା ଟେକି ଚାଲିଯାଉଥିଲେବି ତା’ ଦେହରେ ଶିହରଣ ନାହିଁ । ପୁଣି ସେ ଦେଖୁଛି ରାସ୍ତାକଡ଼ର କୃଷ୍ଣଚୂଡ଼ା ଗଛ, ତା’ର ଲାଲ ଫୁଲ, ଧାଡ଼ି ଧାଡ଼ି ଦେବଦାରୁ ଇଉକାଲିପଟସ୍‌ ଗଛ, ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତର, ଶସ୍ୟ କ୍ଷେତ...ଅଥଚ ସବୁ ଯେମିତି ବିରକ୍ତିକର ଏବଂ ଟ୍ରାଫିକ୍ ପୋଷ୍ଟର ଲାଲ ସଙ୍କେତରେ ଗାଡ଼ି ସବୁ ବନ୍ଦ ହେଇଗଲା ପରି ସ୍ଥିର । ଗୁଡ଼ାଏ ପୁସିଲ ।

ସନାତନର ଇଚ୍ଛା ହେଉଛି ଏ ସବୁ ଦୃଶ୍ୟକୁ ବୋମାମାଡ଼ରେ ଧ୍ଵଂସ କରି ଦିଆଯାଆନ୍ତା ଆଉ ରାସ୍ତାରେ ପଇଁତରା ମାରୁଥିବା ବେପରୁଆ ଝିଅମାନଙ୍କୁ ବିଚ୍ ବଜାରରେ ରେପ୍ କରି ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼କୁ ଫିଙ୍ଗିଦିଆ ଯାଆନ୍ତା ।

ଗୋବର୍ଦ୍ଧନ ବେକରେ ଅନେକ ଫୁଲମାଳ, ତା’ ମୁହଁର ଫାଙ୍କା କଥା ସବୁ ଖବରକାଗଜରେ ଛାପା ଅକ୍ଷର ପାଲଟୁଛି, ଆଉ ଗଦାଧରର ଟେଣ୍ଡର ଧରିବା ଏକ ପ୍ରହସନରେ ପରିଣତ ହେଉଛି । ସେମାନେ ମନ୍ଦିର ମହନ୍ତଙ୍କଦ୍ୱାରା ସ୍ଵୀକୃତ ନୁହନ୍ତି ଅଥଚ ବେଶ୍ କିଛି ଆଗକୁ ଧାଇଁଗଲେ ।

ସନାତନ ଘୂରୁଛି, ଦିନରାତି, ସଞ୍ଜ ସକାଳ ବା ମଧ୍ୟାହ୍ନ, ମଧ୍ୟରାତ୍ରରେ । ଗୋବର୍ଦ୍ଧନ ଗଦାଧରଠାରୁ ଆରମ୍ଭ କରି ଯାହାପ୍ରତି ବିଶ୍ୱାସ ଆସୁଛି ତା’ର ହାତ ଧରି ସେ ଅନୁରୋଧ କରୁଛି...ମୋତେ ଟିକେ ସାହାଯ୍ୟ କର, ମୋତେ ଆଲୋକ ରାଜ୍ୟର ସନ୍ଧାନ ଦିଅ, ମୋତେ ମୁକ୍ତି ଦିଅ ।

ସମସ୍ତେ ତା’ ମୁହଁକୁ ଚାହୁଁଛନ୍ତି । ଯେମିତି ସେ ମୁହଁରେ କି ଭାବ ଲୁଚି ରହିଛି କେହି ଧରିପାରୁ ନାହାନ୍ତି । ତା’ପରେ ତା’ର ଗୁଡ଼ାଏ ପ୍ରଳାପ ଶୁଣି ସାରିଲା ପରେ କବାଟ ବନ୍ଦ କରୁଛନ୍ତି...ଦେଖନ୍ତୁ ମୁଁ ଦୁଃଖିତ, ଅନ୍ୟତ୍ର ଚେଷ୍ଟା କରନ୍ତୁ ।

ଅନେକ ଚେଷ୍ଟା ଅନେକ ଘୂରିବା ସବୁ ଗୋଟାଏ ମନୋଟନିରେ ପରିଣତ ହେଲାଣି ସନାତନ ପାଖରେ । ସେ କ୍ରମେ କ୍ଳାନ୍ତିହେଇ ପଡ଼ୁଛି...ତା’ ନିକଟରେ ତା’ର ମୁକ୍ତି ଏକ ଦିବାସ୍ୱପ୍ନରେ ପରିଣତ ହେବାକୁ ଯାଉଛି ।

ସନାତନ ଗୋଟିଏ ଗଛ ଛାଇରେ ବସି ପଡ଼ିଲା ଏବଂ ଖୋଲା ପଡ଼ିଆର ଚାରିଆଡ଼କୁ ଥରେ ଚାହିଁଲା । କେହି ନାହିଁ, କେବଳ ଗଛ ଛାଇରେ ସେ ସନାତନ । ତା’ ଦୁର୍ବଳ ଶରୀରରେ ନିଜସ୍ଵ ଅହଂକାର ଟିକକ ଗୋଖର ସାପ ପରି ଭିତରୁ ଶବ୍ଦ କରୁଛି : ଶଳା ମରିଯିବା ବରଂ ଭଲ ।

ସନାତନ ଆଖି ଖୋଲିଲା । ତଥାପି ସେ ଲୋକମାନେ ବସିଛନ୍ତି ।

ରୋଗଶଯ୍ୟାରେ ସନାତନର ଦୁର୍ବଳ ଶରୀର ।

ଗୋବର୍ଦ୍ଧନ: କ’ଣ ଠିକ୍ କଲୁ ?

ସନାତନ ତା’ ମୁହଁକୁ ବଲବଲ କରି ଚାହିଁଲା । ଦଣ୍ଡେ ରହି କ’ଣ ଚିନ୍ତାକଲା କେଜାଣି ଅତି କ୍ଷୀଣ ସ୍ୱରରେ ଉତ୍ତର ଦେଲା ନା ମୁଁ ପାରିବିନି । ତମେମାନେ ଚାଲିଯାଅ । ମୋତେ ଅନ୍ତତଃ ମୋ ଗୋଲ ମୁଣ୍ଡଟାକୁ ନେଇ ଗର୍ବ କରିବାକୁ ସୁଯୋଗ ଦିଅ ।

ସେ ଲୋକମାନେ ଉଠି ଠିଆହେଲେ ଓ ପୂର୍ବପରି ତରଙ୍ଗାୟିତଭାବେ ସନାତନର ବିଛଣା କଡ଼ରେ ଥରେ ଘୂରି ସାରିଲା ପରେ ସେ କୋଠରିରୁ ଅନ୍ତର୍ଦ୍ଧାନ ହେଲେ ।

ତା’ପରେ ଗୋଟିଏ ଅଦ୍ଭୁତ ଘଟନା ଘଟିଲା । ସନାତନ ଉପରକୁ ଚାହିଁ ଚିତ୍‍ହୋଇ ଶୋଇଛି । ସେ ଦେଖିଲା ତା’ କୋଠରିର ଛାତ ବେନିଫାଳ ହେଲା ଏବଂ ସେଇ ପଥଦେଇ ରାଜହଂସ ଆକୃତିର ଏକ ଶୁଭ୍ରଯାନ ସେ କୋଠରିରେ ଅବତରଣ କଲା । ସେଥିରେ ବସିଥିବା ପୁରୁଷମାନେ ସୁନ୍ଦର ଓ ରାଜକୀୟ ପୋଷାକରେ ଆବୃତ । ଯାନ ଭୂମି ଛୁଇଁଲା ପରେ ସେମାନେ ତଳକୁ ଆସିଲେ । ତାକୁ ଘେନିଯିବା ପାଇଁ ଆସିଛନ୍ତି ବୋଲି ସନାତନକୁ ଜଣାଇଦେଇ ପରଜନ୍ମ ପାଇଁ ତା’ର କାମନା କ’ଣ ବୋଲି ପ୍ରଶ୍ନ କଲେ ।

ସନାତନ ତା’ ଦୁଇଟି ଖୋଲା ହାତକୁ ଚାହିଁଲା ଓ ସ୍ୱଗତୋକ୍ତି କଲା : ଏ ଦୁଇଟି ହାତରେ ଯଦି ଦୁଇଟି ଶକ୍ତିଶାଳୀ ମାରଣାସ୍ତ୍ର ଦିଆଯାଇ ପାରନ୍ତା ! ତା’ପରେ ସେ ସୁନ୍ଦର ପୁରୁଷମାନଙ୍କ ମୁହଁକୁ ଚାହିଁ କ’ଣ ଭାବିଲା କେଜାଣି ପରମୁହୂର୍ତ୍ତରେ କ୍ଷୀଣ କଣ୍ଠରେ ନା...ନା...ବୋଲି କେତେଥର କହିଲା ।

ଅଳ୍ପ ସମୟ ପୂର୍ବରୁ ଏଠାରେ ଯେଉଁ ଲୋକମାନେ ଉପସ୍ଥିତ ଥିଲେ ସେମାନଙ୍କ ମସ୍ତିଷ୍କ ସବୁ ଠିକ୍ କରିଦେଇ ପାରିବେ ? ସନାତନ ପ୍ରଶ୍ନ କଲା । ସେ ପୁରୁଷମାନେ ଏଥିରେ ସମ୍ମତି ପ୍ରଦାନ କଲେ । ତା’ପରେ ଯାନଟି ସନାତନକୁ ନେଇ ଶୂନ୍ୟକୁ ଚାଲିଲା ।

ସନାତନର ଛାତ ଉପରେ ବସିଥିବା କାଳପେଚାଟି ଉଡ଼ିଗଲା,

ସମୁଦ୍ରର ଢେଉ ସ୍ୱାଭାବିକ ହେଲା, ଏବଂ

ଆକାଶର ମେଘ ଅନ୍ଧକାର ହୋଇ ପୃଥିବୀକୁ ଆଚ୍ଛାଦିତ କଲା ।

ଯେଉଁଠି ଉପଲବ୍‍ଧି ନାହିଁ ସେଠି ଶୁଭ ଅଶୁଭ ସୂଚନାର ଗୁରୁତ୍ୱ ବା କ’ଣ ଅଛି... !!!

Image

 

ବାଟ

 

ଖାଇବାକୁ ନ ଥିବାଟା ଗୋଟେ ସମସ୍ୟା ନୁହେଁ; ସମସ୍ୟା ସେ ଅଭାବର ପୂରଣପାଇଁ ଯେତେ କିଛି ଅନ୍ୱେଷଣ । ବରଂ ଭଲ, ପଥର ତଳର ହଳଦିଆ ଘାସ ପରି ସମୟ ସହିତ ତାଳ ଦେବା ।

 

ସେମାନେ ସବୁ ଚାଲିଛନ୍ତି । ଆଗରେ ଲମ୍ବା କିଉ, ପଛରେବି; ମଝିର ଠାଏ ଠାଏ କିଉ ଫାଙ୍କା । ସେମାନେ ଥକି ପଡ଼ିଲେ ନିଶ୍ଚୟ । ତେଣୁ ଗଛମୂଳରେ ଶୋଇଗଲେ । ସେଇ ଶୋଇବା ସହିତ ସେମାନେ ଅତି ଅନ୍ତରଙ୍ଗଭାବେ ନିଜକୁ ମିଶାଇଦେଲେ । ଗଛଛାଇ ଆଉ ପ୍ଲାଟଫର୍ମ ତଳି ଅଞ୍ଚଳର ଝୁମ୍ପୁଡ଼ି କିଛି ପରିମାଣରେ ଆଶ୍ୱସ୍ତି ଦିଏ । ସେଇ ହେଲା ସେମାନଙ୍କର ସହଜାନନ୍ଦ ।

 

ଘଣ୍ଟାର ଡାଏଲ ଉପରେ ଛୋଟବଡ଼ Hand ଦୁଇଟା କହେ–ମୋତେ ଫଲୋ କର । ଲାଭ କ’ଣ ! ସେମାନେ ହସନ୍ତି । ଏଇ ଚାଲିବାର ସରହଦ୍‍ଟା ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତରେ ସୀମିତ । ଆରମ୍ଭ, ଶେଷ ପ୍ରାୟ ଏକ କଥା, ବରଂ ମଧ୍ୟାହ୍ନର ମାଧ୍ୟାକର୍ଷଣକୁ ଏଡ଼େଇବା ପାଇଁ ‘ଫଲୋ କର’ର କିଛି ଆବଶ୍ୟକତା ଅଛି । କିନ୍ତୁ ସେମାନେ ପାରିଲେନି ।

 

ରଘୁନାଥ ବିରାଟ୍ ପଥରଟାକୁ ଦେଖି ପ୍ରଥମେ ଟିକେ ଭୟ ପାଇଥିଲେ ବୋଧହୁଏ; କିନ୍ତୁ କିଛିଦିନ ପରେ ଦେଖିଲେ ଦିନରାତି ନିହାଣ ଆଉ ହାମରର ସଂଘର୍ଷଫଳରେ ପଥରର ଆକୃତି ଟିକେ ବଦଳିଛି । ବେଶ୍ କିଛି ସେ ଖୁସି ହେଉଥିଲେ । ଚାଲୁ ।

 

କାନ୍ଥ ଘଣ୍ଟାକୁ ଫଲୋ କର ।

 

ବାରମାସରେ ଛ’ ଋତୁର ଭୋଗ ।

 

ରଘୁନାଥଙ୍କ ସ୍ତ୍ରୀ ହାରାମଣୀଙ୍କ ହାଡ଼ ଉପରେ ସରୁ ଚମର ଛାଉଣୀ । କ୍ରମାଗତ ସାତଟି ପିଲା ହେଇଗଲେ । ଗୁଣନ ହରଣ ପରେ ଭାଗଫଳ ତିନି । ରଘୁନାଥ ପରିବାର ନିୟନ୍ତ୍ରଣ କଲେ ।

 

ବେଳେବେଳେ ରଘୁନାଥର ଆଖି ସାମ୍ନାରେ କୃଷ୍ଣଚୂଡ଼ାର ପେନ୍ଥାମାନେ ଆକାଶର ମେଘ ପରି ଭେଳା ବାନ୍ଧନ୍ତି । ତା’ ଉପରେ ପୁଣି ଇନ୍ଦ୍ରଧନୁର ଅସ୍ଥାୟୀ ପ୍ରତିଫଳନ । ମନ ଭିତରର ଛିଣ୍ଡା ତନ୍ତ୍ରୀଗୁଡ଼ାକ ଯୋଡ଼ିଯାନ୍ତି । କିଛି ସମୟପାଇଁ ବସନ୍ତର ଏକ ସ୍ନିଗ୍‌ଧ ସ୍ପର୍ଶ ।

 

ରଘୁନାଥ ସ୍ଵପ୍ନ ଦେଖନ୍ତି–

 

ଆଖି ଆଗରେ ଚତୁର୍ଦ୍ଦଶୀର ଚନ୍ଦ୍ର ପରି ଓଢ଼ଣୀ ଫାଙ୍କରେ ସେ ଯେଉଁ ଫାଳିକିଆ ମୁହଁଟି, ସେଥିରେ ଦୁଧସର ପରି ଲାଜର ଏକ ମୁଲାଏମ ଆସ୍ତରଣ । ତା’ ତଳେ ପରିଷ୍କାର ଦର୍ପଣଟିଏ । ସେଥିରେ ଗୋଟିଏ ସରଳ ପ୍ରାଣର ସମସ୍ତ ସମ୍ଭାବନାର ପ୍ରତିବିମ୍ବ । କିଛି ଚିନ୍ତା ନାହିଁ; ରଘୁନାଥ ଦେହରୁ ପଞ୍ଜାବିଟା ଖୋଲିଦେଇ ହାଙ୍ଗରରେ ଝୁଲାଇ ଦେଲାବେଳେ ହାରାମଣୀ ନିଶ୍ଚୟ ତା’ର ଚଉଡ଼ା ଛାତିଟାକୁ ଦେଖିଥିବ !!!

 

ରଘୁନାଥର ହାତରୁ କ୍ଷଣକପାଇଁ ହାମର ନିହାଣ ଖସି ପଡ଼େ । ସେ ଗୋଡ଼ ଦି’ଟାକୁ ସାମାନ୍ୟ ଜାକି ନେଇ ଦୁଇ ହାତ ଉପର ମୁହଁକୁ ଲଦି ଦେଇ ପୁଣି ଆଖି ବୁଜେ । ଶୀତ ସଞ୍ଜର ଝରା ପରି କେତେ ଆରାମ ସେ ଜୀବନ ସତେ !!!

 

ଚାଲିଛି ସିନେମାର ଗୋଟେ ସମ୍ପୂର୍ଣ୍ଣ ଖେଳ । ଅବାସ୍ତବ ହେଲେବି ପାର୍ଟି ପିକ୍‌ନିକ୍‌ରେ ନାୟକନାୟିକା ଅତି ଆପଣାର । ଦ୍ୱନ୍ଦ୍ଵ ନାହିଁ–ଦ୍ଵିଧା ନାହିଁ; ଦୁଇଭାଗ ହାଇଡ଼୍ରୋଜେନ ଆଉ ଗୋଟେ ଭାଗ ଅକ୍‌ସିଜେନରେ ଜଳର ସୃଷ୍ଟି । ପୁଣି ଏଇ ଜଳବି ବାଷ୍ପ ହେଇ ଉପରକୁ ଉଠିଯାଏ । ବାପାଙ୍କ ମରିବାରେ ଏକ ନୂଆ ପ୍ରଶ୍ନର ସୃଷ୍ଟି କର୍ତ୍ତବ୍ୟବୋଧ ।

 

–“ରଘୁନାଥ, ତମେବି କ’ଣ ଗଛ ଛାଇରେ ଜଣେ ଥକ୍କା ମେଣ୍ଟା ମଣିଷ ?”

 

ରଘୁନାଥ ହଠାତ ଚମକି ପଡ଼େ । ଆଖି ମଳି ସେ ଦେଖେ ଆଗରେ ବିରାଟ୍ ପଥର ଖଣ୍ଡଟେ । ସେଠି ସେ ଏକ କ୍ଷୁଦ୍ର ମଣିଷ । ସେ ପୁଣି ନିହାଣ, ହାତୁଡ଼ିକୁ ହାତରେ ମୁଠାଇ ଧରେ । ମଣିଷ ପୂର୍ବରୁ ‘କ୍ଷୁଦ୍ର’ ବିଶେଷଣଟି ତା’ ପାଖରେ ଖୁବ୍ ଗୋଟେ ଯନ୍ତ୍ରଣା । ନିହାଣର ଛତି ଉପରେ ସେ ଜୋର୍‍ କରି ପାହାର କଷେ ।

 

ସ୍ତ୍ରୀ ହିସାବରେ ହାରାମଣୀ ରଘୁନାଥ ଜୀବନରେ ଏକ ବ୍ୟତିକ୍ରମ । ଖୁବ୍ ଗୋଟେ ନାମକରା ଘରର ଝିଅ । ମୁହଁରେ ରୁପା ଚାମଚ ଧରି ସେ ଜନ୍ମ ହେଇଥିଲେ, ଇଚ୍ଛା କରିଥିଲେ ବାପା ତାଙ୍କର ରାଜା ପିଲାଟେ ଠିକ୍ କରି ପାରିଥାନ୍ତେ । ସେମିତି ତାକତ ଥିଲା ତାଙ୍କର; କିନ୍ତୁ ରଘୁନାଥର ଭଙ୍ଗା ଚାଳଘରର ରୁଅ ବାଉଁଶରେ, ତା’ ବଂଶ ଇତିହାସର ପୁରୁଣା ପୃଷ୍ଠାରେ କି ଏକ ହଜିଲା ଜିନିଷର ଛାପ ତାଙ୍କ ଆଖି ଆଗରେ ଝଲମଲ କଲା, ସେ କଥା ସେ ଜାଣନ୍ତି । ତେଣୁ ଅନେକଗୁଡ଼ିଏ କୋଷ୍ଠୀଭିତରୁ କେବଳ ରଘୁନାଥଟିରେ ପାଟକନା ଗୁଡ଼ାଇ ସେ ଅବଧାନଙ୍କ ପାଖକୁ ପଠାଇ ଥିଲେ । ହାରାମଣୀଙ୍କର ସେଥିରେ ଆପତ୍ତି କିଛି ନଥିଲା । ତା’ର ହେତୁ ହେଲା ଦିନରୁ ସେ ଜାଣିଥିଲା ବାପା ମା’ ଏକ ଭାରବାହୀ ପ୍ରାଣୀ; ଆଉ ସେମାନଙ୍କ ପିଠି ଉପରେ ନାଚକୁଦ କରି ମୁଣ୍ଡ ଟେକିବା ପିଲାମାନଙ୍କ ପାଇଁ ଗୋଟେ ସାଧାରଣ ନିୟମ ।

 

ବିବାହଟା ରଘୁନାଥଙ୍କ ଜୀବନର ସେମିତି କିଛି ଏକ ଆକର୍ଷଣର ବିଷୟ ନଥିଲା । କାରଣ ଜନ୍ମବେଳେ ଷଠୀପୂଜା ବା ମୃତ୍ୟୁର ଦଶାହ ପରି ଯୌବନରେ ଏ ବିବାହବି ଏକ ଅନୁଷ୍ଠାନ-। ତେବେ ରଘୁନାଥ କିଛିଟା ଫରକ ଦେଖେ ଏମାନଙ୍କ ଭିତରେ । ଜନ୍ମ, ମୃତ୍ୟୁର ବିଭିନ୍ନ କ୍ରିୟାକୁ ନେଇ ‘ଆତ୍ମୀୟ-ସ୍ଵଜନ’ ଶିରୋନାମାଧାରୀ କେତେକ ବୋକା ଲୋକ ଆନନ୍ଦ-ଯନ୍ତ୍ରଣାରେ ନିଜକୁ ସାମିଲ କରିଥିବାବେଳେ ବିବାହଟା ନିଜ ଭିତରର ଗୋଟେ ଅନୁଭୂତି । ତେଣୁ ତା’ ଆସିବାରେ ରଘୁନାଥଙ୍କ ଜୀବନରେ ରୋମାଞ୍ଚ ନଥିଲେବି ଗ୍ଳାନି ମଧ୍ୟ ନଥିଲା ।

 

ରଘୁନାଥ ନିଜ ବିଷୟରେ ଚିନ୍ତା କରନ୍ତି ବେଳେବେଳେ । ତାଙ୍କ ମନରେ ଗୁଡ଼ାଏ ଅଜବ ପ୍ରଶ୍ନ ମୁଣ୍ଡ ଟେକେ–ସେ କ’ଣ ? କିଏ ? କାହିଁକି ? ଏ ସବୁର ଜଟିଳ ଜାଲ ଭିତରେ ଗୁଡ଼େଇତୁଡ଼େଇ ହୋଇ ତାଙ୍କ ଆତ୍ମାଟା ବହୁତ ସମୟ ଛଟପଟ ହୁଏ । ଗୋଟାଏ ଚିକ୍କଣ-ଅନ୍ଧାର ସୁଡ଼ଙ୍ଗ ଭିତରେ କ୍ଷୀଣ ଆଲୋକ ରେଖାର ସନ୍ଧାନ କରେ । ପାଏ କିଛି । ସେ ପୁଣି ସିଗ୍ରେଟ୍ ଧୂଆଁର ବେନିୟମିତ ଛନ୍ଦ ପରି ଅଙ୍କାବଙ୍କା ହୋଇ କୁଆଡ଼େ ମିଶିଯାଏ । ସେ ମନେ କରନ୍ତି, ଜାଲ ଭିତରର ମାଛ ବା ପକ୍ଷୀ ପରି ଗୁଡ଼ାଏ ଅନିଶ୍ଚିତତାରେ ଯନ୍ତ୍ରଣାଯୁକ୍ତ ଏ ମଣିଷ । ତେବେ ଛଟପଟ ହେବା ୟାର ସମାଧାନ ନୁହେଁ । ବରଂ ସେ ଭିତରେ ମୁଣ୍ଡ ଠିକ୍ କରି ମୁକ୍ତିର ବାଟ ଖୋଜିବା ଏକ ଆବଶ୍ୟକତା ।

 

ରଘୁନାଥଙ୍କ ମନରେ ଜୀବନ-ଚିନ୍ତା କ୍ରମେ ଭିନ୍ନ ରୂପ ନେଇଛି । ସେ ଅନୁଭବ କରିଛନ୍ତି ପିଲାବେଳର ଖେଳକୌତୁକ ଯେମିତି ଗୋଟେ ସ୍ୱପ୍ନ, ଯୌବନର ଉଦ୍ଦାମତା ସେମିତି ଏକ ଉଚ୍ଛ୍ଵାସ-। ତେଣୁ ଏଇ ଦୁଇ ଧାରାର କ୍ରମ-ବିଲୟରେ ସେ ନୂତନ ଜିନିଷର ସନ୍ଧାନ କରିଛନ୍ତି–ସେଟା ଜୀବନ । ସହଧର୍ମିଣୀ ହିସାବରେ ହାରାମଣୀଙ୍କ ଆବିର୍ଭାବ, ପୁଣି ସମସ୍ତ ରଙ୍ଗିନ ଅନୁଭୂତି ଭିତରେ ବାପାଙ୍କର ଚିରବିଦାୟ, ସବୁକିଛି ମିଶି ଗୋଟାଏ ବିରାଟ୍ ଗୋଳମାଳ ଯେମିତି ! ତା’ରି ଭିତରେ ଗୋଡ଼ ଚିପି ଚିପି କିଛିବାଟ ଆଗେଇ ଯିବାପାଇଁ କିଛିର ଆବଶ୍ୟକତା ରହିଛି, ତା’ର ଅନ୍ୟ ନାମ ହୁଏତ ଧୈର୍ଯ୍ୟ ବା ଆତ୍ମପ୍ରତ୍ୟୟ !

 

ଗୁଡ଼ାଏ ହୁଗୁଳା ଗୋଡ଼ର କିଉ ଭିତରେ ଠିଆ ହୋଇବି ରଘୁନାଥର ମୁହଁରେ ସାମାନ୍ୟ ହସ ଦେଖାଦେଇଥିଲା । ହାରାମଣୀ ବିସ୍ମିତ ହେଇଥିଲେ ନିଶ୍ଚୟ ।

 

ହାରାମଣୀ ସେ ବିରାଟ୍ କିଉର ଠେଲାପେଲା ଭିତରୁ ଲକ୍ଷ୍ୟ କରନ୍ତି ସେହି ସହଜପନ୍ଥୀମାନଙ୍କୁ ଯେଉଁମାନଙ୍କ ପାଖରେ କାନ୍ଥଘଣ୍ଟାର ‘ଫଲୋ କର’ ସଙ୍କେତର କିଛି ବିଶେଷ ଅର୍ଥ ନାହିଁ । ତେଣୁ ସେମାନଙ୍କ ପଳାଇଯିବାରେବି ନୂତନତା ନାହିଁ । କିନ୍ତୁ ରଘୁନାଥ ! ତା’ର ଯେମିତି କେବଳ ଗୋଟିଏ ଲକ୍ଷ୍ୟ ଜନସମୁଦ୍ରର ଢେଉ ପଛରେ ରହିବି ସେ କିଉର ଶେଷ ମୁଣ୍ଡକୁ ଛୁଇଁବ, ସେଇ ତା’ ଜୀବନର ସାର୍ଥକତା, ସୁତରାଂ ଥିବା ନ ଥିବାର ସଂସାର ହାରାମଣୀଙ୍କ ଜୀବନରେ କିଛି ବ୍ୟତିକ୍ରମ ଆଣି ନଥିଲା । ସେ ରଘୁନାଥର ଚଉଡ଼ା ଛାତିଟା ଥରେ ଦେଖି ନେଇଥିଲେ–ସେଇଟା ତାଙ୍କର ଏକମାତ୍ର ଆଶ୍ୱସ୍ତି ।

 

ଅକସ୍ମାତ୍ ଦିନେ ଗୋଟାଏ ନିର୍ମଳ ସକାଳରେ ହାରାମଣୀ ଦେଖିଲେ ତାଙ୍କ ଘର ସାମ୍ନାରେ ବିରାଟ୍ ପଥର ଖଣ୍ଡଟେ । ବହୁ ପରିଶ୍ରମରେ ରଘୁନାଥ ଏକୁଟିଆ ସେଗୋଟିକୁ ଗଡ଼େଇ ଗଡ଼େଇ ଆଣିଛନ୍ତି । ଚାରିପାଖରୁ ସେ ପଥରଖଣ୍ଡକୁ ଲକ୍ଷ୍ୟ କରୁଥିବାବେଳେ ତାଙ୍କ ଭବିଷ୍ୟତ୍ ଯୋଜନା ବିଷୟରେ କିଛି ପଚାରିବାକୁ ହାରାମଣୀ ସାହସ କରି ନଥିଲେ ।

 

ରଘୁନାଥ ବିବ୍ରତ ହୋଇ ପଡ଼ନ୍ତି–କାନ୍ଥ ଘଣ୍ଟାଟାର କି ତୀବ୍ର ବିଦ୍ରୂପ ତାଙ୍କ ପ୍ରତି । ଜୀବନଟା କୁଆଡ଼େ ଖୁଁ ଖୁଁ କାଶୁଥିବା ବୁଢ଼ାଟିର ପଲକହୀନ ଆଖି ପରି ସ୍ଥିର ନୁହେଁ ବା ପୁରୁଣା ବଥର ପଚା ଚୋପା ପରି ନିସ୍ତେଜ ନୁହେଁ; ସେ ଗୋଟାଏ ଦଶ ବା ପନ୍ଦର ହର୍ସ ପାଓ୍ୟାରର ମେସିନ୍‌ର ଶକ୍ତି, ଖାଲି ଆଗକୁ ମାଡ଼ିଯିବା ଯେମିତି ତା’ର କାମ । ତେଣୁ ସେ କଣେଇ କଣେଇ ଚାହିଁ ଦେଖେ–ଏଇ ଚାଲିଛି ପାଞ୍ଚ, ଦଶ, ପନ୍ଦର...ଇସ, ପୂରା ଘଣ୍ଟାଟିଏ । ସେ ଚଞ୍ଚଳ ହୁଏ ।

 

ପଥର ଖଣ୍ଡଟାରେ ପରିବର୍ତ୍ତନ ଚାଲିଛି । ହାମର, ନିହାଣ ଆଉ ସେମାନଙ୍କ ମଝିରେ ରଘୁନାଥ । ପଥରର ଦନ୍ଥଡ଼ା ଦେହରେ ଏକ ନୂତନ ଜୀବନୀଶକ୍ତି । ମଣିଷମାନଙ୍କର ହାଡ଼ ମାଂସ ଉପରେ ଖାଲି ପତଳା ଚମଖଣ୍ଡେ ଦରକାର । ଆଉ ବେଶି ବାଟ ନୁହେଁ ! ରଘୁନାଥଙ୍କ ମୁହଁରେ ହସ ଦେଖାଦେଉଥିଲା ।

 

ପୁଣି କେତେବେଳେ ମନଟା ଟିକେ ଅବଶ ହୋଇ ଆସେ । ସେ କୋଠରିର ବାହାରେ ଏକ ସଂସାର, ସେଥିରେ ହାରାମଣୀ ପରି ଏକ ନହକା ଲଟା, ଆଉ କଞ୍ଚା ଫଳ ତିନିଟା । ହଠାତ ଏମିତି କାନ୍ଦଣାର ଶବ୍ଦ କାହିଁକି ? ନିଷ୍ପ୍ରଭ କୋଠରିର ଏକ ଛୋଟ ଫାଙ୍କ ଦେଇ ସେ ଦେଖନ୍ତି–ଦୁଇ ତିନୋଟି ମଣିଷର ଛୋଟ ପଟୁଆର । ହାତରେ ସେମାନଙ୍କ ଛିଡ଼ା କାନ୍ଥରେ ଗୁଡ଼ା ହୋଇଥିବା ବଣ୍ଡଲ୍‌ଟେ । ହାରାମଣୀର ଲୋଳିତ ଗାଲ ଉପରେ ଲୁହର ଧାର ବହିଯାଇ ରସଗୋଲାର ସିରା ପରି ଅଠାଳିଆ ହୋଇଯାଇଛି । ପିଲା ଦୁଇଟା ଫୁଲିଲା ଫୁଲିଲା ଆଖିରେ ଧକଉଛନ୍ତି ଖାଲି । ଲାଗିଲା–ଛେଳିପଲରୁ ଶିଆଳ ଗୋଟାଏ ଟାଣିନେଲା ପରା । ସେଥିପାଇଁ ବୋକା ଅବଶିଷ୍ଟ ମାନେ-!

 

ରଘୁନାଥର ପେଟ ଭିତରେ ଗ୍ରନ୍ଥିଗୁଡ଼ିକ ଛିଡ଼ି ଛିଡ଼ି ଯାଏଁ ଯେମିତି ! କି ଏକ ଅବ୍ୟକ୍ତ ଯନ୍ତ୍ରଣାରେ ସେ ଛଟପଟ ହୁଏ । ମୁହୂର୍ତ୍ତକ ପାଇଁ ହାତରୁ ନିହାଣ ହାମର ଖସିପଡ଼େ । ତା’ର ଶୁଖିଲା ଆଖି ଓଦା ଓଦା ଲାଗେ ।

 

ସିଲୋନ୍‌ ସେଣ୍ଟରର ମାନ୍ଦା ଶବ୍ଦ କ୍ରମେ ବଢ଼ିବାକୁ ଲାଗେ । ତା’ର ବ୍ୟକ୍ତିସଚେତନ ସତ୍ତା ମାଡ଼ିବସେ । ସେ ଦୃଢ଼ ହୁଏ–ସାମୟିକ ଦୁର୍ବଳତାର ଅନ୍ୟରୂପ ପରାଜୟର ଗ୍ଳାନି । ଜୀବନଟା ସେଠି ଛେଳି ପାଟିରେ ବଢ଼ି ଉଠୁଥିବା କଅଁଳିଆ ଭେଣ୍ଡିଗଛର ଅଗ ପରି–ସେ ଆଗକୁ ଚାଲେ !

 

ଏଇ ଅବଶ ଆଉ ଉତ୍ତେଜନା ଭିତରେ ରଘୁନାଥ ସେଇ କ୍ଷୁଦ୍ର ଫାଙ୍କ ଦେଇ ଦେଖିଥିଲେ ତିନୋଟି ଛୋଟ ପଟୁଆର ଏବଂ ଶୁଣିଥିଲେ ତାକୁ ଅନୁସରଣ କରୁଥିବା କାନ୍ଦଣାର କେତୋଟି କ୍ଷୟମାଣ ସ୍ୱର । ଆଉ ସେ କିଛି ଶୁଣି ନଥିଲେ ତା’ପରଠୁ ।

 

ତା’ପରେ–

 

ବେଶ୍ ଏକ ନିବିଷ୍ଟ ଚିତ୍ତରେ ସେ ଚାଲିଆସିଛି । ଏଡ଼େ ବଡ଼ ପଥରଟାର ରୂପରେ ପୂର୍ଣ୍ଣତା ଆସିଛି ପ୍ରାୟ । ଯେମିତି ଝଙ୍କା ବାଳଗୁଡ଼ାକୁ କଇଁଛିରେ କାଟି କାଟି ସଜାଇ ଦିଆଯାଇଛି । ମନରେ କିଛି ଆଶ୍ୱସ୍ତି । ସେତେବେଳେ ହାରାମଣୀଙ୍କ କଥା ମନେ ପଡ଼ିଛି । ଜୀବନରେ କିଛି ଏଚିଭ୍‌ମେଣ୍ଟ ପରେ ସେ ଯେମିତି ଚାହୁଁଥିଲେ ସେଗୁଡ଼ିକର ଗୋଟାଏ ଏକ୍‌ଜିବିସନ୍ କରିବାକୁ...ପଏଣ୍ଟର୍‌ରେ ଦର୍ଶକମାନଙ୍କୁ ଠାରି ଦେଖାଇ ଦେବାକୁ ‘ଏନ୍ ଏବଷ୍ଟ୍ରାକ୍‌ଟ ସ୍କେଚ୍ ଅଫ୍ ଲାଇଫ୍’ । ହାରାମଣୀ ପାଖରେ ରହି ତାଙ୍କ ସାଙ୍ଗରେ ଅନ୍ୟମାନଙ୍କ ଧନ୍ୟବାଦ ବା ପ୍ରଶଂସାପାଇଁ କୃତଜ୍ଞତା ଜଣାଉଥାନ୍ତେ ।

 

ବାସ୍ତବିକ ୟା ଭିତରେ ବହୁତ ଦିନ ଗଡ଼ିଯାଇଛି । କାନ୍ଥଘଣ୍ଟାର ସଙ୍କେତ ମାନି ଗୋଟାଏ ଶୁଖିଲା ପତ୍ର ପରି କିଛିବାଟ ଗଡ଼ିଗଲାବେଳେ ମୂଳଗଛକୁ ସେ ମନେକରି ନାହାନ୍ତି ।

 

ରଘୁନାଥଙ୍କ ମନରେ ଦ୍ଵନ୍ଦ୍ୱ ଦେଖାଦିଏ । ତାଙ୍କର ମନେ ହୁଏ, ଲୋଚାକୋଚା ଶାଢ଼ି ଭିତରେ ସ୍ତ୍ରୀର ପରିଷ୍କାର ମାଂସଳ ଦେହକୁ ଅନୁମାନ କରିବା ବା ଜିଅନ୍ତା କୁକୁଡ଼ାର ପକ୍ଷକୁ ବାରେଇ ତା’ ଦେହର ଉଷ୍ମତା ଅନୁଭବ କରିବା ଜୀବନ ନୁହେଁ । ଜୀବନ ନୁହେଁ ମଧ୍ୟ ପିଲାଙ୍କର ଖଡ଼ି ସିଲଟ ଖବରଠାରୁ ସେମାନଙ୍କ ପ୍ରେମିକ-ପ୍ରେମିକାଙ୍କର ଆତ୍ମହତ୍ୟାର କାରଣ ବୁଝିବା । ପୁଣି ଏ ସବୁ ପରେ ଭାଗବତ ବସ୍ତାନି ଭିତରେ ସିନ୍ଧିକାଠି ସାଇତି କୋଠା ବ୍ୟାଙ୍କ ବାଲାନ୍‌ସର ସ୍ଵପ୍ନ ଜୀବନ ନୁହେଁ । ହୁଏତ ଏ ସବୁ ଜୀବନଧାରାର ଗୋଟେ ଗୋଟେ ଅଙ୍ଗ । ତଥାପି, ରଘୁନାଥ ଚିନ୍ତା କରନ୍ତି–ଏ ସମସ୍ତ ଆବଶ୍ୟକତା ସେଇ ସହଜପନ୍ଥୀମାନଙ୍କର ଯେଉଁମାନେ ସମାଧାନର ଉପାୟଠାରୁ ଦୂରରେ ରହି ଖାଲି ସ୍ଵପ୍ନ ଦେଖନ୍ତି, ଆଉ ଶେଷରେ କିଉ ଠାରୁ ଦୂରେଇ ଯାଇ ଥକ୍କା ମେଣ୍ଟାନ୍ତି । କିନ୍ତୁ ଏ ସବୁର ଉପରେ ଆଉ କିଛିର ଆବଶ୍ୟକତା ଅଛି ଯାହାକୁ ହାରାମଣୀଙ୍କ ପରି ସରଳ ମହିଳା ବା ସହଜପନ୍ଥୀମାନେ ଜାଣନ୍ତି ନାହିଁ । ସେଇ କିଛିର ସନ୍ଧାନରେ ରଘୁନାଥ । ତେଣୁ ହାରାମଣୀଙ୍କ ବିଷୟରେ ଅଧିକ ଚିନ୍ତା କରିବାକୁ ସେ ଭଲ ମନେକରନ୍ତି ନାହିଁ ।

 

କେତେଟା ବାଜିବାର ସଙ୍କେତ ମିଳିଲା ।

 

ରଘୁନାଥ ପଥର ଉପରେ ଫାଇନାଲ ଟଚ୍ ଦେବାପାଇଁ ବ୍ୟସ୍ତ ହେଇ ପଡ଼ୁଥିଲେ । କାରିଗରର ଶେଷ ତୂଳୀ ବୁଲି ଆସୁଛି ମୃଣ୍ମୟ ପିତୁଳିର ନିର୍ଜୀବ ଶରୀର ଉପରେ । ତଥାପି ସେଥିରେ ପ୍ରାଣ ପ୍ରାଚୁର୍ଯ୍ୟ, ଜୀବନର ସରସତା ସମ୍ପର୍କରେ କିଛି ପରିମାଣରେ ସୂଚନା ।

 

ନିହାଣ ହାତୁଡ଼ିର ଶବ୍ଦ ନୀରବ । ରଘୁନାଥ କୋଠରିର କବାଟ ଖୋଲିଲେ । ଦେଖିଲେ, ଘରର ବାରଣ୍ଡାରେ ହାରାମଣୀ ଗାଲରେ ହାତ ଦେଇ ଚାହିଁଛନ୍ତି ଶୂନ୍ୟ ଆକାଶକୁ । ଏକମାତ୍ର ପୁତ୍ରର ବିୟୋଗାନ୍ତ ଦୁଃଖରେ ସେ ଯେମିତି ନିର୍ବାକ । ଏକ ଅବ୍ୟକ୍ତ ଯନ୍ତ୍ରଣାରେ ରଘୁନାଥ ଚାହିଁରହିଲେ । ହାରାମଣୀ ମନକୁମନ କ’ଣ ଚିନ୍ତା କରି ଥରେ ସ୍ଥିର ଚକ୍ଷୁରେ ରଘୁନାଥଙ୍କ ମୁହଁକୁ ଚାହିଁଲେ । ତା’ପରେ ଧୀରେ ଧୀରେ ଉଠି ତାଙ୍କ ଆଡ଼କୁ ଅଗ୍ରସର ହେଲେ । ପାଟିରେ କଥା ନଥିଲା କିଛି । ସେ ପଥରଟାର ନିହାତ ନିକଟକୁ ଯାଇ କ’ଣ ଦେଖୁଥିଲେ । ମନେ ହେଉଥିଲା ଯେମିତି ସମସ୍ତ ହତାଶା ଆଉ ଗ୍ଳାନି ଭିତରେ ସେ ଅପେକ୍ଷା କରିଥିଲେ କିଛି ନୂଆର ସନ୍ଧାନପାଇଁ ।

 

ରଘୁନାଥ ଇଚ୍ଛା କରୁଥିଲେ ସେଇ ପଥରଖଣ୍ଡ ଦେହରେ ମଣିଷ ଜୀବନଧାରାର ବିରାଟ୍ ଇତିହାସର ଚିତ୍ରକୁ ଭଲଭାବେ ବୁଝାଇ ଦେବାକୁ । ହାରାମଣୀଙ୍କର କିନ୍ତୁ ତାଙ୍କ ପ୍ରତି ଦୃଷ୍ଟି ନଥିଲା । ସେ ପରଳ ଢଙ୍କା ଆଖିରେ ନିକିଟେଇ ଦେଖୁଥିଲେ ପଥର ଦେହରେ ସେ ଅସ୍ପଷ୍ଟ ମଣିଷମାନଙ୍କୁ । ତା’ ତଳେ ‘ଜୀବନ’ ବୋଲି ଲେଖାହୋଇଥିବା ଅକ୍ଷର ତିନୋଟି ଉପରେ ହାତ ମାରି ଅନୁଭବ କରୁଥିଲେ । କେଡ଼େ ଦନ୍ଥଡ଼ା ଦନ୍ଥଡ଼ା ଅକ୍ଷରଗୁଡ଼ାକ । ତଥାପି ସେଥିରେ ଗୋଟେ ଛନ୍ଦ ଅଛି, ସୁର ଅଛି । ବୁଝିଲେ ସେଥିରେ ଅଛି ଏକ ବିରାଟ୍ ସମ୍ଭାବନା ।

 

ହାରାମଣୀ କ’ଣ ବୁଝିଲେ ବୋଧହୁଏ ! ତା’ପରେ ସେ ପଥର ଦେହରୁ ଆଖି ଫେରାଇ ରଘୁନାଥଙ୍କ ଆଡ଼େ ଚାହିଁଲେ । ଶ୍ରୀହୀନ ଶ୍ମଶ୍ରୁପୂର୍ଣ୍ଣ ମୁହଁଟା ତାଙ୍କୁ ଖୁବ୍ ସୁନ୍ଦର ଦିଶୁଥିଲା ସେତେବେଳେ । ସେ ହସିବାକୁ ଚେଷ୍ଟା କରୁଥିଲେ । ହସିଲେ ଆଖିରେ କେଇଟୋପା ଲୁହ ସହିତ-

 

ରଘୁନାଥ ହାରାମଣୀଙ୍କ ଅବଶ ଦେହଟାକୁ ଜାବୁଡ଼ି ଧରିଥିବାବେଳେ ହାରାମଣୀ ତା’ର ଚଉଡ଼ା ଛାତିର ପଞ୍ଜରାହାଡ଼ଗୁଡ଼ାକ ଉପରେ ଆଙ୍ଗୁଳି ଗଡ଼ାଇ ନେଉଥିଲେ କ୍ରମେ ।

Image

 

ନିଜକଥା

 

କୌଣସି ସହରର ଉପକଣ୍ଠବର୍ତ୍ତୀ ଅଞ୍ଚଳ । ସେଠି ଛୋଟ ପାହାଡ଼ର ପାଦଦେଶରେ ନଦୀଟିଏ ବହି ଯାଉଛି । ନଦୀର ଗୋଟେ କଡ଼କୁ କ୍ଷୀଣ ଜଳଧାରା, ପାଖକୁ ଲାଗି କାଶତଣ୍ଡି ପଠା ଏବଂ ନଦୀର ଅବଶିଷ୍ଟ ଅଂଶ ସରୁ ବାଲିରେ ପୂର୍ଣ୍ଣ ।

 

ନଦୀ ଏବଂ ପାହାଡ଼ର ମଝି ଅଞ୍ଚଳଟି କିଞ୍ଚିତ୍‌ ସମତଳ । ନଦୀର ଦୁଇକୂଳକୁ ସଂଯୋଗ କରୁଥିବା ପକ୍କା ପୋଲ ଉପରୁ ଦେଖିଲେ ସ୍ଥାନଟି କେମିତି ପରିତ୍ୟକ୍ତ ମନେହୁଏ ।

 

ଅବଶ୍ୟ ଅନେକ ପୂର୍ବରୁ ସ୍ଥାନଟି ପରିତ୍ୟକ୍ତ ଥିଲା । ସହରର ନିକଟରେ ଥାଇବି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ନଥିଲା । ବରଂ ସେଠାକୁ ଯିବା ଏକ ବିରକ୍ତିକର ବ୍ୟାପାର ବୋଲି କେତେକ ମତବ୍ୟକ୍ତ କରନ୍ତି ।

 

ସେହି ସ୍ଥାନରେ ଦିନେ ଏକ ଅଲୌକିକ ଘଟନା ଘଟିଲା–ପାହାଡ଼ର ପାଦଦେଶକୁ ଲାଗିଥିବା ପଥରର ପୁରାତନ ଚଉତରାଟି ଲୋକଙ୍କୁ ପରିଷ୍କୃତ ମନେହେଲା ଏବଂ ଖଣ୍ଡେ ସରୁ ବାଉଁଶ ଅଗରେ ନାଲି ପତାକା ଉଡ଼ୁଥିବାର ଦେଖାଗଲା ।

 

କୌଣସି ସାଧୁମହାରାଜଙ୍କର ଆବିର୍ଭାବ ହେଲା ବୋଲି ଜନାନ୍ତରେ ପ୍ରଚାରିତ ହେଲା ।

 

ଏ ଘଟନା ଘଟିଲା କିଛିବର୍ଷ ପୂର୍ବେ ଯେତେବେଳେ ଏ ସହରର ଲୋକମାନେ ଏକ ବିଚିତ୍ର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ସେମାନଙ୍କ ମୁହଁରୁ ହସ ଲିଭି ଯାଇଥିଲା ଏବଂ ଶୂନ୍ୟ ମସ୍ତିଷ୍କରେ କୌଣସି ଜିନିଷ ପ୍ରତି ସେମାନେ ଉଦାସୀନ ଥିଲେ । ଦୁନିଆଟା ସେମାନଙ୍କ ପାଇଁ ଫାଙ୍କା ଫାଙ୍କା । ଏ ରୋଗର ନିରାକରଣର ବାଟ ତାଙ୍କ ଆଖିକୁ ଦିଶୁ ନଥିଲା । ତେଣୁ ନିଜର ନିରାପତ୍ତା ପାଇଁ ସେମାନେ ଗୋଟାଏ ସିମୀତ ପରିବେଶରେ ଜୀବନ ଅତିବାହିତ କରୁଥିଲେ ।

 

କ୍ରମେ ସ୍ଥାନଟିର ଗୁରୁତ୍ଵ ବଢ଼ିବାକୁ ଲାଗିଲା । ସେ ପଥର ଚଉତରା ଉପରେ ମନ୍ଦିରଟିଏ ମୁଣ୍ଡ ଟେକିଲା । ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷର ଦାନ ନଥିଲା, ବରଂ ତାହା ଏକ ସାମୂହିକ ଉନ୍ମାଦନାର ଫଳ ।

 

ମନ୍ଦିରଟି ଗୋଟେ ଆଧୁନିକ ଉପାସନା କ୍ଷେତ୍ରରେ ପରିଣତ ହେଲା । କିନ୍ତୁ ନୂଆକଥା; ସେଠାରେ କୌଣସି ଦେବ ବିଗ୍ରହ ନଥିଲା । ତା’ ଛଡ଼ା ନିଜ ନିଜର ଆରାଧ୍ୟ ପ୍ରଭୁଙ୍କୁ ବିଭିନ୍ନ ଦିନରେ ଉପାସନା କରିବାର କିଛି ବାଧା ନଥିଲା । ତେଣୁ ତାହା ଗୋଟେ ସାର୍ବଜନୀନ ପୀଠ ବିଭିନ୍ନ ସମ୍ପ୍ରଦାୟର ।

 

ସପ୍ତାହର ତିନୋଟି ବାରରେ ସେଠି ପୂଜା ମନାଯାଏ । ତିନି ଦିନରେ ସ୍ୱତନ୍ତ୍ର ତିନୋଟି ଦଳ ଲୋକ ସେଠାକୁ ଆସନ୍ତି ଏବଂ ଗୋଟିଏ ଦଳର ଉପାସନା ଦିନରେ ଅନ୍ୟଦଳ ଯୋଗ ଦିଅନ୍ତି ନାହିଁ ।

 

ତିନି ଦଳଙ୍କର ଉପାସନା ପଦ୍ଧତି ଭିନ୍ନ । ଦଳେ ଆଖିବୁଜି ନୀରବରେ ପ୍ରାର୍ଥନା କରୁଥିଲାବେଳେ ଆଉଦଳେ ସଂକୀର୍ତ୍ତନରେ ମାତି ଏକ ଉଜ୍ଜ୍ଵଳ ପାରିବାରିକ ଜୀବନର କଳ୍ପନା କରୁଥିଲେ । କିନ୍ତୁ ସେମାନଙ୍କ ଲକ୍ଷ୍ୟ ଥିଲା ଏକ... ଧ୍ଵଂସ ମୁଖରୁ ନିଜକୁ ରକ୍ଷା କରିବା, ନିଜ ଭିତରେ ପ୍ରେମରସ ପ୍ରବାହିତ କରିବା; କାରଣ ପ୍ରେମହିଁ ଈଶ୍ୱର । ଆମ ଠାରେ ପ୍ରେମର ଅଭାବ ଅର୍ଥ ଆମେ ଈଶ୍ୱରଙ୍କଠାରୁ ଯୋଜନ ଯୋଜନ ଦୂରରେ । ତେଣୁ ସମସ୍ତ କୁଗୁଣାବଳୀର ଅଧିକାରୀ ହୋଇ ସେଇ ପୁରୁଣା ପଦ୍ଧତିରେ ଈଶ୍ଵରଙ୍କୁ ଖୋଜିବା ନିରର୍ଥକ ବୋଲି ସେମାନଙ୍କର ମତ ।

 

ପ୍ରଥମେ ସହରର ଅଧିବାସୀମାନେ ସେ ଅଲୌକିକ ଘଟନା ପ୍ରତି ବଡ଼ ବୀତସ୍ପୃହ ଥିଲେ-। ତା’ର କାରଣ ହେଲା ସେମାନେ ମଣିଷ ବୋଲି କେବଳ ସେମାନଙ୍କ ଆକୃତିରୁ ଚିହ୍ନା ହେଉଥିଲେବି ମଣିଷ ଅର୍ଥରେ ସେମାନଙ୍କଠାରୁ ସମସ୍ତ ଗୁଣାବଳୀ ଅପହୃତ ହୋଇଥିଲା । ଅନ୍ୟ ରାଜ୍ୟର କେହି ଅଧିବାସୀ ଦୂରରୁ ରହି ସେମାନଙ୍କୁ ଲକ୍ଷ୍ୟ କରିଥିଲେ ହୁଏତ ଏହି ସିଦ୍ଧାନ୍ତରେ ପହଞ୍ଚିଥାନ୍ତା ଯେ ସେମାନଙ୍କ ଦେହର କୌଣସି ଅଂଶରେ ଗୋଟିଏ ଲେଖା ସ୍ଵୟଂଚାଳିତ ମେସିନ୍ ଖଞ୍ଜା ହୋଇଛି, ଫଳରେ ସେମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟସବୁ ଯଥାରୀତି କରି ପାରୁଛନ୍ତି-। ଅନ୍ୟଥା ମଣିଷର ସ୍ପର୍ଶ ଶକ୍ତିରୁ ଆରମ୍ଭ କରି ମୁହଁର ହସ ପର୍ଯ୍ୟନ୍ତ ତାଙ୍କଠାରେ ନଥିଲା-

 

ନିଜର ଦୈନନ୍ଦିନ କାର୍ଯ୍ୟ (ଯେମିତିକି ବଜାର ସଉଦା, ସାଇକେଲ ପଛରେ ପାଞ୍ଚ ଦଶକିଲୋ କାଠ ବହିନେବା କିମ୍ବା ପିଲାଙ୍କୁ କାନ୍ଧରେ ବସାଇ ଖେଳେଇବା) ଛାଡ଼ିଦେଲେ ଅବଶିଷ୍ଟ ସମୟତକ ସେମାନେ ଆକାଶକୁ ଚାହିଁ ଚାହିଁ କଟାଉଥିଲେ । ପାଖ ଘରେ ରହୁଥିବା ଅନ୍ୟ ଲୋକଙ୍କ ସହିତ ତାଙ୍କର ସମ୍ପର୍କ ନଥିଲା, ବରଂ ଗୋଟେ ଜଙ୍ଗଲର ଏକୁଟିଆ ଜୀବ ବୋଲି ମନରେ ତାଙ୍କର ଚିନ୍ତା କରି କରି ଟିକେ ସମୟ ପାଇଲେ ନିଜର ଅସହାୟତା ପାଇଁ ଅଶ୍ରୁପାତ କରିବାକୁ ଭଲ ମନେକରୁଥିଲେ ।

 

କିନ୍ତୁ ଦିନେ ଦେଖାଗଲା ସହରରୁ କେତେଜଣ ଲୋକ ସେହି ପାହାଡ଼ଆଡ଼େ ଚାଲିଛନ୍ତି । ସେମାନେ ଯେ ବିଶେଷ ଆଗ୍ରହ ନେଇ ଚାଲିଥିଲେ ତା’ ନୁହେଁ, ବରଂ ଏମିତି ଏକ ମନୋଟନିରୁ ମୁକ୍ତି ଖୋଜୁଥିଲେ । ସୁତରାଂ ଘଟନାଟି କ’ଣ ବୋଲି ଟିକେ ଆଗ୍ରହ ହେବା ସ୍ଵାଭାବିକ ।

 

ସେ ଲୋକ କେତେଜଣ ପଥର ଚଉତରା ନିକଟରେ ପହଞ୍ଚିଥିଲେ ଏବଂ ଦେଖିଲେ ତିନିଜଣ ସାଧୁମହାରାଜ ଧ୍ୟାନରେ ବସିଛନ୍ତି । ଗୋଲଗାଲ ଚେହେରା, ଅନ୍ୟକୁ ଆକୃଷ୍ଟ କଲାପରି ମୁହଁରେ ସ୍ଵତନ୍ତ୍ର ଦୀପ୍ତି । କିଛି ସମୟ ଅପେକ୍ଷା କଲାପରେ ସେମାନେ ନଦୀଧାରକୁ ଲକ୍ଷ୍ୟ କଲେ ଏବଂ ଅନେକ କାଶତଣ୍ଡି ଫୁଲ ଦେଖି ବିରକ୍ତିରେ ପୁଣି ସାଧୁମହାରାଜଙ୍କ ମୁହଁକୁ ଲକ୍ଷ୍ୟ କଲେ ।

 

ଏଥର ସାଧୁମହାରାଜଙ୍କର ଧ୍ୟାନ ଭଗ୍ନ ହେଲା । ତା’ପରେ କେତେକ ମୁହୂର୍ତ୍ତ ସେ ଲୋକମାନଙ୍କ ମୁହଁକୁ ଚାହିଁ ସହରର କୁଶଳ ସମାଚାର ଜିଜ୍ଞାସା କଲେ । ସେମାନେ ବୋକା ହୋଇ ପରସ୍ପରକୁ ଚାହିଁଲେ ଏବଂ ‘କୁଶଳ’ ବୋଲି ଗୋଟେ ଶବ୍ଦର ଉଚ୍ଚାରଣରେ ବିସ୍ମିତ ହେଲେ । ସାଧୁମହାରାଜଙ୍କ ଗଣ୍ଡଦେଶରେ ସ୍ମିତହାସ୍ୟ ପ୍ରକାଶ ପାଇଲା । ସେ ମଧୁର ସ୍ଵରରେ କହିଲେ–

 

ଆମେ ସବୁ ବୁଝି ପାରୁଛୁ ବତ୍ସ ! ତମେମାନେ ବର୍ତ୍ତମାନ ଘୋର ମାୟାରେ ପଡ଼ି ଛଟପଟ ହେଉଛ । ଆଉ କାଳବିଳମ୍ବ କଲେ ପୃଥିବୀ ପୃଷ୍ଠରୁ ତମମାନଙ୍କର ଅସ୍ତିତ୍ଵ ଲୋପ ପାଇଯିବ । ଆମ୍ଭେମାନେ ଗୁରୁଙ୍କର ବାର୍ତ୍ତାନେଇ ଏଠାରେ ପ୍ରକାଶ ହୋଇଛୁ । ତୁମ୍ଭମାନଙ୍କୁ ପୁନର୍ଜନ୍ମ ଦେଇ ପୁଣି ଆମ୍ଭର ଗନ୍ତବ୍ୟ ପଥରେ ଚାଲିଯିବୁ ।

 

ତା’ପରେ ସାଧୁ ମହାରାଜମାନେ ମୁହୂର୍ତ୍ତକ ପାଇଁ ଆଖି ବନ୍ଦ କଲେ ଏବଂ ପାଟିରେ କେତେକ ଅସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ କରି ସେହି ଲୋକମାନଙ୍କ ଉଦ୍ଦେଶ୍ୟରେ କହିଲେ–

 

ଆମ୍ଭେ ତିନିଜଣ ତିନୋଟି ମାର୍ଗର ପ୍ରତୀକ, ଲକ୍ଷ୍ୟ କିନ୍ତୁ ଆମ୍ଭମାନଙ୍କର ଏକ–ଜନସମାଜର ମଙ୍ଗଳ କରିବା । ତମେମାନେ ଯାଇ ତମ ସହରରେ ଏ ବାର୍ତ୍ତା ପ୍ରକାଶ କର ଏବଂ ସପ୍ତାହର ତିନୋଟି ନିର୍ଦ୍ଦିଷ୍ଟ ବାରରେ ଆସି ଆମ୍ଭଠାରୁ ଦୀକ୍ଷା ଗ୍ରହଣ କର । ଦେଖ, ଆମ୍ଭର ପ୍ରକାଶ ଘେନି କେହି ନିନ୍ଦୁକ ଯଦି ସମାଲୋଚନା କରେ ସେଥିରେ ବିଚଳିତ ହେବନି । ମନରେ ଅସୀମ ବିଶ୍ୱାସ ସଞ୍ଚୟ କରିବ (ବିଶ୍ୱାସ ମୂଳେ ଏ ଜଗତ) । ଜାଣିବ ଗୁରୁ ତୁମ୍ଭ ଜୀବନର ମୁକ୍ତିଦାତା ।

 

ସେ ଦିନ ସେଇ କେତେଜଣ ଲୋକ ସାଧୁ ମହାରାଜଙ୍କଠାରୁ ଫେରି ଆସିଲା ପରେ ନିଜ ଭିତରେ କିଛି ବ୍ୟତିକ୍ରମ ଦେଖୁଥିଲେ । ସେମାନେ ଅନୁଭବ କରୁଥିଲେ ଯେମିତି ତାଙ୍କର ଜୀବନୀ ଶକ୍ତି ପୁଣି ଗୋଟେ ପାଞ୍ଚ ଦଶବର୍ଷର ବାଳକ ପରି ଚଞ୍ଚଳ ହୋଇ ଉଠୁଛି । ସହରର ଅବଶିଷ୍ଟ ଲୋକମାନଙ୍କୁ ସେମାନେ ସାଧୁମହାରାଜଙ୍କ ବାର୍ତ୍ତା କହିଲେ ଏବଂ ତାଙ୍କଠି ଏ ପ୍ରକାର ବ୍ୟତିକ୍ରମ ଦେଖି ସହରର ଲୋକମାନେ ଘଟନାଟି ପ୍ରତି ଆଗ୍ରହୀ ହେଲେ । ତା’ପରେ ଦେଖାଗଲା ସେହି ପଥର ଚଉତରା ଉପରେ ଲୋକ ଗହଳି ବଢ଼ୁଛି ଏବଂ କ୍ରମେ କ୍ରମେ ମନ୍ଦିର ମୁଣ୍ଡ ଟେକୁଛି ।

 

ମନ୍ଦିରର ପ୍ରତିଷ୍ଠା ଦିନ ସହରର ପ୍ରାୟ ଦୁଇ ତୃତୀୟାଂଶ ଲୋକ ସମବେତ ହୋଇଥିଲେ-। ସମସ୍ତଙ୍କ ଭିତରେ ଅସୀମ ଆଗ୍ରହ । ଅନେକ ଦିନରୁ ସେମାନଙ୍କଠାରୁ ହଜି ଯାଇଥିବା ଜିନିଷକୁ ଯେମିତି ପୁଣି ସେମାନେ ଫେରି ପାଇବେ । ପୁଣି ସେମାନେ ଗୋଟେ ସୁନ୍ଦର ଜୀବନ ଆରମ୍ଭ କରିବେ ଶୂନରୁ । ମନ ଧୋଇଯିବ, ଶରୀର ପବିତ୍ର ହେବ, ପୁଣି ଶରତର ଢଳଢ଼ଳ ସ୍ୱଚ୍ଛ ଶିଶିର ବିନ୍ଦୁ ପରି କଳେବରରେ ନୂଆ ଆତ୍ମା ବିରାଜିତ ହେବ । ଆଃ...କୃତଜ୍ଞତାରେ ସେଦିନ ସାଧୁ ମହାରାଜଙ୍କ ପ୍ରତି ସମବେତ ଜନତାର ମୁଣ୍ଡ ନଇଁ ଯାଇଥିଲା ।

 

ଏସବୁ ଥିଲା କିନ୍ତୁ କଳ୍ପନାର କଥା ଯେମିତି ଅନେକ ସମୟରେ ମଣିଷ ଚିନ୍ତା କରି କରି କିଛି ସମୟପାଇଁ ନିଜର ଅସ୍ତିତ୍ୱ ଭୁଲିଯାଏ । କାରଣ ଏକ ନୂତନ ଜୀବନ ସମ୍ପର୍କରେ ସାଧୁ ମହାରାଜଙ୍କର ଚିତ୍ର ଆଉ ସେଇ ଜୀବନ ନିକଟରେ ପହଞ୍ଚିବାକୁ ଏ ଲୋକମାନଙ୍କର ଢିଲା ଆତ୍ମପ୍ରତ୍ୟୟ; ଉଭୟ କେମିତି ବିରୋଧାତ୍ମକ । ଉପାସନାର ପ୍ରଥମ ଦିନ ଏହାର ପ୍ରମାଣ ମିଳିଥିଲା-। ଯେତେବେଳେ ତିନିଜଣ ମହାପୁରୁଷ ସେମାନଙ୍କ ଶିଷ୍ୟଙ୍କ ହାତରେ ଗୋଟିଏ ଲେଖା ଗୋଲାପ ଫୁଲ ଦେଇ ତାହା ଗୁରୁଦେବଙ୍କ ଆଶୀର୍ବାଦ ବୋଲି କହିଥିଲେ ସେତେବେଳେ ଲୋକମାନେ ହଠାତ ଫୁଲଟିକୁ ମୁଣ୍ଡରେ ମାରି ହାତ ମୁଠାରେ ରଖିଲେ । ସାଧୁ ମହାରାଜଙ୍କର କିନ୍ତୁ ସେ ଉଦ୍ଦେଶ୍ୟ ନଥିଲା । ସେ ଜାଣିବାକୁ ଚାହୁଁଥିଲେ ଫୁଲଟି ପ୍ରତି ଏମାନଙ୍କର ଦୃଷ୍ଟିଭଙ୍ଗୀ କ’ଣ-। ଅବଶ୍ୟ ଏଥିରେ ସାଧୁ ମହାରାଜ ବିବ୍ରତ ହୋଇ ନଥିଲେ । କାରଣ ସେ ଜାଣିଥିଲେ ପ୍ରେମ-ଦୀକ୍ଷାରେ ସେମାନଙ୍କୁ ଦୀକ୍ଷିତ କରାଇବା ତାଙ୍କ ଆବିର୍ଭାବର ଲକ୍ଷ୍ୟ ।

 

ତା’ଛଡ଼ା ସେ ଲୋକମାନଙ୍କ ବସିବା ଢଙ୍ଗ ଥିଲା ଭିନ୍ନ–ପରସ୍ପରଠାରୁ କିଛିଟା ଦୂରତ୍ୱ ରକ୍ଷା କରୁଥିଲେ ଏବଂ ହସିବାକୁ କହିଲେ ‘ବତେଇ ଦିଅ’ ବୋଲି କହୁଥିଲେ । ସାଧୁ ମହାରାଜ ନିଶ୍ଚିତ ହେଇଥିଲେ ଏମାନଙ୍କୁ ଶିଶୁପରି ଜୀବନ ବିଷୟରେ ଧାରଣା ଦେବାକୁ ପଡ଼ିବ ।

 

ଥୋକାଏ ବର୍ଷ ବିତିଗଲା । ସହରର ଲୋକମାନେ ଶୃଙ୍ଖଳିତ ଭାବରେ ନୀତିଶିକ୍ଷା ଗ୍ରହଣ କରିବାକୁ ଆସିଲେ । ତିନି ଦିନରେ ତିନୋଟି ମାର୍ଗର ନୀତି ବୟାନ ।

 

ଅବଶିଷ୍ଟ ନାସ୍ତିକ-ଜନ ଘଟନାଟିକୁ ବିଦ୍ରୂପ କଲେ । ତାଙ୍କର ମତ ହେଲା ଗୁରୁ, ଈଶ୍ୱର–ଏସବୁ ଭଣ୍ଡାମି କାରବାର । ଲୋକଙ୍କ ସରଳ ବିଶ୍ୱାସର ସୁଯୋଗ ନେଇ ତାଙ୍କୁ ନିଜ ମତାନୁସାରେ ନଚେଇବା ଏସବୁ କାରବାର ଏକ ନୂଆ ଉପାୟ । କିନ୍ତୁ ନାସ୍ତିକ-ଜନଙ୍କ ସମାଲୋଚନାରେ ସେମାନେ ବ୍ୟସ୍ତ ହେଲେନି । କ’ଣ ଦରକାର ! ନିଜ ନିଜର ବିଶ୍ୱାସ ନେଇ ସବୁ କଥା । ଅନେକ କହିବେ, କିନ୍ତୁ ସମସ୍ୟାର ସମାଧାନ କରି ପାରିବେ କି !

 

ଅତୀତରେ ଏମିତି କେତେ ସମାଲୋଚନା ହେଇଛି । କେତେ ଧର୍ମ, ମତବାଦ ପୃଥିବୀ ପୃଷ୍ଠରେ ଦେଖା ଦେଇଛି । ସବୁଥିରେ କିଛି ସାରକଥା ଥିଲା ଯଦିଓ ଉପାୟ ଭିନ୍ନ । ତେଣୁ କୌଣସିଟି ଧର୍ମର ମୂଳଧାର ମରି ଯାଇନି । କେହି ଜୀବନ୍ତ ଥିଲେବି କେହି ମଣିଷର ଅବଚେତନରେ ସୁପ୍ତ ।

 

ୟା ଭିତରେ ସହରର ଲୋକମାନେ ଅନେକ କଥା ଶିଖିଗଲେ । ସାଧୁମହାରାଜଙ୍କ ଉପଦେଶରେ ସେମାନଙ୍କର ଆତ୍ମପ୍ରତ୍ୟୟ କ୍ରମେ ଦୃଢ଼ ହେବାକୁ ଲାଗିଲା । କିନ୍ତୁ ଉପଦେଶଗୁଡ଼ାକ କି କଠିନ । ସେମାନଙ୍କ ଭିତରେ ଆଲୋଚନା ହୁଏ ଗୁରୁଙ୍କର ପ୍ରଥମ ଉପଦେଶ :

 

–ତମେମାନେ ତମର ଆବରଣ ଖୋଲିଦିଅ, ପରସ୍ପରକୁ ଲାଗି ଲାଗି ବସ, ଅନ୍ୟ ପାଦରେ କଣ୍ଟାଟିଏ ଗଳିଲେ ସେ ଯନ୍ତ୍ରଣା ତମ ପାଦରେ ଅନୁଭବ କର, ଯୁବତୀଟିଏ ଦେଖିଲେ ତା’ମାଂସରେ ପ୍ରଲୋଭିତ ନ ହୋଇ ତା’ ସୌନ୍ଦର୍ଯ୍ୟରେ ମୁଗ୍ଧ ହୁଅ ଇତ୍ୟାଦି ।

 

ବଡ଼ ଅଡ଼ୁଆ ମନେ ହେଉଥିଲା ପ୍ରଥମେ । ବାସ୍ତବିକ କେଡ଼େ କଷ୍ଟ ଏସବୁ ବ୍ୟାପାର । ସାଧୁମହାରାଜ କିନ୍ତୁ ଛାଡ଼ିବାର ପାତ୍ର ନୁହନ୍ତି । ଗୋଟେ ବିଦ୍ୟା ନ ହେଲେ ତାକୁ ବାରମ୍ବାର ସାଧିବାକୁ ତାଙ୍କର ତାଗିଦ୍ । ଲୋକମାନେ ବୁଝିଗଲେ–ଏସବୁଥିରେ ସାଧୁ ମହାରାଜଙ୍କର କିଛି ସ୍ଵାର୍ଥ ନାହିଁ । ସେମାନଙ୍କର ଭଲପାଇଁ ସେ ଆବିର୍ଭାବ ହୋଇଛନ୍ତି । ଯେତେ କଷ୍ଟ ପଡ଼ୁ ବରଂ ସାଧିବାକୁ ପଡ଼ିବ । ତା’ଛଡ଼ା ଅନେକ ଦିନରୁ ଏ ଆବଶ୍ୟକତା ସେମାନେ ଉପଲବ୍‌ଧି କରୁଥିଲେ । ତେଣୁ ସେଇ ସାଧନା ଭିତରେ ପ୍ରଚ୍ଛନ୍ନ ଆନନ୍ଦକୁ ସେମାନେ ଉପେକ୍ଷା କରୁ ନଥିଲେ ।

 

ଚାଲୁ । କ’ଣ କ୍ଷତି ଅଛି ଏଥିରେ ! ଏମିତି ଏକ ମୃତ୍ୟୁପୂର୍ଣ୍ଣ ଜୀବନ ଅତିବାହିତ କରିବା ଅପେକ୍ଷା ଏଥିରେ ଯଦି ଏକ ନୂତନ ବଞ୍ଚିବାର ସନ୍ଦେଶ ଥାଏ ।

 

ଯେଉଁ ସହରରେ ସମୟ ସ୍ଥିର ହେଇ ଯାଇଥିଲା, ଲୋକମାନଙ୍କ ଜୀବନରେ କଳଙ୍କି ଲାଗି ଯାଇଥିଲା ସାଧୁମହାରାଜଙ୍କର ଆବିର୍ଭାବର କିଛିବର୍ଷ ପରେ ସେଇ ସହରର ସମୟରେ ପରିବର୍ତ୍ତନ ଆସୁଥିବାର ଲକ୍ଷ୍ୟ କରାଗଲା । ଲୋକମାନେ ପରସ୍ପରକୁ ଚାହିଁ ହସିଲେଣି ଏବଂ ଜାଣିଲେଣି ସେମାନେ ଏକୁଟିଆ ନୁହ, ଏ ସହରରେ ଆହୁରି ଅନେକ ଲୋକ ରହୁଛନ୍ତି । ପ୍ରତ୍ୟେକ ଘରେ ଗୁରୁଙ୍କର ଫଟୋ, ଫୁଲ-ଚନ୍ଦନ, ଧୂପ ବାସ୍ନାରେ ସହରରେ ଏକ ନୂଆ ଆମୋଦ ।

 

ଏଥିଉତ୍ତାରୁ କିଛିଦିନ ଅନ୍ତେ ସହର ଲୋକମାନେ ବସି ଠିକ୍ କଲେ ଏବେ ଗୁରୁଙ୍କ ଆବିର୍ଭାବର ବାର୍ଷିକୋତ୍ସବ ପାଳନ କରାଯିବ । ସେହି ଉତ୍ସବରେ ଗୁରୁଙ୍କର ଚିନ୍ତାଧାରା ସର୍ବସାଧାରଣରେ ପ୍ରଚାର କରାଯିବ । କେତେଜଣ ଆଗୁଆ ଲୋକ ସାଧୁମହାରାଜଙ୍କ ସହିତ ପରାମର୍ଶ କଲେ । ମହାରାଜ ଖୁବ୍ ଖୁସି ହେଲେ–ବାସ୍ତବିକ ଏମାନଙ୍କର ସଦ୍‌ବୁଦ୍ଧି ଫେରି ଆସିଛି । ...କିଛି କଥାନାହିଁ, ତମମାନଙ୍କର ଉଦ୍ଦେଶ୍ୟ ପୂରଣ ହେବ, ଗୁରୁ କହିଲେ ।

 

ସାଧୁ ମହାରାଜ ଜଣାଇଲେ ତାଙ୍କ ଗୁରୁଙ୍କ ମୂଳପୀଠରୁ ସ୍ଵତନ୍ତ୍ର ଧର୍ମପ୍ରଚାରକ ଆସିବେ-। ସେମାନେ ଗୁରୁବାଣୀ ଠିକ୍ ଠିକ୍ ଲୋକଙ୍କୁ ବୁଝେଇ ଦେବେ । ଫଳରେ ଲୋକ ଏ ତତ୍ତ୍ଵର କିଛି ନୂଆ କଥା ଜାଣିବେ ।

 

ସାଧୁ ମହାରାଜଙ୍କ ସହ ପରାମର୍ଶ ପରେ ନିର୍ଦ୍ଦିଷ୍ଟ ଦିନ ଠିକଣା ହେଲା । ସେଇ ଦିନ ତିନି ଗୁରୁଙ୍କ ଆବିର୍ଭାବର ବାର୍ଷିକୋତ୍ସବ ମିଳିତ ଭାବରେ ପାଳନ କରାଯିବ ।

 

ସହରରେ ନୂତନ ଜୀବନ ।

 

ସେଇ ନିର୍ଦ୍ଦିଷ୍ଟ ଦିନରେ ପାହାଡ଼ର ପାଦଦେଶ ଜନାକୀର୍ଣ୍ଣ ହେଲା । ମନ୍ଦିରଟିକୁ ଚୂନ କରାଗଲା, ସନ୍ଧ୍ୟାରେ ଆଲୋକସଜ୍ଜା ହେଲା । ସାମ୍ନାର ପ୍ରାଙ୍ଗଣରେ ପ୍ରଶସ୍ତ ସାମିଆନାତଳେ ଅନେକ ଟିଣ ଚେୟାର ଧାଡ଼ି ଧାଡ଼ି ସଜ୍ଜାଗଲା । ଏକ ସୁସଜ୍ଜିତ ମଣ୍ଡପରେ ଗୁରୁଙ୍କର ଫଟୋ ପ୍ରତିଷ୍ଠା କରାଗଲା । ବିଭିନ୍ନ ଫୁଲ ଏବଂ ଅଗରବତି ମହକରେ ପରିବେଶ ଆମୋଦିତ !

 

ଲୋକମାନେ ଦଳଦଳ ହୋଇ ଆସନ ଗ୍ରହଣ କରୁଛନ୍ତି । ଧର୍ମସଭା ଆରମ୍ଭ ହେବାକୁ ଆଉ କିଛି ସମୟ ବିଳମ୍ବ ଅଛି ।

 

ଭକ୍ତମାନଙ୍କୁ ଛାଡ଼ିଦେଲେ ସଭାରେ ନିନ୍ଦୁକମାନଙ୍କୁ ନେଇ ଅନ୍ୟ ସମ୍ପ୍ରଦାୟର ଲୋକବି ଉପସ୍ଥିତ ଥିଲେ । ପ୍ରଥମେ ହୁଏତ ଭକ୍ତମାନଙ୍କର ପୂଜାପଦ୍ଧତି ତଥା ଅଚାରବିଚାରକୁ ସେମାନେ ବିଦ୍ରୂପ କରୁଥିଲେ, କିନ୍ତୁ ଘଟନାଟି କିଛି ଘଟିଗଲା ପରେ ତାହା ପ୍ରକୃତରେ କ’ଣ ବୋଲି ସେମାନଙ୍କର ଆଗ୍ରହ ହେବା ସ୍ଵାଭାବିକ ।

 

ହଠାତ ଉପସ୍ଥିତ ଜନତାର ଦୃଷ୍ଟି ନିବଦ୍ଧ ହେଲା ସେଇ ମଣ୍ଡପ ଉପରେ ଯେଉଁଠି ଗୁରୁଙ୍କର ଫଟୋ ଶୋଭା ପାଉଛି । ତିନିଜଣ ଦୀପ୍ତିବନ୍ତ ପୁରୁଷ ମଣ୍ଡପରେ ପ୍ରବେଶ କରି ଗୁରୁଙ୍କ ଫଟୋର ପାଦଦେଶରେ ଆସନ ଗ୍ରହଣ କଲେ । ଧର୍ମଯାଜକମାନେ ଆସିଗଲେ ବୋଲି ଲୋକମାନଙ୍କ କାନଦେଇ ପ୍ରଚାରିତ ହେଲା । ତା’ପରେ ନୀରବତା ।

 

ପ୍ରଥମେ ଉଦ୍ୟୋକ୍ତାଙ୍କ ତରଫରୁ ଜଣେ ମହାପୁରୁଷଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଜିକା ସଭାର ତାତ୍ପର୍ଯ୍ୟ ସମ୍ପର୍କରେ କହିଲେ । ତା’ପରେ ଆଗନ୍ତୁକ ଅତିଥିମାନଙ୍କ ମଧ୍ୟରୁ ଜଣେ ଉଠିଲେ ତାଙ୍କର ବକ୍ତବ୍ୟ କହିବାକୁ ।

 

ସେତେବେଳେ ନଦୀର ଅପରପଟ ଦିଗ୍‍ବଳୟରେ ଚନ୍ଦ୍ର ଉଠୁଥିଲା, ଶୁଣାଯାଉଥିଲା ରାତି ପକ୍ଷୀର କାକଳି । ଧୀର ପବନରେ ନଦୀର କ୍ଷୀଣ ଜଳଧାର ଆନ୍ଦୋଳିତ । ଚନ୍ଦ୍ର କିରଣରେ କାଶତଣ୍ଡି ପଠା ଏବଂ ନଦୀ ପୃଷ୍ଠର ସରୁବାଲି ପାଣ୍ଡୁର । ଆଗନ୍ତୁକ ମହାଶୟ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ–

 

ଆପଣମାନେ ଆଜି ଉପସ୍ଥିତ ମୋଠାରୁ କିଛି ନୂଆ କଥା ଶୁଣିବାକୁ । କିନ୍ତୁ କି ନୂଆକଥା ମୁଁ କହିବି । ପୃଥିବୀରେ ନୂଆ ବୋଲି କିଛି ନାହିଁ, ସବୁ ସେଇ ପୁରୁଣାର ପୁନରାବୃତ୍ତି । ତେଣୁ ଆପଣମାନେ ଭୁଲି ଯାଇଥିବା କଥାକୁ ପୁଣିଥରେ ଆପଣଙ୍କ ହୃଦୟରେ ଜାଗ୍ରତ କରିବି, ସେତିକି ମୋର ଭୂମିକା ମାତ୍ର ।

 

ନିନ୍ଦୁକ-ଜନଙ୍କ ସମେତ ଅନ୍ୟ ସମ୍ପ୍ରଦାୟର ଲୋକ, ମୁଣ୍ଡ ହଲେଇ ସମ୍ମତି ପ୍ରଦାନ କଲେ–ସତକଥା, କ’ଣ ନୂଆ କଥା ଆଉ ଅଛି !

 

ଆଗନ୍ତୁକ ପୁଣି କହିଲେ–ଏଇ ଦେଖନ୍ତୁ ଦିଗ୍‍ବଳୟରେ ପୂର୍ଣ୍ଣମୀର ଚନ୍ଦ୍ର, ଶୁଭ୍ର କାଶତଣ୍ଡି ପଠା, ଧୀର ପବନ, ପକ୍ଷୀର କାକଳି ଆମର ଅତି ନିକଟରେ, ଅଥଚ ଆମେ ତା’ଠାରୁ ଅନେକ ଦୂରରେ ରହି ସେଇ ବିଷୟରେ ଅନ୍ୟଜଣେ ଲୋକଠାରୁ ଶୁଣିବୁ ସେଇଟା ଆମ ଦୁର୍ଗତିର କାରଣ...ଆମେ ନିଜଠାରୁ ଦୂରକୁ ଚାଲି ଯାଉଛେ, ନିଜ ଭିତରେ ଥିବା ଈଶ୍ୱରଙ୍କୁ ଭୁଲି ଯାଉଛେ...

 

ନିନ୍ଦୁକମାନଙ୍କ ମଧ୍ୟରୁ ହଠାତ ଜଣେ ଉଠିପଡ଼ି ପାଟି କରିଦେଲେ–ବାହା...ବାହା, ସେଇକଥା ଆଜ୍ଞା । ଆମେତ ଶଳେ ଅନ୍ୟକୁ ଦେଖିଲେ ଶହେ ପଚାଶ ଖାଇଗଲା ପରି ମୁହଁ କରିବୁ, ଏସବୁ ଦେଖିବାକୁ ବେଳ କାହିଁ !!!

 

ଆଗନ୍ତୁକଙ୍କ ବକ୍ତବ୍ୟରେ ଅନେକ କଥା ଥିଲା ଯାହା ନିନ୍ଦୁକ ତଥା ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ମୁଗ୍ଧ କରୁଥିଲା ।

 

ସେତିକିବେଳେ ଠିକ୍ ଲୋକମାନଙ୍କ ଭିତରେ ଚାପା ଗଳାର ଆବାଜ ଶୁଣାଗଲା...ଆଗନ୍ତୁକଙ୍କ କଥା ଲୋକମାନଙ୍କ ମୁହଁରେ ପ୍ରତିଧ୍ଵନିତ ହେବାକୁ ଲାଗିଲା–ଆକାଶରେ ଚନ୍ଦ୍ର, ଶୁଭ୍ର କାଶତଣ୍ଡି ପଠା, ପକ୍ଷୀର କାକଳି...ଇତ୍ୟାଦି । କେତେକ ଲୋକ ପଛକୁ ଫେରି ଚନ୍ଦ୍ରକୁ ଚାହିଁଲେ, କେତେକ ପୁଣି ନିଜ ନିଜର ଆସନ ଛାଡ଼ି ଠିଆ ହେଲେ । ସଭା ସ୍ଥଳରେ ସାମାନ୍ୟ ଉତ୍ତେଜନା ।

 

ଲୋକମାନେ ଜଣ ଜଣ କରି ନଦୀଧାରକୁ ଦଉଡ଼ିଲେ । ସେମାନଙ୍କ ମୁହଁରେ ସେଇ କଥା ସବୁ ପଦ୍ୟ ଆକାରରେ ପ୍ରକାଶ ପାଇଲା–

 

ଆକାଶରେ ଚନ୍ଦ୍ର,

 

ପକ୍ଷୀର କାକଳି

 

ଶୁଭ୍ର କାଶତଣ୍ଡି ପଠା,

 

ଧୀର ପବନ... ।

 

କିଛି ସମୟ ପରେ ଆଗନ୍ତୁକଙ୍କ ବକ୍ତୃତା ଲୋକଙ୍କ ହଟ୍ଟଗୋଳରେ କେଉଁଆଡ଼େ ମିଳେଇଗଲା । ସେମାନେ ପାଗଳଙ୍କ ପରି ନଈ ବାଲିରେ ନାଚିବାକୁ ଲାଗିଲେ । ପାଟିରେ ସେଇ କେତୋଟି ପଦ ।

 

ହଟ୍ଟଗୋଳ କ୍ରମେ ସହରକୁ ବ୍ୟାପିଲା । ସହରର ଅବଶିଷ୍ଟ ଲୋକମାନେ ନିଦରୁ ଉଠି ସେଥିରେ ଯୋଗଦେଲେ । ଦେଖାଗଲା ମନ୍ଦିର ପାଖରେ ଆଉ ଜଣେ କେହି ନାହିଁ, କେବଳ ନଈବାଲି ଆଉ ସହରର ରାସ୍ତାଘାଟରେ ପାଗଳ ଜନତା ନାଚି ନାଚି ଗୀତ ଗାଉଛି–

 

ଆକାଶରେ ଜହ୍ନ...ଇତ୍ୟାଦି ।

 

ତା’ପରେ ହୁଏତ ସେ ଲୋକମାନେ ରାତି ଆକାଶରେ ଇନ୍ଦ୍ରଧନୁର ସନ୍ଧାନ କଲେ କିନ୍ତୁ ନିନ୍ଦୁକମାନଙ୍କ ପାଇଁ ଏହା ଏକ ସ୍ଵାଭାବିକ ଦୃଶ୍ୟ ।

Image

 

ଅରକ୍ଷିତ

 

ନଟବର ସକାଳୁ କପେ ଚା’ କେବଳ ଖାଇଥିଲା ।

 

କାମ ପଡ଼ିଲେ ନଟବର ଖାଇବା ଶୋଇବା ଭୁଲିଯାଏ । କାମ ମଝିରେ ଏଣୁତେଣୁ କିଛି ଚିନ୍ତା ବା ବିଶୃଙ୍ଖଳା ଘଟିବା ନଟବର ପାଇଁ ବିରକ୍ତିକର ।

 

ଖଟଖଣ୍ଡକ ଭିଡ଼ା ସରିଗଲା । ପକେଟରୁ ସିଗ୍ରେଟ୍ ବାହାର କରି ନଟବର ସେଥିରେ ନିଆଁ ଧରାଇଲା ଏବଂ ଗୋଡ଼ ଉପରେ ଗୋଡ଼ ଥୋଇ ଖଟ ଉପରେ ଦଣ୍ଡେ ବସି ରହିଲା । ପାଖ ରୋଷେଇଘରେ ନିରୂପମା କଞ୍ଚା କାଠରେ ନିଆଁ ଧରେଇବାକୁ ବୋଧହୁଏ ଚେଷ୍ଟା କରୁଥିଲା । କାରଣ ବାଉଁଶ-ନଳୀରେ ତା’ର ଚୁଲି ଫୁଙ୍କା ଶବ୍ଦ ଗୋଖର ସାପର ଗର୍ଜନ ପରି ଶୁଣା ଯାଉଥିଲା ।

 

ବାଁ ଗୋଡ଼ ଉପରେ ଭାଙ୍ଗି ହୋଇ ରହିଥିବା ଡାହାଣ ଗୋଡ଼ ପାହୁଲରେ ବାଁ ହାତଟାକୁ ବୁଲାଉ ବୁଲାଉ ସାରା କୋଠରି ମଧ୍ୟରେ ନଟବରର ଆଖି ବୁଲିଗଲା । ସେ ଉଠିପଡ଼ିଲା; ଆଃ, ଆହୁରି ଅନେକ କାମ ବାକି । ଗୋଟାଏ ଅଲଗୁଣୀ ଏବଂ ଅବିନ୍ୟସ୍ତଭାବେ ପଡ଼ିଥିବା ବିଛଣା ତଥା ଅନ୍ୟାନ୍ୟ ଆସବାବପତ୍ରର ସ୍ଥାନ ନିରୂପଣ ।

 

ଲଗାଲଗି ଦୁଇଟି କୋଠରି, ପନ୍ଦର ଫୁଟରେ ଦଶଫୁଟ ଦାୱାଟିଏ, ନିକଟରେ ପୁଣି ଗାଧୁଆଘର ପାଇଖାନା ମୁହାଁମୁହିଁ...ଟାଇପ୍ ଏଫ ଫ୍ଳାଟ । ପଛପଟ ଜାଫ୍ରିରେ ଅନ୍ୟ କ୍ୱାଟରର ରତିକ୍ରୀଡ଼ା କିମ୍ବା ଗୋଟାଏ ଅଭାବଗ୍ରସ୍ତ ପରିବାରର ଅସ୍ଵସ୍ତିକର ଦୃଶ୍ୟ; ପୁଣି ସଦର ଦରଜା ବନ୍ଦ କରିଦେଲା ପରେ ଗୋଟାଏ ନିଜରାଜ୍ୟ ଯେଉଁଠି ସୀମିତ କଥାବାର୍ତ୍ତା ନିଜ ପରିବାରର ଲୋକଙ୍କ ମଧ୍ୟରେ ।

 

ନଟବରର ହଠାତ ରାଗ ଆସିଗଲା ଏଇ ଟାଇପ୍ ଘରର ନକ୍ସାକାରୀ ଉପରେ । ଶଳା, ଯେମିତି ଚିଡ଼ିଆଖାନାର ପଶୁମାନଙ୍କ ପାଇଁ ସ୍ଵତନ୍ତ୍ରଭାବେ ନିର୍ମିତ ଜନ୍ତା ଏବଂ ଭବିଷ୍ୟତ୍‍ରେ ଏହାକୁ ଆହୁରି ସଂକୁଚିତ କରାଯାଇ ଏଥିରେ ବାସ କରିବାପାଇଁ ଅପେକ୍ଷା କରିଥିବା ମଣିଷ ନାମଧାରୀ ଜୀବଗୁଡ଼ିକଙ୍କର ଉଭୟ ଶରୀର ଓ ଚିନ୍ତାଶକ୍ତିକୁ ଚାପିଦେବାର ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ।

 

ନଟବରର ଏ ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହେଉଥିଲା ଶୋଇବା କୋଠରିକୁ ଦେଖି । ଲମ୍ବା ହେଇ କୋଠରିଟିରେ ଉଭୟପଟ କୋଣକୁ ଦୁଇଟି ଛୋଟ ଝରକା । ସେ ଝରକାଦେଇ ବାହାରର ଖୋଲା ପବନ ଆଉ ଉଜ୍ଜ୍ୱଳ ଆଲୋକ କୋଠରି ମଧ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବ, ଏ କଥା ନଟବରର ଚିନ୍ତାଶକ୍ତିର ବାହାରେ ।

 

ନଟବରର କ୍ରୋଧ ନକ୍ସାକାରୀଠାରୁ ଯାଇ ନିରୂପମା ଉପରେ କେନ୍ଦ୍ରୀଭୂତ ହେଉଥିଲା କ୍ରମେ । ଗୋଟାଏ ଘର ଦରକାର । ସ୍ଵତନ୍ତ୍ର ଘର, ନଟବର ପ୍ରଧାନଙ୍କର ଯେଉଁଠି ଅନୁଗତ ଲୋକମାନଙ୍କ ପାଟିରେ ନିରୂପମା ମା’ଟିଏ ।

 

ନିରୂପମା ଜିଦ୍ କଲା ନିଜର ଘରଟିଏ ପାଇଁ ।

 

ନଟବର ବସିବା ସ୍ଥାନରୁ ଉଠିପଡ଼ିଲା ଏବଂ ନାଟକର ଚିନ୍ତାଗ୍ରସ୍ତ ନାୟକ ପରି କୋଠରି ଭିତରେ ପାୟଚାରୀ ଆରମ୍ଭ କରିଦେଲା । ବାହାରେ ମଧ୍ୟାହ୍ନର ଉଜ୍ଜ୍ୱଳ ଖରା । ବାହାରର ଉତ୍ତାପ ନଟବର ଦେହକୁ ଉତ୍ତପ୍ତ କଲା ଏବଂ ସେ ତା’ର ଦୁଇ ହାତରେ ଝରକାର ଲୁହା ରେଲିଂ ଦୁଇଟିକୁ ଜାବୁଡ଼ି ଧରି ସେଇ ଫାଙ୍କରେ ନିଜ ମୁହଁକୁ ଚାପି ଧରିଲା । ସେତେବେଳେ ଗଛଛାଇରେ ରୋମନ୍ଥନ କରୁଥିବା ଷଣ୍ଢ କିମ୍ବା ଅନ୍ୟାନ୍ୟ ସ୍ଥାୟୀ ଦୃଶ୍ୟମାନ ତା’ ଆଖିରେ ଅନ୍ଧକାରରେ ପରିଣତ ହେଲେ ।

 

ନିରୂପମା ଚିଠି ଦେଲା : ଘରେ ମୁଁ ଆଉ ରହି ପାରିବିନି । ଏଠି ନିଜକଥା ନେଇ ସମସ୍ତେ ବ୍ୟସ୍ତ । କେହି କାହାରିକୁ ଦେଖି ପାରୁନାହାନ୍ତି, କାହା ଦାୟିତ୍ଵ କାହାର ନୁହେଁ । ଏ ପରିସ୍ଥିତିରେ କାହାକଥା ବା କିଏ ବୁଝିବ !

 

ତମକୁ ମୋ ରାଣ, ଘରଖଣ୍ଡେ ଠିକ୍ କର । ତମ ବିନା ଆଉ ମୁହୂର୍ତ୍ତଟେ କାଟିବା ମୋ ପକ୍ଷରେ ସମ୍ଭବ ନୁହେଁ । ତମେ ସବୁବେଳେ ମନେପଡ଼ୁଛ । ମୋ କଥା ବୁଝିଲ...ଖଣ୍ଡେ ଘର...

 

ରହିଲି,

ତମର

ମୁଁ

 

ଚିଠିଖଣ୍ଡକ ନଟବର ପାଇଁ ଏକ ଦ୍ଵନ୍ଦ୍ୱର ବିଷୟ ଥିଲା । ଏହା ନିରୂପମାର ଗୋଟିଏ ଆଳ ହୋଇପାରେ କିମ୍ବା ବାସ୍ତବରେ ଘରେ କିଛି ପରିବର୍ତ୍ତନ ଘଟିଛି ।

 

ନଟବର ଘରେ ପାଦ ଦେଲାକ୍ଷଣି ତା’ ମନରେ ନିରୂପମା ଚିଠିକୁ କେନ୍ଦ୍ରକରି ସମସ୍ତ ଦ୍ଵନ୍ଦ୍ୱ କ୍ରମେ ଅପସରି ଯାଉଛି । ନଟବର ଦେଖୁଛି ଏବଂ ଅନୁଭବ କରୁଛି ମଧ୍ୟ : ଘର–ଘର ନାମକ ଏକ ଆଶ୍ରୟସ୍ଥଳରେ ପରିଣତ ହୋଇଛି । ସେଠିକାର ଲୋକମାନେ କେମିତି ଖାପଛଡ଼ା ଗୋଟିକିଆ । ତା’ର ଉପସ୍ଥିତରେ ଅନ୍ୟମାନଙ୍କ ଭିତରେ କିଛି ପ୍ରତିକ୍ରିୟା ନାହିଁ । ସମସ୍ତଙ୍କ ଭାବ ଯେମିତି କେହି ଜଣେ ଆସିଛି ଏବଂ ଏମିତି ଏଠାକୁ ଆସି ସାମୟିକ ଆଶ୍ରୟ ନେବା ଏକ ବିଧି । ବିଧିଟା ଚିରାଚରିତ ଓ ଏହି ଚିରାଚରିତରେ ମିଶିକରି ଥିବା ପ୍ରବଣତା କୁଆଡ଼େ ଉଡ଼ିଯାଇଛି କର୍ପୂର ପରି । ତେଣୁ ନଟବର ପ୍ରତି କିଛି ଗୁରୁତ୍ଵ ନାହିଁ, ସେ ଅନ୍ୟମାନଙ୍କ ପରି ଜଣେ ସାଧାରଣ ସଦସ୍ୟ କିମ୍ବା ଅନ୍ୟ ଲୋକ ଯାହାର ଉପସ୍ଥିତ ଅନୁପସ୍ଥିତ ଭିତରେ ନିର୍ଦ୍ଦିଷ୍ଟ ସୀମାରେଖା ନାହିଁ ।

 

ସେଇ ଅସ୍ଵସ୍ତିକର ପରିବେଶରେ କେବଳ ସକ୍ରିୟ ମନେ ହେଉଥିଲା ଜଗତବଲ୍ଲଭ–ନଟବରର ବାପା । ତାଙ୍କ ପାଟିରେ କେତୋଟି ସଂକ୍ଷିପ୍ତ ସଂଳାପ ନଟବର ଉଦ୍ଦେଶ୍ୟରେ: ପିଲାପିଲିଙ୍କୁ ଏଥର ନେଇଯାଉଛୁ ? ହଁ ନେଇଯା । କେଉଁ ବର୍ଷେ ଛ’ମାସରେ ଏଠି ଥରେ ଗୋଡ଼ ପଡ଼ିବନି, ସେମାନେ ବା କାହିଁକି ଏକୁଟିଆ ରହିବେ ।

 

ଜଗତବଲ୍ଲଭଙ୍କର ପ୍ରଶ୍ନ ଏବଂ ପରେ ପରେ ଠିକ୍ ଉତ୍ତର ନଟବରକୁ ଏକ ଅପ୍ରୀତିକର ଘଟନାରୁ ବଞ୍ଚେଇ ଦେଲା ସେତେବେଳେ । କାରଣ ପିଲାମାନଙ୍କୁ ସଙ୍ଗରେ ନେଇଯିବା ଆପାତତଃ ନଟବରର ଏକ ସିଦ୍ଧାନ୍ତ ଏବଂ ତା’ର ସଂକ୍ଷିପ୍ତ ଉତ୍ତର ‘ହଁ’ ନିହାତ ସହଜ । ତଥାପି ନଟବର ଅନୁଭବ କରେ ସମସ୍ତ ବିଶୃଙ୍ଖଳା ମଧ୍ୟରେ ଜଗତବଲ୍ଲଭ ଆଉ ତା’ମଧ୍ୟରେ ସମ୍ପର୍କର ଭାରସାମ୍ୟ ଗୋଟିଏ ଟାଣ ସରୁ ସୂତାରେ ଲଟକୁଛି । ଏଇ ‘ହଁ’ ଧ୍ଵନିଟାର ମାଡ଼କୁ ସେ ସୂତାଖଣ୍ଡକ ହୁଏତ ସମ୍ଭାଳି ପାରିବନି ଏବଂ ପରମୁହୂର୍ତ୍ତରେ ନଟବର ସାମ୍ନାରେ ଗୋଟିଏ ଅସହାୟ ଦୃଶ୍ୟ ସୃଷ୍ଟିହେବ, ତାହା ନଟବର ଓ ଜଗତବହ୍ଲଭଙ୍କର ଦୁଇଟି ଶରୀର ଅଳ୍ପ ବ୍ୟବଧାନରେ ଛିଟିକିପଡ଼ି ଛଟପଟ ହେଉଛନ୍ତି ।

 

ନଟବର ନୀରବ ।

 

କବାଟ ଫାଙ୍କରେ ନିରୂପମାର ମୁହଁ ଓ ତା’ ସାଙ୍ଗକୁ ତା’ ମୁହଁର ମୁଦ୍ରା ‘ହଁ’ କହିଦିଅ । ନିରୂପମା ଓ ନଟବରର ଆଖିକୁ ଯୋଗ କରୁଥିବା ଏକ ସରଳରେଖାରେ କିଛି ବାର୍ତ୍ତାବିନିମୟ ନିରୂପମା ତରଫରୁ । ଜଗତବଲ୍ଲଭ ଅନ୍ୟ କାମରେ ଚାଲିଗଲେ; ନଟବର ଅନେକ ଦିନ ତଳେ ସେଇ ଘରର ଗୋଟିଏ ଅନ୍ଧକାର କୋଠରି ମଧ୍ୟରେ ହଜେଇ ଦେଇଥିବା ସ୍ମୃତିକୁ ଦରାଣ୍ଡୁଥିଲା, ଯାହାର ସ୍ପଷ୍ଟ ପ୍ରମାଣ ମିଳୁଥିଲା ତା’ର ଅସହାୟ ଆଖି ହଳକରୁ ।

 

ନଟବର ଘରର ଗୋଟିଏ ନିର୍ଦ୍ଦିଷ୍ଟ କୋଣ । ସେଥିରେ ଛାବଲା ଛାବଲା ଚିତ୍ରଟିଏ ଆଙ୍କି ହେଉଛି । ଆକସ୍ମିତ ରୋଗରେ ରୋଗାକ୍ରାନ୍ତ ନାରୀଟିଏ, ତାକୁ ବେଢ଼ିକରି ଥିବା କେତୋଟି ନିଶ୍ଚଳ ମୂର୍ତ୍ତି । ସେ ଗୋଟିଏ ସକାଳର ଅବ୍ୟବହିତ ମୁହୂର୍ତ୍ତ । ଗୋଟାଏ ବିସ୍ଫୋରଣ, ମିଳିତ କଣ୍ଠସ୍ୱର–କାରୁଣ୍ୟର...ମେଘ ଭାରାକ୍ରାନ୍ତ ଆକାଶ ପରି ପରଦିନ ସକାଳେ ଘରର ଅବସ୍ଥା । ପ୍ରତ୍ୟେକ ବ୍ୟକ୍ତି ଉଦାସ ଏବଂ ସେମାନଙ୍କ ଗତିରେ ବାଧ୍ୟବାଧକତା । ବାରଣ୍ଡାର ମଝିଖୁଣ୍ଟକୁ ଆଉଜି ଡେଙ୍ଗା ଡେଙ୍ଗା ନଡ଼ିଆ ଗଛର ବାଉଙ୍ଗା ଉପରେ ବାପାଙ୍କର ଶୂନ୍ୟ ଦୃଷ୍ଟି, ପୁଣି ପରିବାରର ଅନ୍ୟ ବୟସ୍କ ବ୍ୟକ୍ତିମାନଙ୍କର ନଟବର ପ୍ରତି ଅତ୍ୟଧିକ ମମତା (ଯେହେତୁ ସେ ଚାରିବର୍ଷର ଶିଶୁ) ଆଜି କେମିତି ଏକ ବିସ୍ମୟ ।

 

ସେହିଦିନଠାରୁ ନଟବରର ଦେହ ଆବରଣହୀନ ହୋଇଗଲା । ଶୀତରାତି ଅଧିକ ଥଣ୍ଡା ଓ ଖରାଦିନ ଗରମ । ଦୁଇଟି ବଦାନ୍ୟ ସ୍ତନ ପରିବର୍ତ୍ତେ ସେ ପାଇଲା ଦୁଇଟି ମାଂସଳ ସ୍ତନ (ଅବଶ୍ୟ ଅଠରବର୍ଷ ପରେ), କିନ୍ତୁ ଦୁଇଟିର ବ୍ୟବଧାନ ଦାନ ଓ ଗ୍ରହଣର ।

 

ଦିନେ ନଟବରର ଧାରଣାରେ ଜୋର୍ କରି ପୂରେଇ ଦିଆଗଲା : ନଟବର, ଏଇ ଯୁବତୀ ନାରୀଟି ନୂତନ ମା’ ଆଜିଠାରୁ । ତୁମ ହୃଦୟର ସମସ୍ତ ଶୂନ୍ୟତା ଏବେ ପୂର୍ଣ୍ଣ କରିନିଅ, ତୁମ ପଛରେ ଗୋଟିଏ ଶକ୍ତି କାମ କରୁଛି ବୋଲି ଅନୁଭବ କର ।

 

ଆଜି ହେଇଥିଲେ ନଟବର ହେଇଥାନ୍ତା–ଶକ୍ତିଟାକୁ କ’ଣ କଥାରେ ପ୍ରଚାର କରାଯାଇପାରେ, ତା’ ପଛରେ ଥିବା ଉପଲବ୍‌ଧି ଅସ୍ଵୀକୃତ । ତଥାପି ମନର କ୍ଷତଟାରେ ଏକ ନୂତନ ଶକ୍ତିରେ ରୂପାନ୍ତରିତ ଜଗତବଲ୍ଲଭ କିଛିଟା ସୂକ୍ଷ୍ମ ପ୍ରଲେପ ଦେଲେ । ବାପାଙ୍କର ବ୍ୟକ୍ତିତ୍ଵ ପ୍ରତି ନଟବର ଦୁର୍ବଳତା ଏକାନ୍ତ ସ୍ଵାଭାବିକ ।

 

ନଟବର ନିରୁପାୟ । ସେ ଏକପ୍ରକାର ଅସମର୍ଥ ଏଇ ଝରିପଡ଼ୁଥିବା ପୁରୁଣା ବୁନିଆଦିର କାନ୍ଥକୁ ମଜଭୁତ୍ କରିବାପାଇଁ ।

 

ଅବଶେଷରେ ନଟବର ଘର ଛାଡ଼ିଲା । ଦୃଶ୍ୟଟି ବଡ଼ ମର୍ମନ୍ତୁଦ । ସେ ଦିନ ସୌଜନ୍ୟତାର ଶେଷ ପର୍ବ ପାଳନପାଇଁ ପରିବାରର ସମସ୍ତ ଲୋକ ରେବନଦୀକୂଳରେ ଉପସ୍ଥିତ ହେଲେ । ସମସ୍ତଙ୍କ ମୁହଁରେ କିଛି କିଛି ମଙ୍ଗଳକାମନା, ଭଲରେ ଘରସଂସାର କର । ନଟବର ନିରୂପମା ଜଣ ଜଣ କରି ସମସ୍ତଙ୍କ ବିଦାୟ ମାଗିଲେ, କିନ୍ତୁ ଜଣେ ଲୋକ ସେଠି ଉପସ୍ଥିତ ନଥିଲେ, ସେ ଜଗତବଲ୍ଲଭ । ହଠାତ ବିଦାୟ ପର୍ବଟା ନଟବରକୁ କେମିତି ଅପୂର୍ଣ୍ଣ ମନେ ହୋଇଥିଲା । ସେ ଏଣେତେଣେ ଦୃଷ୍ଟି ଫେରଉ ଫେରଉ ଦେଖିଲା ଦାଣ୍ଡ ଦରଜାର ପଥର ପାହାଚ ଉପରେ ଠିଆ ହୋଇ ଜଗତବଲ୍ଲଭ ଚାହିଁଛନ୍ତି ତା’ରି ଆଡ଼େ । ତାଙ୍କର ଦୁଇଟି କୋଟରଗତ ଚକ୍ଷୁ ଏବଂ ଶ୍ମଶ୍ରୁପୂର୍ଣ୍ଣ ମୁହଁ ଯେମିତି ଅନେକ ସବୁ ପରିବର୍ତ୍ତନ ଦେଖି ଦେଖି ସ୍ଥିର ହେଇଯାଇଛି । ନଟବରର ପେଟ ଭିତରେ ଏକ ଅସ୍ଵସ୍ତିକର ଆଲୋଡ଼ନ ସୃଷ୍ଟି ହେଇ କ୍ରମେ ତାହା ଛାତି ନିକଟରେ ପହଞ୍ଚି ଯନ୍ତ୍ରଣାରେ ପରିଣତ ହେଲା । ନଟବର ମୁହଁ ତଳକୁ କରି ତାଙ୍କରି ଉଦ୍ଦେଶ୍ୟରେ ଅଗ୍ରସର ହେଲା । ସେତେବେଳେ ଜଗତବଲ୍ଲଭ ଅସ୍ଥିର ହେଲେ ଏବଂ ହାତ ହଲେଇ ସୂଚନା ଦେଲେ–ପଛକୁ ଫେରନ୍ତି ନାହିଁ ।

 

ପଛକୁ ଫେରନ୍ତି ନାହିଁ–ଗୋଟାଏ ଧାରଣା ପୁରୁଣା ଲୋକଙ୍କ ରକ୍ତରେ ମିଶିଯାଇଛି ଯେମିତି । କିମ୍ବା ଏଇ ପଦକରେ ଜଗତବଲ୍ଲଭ ଅଭିମାନ କଲେ । କ’ଣ ଦରକାର ଆଉ ପଛକୁ ଫେରିବା । ତମେ ତ ସବୁ ଡୋର ଛିଣ୍ଡେଇ ଦଉଚ, ନିଜ ନିଜର ଚାରିଜଣିଆ ପରିବାର ଗଢ଼ୁଚ । ହେଲେ ବାପ, ଦାନ୍ତ ଦି’ଧାଡ଼ି ଉଜ୍ଜ୍ୱଳ ହେଇ ପଦାକୁ ବାହାରୁ । ମୁଁ କିନ୍ତୁ ଏଇଠି ସ୍ଵର୍ଗ କିଣିଛି କିମ୍ବା ନରକ । ଜୀବନ ଥିବାଯାକେ ଏଇ ଫଟା କାନ୍ଥରେ ମାଟି-ଗୋବର ଲେସିବାକୁ ମୋ ବାପ ମୋତେ କହିଯାଇଛି ।

 

ତା’ପରେ ଜଗତବଲ୍ଲଭ ମୁହଁ ପଛକୁ ଫେରେଇ ନେଲେ ।

 

ଡଙ୍ଗା ଘାଟ ଛାଡ଼ିଲା । ନିରୂପମା ଆଗକୁ ଚାହିଁଲା । ନଟବର ଏକୁଟିଆ ମନେ କଲା ନିଜକୁ ଏବଂ ତା’ ଅନୁଭବରେ ସେ ଜାଣିଲା ଗୋଟାଏ ଅଦୃଶ୍ୟ ଶକ୍ତି ହଠାତ ଛିଡ଼ି ଟୁକୁରା ଟୁକୁରା ହେଇ ରେବନଈକୂଳର ଧୀର ପବନରେ ମିଶିଗଲା କୁଆଡ଼େ ।

 

ନିଜ ଘର ସମ୍ପର୍କରେ ଏସବୁ ବିକ୍ଷିପ୍ତି ଚିତ୍ର ନଟବର ଆଖି ଆଗରେ ଭାସିଗଲା ପରେ ବାକି ଯେଉଁ ଚିତ୍ରଟା ଅତି ସ୍ପଷ୍ଟ ହେଇ ଦେଖା ଦେଲା ତାହା ନିରୂପମାର ମୁହଁ ଓ ଶରୀର । ତା’ କାନ ପାଖରେ ସେହି ନାମଟି କେବଳ ପ୍ରତିଧ୍ୱନିତ ହେବାକୁ ଲାଗିଲା ।

 

ଝରକା ରେଲିଂ ଫାଙ୍କରେ ଚାପି ହେଇଥିବା ନଟବରର ମୁହଁ ଓ ତାକୁ ଜାବୁଡ଼ି ଧରିଥିବା ଦୁଇଟି ହାତ ହୁଗୁଳା ହେଲା । ନଟବର କୋଠରି ଭିତରକୁ ମୁହଁ ବୁଲାଇ ଝରକା ଦେହରେ ପିଠି ଭରା ଦେଇ ଗୋଟାଏ ହାଇମାରିଲା ।

 

କେତେବେଳୁ ନିରୂପମା ଠିଆ ହେଇଛି ତା’ ସାମ୍ନାରେ । ହଁ, ନିରୂପମା । ନିରୂପମା ତା’ ଜୀବନରେ ଏକ ମୋଡ଼ ରାସ୍ତା ଏବଂ ନୂଆ କରି ଘର ଗଢ଼ିବାର ଯେଉଁ ଯୋଜନା, ତା’ର ସୂତ୍ରଧର ସେ ।

 

ନଟବରର ମନେ ହେଲା ଯେମିତି ଏଇ ଚିନ୍ତା କ୍ରମେ ସମସ୍ତ ଦୁନିଆଠାରୁ ତାକୁ ବିଚ୍ଛିନ୍ନ କରି ଦେଉଛି । ଗୋଟାଏ ଅନିଶ୍ଚିତ ଛାଇରେ ସେ ଜଣେ କ୍ଳାନ୍ତ ପଥିକ ଏବଂ ତା’ ଦୃଷ୍ଟିର ପରିସର ମଧ୍ୟକୁ ଆସୁଥିବା ପୂର୍ବପରିଚିତ ସଂସାର ଓ ନିଜ ଲୋକମାନେ ଗୋଟିଏ ଗୋଟିଏ ସ୍କେଚ । କୌଣସି ସକାଳରେ ଦିନେ ହୁଏତ ନଟବର ଆବିଷ୍କାର କରିବ ଆକାଶ ଖୁବ୍ ପରିଷ୍କାର ଆଉ ସେ ସବୁ ସ୍କେଚର ସତ୍ତାଇ ନାହିଁ ।

 

ହଁ, ବିଚିତ୍ର କ’ଣ । ଗାଁ ଛାଡ଼ିବା ବେଶି ଦିନର ନୁହେଁ, ଅଥଚ ଏଇ ପାଞ୍ଚ ସାତବର୍ଷର ବ୍ୟବଧାନରେ ଅନେକ ପରିବର୍ତ୍ତନ । ଗାଁ ଲୋକଙ୍କ ମୁହଁରେ ନୂଆ ସ୍ୱର ଏବଂ ମୁହଁଗୁଡ଼ାକ ଅନେକ ଅଚିହ୍ନା ।

 

କିନ୍ତୁ ଗୋଟିଏ ଘର ବାନ୍ଧିବା କ’ଣ ସମ୍ପର୍କହୀନତାର ଏକମାତ୍ର କାରଣ, ଏକଥା କେତେବେଳେ ପୁଣି ନଟବର ପାଖରେ ପ୍ରଶ୍ନରେ ପରିଣତ ହେଉଛି । ପ୍ରତ୍ୟେକଙ୍କ ଜୀବନରେ ଜଣେ ଲେଖା ନିରୂପମା ଆସିବେ ଏବଂ ସେମାନଙ୍କୁ କେନ୍ଦ୍ର କରି ଗୋଟିଏ ଲେଖା ଛୋଟ ସଂସାର ମୁଣ୍ଡ ଟେକିବେ–ଏଟାତ ବିଧିସମ୍ମତ । ତଥାପି ସମ୍ପର୍କଟା କାହିଁକି ସଂକୁଚିତ ହେଇପଡ଼ିବ ।

 

ସଂକୁଚିତ ହେବାକୁ ବାଧ୍ୟ–ନଟବର କାନରେ ପୁଣି ଉତ୍ତର ମିଳିଯାଉଛି । ଗୋଟାଏ ବ୍ୟାପକ ଦୁନିଆରୁ ସମ୍ପର୍କଟା ଛିଡ଼ି ଛିଡ଼ି ଶେଷରେ ଜଣେ ନାରୀ ଓ ତା’ ସହିତ ତୋର ସଂଯୋଗରେ ଆତ୍ମପ୍ରକାଶ କରିଥିବା କେତୋଟି ଜୀବଙ୍କୁ ନେଇ ତୁମର ଗୋଟିଏ ଘର ମୁଣ୍ଡ ଟେକିବା ମଧ୍ୟ ବିଧିସମ୍ମତ ।

 

ନଟବର ଖଣ୍ଡେ ସିଗ୍ରେଟରେ ନିଆଁ ଧରେଇଲା ।

 

ବେଳ ଗଡ଼ିଗଲାଣି । ନଟବରର ନୂଆ ବସା ରୂପ ନେଉଛି । ରୋଷେଇ ସାରି ନିରୂପମା ଅପେକ୍ଷା କରିଥିଲେବି ତା’ ଭାବନାରେ ବାଧା ଆସୁନି । କାରଣ ନଟବର ବିରକ୍ତ ହେଇଯାଏ ସେଥିରେ । ନଟବର ମୁହଁ ବୁଲେଇଲା ଏବଂ ପରେ ଖାଇବ ବୋଲି ନିରୂପମାକୁ ଜଣେଇ ଦେଇ ଅନ୍ୟ କାମରେ ମନ ଦେଲା ।

 

କେହି ଶଳା ଟିକେ ସାହାଯ୍ୟ କରିବାକୁ ନାହିଁ । କାନ୍ଥରେ କଣ୍ଟା ପିଟି ପ୍ଳାଷ୍ଟିକ୍ ତାରର ଗୋଟେ ମୁଣ୍ଡ ବାନ୍ଧି ଅନ୍ୟ ମୁଣ୍ଡଟା କେଉଁଠି ବାନ୍ଧିଲେ ସୋ’ ଠିକ୍ ରହିବ ଏବଂ କିଛି ଅସୁବିଧା ହେବନି ଏଇକଥା ଚିନ୍ତା କରୁଥିଲାବେଳେ ଝରକାଦେଇ ସାମ୍ନାର ପଡ଼ୋଶୀ କ୍ୱାଟରକୁ ଥରେ ଚାହିଁଦେଲା ନଟବର । ସେ ହଠାତ ସଂକୁଚିତ ହୋଇପଡ଼ିଲା ଯେତେବେଳେ ଜାଣିଲା ଅନେକ ବେଳୁ ସେଠାରେ ଏକତ୍ର ହୋଇଥିବା ଦଳେ ଅଧାନଙ୍ଗୁଳୀ ମାଈକିନିଆଙ୍କର ଯୋଡ଼ା ଯୋଡ଼ା ଆଖି ତା’ଚଉଡ଼ା ଛାତିରେ ତୀରପରି ଭେଦି ଯାଉଛି । ନଟବର ନ ଜାଣିଲା ପରି ବାଁ ହାତରେ ପରଦା ଟାଣିଦେଲା ଏବଂ କିଛି ସମୟପାଇଁ ନିଜର କାର୍ଯ୍ୟ ସ୍ଥଗିତ ରଖି ପରଦା ଫାଙ୍କଦେଇ ସତର୍କରେ ସେମାନଙ୍କୁ ଲକ୍ଷ୍ୟ କଲା । ସେମାନେ ସମସ୍ତେ ପ୍ରାୟ ଅଧା ବୟସର । ତେଣୁ ସେମାନଙ୍କ ଅନାକର୍ଷଣୀୟ ସ୍ତନ ଓ ବହୁପୀଡ଼ିତ ଦେହରୁ କିଛି ଅଂଶ ଅନ୍ୟ ଆଗରେ ଖୋଲା ରଖିବାରେ ସଙ୍କୋଚ ନଥିଲା ସେମାନଙ୍କର । ସେମାନେ ହସୁଥିଲେ (କିମ୍ବା ଅତ୍ୟଧିକ ପାନ ଖାଆନ୍ତି ବୋଲି ଦାନ୍ତ ଦେଖାଉଥିଲେ) ଓ ନଟବର ନୂଆ କରି ଆସିଥିବାରୁ (ବୋଧହୁଏ) ତାକୁ କେନ୍ଦ୍ର କରି କିଛି ଆଲୋଚନା କରୁଥିଲେ ।

 

ସେମାନଙ୍କ ଆଲୋଚନାର ବିଷୟବସ୍ତୁହିଁ ନଟବର ପାଇଁ ଆଉ ଏକ ଅସନ୍ତୋଷ । କେତେଗୋଟି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ନେଇ ସେମାନଙ୍କର ଜୀବନ । ନଟବରକୁ ଅନୁପସ୍ଥିତ ଦେଖି ସେମାନେ ହୁଏତ ଆସିବେ ଏବଂ ନିରୂପମା ପ୍ରତି ସେମାନଙ୍କର ପ୍ରଥମ ପ୍ରଶ୍ନ ହେବ : ତମ ବାବୁ କେଉଁ ଅଫିସ୍‍ରେ କାମ କରନ୍ତି ? ପୁଣି କଥା ପ୍ରସଙ୍ଗରେ ତାଙ୍କ ଦରମା କେତେ ? ତା’ପରେ ଦରମାଟାକୁ କଣ୍ଟକରି ନିଜ ସ୍ଵାମୀମାନଙ୍କ ପାଖରୁ ବୁଝି ନେବେ ସରକାରୀ ଚାକିରିରେ ନଟବରର ଗଡ଼ି । ଏମିତି କିଛିଦିନ ଅନ୍ତେ ନଟବର ଦେଖିବ ତା’ର ପ୍ରଶସ୍ତ ଦିଗନ୍ତ କ୍ରମେ କ୍ଷୟ ହୋଇ ଏକ ବିନ୍ଦୁରେ ପରିଣତ ହେଇଛି ଏବଂ ଅନ୍ୟମାନଙ୍କ ପରି ସମସ୍ତ ପ୍ରକାର ସୂକ୍ଷ୍ମାନୁଭୂତିର ବାହାରେ ସେ ଜୁଳୁଜୁଳୁ କରି ଚାହୁଁଥିବା ଜୀବଟିଏ ।

 

ନଟବର ଅନ୍ତରର ପ୍ରତିବାଦ ରୂପ ନେଲା ଝରକା ପରଦାକୁ ଟାଣି ଦେବାରେ–ଯେମିତି ବାହାରର ସେ ସ୍ତ୍ରୀଲୋକ ପଞ୍ଝାକ ଚେଷ୍ଟା କଲେବି ଆଉ ତା’ ଆଖିକୁ ଦିଶିବେନି ।

 

ସେ ସ୍ତ୍ରୀଲୋକମାନଙ୍କର ତୀକ୍ଷ୍ଣଦୃଷ୍ଟିରେ ନଟବରର ଘର ବାନ୍ଧିବା ନିଶା ନରମି ଆସିଲା ଅପରାହ୍ନର ଖରା ପରି, କିଛି ସମୟପାଇଁ ବିଶ୍ରାମ–ଖାଇ ସାରିଲା ପରେ ।

 

ସନ୍ଧ୍ୟା ପୂର୍ବରୁ ଅବଶିଷ୍ଟ କାମ ସାରିଦେବାକୁ ନଟବର ପୁଣି ପ୍ରସ୍ତୁତ ହେଲା । ହାଙ୍ଗର ସାହାଯ୍ୟରେ ଅଲଗୁଣୀରେ ଲୁଗାପଟା ଝୁଲାଗଲା ସେଲଫରେ ବହିଥାକ, କାନ୍ଥରେ କେତୋଟି ଫଟ ଏବଂ କେଲେଣ୍ଡର, ଡ୍ରଇଂ ରୁମ୍‌ରେ ଟେବୁଲ ଚେୟାର ଦି’ଖଣ୍ଡ । ସବୁଗୁଡ଼ା ଠିକ୍‌ଠାକ୍ ପରେ ନଟବର ଅନ୍ୟମନସ୍କ ହେଲା ଜଣେ ନିର୍ଦ୍ଦେଶକ ପରି ଯେ ମଞ୍ଚ ପ୍ରସ୍ତୁତି ପରେ ଅନଭ୍ୟସ୍ତ କଳାକାରମାନଙ୍କ ଅଭିନୟକୁ ଅପେକ୍ଷା କରୁଥିଲା ଖୁବ୍ ନିଷ୍ଠାର ସହିତ ।

 

ନଟବରର ଘର ।

 

ନଟବରର ମୁହଁ କ୍ରମେ ଗମ୍ଭୀର ହେଲା ଓ ଦୁଇହାତକୁ ପଛକୁ ଛନ୍ଦି ସେ କୋଠରି ମଧ୍ୟରେ ପଦଚାରଣ କଲା । ତା’ର ଏ ପ୍ରକାର ନୂଆ ଢଙ୍ଗରେ ନିରୂପମା ଆଶ୍ଚର୍ଯ୍ୟ ହେଲା । ନଟବର ମନକୁମନ ଝରକାଗୁଡ଼ିକର କବାଟ ବନ୍ଦକଲା, ସଦର ଦରଜାର ମଧ୍ୟ । ତା’ପରେ ଶିଶୁଟିଏ ପରି ଚାରିଆଡ଼କୁ ଚାହିଁଲା ଏବଂ ପରେ ଖଟ ଉପରେ ବସିପଡ଼ିଲା । ନିରୂପମା ନଟବର ନିକଟକୁ ଗଲା । ନଟବର ନିରୂପମାର ହାତକୁ ଜାବୁଡ଼ି ଧରି ପଚାରିଲା–କେମିତି ଅନୁଭବ କରୁଛ ?

 

କେମିତି ଅନୁଭବ କରୁଛି ! ନିରୂପମା ନଟବର ମୁହଁକୁ ଦଣ୍ଡେ ତକେଇଲା, ଯାହାର ଅର୍ଥ ହେଲା : କ’ଣ କହୁଚ ତୁମେ !!!

 

ନଟବର ନିରୂପମାକୁ ଆଲିଙ୍ଗନ କରି ତା’ ଛାତିରେ ମୁହଁ ଗୁଞ୍ଜିଲା ମା’ କୋଳରେ ଡରକୁଳା ଶିଶୁଟିଏ ପରି ଏବଂ ପରେ ମୁହଁଟେକି ସ୍ୱଗତୋକ୍ତି କଲା : ବୁଝିଲ, କୁନି ଅପାଟା କେଉଁ କୋରାପୁଟ ଜଙ୍ଗଲରେ ରହିଗଲା ଯେ ଖଣ୍ଡେ ଚିଠିବି ଦେଖା ନାହିଁ । କୁନି ଅପା ମ, ଚିହ୍ନିନା ? ତମକୁ ସେ ହାରଟା ଯେ ପ୍ରେଜେଣ୍ଟେସନ୍‌ ଦେଇଥିଲା । ପିଲାବେଳେ ମୋତେ ପୁଅ ପରି ପାଳିଥିଲା-। ବୋଉ ମରିଗଲାନା, ସେ ନଥିଲେ କିଏ ମୋତେ ଦେଖାଶୁଣା କରିଥାନ୍ତା ! ପ୍ରତି ଛୁଟିରେ ଚିଠି ଦେବ, ଛୁଟି ହେଲାମାତ୍ରେ ପଳେଇ ଆସିବୁ । ମୋର ସତରେ ମନେ ହୁଏ ସେ ଯେମିତି ବୋଉର ଗୋଟେ ପ୍ରତିଛବି, କେଉଁ ଦୂର ଦୂରାନ୍ତରେ ରହି ତା’ର ଦୁଇବାହୁ ପ୍ରସାରିତ କରି ମୋତେ ଆହ୍ୱାନ କରୁଛି...କାଇଁ ଏବେ ପଦେ ଲେଖୁନି କେତେବେଳେ ।

 

ନଟବରର ଦୀର୍ଘଶ୍ୱାସ ତଥା କିଛି ନୀରବତା ।

 

ତା’ ତଳ ଭଉଣୀଟା ମୋ ପଛରେ ଛାଇପରି ଲାଗିଥିବ । କୁନି ଅପା ପାଖକୁ ଚାଲିଗଲେ ସେ ଅଭିମାନ କରେ । ମୋତେ ଦେଖିଲେ ସବୁବେଳେ କାନ୍ଦି ପକେଇବ, ସେ କୁଆଡ଼େ ଗରିବ, ତାକୁ ମୁଁ ପଚାରେନା ।

 

ନଟବରର କଣ୍ଠ ଗମ୍ଭୀର ଶୁଣାଗଲା ଓ ପରେ କିଛି ନୀରବତା ପୁଣି ।

 

ସଂସାର ବିଷୟରେ ଅନଭିଜ୍ଞା ନିରୂପମା ନଟବରର ଏ ଭାବାନ୍ତରରେ ଆଶ୍ଚର୍ଯ୍ୟ ହେଉଥିଲା ଯେତିକି, ଭୟ ପାଉଥିଲା ସେଇ ପରିମାଣରେ । ଏହାପରେ ହୁଏତ ନଟବର ଖୁବ୍ ଉତ୍ତେଜିତ ହୋଇଯିବ କିମ୍ବା ରୋଗୀଟିଏ ପରି ନିସ୍ତେଜ ହୋଇ ଶୋଇଯିବ ।

 

କିନ୍ତୁ ନଟବର ସେମିତି କିଛି କଲାନି, ଠିଆହେଲା ଓ ହାତ ପାପୁଲିରେ ମୁହଁକୁ ଥରେ ଭଲକରି ପୋଛି ନେଇ ସଦର ଦରଜା ଖୋଲି ଆସ୍ତେ ବାହାରିଗଲା ଘରୁ । ନିରୂପମା ପଛରେ ଠିଆ ହୋଇ ଚାହିଁଥିଲା । ନଟବର ତା’ ଦୃଷ୍ଟିର ଅନ୍ତରାଳରୁ ଚାଲିଗଲା ପରେ ସେ ଘରର ବାଲକନିରେ ଆସି ଠିଆ ହେଲା ଏବଂ ଦେଖିଲା ଅନ୍ୟମନସ୍କ ନଟବର ରାସ୍ତାରେ ଚାଲିଯାଉଛି ପଛକୁ ନ ଚାହିଁ ।

 

ସନ୍ଧ୍ୟାର ମଳିନ ଆଲୋକରେ ନଟବର ଏକ ଛାଇରେ ପରିଣତ ହେଲାପରେ ନିରୂପମା କୋଠରିର ସମସ୍ତ ଝରକା କବାଟ ଖୋଲିଦେଲା ।

 

ନଟବର ତା’ କ୍ଵାଟର ନିକଟସ୍ଥ ଖୋଲାପଡ଼ିଆରେ ଏକୁଟିଆ । ପଡ଼ିଆ ମଝିରେ ଚେକା ପାରି ବସିପଡ଼ିଲା ପରେ ପୁଣି ସେଇ ପୁରୁଣା କଥାଗୁଡ଼ାକ ତା’ ମନକୁ ଆସିଲା । ସେ ବାପାଙ୍କଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ତା’ ଭଉଣୀ ଏବଂ ନିଜ ଲୋକଙ୍କ କଥା ଚିନ୍ତା କଲା । ଚିନ୍ତାକଲା ପିଲାବେଳୁ ଯେଉଁ ଦୁନିଆ ସହିତ ଲସରପସର ହୋଇ ବଢ଼ି ଆସିଥିଲା ସେଇ ଦୁନିଆର ଲୋକମାନଙ୍କ ବିଷୟରେ, କିନ୍ତୁ ସେ ଚଞ୍ଚଳ ହେଲା, ଯେତେବେଳେ ଦେଖିଲା ଯେ ସେଇ ଲୋକମାନେ ମୁଠାଏ ରାଶି ପରି–ଯେଉଁମାନଙ୍କୁ ଜୋର୍ କରି ଧରି ରଖିବାକୁ ଚାହିଁଲେବି ହାତମୁଠାରୁ ଖସିଯାଇ ଏଣେତେଣେ ଖସି ପଡ଼ୁଛନ୍ତି । ତା’ ନିକଟରେ ସେମାନଙ୍କ ଅସ୍ତିତ୍ଵ କେମିତି ଅନିଶ୍ଚିତ ମନେହେଲା ତା’ର ।

 

ନଟବର ମନକୁମନ ପ୍ରଶ୍ନ କଲା, ଏମିତି ଏକୁଟିଆ ହେବାରେ କି ଆନନ୍ଦ ରହିଛି ? ଏଥିରେ କ’ଣ ମଣିଷକୁ କେବେ ଆରାମ ମିଳିପାରେ ! ତା’ ପାଖରେ ଦ୍ଵିତୀୟ ଲୋକ କେହି ନଥିଲେ, ତେଣୁ ପ୍ରଶ୍ନଗୁଡ଼ିକ କେବଳ ତା’ କାନରେ ନୂଆ ଲୋକର ସ୍ଵର ହେଇ ତାକୁ ସତର୍କ କରାଉଥିଲେ ।

 

ପଡ଼ିଆ ପାଖ ରାସ୍ତାରେ ଲୋକମାନେ ଦଳବାନ୍ଧି ଚାଲିଥିଲେ, କିନ୍ତୁ ସେମାନଙ୍କର କଥାବାର୍ତ୍ତା ଜଣେ ଦୁଇଜଣରେ ସୀମାବଦ୍ଧ । ସେମାନଙ୍କ ମଧ୍ୟରୁ କାହାରି କାନ୍ଧରେ ଖୋଲା ଟ୍ରାନ୍‍ଜିଷ୍ଟାର୍‌ଟିଏ ଝୁଲୁଥିଲା ହୁଏତ, ଯେଉଁଥିରୁ କେଉଁ ଶିଳ୍ପୀର ଭଙ୍ଗା କଣ୍ଠରୁ ଭାସି ଆସୁଥିଲା ପଦେ ଦେଶ ବନ୍ଦନା...ଗାଅ ସର୍ବେ ଜନନୀର ଜୟଗାନ ଅ...ଅ...

 

ନଟବର ହଠାତ ଉତ୍ତେଜିତ ହୋଇପଡ଼ିଲା–ଛଳନା, କାହିଁକି ଏତେ ସବୁ ସୋ’ ? ତା’ର ଇଚ୍ଛା ହେଲା ଦଉଡ଼ିଯାଇ ସେ ଟ୍ରାନ୍‌ଜିଷ୍ଟାର ବାଲାର ସରୁ ବେକଟାକୁ ଚିପି ଧରି ପଚାରିବ, ବୁଝୁଛୁ ବୁଝୁଛୁ କିଛି ଏ ପଦରୁ ? ନାଇଁତ, ଶଳା ଏ ରସିକପଣ କାହିଁକ ? ଗାଅ ସର୍ବେ..., ଶଳା ଏଇ ‘ସର୍ବେ’ର ଅର୍ଥ କିଛି ବୁଝୁଛି ?

 

ନା, ଏ ସର୍ବେର କିଛି ଅର୍ଥ ନାହିଁ । ନଟବର ଦେଖୁଛି ତା’ଆଖି ଆଗରେ ସେଇ ଦଳଦଳ ଲୋକମାନେ ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପୁଣି ଏକୁଟିଆ ହୋଇଯାଉଛନ୍ତି ଚତୁର୍ଦ୍ଦିଗରେ ।

 

ନଟବର ଉଠି ଠିଆ ହେଲା । ତା’ ସମସ୍ତ ଶରୀର ଦୁର୍ବଳ । ସେ ଆକାଶକୁ ଚାହିଁଲା ।

 

ପରିଷ୍କୃତ ଆକାଶ–ଗୋଟି ଗୋଟି ତାରା ବୁଣି ହୋଇ ପଡ଼ିଲା ପରି । ଯେମିତି ପ୍ରଶସ୍ତ ଏକ ରାଜ୍ୟ ପରିପୂର୍ଣ୍ଣତାର । ତାରାମାନେ ଚାହିଁଛନ୍ତି ମର୍ତ୍ତ୍ୟର ମଣିଷକୁ ।

 

ନଟବରର ଦୁଇଟି ହାତ ଆକାଶ ଆଡ଼କୁ ପ୍ରସାରିତ । ସେ ଉଚ୍ଚ ହେବାକୁ ଚେଷ୍ଟା କରୁଛି କ୍ରମେ ତା’ର ଗୋଡ଼ ବୁଢ଼ାଆଙ୍ଗୁଠି ଦୁଇଟିରେ ଠିଆହୋଇ । ଯଦି ତା’ର ଗୋଡ଼ ଦୁଇଟି ମାଟିରୁ ଛାଡ଼ି ଯାଆନ୍ତା ଆଉ ଶରୀରଟା ଆସ୍ତେ ଉପରକୁ ଉଠନ୍ତା !

 

ଖୋଲା ପଡ଼ିଆରେ ନଟବର ଏମିତି ଏକ ଦୃଶ୍ୟ ସୃଷ୍ଟି କରୁଥିଲାବେଳେ ନିରୂପମା ତା’ ଛୋଟ ସଂସାରର କାର୍ଯ୍ୟସୂଚି ପ୍ରସ୍ତୁତ କରୁଥିଲା ଘରେ ।

Image

 

ମଧ୍ୟମ ଶୂନ୍ୟତା

 

ସମସ୍ତ ଅନିଚ୍ଛା ସତ୍ତ୍ୱେ ଏ ଷ୍ଟଡ଼ିଟୁର୍‍ରେ‌ ଆସିବାକୁ ବାଧ୍ୟ ହେଲି ।

 

ଗ୍ରାମ୍ୟ ଅର୍ଥନୀତିରେ ବ୍ଲକ୍‌ଗୁଡ଼ିକର କାର୍ଯ୍ୟକାରୀତା ସମ୍ପର୍କରେ ମଝିରେ ମଝିରେ ଏମିତି ଗୋଟେ ଲେଖା ଟୁର୍‍ର ଯୋଜନା ହୁଏ । ଗୋଟାଏ ଛେଳି, ଦଶକିଲୋ ପୁରି, ପାଞ୍ଚକିଲୋ ବଡ଼ ରସଗୋଲା, କଫି, ଲଞ୍ଚ ପରେ ବ୍ଲକ୍ କର୍ମଚାରୀଙ୍କ ସହିତ କିଛି ଅନ୍ୟମନସ୍କ ଆଲୋଚନା; ତା’ପରେ ନିକଟରେ ଥିବା କୌଣସି ଦର୍ଶନୀୟ ସ୍ଥାନ ଯାହାକି ଆମ ଟୁର୍‍ରୁ ବିଶେଷ ଆକର୍ଷଣ ।

 

ଆଜିକାଲି ସମୂହ ବ୍ୟକ୍ତିତ୍ଵ ପାଖରେ ମୋ ଏକକ ବ୍ୟକ୍ତିତ୍ଵ କେମିତି ଖାପଛଡ଼ା । ସହରଠାରୁ ଦୂରକୁ ପଲାଇ ଯାଇ କୌଣସି ନିର୍ଜନ ସ୍ଥାନରେ ବସିବା ମୋର ସ୍ୱେଚ୍ଛାକୃତ ଅଭ୍ୟାସ । ତେଣୁ ଏ ଟୁର୍‍ରେ ଯିବାପାଇଁ ଅନ୍ୟମାନଙ୍କଠାରେ ଯେଉଁ ଅବଦମିତ ଆଗ୍ରହ ପ୍ରକାଶ ପାଇଥାଏ ତାହା ମୋର ପ୍ରାୟ ନଥିଲା ।

 

ସୁମିତା ଗ୍ରାମ୍ୟ ଅର୍ଥନୀତି ବିଭାଗରେ ମୋର ଜଣେ ସହକର୍ମୀ । ରଙ୍ଗ ସଫା । ଭାଇଟାଲ ଷ୍ଟାଟିଷ୍ଟିକ୍‍ସ ତା’ର ଆକର୍ଷଣୀୟ । ଶାଢ଼ି ପିନ୍ଧାର ରୁଚି ଗାଢ଼ ରଙ୍ଗ–ସବୁଜ, ଲାଲ କିମ୍ବା କଳା । ଅଳ୍ପ କସ୍‍ମେଟିକ୍ ସହିତ କପାଳରେ ଧଳା କିମ୍ବା ଗୋରଚନାର ଠୋପା ।

 

ସୁମିତାକୁ ଦେଖିଲେ ଶାରଦୀୟ ସନ୍ଧ୍ୟାର ଅନୁଭୂତି ମୋ ମନରେ ଆସେ; ବିଶେଷ କରି ସେ ମୃଣ୍ମୟ ଗୌରୀ ମୂର୍ତ୍ତି । ସେ ଏକ ଉପଲବ୍‍ଧି ମଣିଷର ଅବଚେତନରେ । ତେଣୁ ଗୋଟିଏ ରୁମ୍‍ରେ ବସୁଥିଲେ ମଧ୍ୟ ସୁମିତା ଅନ୍ୟମନସ୍କ ଥିଲାବେଳେ ମୁଁ ତାକୁ ଲକ୍ଷ୍ୟ କରେ । କେବେ ହଠାତ ଏକଥା ସେ ଜାଣି ପାରିଲେ ମୁଁ ମୋର ଦୁର୍ବଳତାକୁ ଢାଙ୍କିବାପାଇଁ ଅନ୍ୟ କିଛି କଥାର ଆଶ୍ରୟ ନିଏ । ଏ କ୍ଷେତ୍ରରେ ମୁଁ ଜଣେ ହିପୋକ୍ରାଟ୍ । ସେ ଦିନ ଗୋଟେ ରିସର୍ଚ୍ଚ ପେପର ନେଇ ମୁଁ ବ୍ୟସ୍ତ ଥିଲାବେଳେ ସୁମିତା ଆମର ପ୍ରସ୍ତାବିତ ଟୁର୍ ସମ୍ପର୍କରେ ଆଲୋଚନା କରିଥିଲା । ଏଥରର ସ୍ପଟ୍‌ଟା କୁଆଡ଼େ ଖୁବ୍ ରୋମାଣ୍ଟିକ୍ । ଗୋଟାଏ ପାହାଡ଼ର ପାଦଦେଶରେ ଝରଣା, ସେଠି ବାଘ, ହରିଣ ଇତ୍ୟାଦି ବନ୍ୟ ପଶୁମାନେ ରାତିରେ ପାଣି ପିଅନ୍ତି ଏବଂ ଜହ୍ନ ରାତିରେ ଦଳଦଳ ଠେକୁଆ ଡେଇଁ ଡେଇଁ ବିଚିତ୍ର ଦୃଶ୍ୟ ସୃଷ୍ଟି କରନ୍ତି ।

 

ବାଃ, କେତେ ସୁନ୍ଦର କହିଲେ; ବାଘ, ହରିଣ, ଠେକୁଆ–ଗୋଟିଏ ଝରଣାରେ ପାଣି ପିଅନ୍ତି । ସୁମିତା ରଙ୍ଗ ପେନସିଲରୁ ଗୋଟେ ଦାନ୍ତରେ କାମୁଡ଼ି ମୋ ପ୍ରେମିକା ପରି ମୋ ଆଡ଼େ ଚାହୁଁଥିଲା । କିନ୍ତୁ ଯେହେତୁ ସେ ମୋର ପ୍ରେମିକା ନୁହେଁ (ଅବଶ୍ୟ ମୋର ଅନ୍ୟ କେହି ପ୍ରେମିକା ନାହାନ୍ତି ଏବଂ ଆଜିକାଲି କାହାରି ସଖ୍ୟ ମୋପାଇଁ ବିରକ୍ତିକର) ସେ ଦୃଷ୍ଟିରୁ ତା’ କଥାରେ କ’ଣ ମତାମତ ଦେବି ଚିନ୍ତା କରୁ କରୁ ସେ ପୁଣି ପ୍ରଶ୍ନ କଲା–ଆଚ୍ଛା ଏଟା କ’ଣ ଚନ୍ଦ୍ରପକ୍ଷ ?

 

ଦେଖ, ମୋର ସେ ବିଷୟରେ ଆଦୌ ଧାରଣା ନାହିଁ । କେବଳ ଅଷ୍ଟମ ଶ୍ରେଣୀରେ ବିଜ୍ଞାନ ମାଷ୍ଟରଙ୍କଠାରୁ ଶୁଣିଥିଲି ପୃଥିବୀ ଘୂରୁଛି ଏବଂ ଚନ୍ଦ୍ର ତା’ର ଏକ ଉପଗ୍ରହ–ବାସ୍, ସେତିକି । ତା’ ବ୍ୟତୀତ ଅଧିକ କିଛି ଜାଣିବାର ଆଗ୍ରହବି ମୋର କେବେ ହେଇନି ।

 

ଯଦିଓ ମୋର ଉତ୍ତର ନିହାତ କର୍କଶ ବୋଲି ମୁଁ ନିଜେ ଅନୁଭବ କରୁଥିଲି, ତଥାପି ସୁମିତାର ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ମୋର ଅନ୍ୟ ଉପାୟ ନଥିଲା । ତା’ପରେ ସୁମିତା ନୀରବ ଏବଂ ମୁଁ ମୋ ପେପରରେ ମନ ଦେଇଥିଲି ।

 

ପୁନଶ୍ଚ ସୁମିତାର ପ୍ରଶ୍ନ–

 

ଆପଣ ଯାଉଛନ୍ତି ?

 

ନା ।

 

ଆପଣମାନଙ୍କୁ ସେମିତି ସବୁ ସ୍ଥାନ ଭଲ ଲାଗେନା ?

 

ଲାଗେ ।

 

ତାହାହେଲେ... ।

 

ଏକୁଟିଆ ଯିବାକୁ ପସନ୍ଦ କରେ ।

 

ଚାଲନ୍ତୁନା, ସୁମିତା କଣ୍ଠରେ ଅନୁରୋଧ ।

 

କାହିଁକି ?

 

ଏମିତି...ମାନେ ମଜା... ।

 

ଅନ୍ୟମାନେବି ଯିବେ ।

 

ଆପଣ ଗଲେ କିନ୍ତୁ ଆସରଟା ଜମିବ ।

 

ମୁଁ ଜୋକର ନୁହେଁ ।

 

ସୁମିତା ପାଟିକରି ହସିଲା । ସେ ଆଉ କିଛି କହିବା ପୂର୍ବରୁ ମୁଁ କହିଥିଲି–ପରେ ଏସବୁ ଆଲୋଚନା, ବର୍ତ୍ତମାନ ପାଇଁ ଅନ୍ତତଃ ମୋତେ ବିରକ୍ତ କରନା । ସୁମିତା ବୋଧହୁଏ ଆଘାତ ପାଇଲା ।

 

ପରେ କିନ୍ତୁ ସୁମିତା ଏମିତି ଗୋଟେ ପରିବେଶ ସୃଷ୍ଟିକଲା ଯେଉଁଠି ଏ ଟୁର୍‌ରେ ଯିବାପାଇଁ ମୁଁ ମୋର ସ୍ଵୀକୃତି ଦେବାକୁ ବାଧ୍ୟ ହେଲି । ରିସର୍ଚ୍ଚ ପେପର ନେଇ ଉଚ୍ଚ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ଚାଲିଥିଲାବେଳେ ସୁମିତା ଏ ପ୍ରସଙ୍ଗ ଉଠେଇଲା, ଫଳରେ ସେଠି ଫାଙ୍କିଦେବାର ଅନ୍ୟ ଉପାୟ ନ ଦେଖି ମୁଁ ଯିବାପାଇଁ ହଁ କଲି ।

 

ସକାଳ ଆଠଟାରେ ଆମର ଯାତ୍ରା ଆରମ୍ଭ ହେବାର ଥିଲା ।

 

ମୁଁ ମୋର ପ୍ରାତଃକର୍ମ ସାରି କପେ ଚା’ର ଆବଶ୍ୟକତା ଅନୁଭବ କଲି । ଯେଉଁ ଫ୍ଲାଟ୍‌ରେ ମୁଁ ରହେ ସେହି ଫ୍ଲାଟ୍‌ର ଶେଷ ଅଂଶରେ ଚାଳଘରର ଚା’ ଦୋକାନଟିଏ । ସେଇଠୁ କପେ ଚା’ ଖାଇ ନେଇ ରିସର୍ଚ୍ଚ ଇନ୍‌ଷ୍ଟିଚିଉଟ୍‌ରେ ପହଞ୍ଚିବାକୁ ସ୍ଥିର କଲି ।

 

ଚା’ ଦୋକାନ ସାମ୍ନା ରାସ୍ତାରେ ତଥାପି ଲୋକ ଗହଳି ହେଇନି । ଗୋଟେ ଯୋଡ଼େ ମାଈ, ଅଣ୍ଡିରା କୁକୁର, ଦୈନିକ ସମ୍ବାଦପତ୍ର ବାଣ୍ଟୁଥିବା ହକର ଓ ରାସ୍ତା କଡ଼ରେ ଢୋଳଉଥିବା ରିକ୍‌ସାବାଲା ଇତ୍ୟାଦି ସେ ରାସ୍ତାରେ କେତୋଟି ଜୀବନ୍ତ ପ୍ରାଣୀ ମୋ ଆଖିରେ । ଦୋକାନୀର ଚୁଲାରୁ କିଛି ଧୂଆଁ ବାହାରି ସେ ଅଞ୍ଚଳକୁ କୁହୁଡ଼ିଆ କରି ସାରିଲା ପରେ ସେଥିରେ ଉତ୍ତାପ ଆସିଲାଣି ଚା’ ପ୍ରସ୍ତୁତିପାଇଁ । ଗୋଟାଏ ଚା’ ବରାଦ କରି ଦୋକାନ ଆଗରେ ପଡ଼ିଥିବା ବେଞ୍ଚରେ ବସିଲି ।

 

ଏମିତି ଏକ ନିର୍ମଳ ପରିବେଶରେ ଷ୍ଟଡ଼ିଟୁର୍ ସମ୍ପର୍କରେ କିଛି ଖଣ୍ଡିତ ଚିନ୍ତା..., ପାଖ ମିଠା ଦୋକାନରୁ ସାମାନ୍ୟ ଉତ୍ତେଜନା ।

 

ମୁଁ ଦେଖିଲି ଜଣେ ବୃଦ୍ଧ ଗୋଟିଏ ସ୍ତ୍ରୀଲୋକର ଗଳାରେ ଧକା ଦେଇ ରାସ୍ତାରେ ଛାଡ଼ୁଛି ଏବଂ ତା’ ସହିତ ପ୍ରଚୁର ଗାଳି ଦେଉଛି । ତା’ପରେ ସେ ଦୋକାନ ଭିତରକୁ ଫେରିଗଲା । ତା’ ପାଟିରୁ କେବଳ ଶୁଣା ଯାଉଥାଏ–ଶାଳୀ ମୋ ଜୀବନ ଖାଇଗଲା ।

 

ସ୍ତ୍ରୀଲୋକଟି ରାସ୍ତା କଡ଼ରେ ବସି ମନକୁମନ କ’ଣ ପ୍ରଳାପ କରୁଥାଏ । ମସ୍ତିଷ୍କବିକୃତ ବୋଧହୁଏ ।

 

ଏ ଦୃଶ୍ୟରେ ପାଖ ପାନ ଦୋକାନୀ ଏବଂ ଅନ୍ୟାନ୍ୟ କେତେକ ଦୋକାନୀ ରୁଣ୍ଡ ହୋଇଗଲେ । ସମସ୍ୟାବହୁଳ ଜୀବନରେ ସେମାନଙ୍କ ପାଇଁ ଏଟା ଗୋଟେ ଭଲ ସକାଳ । ତା’ପରେ ବୁଢ଼ାକୁ ଡାକି କଥାଟାରେ ସେମାନେ ହସ୍ତକ୍ଷେପ କଲେ । ଏଇ ଆଲୋଚନାରେ ଜଣାଗଲା ସ୍ତ୍ରୀଲୋକଟି ବୃଦ୍ଧର ଦ୍ଵିତୀୟ ପକ୍ଷ । କୌଣସି ନିଶାର୍ଦ୍ଧର ନିର୍ଜନ ମୁହୂର୍ତ୍ତରେ ବୃଦ୍ଧ ତାକୁ ଛାଡ଼ି ଆସିଛି ଏବଂ ତା’ପରେ ସ୍ୱାମୀର ଅନ୍ୱେଷଣରେ ସ୍ତ୍ରୀଲୋକଟି ଏକ୍‌ସିଡ଼େଣ୍ଟରେ ପଡ଼ିଛି । ଫଳରେ ମସ୍ତିଷ୍କରେ ଆଘାତ ଲାଗି ବିକୃତି ଆସିଛି । ସେଥିପାଇଁ ସ୍ତ୍ରୀଲୋକଟା କହି ଚାଲିଛି–ମୁଣ୍ଡରୁ ବଶ ସବୁ ଚାଲିଗଲା, ଦି’ବାଲତି ନହୁ ଗଲା, ମୁଣ୍ଡଟା ଖାଲି ଖାଲି ନାଗୁଛି ଇତ୍ୟାଦି । ଏତକ କହିସାରି ସେ ଜଳଜଳ କରି ଚାରିଆଡ଼କୁ ଚାହେଁ । ଚାରିଆଡ଼େ ଖାଲି ଶୂନ୍ୟତା...ତା’ରି ଭିତରେ ବୃଦ୍ଧଟିକୁ ସେ ଖଣ୍ଡେ ଭସା ମେଘ ପରି ଦେଖିଛି–ସେତିକି ମାତ୍ର ତା’ର ସାନ୍ତ୍ଵନା ।

 

ଉପସ୍ଥିତ ବ୍ୟକ୍ତିମାନେ ବୃଦ୍ଧଙ୍କୁ ଭର୍ତ୍ସନା କରୁଥିଲେ–ଶଳା ଏ ବୟସରେ ତ ବାହାହେଲୁ, ଏବେ ପୋଷିବ କିଏ ! ରଖ ତାକୁ ପାଖରେ ।

 

ବୁଢ଼ା କିନ୍ତୁ ସେମାନଙ୍କୁ ହାତ ଯୋଡ଼ି ଅନୁରୋଧ କଲାପରି କହୁଥାଏ–ମୋର ଆଜ୍ଞା ଭୁଲ୍ ନାହିଁ । ଘରେ ଶାଳୀର ସମସ୍ତଙ୍କ ସାଙ୍ଗରେ କଳି, କେଉଁଠି ହେଲେ ଏଟାକୁ ବାସ ନାହିଁ । ମୁଁ ଏଠି ତ ଦିନସାରା ଫେରି କଲେ ଟଙ୍କାଏ କମିଶନ୍ ପାଇବା କଷ୍ଟ, ସେଥିରେ ୟାକୁ ଚଳେଇମି କେଉଁଠି ! ତୁମେ ଆପଣ କଥାଟା ବୁଝ...।

 

କେହି ତା’ର କଥା ବୁଝିବାକୁ ପ୍ରସ୍ତୁତ ନଥିଲେ । ମିଳିତ ରାୟ ଯେମିତି ହେଲେ ପାଖରେ ରଖିବାକୁ ପଡ଼ିବ ।

 

ମୋ ଚା’ ସରିଗଲା । ମୁଁ ଉଠିଲି । କିନ୍ତୁ ତଥାପି ବୁଢ଼ାର ସେଇ ଆଖି ଯୋଡ଼ିକ କହେ ଯେମିତି–ମୁଁ ଶଳା ଏବେ କେଉଁ ଆଡ଼ୁ ମରିବି... !

 

ଲୋକମାନଙ୍କଠାରୁ ଯଥାସମ୍ଭବ ନିଜକୁ ମୁକ୍ତ ରଖିବାର ପ୍ରବୃତ୍ତି, ତା’ ସହିତ ଏମିତି ଏକ ଦୃଶ୍ୟ ମୋତେ ସମ୍ପୂର୍ଣ୍ଣ ବିବ୍ରତ କରି ପକାଇଥିଲା । ମୁଁ କୌଣସି ପ୍ରକାର ବସ୍‌ର ଗୋଟେ କୋଣକୁ ଆଉଜି ବସି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲି ।

 

ଆମମାନଙ୍କ ଉପସ୍ଥିତିକୁ ବାଦ୍‌ଦେଲେ ସ୍ଥାନଟା ସମ୍ପୂର୍ଣ୍ଣ ନୀରବ । ଅନୁଷ୍ଠାନ ତରଫରୁ ଆୟୋଜିତ ଜଳଯୋଗ ପରେ ମୁଁ ଚାଲିଗଲି ପାହାଡ଼ର ସେଇ ଢାଲୁ ଅଂଶକୁ ଯେଉଁଠି ଗୋଟିଏ ଝରଣା ଶବ୍ଦ କରି ବହି ଯାଉଛି । ଆରପଟରେ ଜଙ୍ଗଲ । ନିକଟରେ ଥିବା ଗୋଟିଏ ଟାଙ୍ଗର ପଥର ଉପରେ ବସି ମୁଁ ହାତରେ କିଛି ଛୋଟ ଗୋଡ଼ି ସଂଗ୍ରହ କଲି ଓ ସେଥିରୁ ଗୋଟିଏ କରି ଜଳରେ ଫିଙ୍ଗିଲି ।

 

ଏଥିରେବି ଆରାମ ନାହିଁ । ବୁଲିଯାଇ ପାରନ୍ତି, ସେଥିରେ କିନ୍ତୁ ମୃତ୍ୟୁର ଯନ୍ତ୍ରଣା । ସବୁବେଳେ କାନ୍ଧରେ ଗୋଟାଏ ଭୂତ, ଲକ୍ଷ୍ୟଟା କେମିତି ଅନିଶ୍ଚିତ ।

 

ବଞ୍ଚିବାପାଇଁ ପଡ଼ିବ ପୁଣି !

 

ସୁମିତା ଅନେକ ଥର ଅସଂଯତ ଭାବରେ ବସି ପୁରୁଣା ବଞ୍ଚିବାର ପୁନରାବୃତ୍ତି ଇଚ୍ଛା କରେ । ସେ ନିର୍ବୋଧ ବାଳିକା ରାସ୍ତାକଡ଼ର ‘ଦୁଇଟି ସନ୍ତାନ ଯଥେଷ୍ଟ’ର ପୋଷ୍ଟର ପ୍ରତି ଯେମିତି ସଚେତନ ନୁହେଁ, ସମସ୍ତ ଧାରାକୁ ଅସ୍ୱୀକାର କରି ଅନ୍ଧାରରେ ଜୁଳୁଜୁଳିଆ ପୋକପରି ଘୂରୁଥିବା ମୁଁ’ର ଯନ୍ତ୍ରଣାକୁ ବୁଝିବାକୁ ସେମିତି ଅକ୍ଷମ । ସେ ଫୁଲ, ମାଳୀ ଘରର ଅକ୍ଷର ବୁଝିବା କ’ଣ ବା ତା’ର ଦରକାର ।

 

ମୁଁ କିନ୍ତୁ ସୁମିତା ପରି ହୋଇପାରେନା । ପାରୁଥିଲେ ହୁଏତ ଦୁଇଟି ସନ୍ତାନର ଲାଭ–ତୃତୀୟ ସନ୍ତାନକୁ ସାଦରେ ଗ୍ରହଣ କରି ପାରନ୍ତି, ନିଜର ମୃତ୍ୟୁକୁ ଅସ୍ଵୀକାର କରି ସୁମିତାର ଅସଂଯତ ଦେହରେ ବଞ୍ଚିବାର ସ୍ୱପ୍ନ ଦେଖି ପାରନ୍ତି ଏବଂ ଏହି ବୃଦ୍ଧ ଆଉ ଯୁବତୀ ସ୍ତ୍ରୀର ବିୟୋଗାନ୍ତ ଦୃଶ୍ୟକୁ ଏକ ମାମୁଲି ଘଟନା ବୋଲି ଉଡ଼େଇ ଦେଇ ପାରନ୍ତି ।

 

କିନ୍ତୁ ପାରୁନି ! ତେଣୁ ଝରଣାର ସଫା ପାଣିକୁ ଓ ଗୋଡ଼ି ଛାଟିବା ମୋପାଇଁ ଯେମିତି ଏକ ମନୋଟନି, ଲୋକସମାଜ ଠାରୁ ଦୂରରେ ରହିବାବି ଅସ୍ଵସ୍ତିକର । ମୁଁ ଗୋଟାଏ ଭୂତ ଯେ ମୋର ପଛେ ପଛେ ରହି ନିଜକୁ ଭୟଭୀତ କରୁଛି ।

 

ସୁମିତା ଆସି ମୋ ଆଗରେ ଠିଆ ହେଲା । ପଛକୁ ଫେରି ଚାହିଁଲି ଆଉ କିଏ ଆସୁଛି କି ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ହେଲି ଆମ ପାର୍ଟିର ସମସ୍ତ ଲୋକ ଖୋଲା ପଡ଼ିଆର ଗୋଟିକିଆ ତାଳଗଛ ପରି ପାହାଡ଼ର ବିଭିନ୍ନ ସ୍ଥାନରେ ଜଣିକିଆ ହୋଇ ଗାଲରେ ହାତ ଦେଇ ବସିଛନ୍ତି ।

 

ସୁମିତା ମୋ ଆଗରେ ଆଉ ଗୋଟିଏ ପଥର ଉପରେ ବସିଲା ଯାହା ଉପରେ ପୂର୍ବରୁ ମୋ ଗୋଡ଼ ଦୁଇଟାକୁ ଥୋଇଥିଲି । ମୁଁ ପୁଣି ସଂକୁଚିତ ହୋଇ ପଡ଼ିଲି । ଠିକ୍ କଲି ଆଉ ଗୋଟିଏ ସ୍ଥାନକୁ ଚାଲିଯିବି । ସୁମିତା କିନ୍ତୁ ଆଦେଶ ଦେଲା ବସ । ପିଲାବେଳେ ଯେମିତି ଗୁରୁଜନଙ୍କର ମୁରବିତ୍ଵକୁ ଫାଙ୍କି ଦେବାର ସମସ୍ତ ଇଚ୍ଛାକୁ ଚାପିଦେଇ ସେମାନଙ୍କୁ ଗୋଟେ ବିରକ୍ତିକର ସମ୍ମାନ ଦିଆଯାଏ ସେମିତି ମୁଁ ସୁମିତାର ଆଦେଶକୁ ମାନିଲି ।

 

ଆମେ ପରସ୍ପରକୁ ଚାହିଁ କିଛି ସମୟ ବସିଲୁ ।

 

ସୁମିତାକୁ କିଛି କହିବାର ସୁଯୋଗ ନ ଦେଇ ପ୍ରଥମେ ମୁଁ ଆରମ୍ଭ କଲି–ତମେ ତ ଅନ୍ୟମାନଙ୍କପରି ଗାଲରେ ହାତ ଦେଇ ଜଣିକିଆ ବସି ପାରିଥାନ୍ତ ।

 

ମୁଁ ସେଥିରେ ବିଶ୍ୱାସ କରେନା–ସୁମିତା କହିଲା । ମୁଁ ମୋ ହାତରେ ଥିବା ଅବଶିଷ୍ଟ ଗୋଡ଼ିକୁ ପୁଣି ପିଙ୍ଗିବାକୁ ଲାଗିଲି ।

 

ଆପଣ ବିବାଦ କରୁନାହାନ୍ତି କାହିଁକି ? ମୁଁ ଅନ୍ୟମନସ୍କ ଥିଲାବେଳେ ସୁମିତା ମୋତେ ପ୍ରଶ୍ନ କଲା, ମୁଁ କିଛି ଉତ୍ତର ଦେବା ଅପେକ୍ଷା ଆଜି ସକାଳେ ସେ ଚା’ ଦୋକାନ ସାମ୍ନାରେ ଘଟିଥିବା ଘଟନା ସୁମିତାକୁ କହିଲି । ସେ ଚିନ୍ତିତ ହେଲା, ତା’ପରେ କଣ୍ଠ ସଫାକରି କହିଲା–ଆପଣଙ୍କ କଥା ମୁଁ ବୁଝି ପାରିଲିନି !

 

ବଡ଼ ଅଡ଼ୁଆରେ ପଡ଼ିଲି । ମୁଁ ବା ଅଧିକ ଆଉ କ’ଣ କହି ପାରନ୍ତି ! ମାନେ...ମୁଁ ବୁଝିପାରୁ ନଥିଲି କେମିତି ସୁମିତା ପାଖରେ ନିଜକୁ ପ୍ରକାଶ କରିବି । ବିବାହଟା ଯେତେବେଳେ ଗୋଟେ ଚୁକ୍ତିରେ ରୂପାନ୍ତରିତ ଏବଂ ଜୀବନର ଅନିଶ୍ଚିତତା ସେଇ ପ୍ରଚଳିତ ଧାରାକୁ ଅସ୍ୱୀକାର କରି ବଞ୍ଚିବାର ଗୋଟେ ନୂଆ ବାଟ ଖୋଜୁଛି ସେତେବେଳେ ମୁଁ ସୁମିତାକୁ ହୁଏତ କହି ପାରନ୍ତି ମୋର ସେ ବୈବାହିକ ଜୀବନ ପ୍ରତି ଶ୍ରଦ୍ଧା ନାହିଁ । ବରଂ ବିବାହର କୃତ୍ରିମ ପବିତ୍ରତାକୁ ନଷ୍ଟ କରି ତା’ ପଛରେ ଥିବା ଆଉ ଏକ ଆବଶ୍ୟକତା ପାଇଁ ଆମେ କେବେ କେମିତି ଏକ ହୋଇ ପାରନ୍ତେ ଏବଂ ଯଦି ସୁଯୋଗ ଆସେ ବୃଦ୍ଧ ବୟସରେ ଏମିତି ଗୋଟିଏ ସ୍ଥାନରେ ବସି ଅତୀତ ଜୀବନ ସମ୍ପର୍କରେ ଆଲୋଚନା କରି ପାରନ୍ତେ । ସେତେବେଳେ ଆମେ ପରସ୍ପର ପାଖରେ ହିସାବ ଦିଅନ୍ତୁ କାହା ଜୀବନରେ କେତେ ସ୍ତ୍ରୀ ବା ପୁରୁଷ ଆସିଛନ୍ତି, କାହା ଜୀବନରେ କେତେ ସ୍ମୃତି ରହିଯାଇଛି । ତା’ପରେ ଆମେ ଅନେକ ଯନ୍ତ୍ରଣାରେ ଅସହାୟ ମଣିଷଟି ପରି ହସନ୍ତୁ ଏବଂ ସନ୍ଧ୍ୟା ପୂର୍ବରୁ ଝରଣାର କୂଳେ କୂଳେ ବିପରୀତ ଦିଗକୁ ଗତି କରନ୍ତୁ ।

 

କିନ୍ତୁ ଏସବୁ ସୁମିତା ପାଖରେ ପ୍ରକାଶ କରିଦେବାର ସାହସ ମୋର ନାହିଁ, ଯେହେତୁ ଗୋଟିଏ ସରଳରେଖାର ଦୁଇଟି ବିପରୀତ ବିନ୍ଦୁ ଆମେ । ମୋ ନିକଟକୁ ଲାଗି ଆସିବାପାଇଁ ମୁଁ ସୁମିତାକୁ ଅନୁରୋଧ ଜଣାଇଲି ଏବଂ ତା’ ହାତକୁ ନେଇ ଚୁମ୍ବନ କଲି... ।

 

ଏକ କରୁଣ ସଙ୍ଗୀତର ସ୍ୱର ଝଙ୍କାରରେ ମୁଁ ପ୍ରକୃତିସ୍ଥ ହେଲି ଏବଂ ଦେଖିଲି ସୁମିତା ତା’ ଲୁଗା କାନିରେ ମୋତେ ପବନ ଦେଉଛି । ମୁଁ ବିସ୍ମିତ ହେଲି ଏମିତି ଗୋଟେ କଦର୍ଯ୍ୟ ବ୍ୟବହାର ସତ୍ତ୍ଵେ ସୁମିତା ମୋ ପ୍ରତି ଯଥେଷ୍ଟ ସହାନୁଭୂତି ପ୍ରକାଶ କରୁଛି ।

 

ପୁଣି ସୁମିତାର ସେଇ ପ୍ରଶ୍ନ ମୁଁ କାହିଁକି ବିବାହ କରୁନି ।

 

ନା, ବରଂ ଏମିତି ଗୋଟିଏ ଖଣ୍ଡିତ ଜୀବନ ମୋର ସ୍ୱପ୍ନ–ମୁଁ କହିଲି ।

 

କିନ୍ତୁ ଏଥିରେ ଯେ ପୂର୍ଣ୍ଣତା ନାହିଁ... !

 

ଏଇ ଅସଂଲଗ୍ନ ଘଟନାକୁ ନେଇ ଆମେ ପୂର୍ଣ୍ଣାଙ୍ଗ ଜୀବନ ପ୍ରସ୍ତୁତ କରିବା ସୁମିତା । ଧକାଖିଆ ଜୀବନରେ ଗୋଟାଏ ନିରବଚ୍ଛିନ୍ନ ଜୀବନ ଖୋଜିବା ଅର୍ଥ ତ୍ରିଶଙ୍କୁର ତୃତୀୟ ସ୍ୱର୍ଗର ଶୂନ୍ୟତା ଭିତରେ ବୁଲିବା ସାର ହେବ । ଅତୀତର ଧାରାବାହିକ ଜୀବନ ସ୍ଵପ୍ନରେ ମଜଗୁଲ ରହି ବର୍ତ୍ତମାନକୁ ଆମେ କେବେ ଅସ୍ୱୀକାର କରି ପାରିବା ନାହିଁ ।

 

ତା’ପରେ ମୁଁ ସୁମିତାକୁ ପାହାଡ଼ର ବିଭିନ୍ନ ଅଂଶରେ ବସିଥିବା ଆମର ସହକର୍ମୀମାନଙ୍କୁ ଆଙ୍ଗୁଳି ଠାରି ଦେଖାଇ ଦେଲି ଏବଂ ତାକୁ ବୁଝାଇ ଦେଲି ଯେ ବର୍ତ୍ତମାନ ଦୁଇଟି ‘ମୁଁ’ ମିଶି ‘ଆମେ’ ହେବା ନିହାତ ଜଟିଳ ବ୍ୟାପାର । ବରଂ ଏଇ ‘ମୁଁ’ମାନଙ୍କର ସାମୟିକ ‘ଆମେ’ ହେବା ଗୋଟେ ପୂର୍ଣ୍ଣାଙ୍ଗ ଜୀବନର ଖଣ୍ଡିତ ରୂପ ।

 

ଆମପାଇଁ ଆଜି କେବଳ ଏଇ ଜୀବନ !

 

ସୁମିତା ବହିଯାଉଥିବା ଝରଣା ଆଉ ତା’ କଡ଼କୁ ଲାଗିଥିବା ଜଙ୍ଗଲ ଆଡ଼େ ଥରେ ଚାହିଁଲା । ସେ ଢାଙ୍କିବାକୁ ଚେଷ୍ଟା କଲେବି ତା’ ଆଖିର ଦୁଇବିନ୍ଦୁ ଲୁହକୁ ମୁଁ ସ୍ପଷ୍ଟ ଦେଖି ପାରୁଥିଲି ।

 

ତା’ପରେ ସୁମିତା ଏବଂ ମୁଁ ବିପରୀତ ଦିଗରେ ଗତିକରି ଶେଷରେ ବସ ପାଖରେ ପହଞ୍ଚିଲୁ ।

Image

 

ହିପ୍‌ପୀ

 

ମୋରି ଆଗରେ ସେମାନେ ଚାଲିଗଲେ । ମୁଁ ତାଙ୍କପାଇଁ କିଛି କରି ପାରିଲି ନାହିଁ । ତେଣୁ ମୋତେ ଛାଡ଼ି ଚାଲିଗଲେ ବୋଲି ମୁଁ କାହିଁକି ଦୋଷାରୋପ କରିବି !

 

ସେମାନେ ରୂପାନ୍ତରିତ ହେଲେ । ତା’ଛଡ଼ା ସେମାନଙ୍କ ପାଇଁ ଅନ୍ୟ ବାଟ ନଥିଲା । କେତେଦିନ ଆଉ ଅପେକ୍ଷା କରନ୍ତେ ।

 

ରୂପାନ୍ତରିତ ହେବା ସେମାନଙ୍କ ଇଚ୍ଛାକୃତ ନୁହେଁ ।

 

ସ୍ଵାଭାବିକ ।

 

ଆଜି ସେ ଘାସ ପଡ଼ିଆଟା କେଡ଼େ ନିଶୂନ । ଯେମିତି ବିରାଟ୍ ମେଳାଟିଏ ପରେ ଆଉ କେହି ଜଣେ ସେଠି ନାହିଁ । କେବଳ କେଇଟା ଭଙ୍ଗା କୋଇଲା ଆଞ୍ଚ, ଫଟା ବେଲୁନ୍‌ର ଟୁକୁରା, ଚିନାବାଦାମ ଠୁଙ୍ଗା ଆଉ ଭଙ୍ଗା ବତା ବାଉଁଶ କେଇଖଣ୍ଡ ।

 

ଯାତ୍ରା ସରିଯାଇଛି । ଯାତ୍ରୀ ଚାଲିଗଲେ । ପୁଣି ସେମାନେ କେଉଁ ବଣଜଙ୍ଗଲରେ ନୂଆ ମେଳାଟିଏ ଆରମ୍ଭ କରିଛନ୍ତି ।

 

ଖବର ପହଞ୍ଚେ ସେମାନେ ସକ୍ରିୟ ।

 

ସହରରେ ଆତଙ୍କ ।

 

ସନ୍ଧ୍ୟାବେଳଟାରେ ଶୋକ ସଂତପ୍ତ ବ୍ୟକ୍ତିଟିଏ ପରି ସେ ଘାସ ପଡ଼ିଆର ଏମୁଣ୍ଡରୁ ସେମୁଣ୍ଡର ଦୂରତ୍ଵ ମାପୁଥିଲି । ଶେଷରେ ଆସି ପହଞ୍ଚିଲି ସେ ପାଣିକୁଣ୍ଡ ପାଖରେ ଯେଉଁଠି ଏକଦା ନରେନ୍, ଜନୁଙ୍କୁ ଆବିଷ୍କାର କରିଥିଲି ଏବଂ ପରେ ପରେ ଅନେକ ସନ୍ଧ୍ୟା ଆରାମରେ କଟେଇଥିଲୁ-। ସେତେବେଳେ କୁଣ୍ଡରେ ପହଁରୁଥିବା ମାଛମାନେ କେଡ଼େ ଜୀବନ୍ତ, ଚଞ୍ଚଳ । ଅଥଚ ବର୍ତ୍ତମାନ ଜନୁ ଏବଂ ନରେନ୍‍ର ଅନୁପସ୍ଥିତିରେ ସେ ଦୃଶ୍ୟ ବିରକ୍ତିକର ।

 

ମୁଁ ପୁଣି ଫେରିଗଲି ପଡ଼ିଆ ମଝିକୁ ।

 

ସେତେବେଳେ ଅନେକ ଏ ସ୍ଥାନଟିକୁ ଲସ୍‌ଏଞ୍ଜେଲ୍‌ସ ବା ସାନ୍‌ଫ୍ରାନ୍‌ସିସ୍‌କୋର କୌଣସି ଖୋଲା ମଇଦାନ ବୋଲି ମନେ କରିଥିବେ । ଏଇଠି ସେ ତରୁଣମାନେ ବସୁଥିଲେ । ସେମାନଙ୍କ ମିଳିତ ଅସନ୍ତୋଷରେ ସନ୍ଧ୍ୟା ଆକାଶ ଭାରାକ୍ରାନ୍ତ ହେଉଥିଲା ।

 

ସେମାନେ ତ ଏକ ପରିପୂର୍ଣ୍ଣ ସମାଜର ଲୋକ ନଥିଲେ । ତାଙ୍କ ଲୋକେ ଭିଏତ୍‌ନାମରେ ଯୁଦ୍ଧ କରୁ ନଥିଲେ ବା ଆକାଶର ଚାନ୍ଦ ନିକଟକୁ ନିଶୁଣି ଚଢ଼ଉ ନଥିଲେ । କିମ୍ବା ସେମାନେ ମେରିଜୁଆନା ସହିତ ନିଜକୁ ମିଶାଇ ନେଇ ଏକ ନିଜ ପୃଥିବୀର ଚିତ୍ର ଆଙ୍କୁ ନଥିଲେ କଳ୍ପନାରେ ।

 

ତଥାପି ସେମାନେ ଚାଲିଗଲେ… !!!

 

ସେମାନେ ସଂଘବଦ୍ଧ ହୋଇ ଏଠାକୁ ଆସୁ ନଥିଲେ । ଜଣ ଜଣ କରି ଏକ ସଂଘରେ ପରିଣତ ହୁଅନ୍ତି । ବରଂ କେତେକଙ୍କୁ ଛାଡ଼ିଦେଲେ [ଯେଉଁମାନେ ପରସ୍ପର ସହିତ ଆଳାପ ଆଲୋଚନା କରନ୍ତି] ଅନ୍ୟମାନେ ଘାସ ପଡ଼ିଆରେ ଆକାଶକୁ ଚାହିଁ ହାଇମାରନ୍ତି ଏବଂ କେହି ଯୁବତୀ ସେ ବାଟ ଦେଇ ଚାଲିଗଲେ ତା’ ହଜିଯିବାର ଶେଷ ସୀମାକୁ ନିରୀକ୍ଷଣ କରନ୍ତି । ଶୂନ୍ୟତା-। କିଛିର ସନ୍ଧାନ । ଅନିଶ୍ଚିତତା ।

 

ସେମାନେ ଜୀବନ ଖୋଜୁଥିଲେ ।

 

ସନ୍ଧ୍ୟା ଆସେ । ରାତି ଘନ ହୁଏ । ସେମାନେ ଫେରନ୍ତି କିଛି ସମୟପାଇଁ ପରିତ୍ୟକ୍ତ ତାଙ୍କର ପୁରୁଣା ଜୀବନକୁ ।

 

ଏ ସ୍ଥାନଟି ହେଲା ସହରର କେନ୍ଦ୍ରବିନ୍ଦୁ ଯେଉଁଠି ପରିବହନ ସଂସ୍ଥାର ଅତିକାୟ ବସ୍‌ଗୁଡ଼ିକର ଯିବାଆସିବା ଶବ୍ଦ ସବୁ ବିରକ୍ତିରେ ପରିଣତ ହୁଏ ଓ ଏହି ଯିବାଆସିବା ସହିତ ତାଳଦେଇ ଜନଗହଳିର ହ୍ରାସ-ବୃଦ୍ଧି ଘଟେ । ସେତେବେଳେ ସେଠାରେ ସମବେତ ତରୁଣ ଅତିଷ୍ଠ ହୁଏ ଓ ଦେଖେ କେମିତି ସେ ପେଟା ଲୋକ ଜଣକ ନିରାପଦରେ ତା’ ପେଟଟାକୁ ବୋହିନେଇ ବସ୍‌ରେ ଥୋଇଦେଇ ସାରିଲା ପରେ ଆଶ୍ୱସ୍ତିରେ ପକେଟରୁ ଖଣ୍ଡେ ସିଗ୍ରେଟ୍ ବାହାର କରି ଅଗ୍ନିସଂଯୋଗ କରୁଛି [ଧୂମପାନ ନିଷେଧ ଲେଖାଥିବା ସତ୍ତ୍ୱେବି] କିମ୍ବା ପୃଥୁଳକାୟ ସ୍ତ୍ରୀଲୋକଟି ତା’ର ଏକମାତ୍ର କନ୍ୟାର ହାତ ଧରି ବସ୍‌ରେ ଢୁକିସାରିଲା ପରେ ବାସ୍କେଟଟିକୁ କଡ଼କୁ ଜାକିନେଇ ତାଙ୍କ କନ୍ୟାପ୍ରତି ଦୃଷ୍ଟିପାତ କରୁଥିବା ଭଦ୍ରଲୋକମାନଙ୍କୁ ଚାହୁଁଛି ।

 

ଏଇଠି ନରେନ୍ ଏବଂ ଜନୁ ସହିତ ମୋର ବନ୍ଧୁତା ।

 

ସନ୍ଧ୍ୟାବେଳେ ଏ ଅଞ୍ଚଳରେ ଥରଟେ ଘୂରି ନ ଗଲେ ଦିନଟା ଅସମାପ୍ତ ଲାଗେ । ତେଣୁ ଦେହରୁ ବୟସର ସମସ୍ତ ଚିହ୍ନକୁ ଝାଡ଼ିଦେଇ ମୁଁ ବ୍ରେକ୍ ଓ ବେଲ୍ ନ ଥିବା ସାଇକେଲ ଖଣ୍ଡକ ଧରି ବାହାରିପଡ଼େ ।

 

ନିକଟସ୍ଥ ଅସ୍ଥାୟୀ ବୁକ୍‌ଷ୍ଟଲ କେଇଟିରେ ଆଖି ବୁଲିଯାଏ । ଚା’ ଦୋକାନୀ ତଥା ବୁକ୍‌ଷ୍ଟଲ ମାଲିକର ଦୁଇଟି ନମସ୍କାର, ଇଂରାଜୀ ଓଡ଼ିଆ କେଇଖଣ୍ଡ ପତ୍ରପତ୍ରିକାର ବିଜ୍ଞାପନ ପୃଷ୍ଠା [ଯେଉଁଥିରେ ଅର୍ଦ୍ଧନଗ୍ନ ଯୁବତୀ ନିର୍ଦ୍ଦିଷ୍ଟ ଜିନିଷର ଗୁରୁତ୍ୱ ସମ୍ପର୍କରେ ତା’ର ଅନୁଭୂତି କହେ] ତଥା କେତେକ ଚିହ୍ନା ମୁହଁ ମେଜାଜକୁ ଟିକେ ହାଲୁକା କରି ଦିଅନ୍ତି । ସାଇକେଲଟିକୁ ଗଛରେ ଡେରିଦେଲା ପରେ ପରିଚିତ ଘାସ ପଡ଼ିଆ ।

 

ସ୍ଥାନଟିକୁ ଗୋଟେ ପାର୍କ ହିସାବରେ ଗ୍ରହଣ କରାଯାଇପାରେ । ତେଣୁ ସନ୍ଧ୍ୟାରେ କେତୋଟି ମୁହୂର୍ତ୍ତ କଟାଇବା ଆରାମଦାୟକ । ତରୁଣମାନଙ୍କର ଆଡ଼୍‍ଡ଼ା ସେଥିପାଇଁବି ।

 

ମୋର ଏକ ସ୍ୱତନ୍ତ୍ର ସ୍ଥାନ ଥିଲା । ଚାରିକଡ଼ରେ ଛୋଟ ଛୋଟ ବୁଦାଗଛ । କେନ୍ଦ୍ରବିନ୍ଦୁରେ ପାଣିକୁଣ୍ଡ ଯେଉଁଥିରେ ଛୋଟ ମାଛମାନେ ପହଁରନ୍ତି । ମୁଁ କିଛି ସମୟ ବସେ । କେତେଖଣ୍ଡ ସିଗ୍ରେଟ୍ ଟାଣି ସାରିଲା ପରେ ଶେଷଥର ପାଇଁ ସେ ତରୁଣମାନଙ୍କ ଉପରେ ଆଖିବୁଲାଇ ନେଇ ସାଇକେଲର ଚାବି ଖୋଲେ ।

 

ସେମାନେ କିନ୍ତୁ ଅନେକ ରାତିଯାଏଁ ସେଠାରେ ବସନ୍ତି ଯଦିଓ ସେ ବସିବାର ବିଶେଷ ଆନ୍ତରିକତା ନ ଥାଏ । କାରଣ ଅନ୍ୟତ୍ର ସବୁଠି ଏକ ନକଲି ବଞ୍ଚିବାର ସଚେତନତା ଅନ୍ୟମାନଙ୍କୁ ସ୍ଵତନ୍ତ୍ର ଦଳରେ ପରିଣତ କରିଛି । ଫଳରେ ଏମାନେ ସମାଜରେ ଗୋଟେ ଅବାଞ୍ଛିତ ଗୋଷ୍ଠୀ । ସେଥିପାଇଁ ଏମାନେ ନିଜ ନିକଟରେ ନିଜକୁ ପ୍ରକାଶ କରନ୍ତି ।

 

ଦିନେ ମୁଁ ଦେଖିଲି ମୋ ସ୍ଥାନଟି ଦୁଇଜଣ ଯୁବକଙ୍କଦ୍ଵାରା ଅଧିକୃତ । ସେମାନେ କୁଣ୍ଡ ମଧ୍ୟରେ ଖେଳୁଥିବା ମାଛଗୁଡ଼ିକୁ ଏକ ଦୃଷ୍ଟିରେ ଚାହିଁଥିଲେ । ତାଙ୍କ ଆଖିରୁ ଠୋପା ଠୋପା ଲୁହ ଗଡ଼ି ଚିବୁକରେ ମିଶିଯାଉଥିଲା । ମୁଁ ସେମାନଙ୍କ ନିକଟରେ ବସି ମାଛମାନଙ୍କୁ ଚାହିଁଲି ।

 

ମାଛମାନେ ସ୍ୱଚ୍ଛନ୍ଦରେ ଖେଳୁଛନ୍ତି ।

 

କିଛିଦିନ କଟିଗଲା । ଚାହାଳି ପିଲା ଦୀର୍ଘଦିନ ଗୋଟିଏ ଶୂନକୁ ଅଭ୍ୟାସ କଲାପରି ଆମେ ପରସ୍ପରକୁ କିଛି ନ କହି କେବଳ ସେ ମାଛ ଦେଖିଲୁ ।

 

ଦିନେ ଆମେ ଧୀରେ ଧୀରେ ମାଛ ଉପରୁ ଆଖି ଫେରେଇଲୁ । ଆମେ ପରସ୍ପରକୁ ଚାହିଁଲୁ । ସେମାନେ ଆଖିରୁ ଲୁହ ପୋଛି ଦେଲେ । ମୁଁ କାନ୍ଦିବାର ଉପକ୍ରମରୁ ନିବୃତ୍ତ ହେଲି । ଆମେ ସଂଖ୍ୟାଧିକ ହେଲୁ । ହସିଲୁ ।

 

ତଥାପି ଆଗରେ ସ୍ତରୀଭୂତ ଅନ୍ଧକାର ।

 

ଆମର ପ୍ରଥମ ଆଳାପରେ ମୁଁ ସେମାନଙ୍କ ପରିଚୟ ମାଗିଲି । ନରେନ୍, ଜନୁ–ଦୁଇଜଣ ଯୁବକ, ରାଜନୀତି ବିଜ୍ଞାନରେ ଏମ୍. ଏ. ଡିଗ୍ରୀ । ନରେନ୍ ଆପାତତଃ କୌଣସି କର୍ମସଂସ୍ଥାରୁ ମୁକ୍ତ ଯଦିଓ ସମ୍ବାଦପତ୍ରର ବିଜ୍ଞାପନ ପୃଷ୍ଠା ପ୍ରତି ସତର୍କ । ଜନୁ ଅନେକ ଚେଷ୍ଟା ପରେ ନିଜର ରୁଚିଠାରୁ ସମ୍ପୂର୍ଣ୍ଣ ପୃଥକ୍ ଏକ ଧନ୍ଦା ସହିତ କିଛିଟାପାଇଁ ସାଲିସ୍ କରି ନେଇଛି ।

 

ସେମାନେ ମୋ ପରିଚୟ ଚାହିଁଲେ । ମୁଁ ଏଣେତେଣେ ଚାହିଁଲି । ତଥାପି ସେମାନେ ଅପେକ୍ଷା କଲେ । ମୁଁ ଜଣେ ମଣିଷ । ତା’ପରେ ? ମୋର ଗୋଟିଏ ସ୍ତ୍ରୀ ଅଛି (ଅର୍ଥ ମୁଁ ବିବାହିତ), ପିଲାପିଲି…ଇତ୍ୟାଦି ।

 

ନରେନ୍, ଜନୁ ମୋ ମୁହଁକୁ ବଲବଲ କରି ଚାହିଁଥିଲେ । ତା’ମାନେ ମୁଁ ଜଣେ ବୟସ୍କ ଲୋକ । ସେମାନଙ୍କ ଆସରରେ ବସିବାର ଆବଶ୍ୟକତା କ’ଣ ମୋପାଇଁ ! ମୁଁ ତାଙ୍କୁ ବୁଝାଇ ଦେଲି ଜଣେ ସାଂସାରିକ ଲୋକ ସବୁ ସମସ୍ୟାରୁ ମୁକ୍ତ ନୁହେଁ ବରଂ ତମେମାନେ କେତେକାଂଶରେ ଲଗାମଛଡ଼ା । କିନ୍ତୁ ଜଣେ ସାଂସାରିକ ଲୋକ ଅର୍ଥ ତମର ସମସ୍ୟାଯୁକ୍ତ ଏକ ନୂଆ ଦୁନିଆର ସମସ୍ୟା । ତମ ସାଙ୍ଗରେ ମୋର ମେଳ ଅଛି । ଏଇ ମେଳକୁ ନେଇ ପ୍ରତ୍ୟେକ ସାଂସାରିକ ଲୋକ ତମ ସାଙ୍ଗରେ ମିଶିଯିବାକୁ ଚାହୁଁଥିଲେବି ଜୋର୍‍ଜବରଦସ୍ତ ତମ ତାଙ୍କ ମଧ୍ୟରେ ଏକ ସୀମାରେଖା ଟାଣି ତମଠାରୁ ସେମାନେ ମୁକ୍ତ ।

 

ପର୍ଯ୍ୟାୟକ୍ରମେ ଆମେ ତିନିଜଣ କୋଳାଗ୍ରତ ହେଲୁ ।

 

ତିନୋଟି ପ୍ରାଣ ଏକ ହେଲା ।

 

ଆମେ ମିଶିଗଲୁ ।

 

ନରେନ୍ କହେ ଘରେ ବସିରହିବାକୁ ତାକୁ ବିରକ୍ତ ଲାଗେ । କିନ୍ତୁ ବୁଲାବୁଲି କରି ଘରକୁ ଫେରିଲାବେଳେ ବାପାଙ୍କର ନୀରବ ଆଖି ଦୁଇଟି ଭୟଙ୍କର ଜଣାଯାଏ । (ନରେନ୍‍ର ବାପା ଶାନ୍ତ ପ୍ରକୃତିର ଲୋକ) । ନରେନ୍‌ର ମନେହୁଏ ବାପା ହୁଏତ ଭାବିପାରୁଥାନ୍ତି–କିଛି ନ ହେଲେ ବଗିଚାଟାକୁ ଏ ମୁଣ୍ଡରୁ ସେମୁଣ୍ଡ ହାଣିପକା । ତମମାନଙ୍କୁ ଏ ଦୁନିଆକୁ ଆଣିଥିବାର ପାପପାଇଁ ଆଉ କି ପ୍ରାୟଶ୍ଚିତ ଅଛି !

 

ନରେନ୍ ଶୋଇବା କୋଠରିର ଆଲୋକ ଲିଭେଇ ଦିଏ । ତାକୁ ନେଇ ଅନେକ ଚିନ୍ତା କରାଯାଇପାରେ, କିନ୍ତୁ ଆଖିମାନଙ୍କଠାରୁ ସେ ଦୂରେଇ ରହୁ ।

 

ଅନ୍ଧାର ଭିତରେ ନରେନ୍ ଦେଖେ ବିରାଟ୍ ଏକ ଦୁନିଆ ଯେଉଁଠି ଟ୍ରାଫିକ୍‌ର ସମସ୍ତ ନିୟମ ହୁଗୁଳା, ପ୍ରଚୁର ଏକ୍‍ସିଡ଼େଣ୍ଟ । ନୈତିକତା ଗୋଟିଏ ଶୁଖିଲା ପତ୍ର ପରି ସୁଅ ମୁହଁରେ ଭାସି ଯାଉଛି, ଏବଂ ଯୋଜନାର ମୂଳଦୁଆ ସମୁଦ୍ରକୂଳରେ ପାତିବାଲିରେ ଭାରସାମ୍ୟହୀନ ।

 

ନରେନ୍ ତକିଆ ଉପରେ ମୁହଁମାଡ଼ି ସ୍ଵଗତୋକ୍ତି କରେ–ବାପା ମୁଁ ଆଉ କ’ଣ କରି ପାରିବି !

 

ଜନୁ ଖୁବ୍ କମ୍ କଥାବାର୍ତ୍ତା କରେ । ତା’ର ମଧ୍ୟ ଅନୁରୂପ ଆପତ୍ତି । ବାହାରେ ବୁଲାବୁଲି କରି ଫେରିଲା ପରେ ବାପା କେବଳ ପଚାରନ୍ତି–ଜନୁ ଫେରିଲା କିରେ ! ବରଂ ଜନୁ ଆଶ୍ୱସ୍ତ ହୁଅନ୍ତା ଯଦି ବାପା ରାଗିଯାଇ ଆରମ୍ଭ କରନ୍ତେ–କ’ଣ ବାବୁ ଫେରିଲେ ! କୁଳାଙ୍ଗାର କୁଳାଙ୍ଗାର, ବଂଶ ବୁଡ଼ିଗଲାବେଳେ... ।

 

ଦୁର୍ଭାଗ୍ୟ ।

 

ଜନୁ ଅନ୍ତତଃ ଏକ ପ୍ରତ୍ୟକ୍ଷ ସଂଗ୍ରାମରେ ଭାଗ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତା-। କିନ୍ତୁ ବାପା ନୀରବରେ ତାଙ୍କ ଅସନ୍ତୋଷକୁ ଜନୁ ଉପରେ ଲଦି ଦିଅନ୍ତି ।

 

ଜନୁ ଚାକିରି କରିଛି । ତଥାପି ତା’ର ଯୋଗ୍ୟତାକୁ ସେତକ ଯଥେଷ୍ଟ ନୁହେଁ । ଅନ୍ୟ ଚାକିରି ପ୍ରତି କୌଣସି ଉଦ୍ୟମ ମଧ୍ୟ ନାହିଁ । ଉଦ୍ୟମ କ’ଣପାଇଁ ! ଜନୁ ଦେଖେ ଏକ ବର୍ଗଫୁଟ ଜାଗାରେ ପଚାଶ ଲୋକଙ୍କର ଏକୋମୋଡ଼େଶନ ଅସମ୍ଭବ । ତେଣୁ ସନ୍ଧ୍ୟାବେଳେ ବିକ୍ଷିପ୍ତଭାବେ ବୁଲିବାଟା ନିଜ ମାନସିକ ଅବସ୍ଥା ସହିତ ଗୋଟେ ପ୍ରକାର ଏଡ଼ଜଷ୍ଟମେଣ୍ଟ । ବାପାଙ୍କର କପାଳରେ ହାତ ପିଟିବା ଏବଂ ଜନୁର ଲକ୍ଷ୍ୟହୀନ ଜୀବନ ପ୍ରାୟ ଏକ କଥା; କିଏ କାହାକୁ ବୁଝିବ !

 

ନରେନ୍ ଜନୁ ସହିତ ଥିଲାବେଳେ ବିଭିନ୍ନ ଆଳାପ ଆଲୋଚନା ଭିତରେ ମୋ ପ୍ରତି ମୋର ଜଣେ ଆତ୍ମୀୟଙ୍କର ମନ୍ତବ୍ୟ କଥା କହେ । ମୋ ଜୀବନରେ କେତେକ ବିଶୃଙ୍ଖଳା ଦେଖି ସେ ମୋତେ କହନ୍ତି ହିପ୍‌ପୀ । କାରଣ ମୁଁ ସମୟାନୁବର୍ତ୍ତୀ ନୁହେଁ, ଆବଶ୍ୟକ କାମରେ ଉଦାସୀନ । ଅବଶ୍ୟ ଏକ ଲଘୁ ମେଜାଜ୍‌ରେ ସେ ଏମିତି ମନ୍ତବ୍ୟ କରନ୍ତି, ତଥାପି ତା’ ମୂଳରେ ସତ୍ୟ ଲଘୁ ନୁହେଁ ।

 

ନରେନ୍ ଜନୁ ହସନ୍ତି । କହନ୍ତି ତାଙ୍କ ମନ୍ତବ୍ୟ ଯଥାର୍ଥ । ଜଣେ ସାଂସାରିକ ଲୋକର କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି । ସେଥିରୁ ବ୍ୟତିକ୍ରମ ହେଲେ ପାଖ ସାମାଜିକ ଲୋକ ସେ ପ୍ରକାର ମତାମତ ଦେଇ ପାରନ୍ତି ।

 

ନନ୍‌ସେନ୍‌ସ, ମୁଁ ଉତ୍ୟକ୍ତ ହୁଏ ।

 

ହିପ୍‌ପୀ ଖାଲି କହିଦେଲେ ହେଲା । ବୁଝିବା କଥା ସେମାନେ କାହିଁକି ହିପ୍‌ପୀ । ତାଙ୍କ ଆମ ଭିତରେ ଫରକ କ’ଣ ! କୌଣସି ଶବ୍ଦର ଅର୍ଥ ନ ବୁଝି ଖାଲି ତାକୁ ଅଯଥା ବ୍ୟବହାର କରିବାରେ ଆମ ଲୋକ ଧୁରନ୍ଧର । କିଛି ସମୟପାଇଁ ଆମ ଆଲୋଚନା ସ୍ଥଗିତ ରହେ ।

 

ଆମେ ସ୍ଵାଭାବିକ ହେଉ ।

 

ଦିନେ ମୋର ପହଞ୍ଚିବାରେ ଡେରି ହେଲା । ମୁଁ ଦେଖିଲି ଜନୁ ନରେନ୍‌ ମୋତେ ଅପେକ୍ଷା କରିଛନ୍ତି । ମୁଁ ପହଞ୍ଚିଲା ପରେବି ସେମାନଙ୍କର କିଛି ପରିବର୍ତ୍ତନ ନଥିଲା । ମୁଁ ଆଶ୍ଚର୍ଯ୍ୟ ହେଲି ।

 

ନରେନ୍ ଜନୁ ନୀରବ । ହାତଟିକୁ ଶକ୍ତ ମୁଠାକରି ସେମାନେ ପରସ୍ପରକୁ ଚାହୁଁଛନ୍ତି । ମୁଁ ତାଙ୍କ ନିକଟରେ ବସିଲା ପରେ ମୋତେ ଚାହିଁଲେ । ଦ୍ଵନ୍ଦ୍ୱ ।

 

ପରେ ସେମାନେ ଦଶଦିଗକୁ ଚାହିଁଲେ । ମୁଁ ବି । ଆମ ଉପରେ ଅନ୍ଧକାରର ଏକ ସୂକ୍ଷ୍ମ ପରଦା ଘନୀଭୂତ ହେଉଥିଲା କ୍ରମେ । ଦୁନିଆଟା ଆମଠାରୁ ଢେର୍ ଦୂରକୁ ଚାଲି ଯାଉଛି ।

 

ଦ୍ଵନ୍ଦ୍ୱ । ଆମେ ଉଠି ଠିଆହେଲୁ ଏବଂ ଏକ ଅଦୃଶ୍ୟ ନିର୍ଦ୍ଦେଶରେ ସେ ପଡ଼ିଆ ଭିତରେ ପ୍ରବେଶ କଲୁ ଯେଉଁଠି ଅନେକ ତରୁଣ ଆମପରି ଦଶଦିଗକୁ ଚାହିଁ ସାରିଲା ପରେ ବୋକା ହୋଇ ନିଜ ନିଜକୁ ଚାହିଁଛନ୍ତି ।

 

ମୋର ମନେହେଲା ଆମ ସହରର ଆତ୍ମାମାନେ ଏଇ ଘାସ ପଡ଼ିଆରେ ଜୀବନ୍ତ । ଅବଶିଷ୍ଟମାନେ ମୃତ । ମୃତ ସହରର ପୁନର୍ଜୀବନ ପାଇଁ ଏଇ ତରୁଣମାନେ ବ୍ୟସ୍ତ ବିବ୍ରତ ।

 

ପୁନର୍ଜୀବନ ।

 

ପ୍ରତ୍ୟେକ ବାମକୁ ମାଡ଼ି ଚାଲିବାକୁ ବାଧ୍ୟ ।

 

ଟ୍ରାଫିକ୍‌ର ଲାଲ ଆଲୋକ ଏକ ଶୃଙ୍ଖଳା । ବିଶୃଙ୍ଖଳାରେ ଏକ୍‌ସିଡ଼େଣ୍ଟ ଅବଶ୍ୟମ୍ଭାବୀ ।

 

ଏକ୍‌ସିଡ଼େଣ୍ଟ । ଚାରିଆଡ଼େ ଏକ୍‌ସିଡ଼େଣ୍ଟ ପୂର୍ବର ଅସ୍ଥିରତା । ନରେନ୍‌ ଜନୁଙ୍କ ବ୍ୟସ୍ତତା ଧରା ପଡ଼ୁଥିଲା ତାଙ୍କ ମୁହଁରେ । ମୁଁ ଖାଲି ନୀରବ ଦର୍ଶକ ହୋଇ ସେମାନଙ୍କୁ ଦେଖୁଥିଲି ।

 

ନରେନ୍ ମୋ ହାତ ଧରିପକେଇ କହିଲା–ଆପଣ ଆମ ଭିତରେ ବୟସ୍କ । ବର୍ତ୍ତମାନ କହନ୍ତୁ କ’ଣ କରିବା ? ଜନୁ ସେତେବେଳେ ଆଶଙ୍କା କରୁଥିଲା ଅଳ୍ପ ସମୟ ପରେ ଆମେ ହଜିଯାଇପାରୁ !

 

ତା’ପୂର୍ବରୁ କିଛି...ତା’ପୂର୍ବରୁ... ।

 

ମୁଁ ସମ୍ପୂର୍ଣ୍ଣ ଦୁର୍ବଳ ହେଇ ପଡ଼ୁଥିଲି । ବୟସରେ ସେମାନଙ୍କ ଠାରୁ ଅଭିଜ୍ଞ ହେଲେବି ସେ ମୁହୂର୍ତ୍ତରେ ମୁଁ କିଛିପାଇଁ ମୋର ସମସ୍ତ ସାମର୍ଥ୍ୟ ହରେଇଥିଲି ।

 

ମୁଁ ଯେତେ ମାଇଲ ଅତିକ୍ରମ କରି ଆସିଛି ସେଥିରେ ସ୍ୱତନ୍ତ୍ର ଛନ୍ଦ ନାହିଁ । ଅନେକ ବ୍ୟତିକ୍ରମ, ଅନେକ ବୁଲାଣି ରାସ୍ତାରେ ମୁଁ ଚାଲିଛି । ଜଣେ ଲକ୍ଷ୍ୟହୀନ ପଥିକ ଆଗରେ କି ରାସ୍ତା ଆଉ ଅଛି... ।

 

ଆପଣ ପାରିବେନି ତାହାହେଲେ, କୁହନ୍ତୁ ଆପଣ ପାରିବେନି–ଜନୁ ନରେନ୍‌ ମୋତେ ପ୍ରାୟ ଧମକ ଦେଲେ । ମୁଁ ମୋର ଅକ୍ଷମତା ପ୍ରକାଶ କଲି । ତା’ପରେ ସେମାନଙ୍କ ପଛେ ପଛେ ଚାଲିବାପାଇଁ ସେମାନେ ମୋତେ ନିଦ୍ଦେର୍ଶ ଦେଲେ ।

 

ମୁଁ ସାଂସାରିକ ଲୋକ । ତେଣୁ ତାଙ୍କ ନିର୍ଦ୍ଦେଶ ମୋପାଇଁ ସୁବିଧାଜନକ ନୁହେଁ ।

 

ମୋତେ ସେମାନେ ଅପେକ୍ଷା କଲେନି ।

 

ପରେ ଶୁଣିଛି ନଈ, ଜଙ୍ଗଲ, ପାହାଡ଼-ପର୍ବତ ତାଙ୍କ ରାସ୍ତାରୁ ଘୁଞ୍ଚିଗଲେ । ତାଙ୍କପାଇଁ ଏକ ସ୍ଵତନ୍ତ୍ର ରାସ୍ତା ସଫା ହେଇ ଚାଲିଲା । ସମଗ୍ର ଦୁନିଆ ଅନ୍ଧକାର ଥିଲେ ମଧ୍ୟ ସେମାନଙ୍କ ରାସ୍ତା କୁଆଡ଼େ ଆଲୋକିତ ହେଲା । ସେମାନେ ନିଜକୁ ଭୁଲିଗଲେ । ତାଙ୍କର ପରିଚୟ ସେମାନେ ମଣିଷ କେବଳ ।

 

ସେମାନଙ୍କର ଏ ରୂପାନ୍ତରରେ ସହର ଆତଙ୍କିତ । ସହରର ବୁନିଆଦି ଉପରେ ଅନେକ ବିସ୍ଫୋରଣ । ଆକାଶ ଧୂମାୟିତ । ସହରର ଉପକଣ୍ଠରେ ଅନେକ ଅଚିହ୍ନା ଶବ ।

 

ପରିବର୍ତ୍ତନ ।

 

ଆଜି ମୋର ମନେପଡ଼ୁଛି ସେଇ ଆତ୍ମୀୟଙ୍କର ମନ୍ତବ୍ୟ–ମୁଁ ଜଣେ ହିପ୍‌ପୀ । କିନ୍ତୁ ଜଣେ ହିପ୍‌ପୀ ରକ୍ତପାତକୁ କି ପରିମାଣରେ ଘୃଣାକରେ ସେ ହୁଏତ ଜାଣନ୍ତି ନାହିଁ । ଅଥଚ ନରେନ୍, ଜନୁ ପ୍ରଭୃତି ତରୁଣମାନେ ଜୀବନ ବିନିମୟରେ ଜୀବନ ଖୋଜୁଛନ୍ତି ।

 

ଆକାଶରେ ଝଡ଼ ମୁଣ୍ଡ ପିଟୁଛି ।

 

ମୁଁ ପକେଟରୁ ସିଗ୍ରେଟ୍ ଖଣ୍ଡେ ବାହାର କରି ନିଆଁ ଧରଉଛି, ଦେଖିଲି ଜଣେ କେହି ମୋରି ଉଦ୍ଦେଶ୍ୟରେ ଧାଇଁଛି । ଲୋକଟି ନିକଟକୁ ଆସିଲା । ଦିଆସିଲି କାଠିର ଶେଷ ଆଲୋକରେ ଦେଖିଲି ଜନୁ ଏବଂ ତା’ ହାତରେ ଗୋଟେ ଛୁରି ଚିକ୍‍ଚିକ୍ କରୁଛି ।

 

ମୁଁ ସ୍ଥିର ହେଇଗଲି । ଜନୁ ହସିଲା, କିନ୍ତୁ ମୁହଁରେ ଯନ୍ତ୍ରଣା ସ୍ପଷ୍ଟ ବାରିହେଇ ପଡ଼ୁଥାଏ ।

 

ଜନୁ କହୁଥିଲା–କେତେଦିନ ଆଉ ଅପେକ୍ଷା କରନ୍ତୁ ! ବିଶ୍ଵାସ କରନ୍ତୁ ରକ୍ତରେ ଆମର ଲୋଭ ନାହିଁ । ମର୍ଡ଼ର କରିବା ଆମର ଇଚ୍ଛାବିରୁଦ୍ଧ । କ’ଣ ଆଉ କରିବୁ... !!!

 

ଜନୁ ଚାଲିଗଲା ପରେ ମୁଁ ଅନୁଭବ କଲି ମୋର ପରିଚିତ ରାସ୍ତାକୁ ମୁଁ ଭୁଲିଯାଇଛି ।

Image

 

Unknown

ନର ବାନର

 

ସମୟ ସନ୍ଧ୍ୟା ।

 

ଅଫିସ୍‍ରୁ ଫେରି ଅନୁଭବ କଲି ଘରେ ଅସ୍ୱାଭାବିକ ନୀରବତା । ମୋ ପିଲା ଦୁଇଟି ଅତି କାକୁସ୍ତ ହେଇ ଡ୍ରଇଂ ରୁମରେ ସେମାନଙ୍କ ପଢ଼ାବହି ଖୋଲି ବସିଛନ୍ତି । ସେମାନଙ୍କ ମୁହଁକୁ ଲକ୍ଷ୍ୟ କଲେ ଜଣାଯିବ ଅକ୍ଷରର ଧାଡ଼ିଗୁଡ଼ିକ ଉପରେ ସ୍ଥିରଦୃଷ୍ଟି ରଖି ସେମାନେ କୌଣସି ଜଟିଳ କଥା ନେଇ ଚିନ୍ତିତ । ଅର୍ଦ୍ଧରାତ୍ର ମେଡ଼ିକାଲର କର୍ତ୍ତବ୍ୟ ପରାୟଣ ନର୍ସଟିଏ ପରି ନୀଳିମା ଘର ଭିତରେ ଏପଟସେପଟ ହେଉଛି ।

 

ନିଶ୍ଚୟ କିଛି ଘଟିଛି । ଏ ପ୍ରକାର ଦ୍ଵନ୍ଦ୍ଵ ଭିତରେ ବାହାରକୁ ଆସିଲି ଏବଂ ଦେଖିଲି ଗୋଧୂଳି ଆକାଶର ଏକ ଅସହାୟ ନକ୍ଷତ୍ରଟି ପରି ବାପା ବାରଣ୍ଡାର ଗୋଟେ କୋଣରେ ଆକାଶକୁ ଚାହିଁ ବସିଛନ୍ତି । ଘଟନାଟି ଯେ ବାପାଙ୍କୁ ନେଇ ସୃଷ୍ଟି ଏ ବିଷୟରେ ମୋର କିଛିଟା ସନ୍ଦେହ ଦୂର ହେଲା ।

 

ଘରେ ପଶିଲି । ପେଣ୍ଟ ସାର୍ଟ ଖୋଲୁଥିଲାବେଳେ ନୀଳିମା ମୋ ପାଖରେ ଆସି ଠିଆହେଲା । ଅନୁମାନ କଲି ସେ ମୋତେ କିଛି କହିବାକୁ ଚାହେଁ ।

 

ନୀଳିମା ବାପାଙ୍କୁ ନ ଶୁଣିଲା ପରି ସ୍ୱରରେ କହୁଥାଏ–

 

ଆଜି ଅପରାହ୍ନରେ କ’ଣ ଗୋଟେ ମେଗାଜିନ୍‌ ପୃଷ୍ଠାରେ ଆଖି ବୁଲାଉ ବୁଲାଉ ବାପା ହଠାତ ଗମ୍ଭୀର ହୋଇପଡ଼ିଲେ । କିନ୍ତୁ ତାଙ୍କ ମୁହଁରେ ଅସହାୟ ଭାବ ସ୍ପଷ୍ଟ ଜଣା ପଡ଼ୁଥିଲା କୁଆଡ଼େ । ତା’ପରେ ସେ ମୋ ପିଲା ଦୁଇଟିଙ୍କର ନାଁ ଧରି ବଡ଼ ପାଟିରେ ଡାକିଲେ । ସେମାନେ ପାଖକୁ ଆସିଲାରୁ ତାଙ୍କ ମୁଣ୍ଡରେ ହାତ ବୁଲାଇ ନେଲେ । ସେତେବେଳେ ନୀଳିମା ଲକ୍ଷ୍ୟ କରିଥିଲା ତାଙ୍କ ଆଖି ସାମାନ୍ୟ ଆର୍ଦ୍ର । ଅନେକ ସମୟ ସେମାନଙ୍କୁ ସ୍ନେହ କଲାପରେ ବାପା ଆମ ବଂଶ ଇତିହାସରୁ କେତେଜଣ ବିଗତ ବୀରପୁରୁଷଙ୍କ ନାମ ପଚାରିଲେ । ସେମାନେ ହେଲେ ତାଙ୍କ ବାପା, ତାଙ୍କ ବାପାଙ୍କ ବାପା । ପିଲା ଦୁଇଟି କିଛି ନ କହି ନୀରବ ରହିଲେ ଏବଂ ତା’ପରେ ପରସ୍ପରକୁ ଚାହିଁ ଫିକ୍ କରି ହସିଦେଲେ ।

 

ଏଇ ହସିବାଟା ହେଲା ବାପାଙ୍କ ରାଗର କାରଣ । ସେମାନେ କୁଆଡ଼େ ଅନେକ ଆବଶ୍ୟକ କଥା ଭୁଲି ଯାଉଥିଲାବେଳେ ଅନାବଶ୍ୟକ କଥାମାନ ମନେ ରଖୁଛନ୍ତି । ତା’ଛଡ଼ା ଆଜିକା ପିଲାଙ୍କ ଭିତରେ ପୂର୍ବପୁରୁଷଙ୍କ ପ୍ରତି ଅବଜ୍ଞାଭାବ କ୍ରମେ ବଢ଼ି ଉଠୁଛି ।

 

ସେ ଖୁବ୍ ବିବ୍ରତ ହୋଇପଡ଼ିଲେ ଏବଂ ପରେ ପରେ ସେମାନଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ–ବଂଶ ବୁଡ଼ିଗଲାବେଳେ ତମେମାନେ ସବୁ ଘୋଡ଼ାମୁହାଁ ପିଲା, ତମେମାନେ ନଷ୍ଟର ବାର୍ତ୍ତାବହ । ଶେଷରେ ‘ଓଃ, ଭଗବାନ୍’ କହି ଡ୍ରଇଂରୁମ୍‌ରୁ ବାହାରି ଗଲେ ।

 

...ଆଚ୍ଛା କହିଲ, ଏଡ଼େ ଟିକେ ଟିକେ ପିଲା ! ତାଙ୍କର କ’ଣ ଦାୟିତ୍ଵ ହେଲାଣି ଯେ !! ତାଙ୍କ କଥାରେ ଏମିତି ରାଗ କଲେ ଚଳିବ !!!

 

ନୀଳିମାର ଶେଷକଥା ପଦକରେ ମୁଁ ପ୍ରକୃତିସ୍ଥ ହେଲି । ମୁଁ ତା’ ମୁହଁକୁ ଲକ୍ଷ୍ୟ କଲି–ଗୋଟାଏ ସ୍ନେହଶୀଳା ମା’ର ମୁହଁରେ ତା’ ଶିଶୁ ପିଲାଙ୍କପାଇଁ କେତେ ସମବେଦନା ! ତା’ପରେ ନୀଳିମା ଚାଲିଗଲେ ମୋପାଇଁ ଖାଇବା ଯୋଗାଡ଼ କରିବାକୁ ।

 

ମୁଁ ଘରର ଝରକା ଦେଇ ବାହାରକୁ ଚାହିଁଲି । ଅନ୍ଧାର ନଇଁ ଆସୁଛି । ବାହାରର ରୂପ କ୍ରମେ ଅସ୍ପଷ୍ଟ ହେଇ ଆସୁଛି ଏବଂ ଯାହାକିଛି ଠିକ୍‌ଭାବେ ମୁଁ ଦେଖିପାରୁଥିଲି, ସେ ମୋ ଝରକା ଫ୍ରେମ୍‌ରେ ମାଡ଼ିଥିବା ଏକ ମନିପ୍ଲାଣ୍ଟ । ସରୁ ହୋଇ ଲଟାଟିଏ । ତଳପତ୍ର ସବୁ ହଳଦିଆ ହୋଇ ଝଡ଼ିଗଲାଣି । ତଳୁ ଦୁଇଫୁଟ ଛାଡ଼ି ଈସତ୍ ହଳଦି ରଙ୍ଗର ପତ୍ରଟିଏ, ତା’ ପରେ ପରେ ସବୁଜ ସତେଜ ପତ୍ରମାନେ ସବୁ ।

 

ମୁଁ ସେ ମନିପ୍ଲାଣ୍ଟଟିକୁ ନିରୀକ୍ଷେଇ ଦେଖିଲି–ଝଡ଼ିଯାଇଥିବା ପତ୍ରସ୍ଥାନରେ ଗୋଟିଏ ଗୋଟିଏ ଗଣ୍ଠି । ସେଗୁଡ଼ିକବି ମୂଳରୁ ଲିଭି ଆସିଲାଣି । କେବଳ ସେ ହଳଦି ପତ୍ରଟି ତଳେ କେତୋଟି ଗଣ୍ଠି ସ୍ପଷ୍ଟ । ସେଇ ଗଣ୍ଠିମାନେ ଗୋଟାଏ ଧାରାବାହିକ ଇତିହାସର ବିଷୟବସ୍ତୁ ଏବଂ ହଳଦି ପତ୍ରଟି ତା’ର ପରବର୍ତ୍ତୀ ଅଧ୍ୟାୟ ।

 

ମନିପ୍ଲାଣ୍ଟ ମୋତେ ହିପ୍ନୋଟାଇଜ କରୁଛି–

 

ପାଚିଲା ପତ୍ରଟି ଆଉ କେତେ ସମୟ ପରେ ଝଡ଼ିଯିବ ହୁଏତ ! ଗୋଟାଏ ହସ୍‍ପିଟାଲର ଏମାର୍‍ଜେନ୍‌ସି ଓ୍ୟାର୍ଡ଼ରେ କୌଣସି ବେଡ଼୍‌ର ଧଳାଚାଦର ଉପରେ ନିସ୍ତେଜ ରୋଗୀଟିଏ । ପଲକହୀନ କୋଟରଗତ ଚକ୍ଷୁର ସାମ୍ନାରେ ମରଣର ଛାୟାଚିତ୍ର । ‘ନୋ ହୋପ୍’ର ଷ୍ଟାମ୍ପ ସତ୍ତ୍ୱେ ପ୍ରିୟ-ପରିଜନଙ୍କ ଅନୁରୋଧରେ ପାଖ ଅକ୍‌ସିଜେନ ଷ୍ଟାଣ୍ଡରୁ ଦୁଇଟି ରବର ନଳୀ ଆସି ତା’ ନାକରେ ଦିଆହୋଇଛି । ବଞ୍ଚିବା-ମରିବାର କ’ଣ ବା ଉପଲବ୍‌ଧି ଏଠି ! ତଥାପି ଟିକେ ମମତା, ନିଜ ଭିତରେ ଜଣେ ହାତରେ ଧରିରଖିବାର ଝୁଙ୍କ ନଥିଲେବି ମନ ଭିତରେ ଗୋଟେ ଟାଣ ଡୋରି ।

 

ଏଇ ସେଇ ହଳଦି ପତ୍ରଟି ବାରଣ୍ଡାର ଗୋଟିକିଆ ଚଉକିରେ ଖେଳୁ ଖେଳୁ ପିଲା ଦୁଇଟି ତା’ ନାକରୁ ଅ‌କ୍‌ସିଜେନ ନଳୀ ଟାଣି ବାହାର କରି ଦେଇଛନ୍ତି । ତା’ ସହିତ ବୃଦ୍ଧଟି ନିଜକୁ ଅତି ଅସହାୟ ମନେକରୁଛି ଯେତେବେଳେ ଦେଖୁଛି ପିଲା ଦୁଇଟି ହାତରେ ଧାରୁଆ କାତି ଧରି ସେ ମନିପ୍ଲାଣ୍ଟ ମୂଳରେ ଠିଆ ହୋଇଛନ୍ତି ।

 

ସେଇ ସମ୍ମୋହନ ଅବସ୍ଥାରେ ଆଉ ଗୋଟିଏ ବୀଭତ୍ସ ଦୃଶ୍ୟ ମୋ ଆଖି ଆଗକୁ ଆସୁଥିଲା–ଲଟାଟିର ମୂଳରେ ଝଡ଼ିଯାଇଥିବା ପତ୍ରର ସ୍କେଲିଟନ୍‌ ଉପରେ ମାଙ୍କଡ଼ଟିଏ ଗୋଡ଼ହାତ ମେଲି ଚିତ୍‌ହୋଇ ପଡ଼ିଛି । ତା’ ମୁଣ୍ଡରେ, ଛାତିରେ ବୁଲେଟ୍‌ର ଚିହ୍ନ । ରକ୍ତାକ୍ତ ଅବସ୍ଥାରେ ମାଙ୍କଡ଼ଟିର ମୃତ୍ୟୁ ହୋଇଛି ।

 

ଆଜି ଦିନ ଦୁଇଟାରେ ସେ ମାଙ୍କଡ଼ଟିକୁ (ଯେଉଁ ମାଙ୍କଡ଼ କେତେଦିନ ହେଲା ଆସି ମୋ ଫାଟକ ସାମ୍ନାରେ ବସୁଥିଲା) ଗୁଳି କରାଗଲା । ଦରମଲା ଅବସ୍ଥାରେ ପଞ୍ଝାଏ ଲୋକ ତାକୁ ପିଟି ପିଟି ମାରିଦେଲେ ଅତି ନୃଶଂସ ଭାବରେ । ଯଦିଓ ତା’ ଭିତରେ ଅନେକ ମାନବିକ ଗୁଣ ଦେଖିବାକୁ ମିଳୁଥିଲା, ତଥାପି ସେ କୁଆଡ଼େ ସ୍କୁଲ ପିଲାଙ୍କୁ କାମୁଡ଼ାକାମୁଡ଼ି କଲା ।

 

ଏ ମାଙ୍କଡ଼ଟିକୁ ଅନେକ କହନ୍ତି ମଣିଷ-ମାଙ୍କଡ଼ । କାରଣ ସେ ମଣିଷ ସହିତ ମଣିଷ ପରି ବ୍ୟବହାର କରେ । କେବେ ଦିନେ ତା’ ଗୋଡ଼ରେ ଗଳିଯାଇଥିବା ବାଉଁଶକଣ୍ଟାକୁ ବାହାର କରିବାପାଇଁ ସେ ହସ୍‌ପିଟାଲ୍‌ରେ ପହଞ୍ଚିଥିଲା ବୋଲି ଶୁଣାଯାଏ । ତଥାପି ତାକୁ ପୁଲିସ ଗୁଳିକଲା । ଅବଶ୍ୟ ପୁଲିସବାଲା କାହିଁକି ଅନୁସନ୍ଧାନ କରନ୍ତେ ଯେ କେଉଁ ପିଲାର ଟେକାମାଡ଼ରେ ଆଘାତପ୍ରାପ୍ତ ହୋଇ ବାକ୍‌ଶକ୍ତିରହିତ ମାଙ୍କଡ଼ଟି କାହା ପାଖରେ କିଛି ଅଭିଯୋଗ ନ କରି ପିଲାଟିକୁ କାମୁଡ଼ି ଦେଇଛି ବୋଲି ।

 

ପିଲାମାନେ ସେ ମାଙ୍କଡ଼ର ମୃତ୍ୟୁର କାରଣ !

 

ମୁଁ ମୋର ସ୍ଥିତି ଠିକ୍‌ କରିପାରୁ ନଥିଲି । ମୁଁ କେଉଁଠି । ଉପରେ ନା ତଳେ !! ପିଲାମାନଙ୍କର ଏକ ଜାନ୍ତବ ଆନନ୍ଦ ମାଙ୍କଡ଼ଟାକୁ ପିଟି ପିଟି ମାରିଦେବାରେ, ବାପାଙ୍କ ମନରେ ଆଶଙ୍କା ବଂଶାନୁକ୍ରମିକ ଧାରାଟା କ୍ରମେ ଲୋପପାଇ ଆସୁଛି, ପୁଣି ମୋ କ୍ଵାଟରର ସରହଦ୍‌ ଡେଇଁ ବାହାରକୁ ଗଲେ ଭୀଷଣ ହଟ୍ଟଗୋଳ– !!!

 

ମୁଁ କ୍ରମେ ଦୁର୍ବଳ ହୋଇପଡ଼ୁଥିଲି । ପୁଣିଥରେ ପୋଷାକପତ୍ର ପିନ୍ଧ ଡ୍ରଇଂରୁମ୍‌କୁ ଆସିଲି-। ପୂର୍ବପରି ମୋ ପୁଅଝିଅ ସେମାନଙ୍କ ପଢ଼ାବହିକୁ ଚାହିଁ ବସିଛନ୍ତି ।

 

ମୁଁ ସେମାନଙ୍କୁ ନିସ୍ତୁକ ମାଡ଼ଦେଇ ପାରିବି ଯେହେତୁ ସେମାନେ ମୋ ବାପାଙ୍କ ମନରେ କଷ୍ଟ ଦେଇଛନ୍ତି; କିନ୍ତୁ ଦୁନିଆ ବିଷୟରେ ସେମାନେ ଅଜ୍ଞ । ବାପାଙ୍କୁ ହୁଏତ ପିଲାମାନଙ୍କର ଭୁଲ୍‍ପାଇଁ କ୍ଷମା ମାଗି ପାରନ୍ତି, ତେବେ ତାଙ୍କୁ କୈଫିଅତ୍ ଦେବାଭଳି ଯୁକ୍ତିର ଅଭାବ ।

 

ଟିକେ ପରିବର୍ତ୍ତନ ପାଇଁ ସାଇକେଲ ଧରି ବୁଲି ବାହାରିଲି ।

 

କିନ୍ତୁ ମୋ ମନରେ ସେ ଅବିସ୍ମୃତ ସ୍ଵର ମୋତେ ବିବ୍ରତ କରୁଛି । ଯାହାର କିଛି ସମାଧାନ ନାହିଁ, ଖାଲି ନିସ୍ତବ୍ଧ ରାତିରେ ବିଛଣା ଛାଡ଼ି ତା’ପଛରେ ଗୋଡ଼େଇବାର ନିଶା । ନିଘା କଲେ କାନର ଖୁବ୍ ନିକଟରେ, ଅଥଚ ପହଞ୍ଚିବାକୁ ଚାହିଁଲେ ଅନେକ ଦୂର–ଯେଉଁଠି କୁହୁଡ଼ିଆ ଅନ୍ଧକାର ଭିତରେ ଆକାଶ ପୃଥିବୀ ମିଶିଯାଇଛି, ସେଇଠି କୌଣସି ଏକ ଘଞ୍ଚ ଆମ୍ବତୋଟା ବା ବାଉଁଶ ବଣରେ ତା’ର ସୃଷ୍ଟି ହୁଏତ ।

 

ପିଲାମାନେ ତାଙ୍କ ବଂଶ ଇତିହାସ ଭୁଲି ଯାଉଛନ୍ତି । କଥାଟାର କ’ଣ ବା ବିଶେଷ ଗୁରୁତ୍ଵ ଅଛି । ଶିଶୁ ସେମାନେ, ଜାଣିବାରେ ଯେମିତି ଆଗ୍ରହ, ସେମାନଙ୍କର ଭୁଲିବାର ସେମିତି ଅବହେଳା । ମୁଁ ଏ ଦିଗରେ ଅନେକଟା ଉଦାର ଯେହେତୁ ମୋର ଜନ୍ମ ବିଂଶଶତାବ୍ଦୀର ଚତୁର୍ଥ ଦଶକର ଶେଷ ଭାଗରେ ।

 

ବାପା କିନ୍ତୁ ଏ ବିଷୟରେ ଖୁବ୍ ରିଜିଡ଼୍‌ । ଅଶୀବର୍ଷର ବୃଦ୍ଧ ସେ । ଆଜିକାଲିକାର ପିଲାମାନଙ୍କ ଗତିରୀତି ଦେଖି ଉଦ୍‌ବିଘ୍ନ ସେ । ସେଥିପାଇଁ ବାହାରକୁ ଛାଡ଼ି ଅନ୍ତତଃ ନିଜ ପରିବାରକୁ ଗଢ଼ିପାରିଲେ ତାଙ୍କର ବିରାଟ୍ କର୍ତ୍ତବ୍ୟ ଶେଷହେଲା ବୋଲି ଜାଣିବେ ।

 

ତାଙ୍କର ଯୁକ୍ତିହେଲା ଶୂନ୍ୟରେ କେହି ନିଜର ଭାରସାମ୍ୟ ରଖି ପାରେନା । ସେ କହନ୍ତି ଦେଖ–ଏ ଉଡ଼ାଜାହାଜ କେବଳ ଉଡ଼ିଯାଏ, କିନ୍ତୁ ସେ କ’ଣ ବରଗଛଟେ ପରି ଦମ୍ଭରେ ଠିଆହୋଇ ରହିପାରିବ, ସେ ଉପରେ ! ପବନ ବହିବାକୁ ଆରମ୍ଭ କରିଛି, ଭଲକଥା । ଆଘ୍ରାଣ କର ତା’ ଭିତରେ କେତେପ୍ରକାର ଗନ୍ଧ । ତା’ ଶୀତଳ ସ୍ପର୍ଶରେ ଅବସାଦ ଦୂରେଇ ଦିଅ । ତାଜା ହୁଅ । ନିଜ ଭୂଇଁରେ ଠିଆହୋଇ ସେ ହାଉଆକୁ ଉପଭୋଗ କର ।

 

ଅବଶ୍ୟ ମୋ ପିଲା ଦୁଇଟି ଖୁବ୍ ଛୋଟ । ଏ ଦୁନିଆର ଭଲମନ୍ଦ ବିଚାର କରିବାର ଶକ୍ତି ଆସିନି ତାଙ୍କଠି । ତଥାପି ବାପା କହନ୍ତି ଏଟା ତାଙ୍କର ଗଢ଼ିହେବାର ବେଳ । ବର୍ତ୍ତମାନଠୁ ହାତଛଡ଼ା କରିଦେଲେ ସେମାନେ କେବଳ ହଳେ ଲେଖା ଦୁର୍ବଳ ପକ୍ଷ ନେଇ ହାଉଆରେ ଉଡ଼ି ଶିଖିବେ ।

 

ବାପା ଅନ୍ୟମାନଙ୍କୁ ନିଜ ମତରେ ପ୍ରଭାବିତ କରି ପାରନ୍ତି । ସେ ମତରେ ଯଥେଷ୍ଟ ଯୁକ୍ତି ଥାଏ, ତେଣୁ ହାଲୁକା ନୁହେଁ ।

 

ମୁଁ ପିଲାବେଳୁ ଦେଖି ଆସିଛି ଗୋଟେ କର୍ତ୍ତବ୍ୟରତ ମଣିଷକୁ । ଛାଇନିଦରେ ଶୁଣି ଆସିଛି ଗୋଟେ ଗମ୍ଭୀର ଗଳାରେ କେତେପଦ ସଂସ୍କୃତ ଶ୍ଳୋକ–‘‘ସର୍ବେ ଭବନ୍ତୁ ସୁଖୀନଃ”; ପୁଣି ଦେଖିଛି ଗୋଟାଏ ମଳିକୋଚଟ ବସ୍ତାନିରେ କିଛି ଶୁଖିଲା ତୁଳସୀ ପତ୍ର ନିର୍ମାଲ୍ୟ ସହିତ ପ୍ରସ୍ତ ପ୍ରସ୍ତ ଚନ୍ଦନ ଛିଟାରେ ଲିଭି ଯାଇଥିବା ଜଗନ୍ନାଥଙ୍କର ଅସ୍ପଷ୍ଟ ଫଟୋ ଆଉ ମୟୂରପୁଚ୍ଛ ଚିହ୍ନଥିବା ଖଣ୍ଡେ ବହି ।

 

ଏ ସବୁ କୁଆଡ଼େ ଜୀବନରେ ଗୋଟେ ଆବଶ୍ୟକତା, ଗୋଡ଼ ଦୁଇଟାକୁ ଶକ୍ତ କରିବାର ଭିତ୍ତିଭୂମି ।

 

ବାପା ଅଶୀବର୍ଷର ବୃଦ୍ଧ, ତଥାପି ପୁରାତନପନ୍ଥୀ ନୁହଁନ୍ତି । ସେ ଆଧୁନିକତାକୁ ସ୍ଵାଗତ କରନ୍ତି । ଏ ବୟସରେ ଅତ୍ୟାଧୁନିକ ଲିଟରେଚର ପଢ଼ନ୍ତି । ପିଲାମାନଙ୍କର ବେଶପୋଷାକ ଦେଖି ଖୁସି ହୁଅନ୍ତି । ଏ ସବୁବି ଜୀବନର ଆବଶ୍ୟକତା । କାରଣ ପରିବର୍ତ୍ତନ ସହିତ ଖାପଖାଇ ନ ଚଳିଲେ ମଣିଷ କୁଆଡ଼େ ତିଷ୍ଠିପାରିବ ନାହିଁ ।

 

କିନ୍ତୁ ସମସ୍ତ ପରିବର୍ତ୍ତନ ସତ୍ତ୍ୱେ ସେ ଉପଲବ୍‌ଧି କରନ୍ତି ଗୋଟାଏ ନିର୍ଦ୍ଦିଷ୍ଟ ସତ୍ତା, ଯାହାର ପରିବର୍ତ୍ତନ ହେବା ଉଚିତ ନୁହେଁ । ସେ ଅନେକ ଥର ମୋ ଝରକାର ସେ ମନିପ୍ଲାଣ୍ଟକୁ ଅଙ୍ଗୁଳି ଦେଖାଇ କହନ୍ତି–ଏଇଟି ଆମ ଜୀବନରେ ଏକ ସତ୍ୟ । ଆମେ ସବୁ ତା’ ଦେହରେ ଗୋଟିଏ ଗୋଟିଏ ପତ୍ର । ସେ ଆହୁରି ମାଡ଼ିବ, ଗଜୁରି ଉଠିବ କେତେ କଅଁଳ ପତ୍ର । ଆମେ ଯଦି ତାକୁ ମୂଳରୁ କାଟି ଦିଅନ୍ତୁ...ବଞ୍ଚି ପାରିବା ତ ।

 

ସନ୍ଧ୍ୟାରେ ସେଇ ଅନ୍ଧକାର ଭିତରେ ବାପାହିଁ କେବଳ ମୋ ଚିନ୍ତା ରାଜ୍ୟକୁ ମାଡ଼ି ବସିଥିଲେ । ମୋ ମନ ଭିତରେ ବାରମ୍ବାର ଗୋଟିଏ ପ୍ରଶ୍ନ–ସତରେ କ’ଣ ବାପାଙ୍କର ଆଶଙ୍କା ଯଥାର୍ଥ ।

 

ମୁଁ ମୋ ଯୁକ୍ତିକୁ ପ୍ରତିଷ୍ଠା କରିବାପାଇଁ ବାଟ ଖୋଜୁଥିଲି । ବାପା ଏତେଟା ଭାବପ୍ରବଣ ହେବା ଉଚିତ ନୁହେଁ । ଯଦି ବିଶ୍ଵାସ କରାଯାଏ ଏହା ଗୋଟିଏ ଚଳନ୍ତି ଧାରା ତେବେ ସେ ଧାରାରେ ବ୍ୟତିକ୍ରମ ଆଣିବାକୁ ଏତେ ବ୍ୟସ୍ତତା କାହିଁକି ? ବରଂ ୟା ମୂଳରେ ଥିବା ଗୋଟାଏ ନୂତନ ସୃଷ୍ଟିର ସମ୍ଭାବନାକୁ ସ୍ଵୀକାର କରାଯିବା ଉଚିତ ।

 

ଏଇ ଅନିଶ୍ଚିତ ସିଦ୍ଧାନ୍ତ ଭିତରେ ମୁଁ ଗୋଟେ ପ୍ରଦର୍ଶନୀରେ ପଶିଲି । ଅବିନ୍ୟସ୍ତଭାବେ ଅନେକ ଲୋକ । ପ୍ରଦର୍ଶନୀର ମୁଖ୍ୟ ଫାଟକ ସାମ୍ନାରେ ଗୋଟାଏ ମଞ୍ଚ ଏବଂ ତା’ଉପରେ ତିନୋଟି ବଣମଣିଷର ମୂର୍ତ୍ତି । ମୁଁ ସେ ମୂର୍ତ୍ତି ତିନୋଟିକି ଚାହିଁ ଠିଆହେଲି କିଛି ସମୟ । କାରଣ ଏ ପ୍ରଦର୍ଶନୀ ସହିତ ଏମାନଙ୍କର ସମ୍ପର୍କ କ’ଣ ମୁଁ ବୁଝିପାରୁ ନଥିଲି ।

 

ମୁଁ ବୋଧହୁଏ ଏକମାତ୍ର ଦର୍ଶକ ଯେ ପ୍ରଦର୍ଶନୀ ଭିତରେ ନ ବୁଲି ସେହି ମୂର୍ତ୍ତିମାନଙ୍କ ନିକଟରେ ଅଟକି ଗଲି । ନିହାତି ହିଂସ୍ର ସେମାନଙ୍କର ଦେହ, ଲୋମଶ, ଲମ୍ବା ଲମ୍ବା ନଖ ହାତଗୋଡ଼ରେ । କିନ୍ତୁ ସେ ଆଖିଗୁଡ଼ିକରେ ବଳଦର ଚାହାଣି । ସେମାନେ ବୋଧହୁଏ କ୍ଷମା ଚାହୁଁଛନ୍ତି–ଆମେ ସ୍ୱୟଂସମ୍ପୂର୍ଣ୍ଣ ମଣିଷ ନୋହୁଁ, ଆମେ ପଶୁ, ପଶୁ !! ଦେହ ଆମର ପଶୁତ୍ୱର ପ୍ରତୀକ ।

ଦୁଇ ତିନିଜଣ ଯୁବକଙ୍କ ଉତ୍ତେଜନାପୂର୍ଣ୍ଣ ଆଲୋଚନାରେ ମୁଁ ପ୍ରକୃତିସ୍ଥ ହେଲି । ସେମାନେ ସେଇ ମୂର୍ତ୍ତିମାନଙ୍କୁ ନେଇ ବିଭିନ୍ନ ମନ୍ତବ୍ୟ କରିବାରେ ବ୍ୟସ୍ତ । କାରଣ ଶିଳ୍ପୀଟି ବଣମଣିଷମାନଙ୍କର ଯୌନାଙ୍ଗ ପ୍ରତି ଦୃଷ୍ଟି ଦେଇନି । ପ୍ରଥମ ଯୁବକ ଯୁକ୍ତି କରୁଥିଲେ ବରଂ ୟା’ଦ୍ଵାରା ସେ ନିଜ ଅଶ୍ଳୀଳ ମନୋବୃତ୍ତିର ଅଧିକ ପରିଚୟ ଦେଇଛି । ଅନ୍ୟଜଣେ ତାଙ୍କ ଅଧା ଜଳା ସିଗ୍ରେଟକୁ ତଳେ ଫିଙ୍ଗିଦେଇ ପଏଣ୍ଟେଡ଼ ସୁରେ ଦଳୁ ଦଳୁ କହିଲ–ହିପୋକ୍ରେସି । ତୃତୀୟ ଜଣକ କହିଲେ–ଭଦ୍ରଲୋକଙ୍କର ଯଦି ଏତକ ସତ୍‌ସାହସ ନଥିଲା ବରଂ ସେମାନଙ୍କୁ ଅନାବୃତ୍ତ ନ ରଖି ଅଣ୍ଟାରେ କିଛି ତାଳପତ୍ର ବାନ୍ଧିଦେଇ ପାରିଥାନ୍ତେ ।

ଏମିତି କେତେକ ମନ୍ତବ୍ୟ ପରେ ସେମାନେ ପ୍ରଦର୍ଶନୀ ଭିତରେ ପଶିଲେ ।

ଏଇ ଲଘୁ ମନ୍ତବ୍ୟ ଭିତରେ ଯୁବକ ତିନିଜଣ ଝାପ୍‌ସା ସତ୍ୟକୁ ଉଦ୍‌ଘାଟନ କରିଦେଇଗଲେ । ତିନୋଟି ଅସମ୍ପୂର୍ଣ୍ଣ ବଣମଣିଷ । ଶିଳ୍ପୀର ଅଶ୍ଳୀଳ ମନୋବୃତ୍ତି ଅଛି କି ନାହିଁ ସେ ବିଷୟରେ ମୁଁ ଗୁରୁତ୍ଵ ଦେଉ ନଥିଲି । ମୋର ସନ୍ଦେହ ହେଉଥିଲା ବିବର୍ତ୍ତନ ଧାରାରେ ଏ ଏକ ଅପୂର୍ଣ୍ଣତା ନୁହେଁ ତ । ଯୌନାଙ୍ଗ–ବିହୀନ ଏଇ ବଣମଣିଷମାନଙ୍କ ଭିତରୁ ବୋଧହୁଏ ଆଉ ଜନ୍ମ ନେଇପାରିନି ଗୋଟେ ସଭ୍ୟ ସୁସ୍ଥ ମଣିଷ । ତେଣୁ ସୃଷ୍ଟିର ପ୍ରବହମାନ ଧାରାଟି ବଣମଣିଷକୁ ଟପି ଅଧିକ ବାଟ ଅଗ୍ରସର ହେଇ ପାରିନି ।

କିନ୍ତୁ ଏ ବଣମଣିଷ ମାଙ୍କଡ଼ର କ୍ରମ ପରିଣତି । ଅଥଚ ମଣିଷ ମାଙ୍କଡ଼ ଦେହରେ ଅନେକ ମାନବିକ ଗୁଣ ଥିଲା । ମୁଁ ଗୋଟେ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚୁଥିଲି–ମଣିଷ ଭିତରେ ଯେଉଁ ଭଲଗୁଣ ଟିକକ ଅଛି ସେ ଗଡ଼ି ଆସିଛି ସେଇ ମାଙ୍କଡ଼ ସଭ୍ୟତାରୁ । ପରବର୍ତ୍ତୀ ଯୁଗରେ ତା’ ଦେହରେ ରହିଆସିଛି ଏଇ ପଶୁ ପ୍ରବୃତ୍ତି । ସେ ହୁଏତ ଆହୁରି ମାର୍ଜିତ ହେଇପାରିଥାନ୍ତା କିନ୍ତୁ ଯୌନାଙ୍ଗବିହୀନ ବଣମଣିଷ ଭଲ ସୃଷ୍ଟିଟିଏ କରିବାକୁ ଅକ୍ଷମ ହୋଇଛି ।

ଆକାଶରେ ଜହ୍ନ ଉଠିଲାଣି ।

ମୁଁ ପିଲାମାନଙ୍କୁ ସମ୍ବାଦପତ୍ର କିଣିଦେଉଛି–ସେମାନେ ପଢ଼ିବେ ବିଂଶ ଶତାବ୍ଦୀରେ ମଣିଷର ଚନ୍ଦ୍ରଲୋକକୁ ଯାତ୍ରା । ତା’ ସହିତ ସେମାନେ ମେପ୍ ଷ୍ଟଡ଼ି କରୁଛନ୍ତି । ସ୍କେଲ୍ ଏକ ଇଞ୍ଚ–୧୦୦ ମାଇଲ୍ । ତାହାହେଲେ ଭିଏତ୍‌ନାମର ଦୂରତ୍ଵ କେତେ । ମୋ ଅବଚେତାନରେ ମୁଁ ଜାଲିଆନୱାଲାବାଗ ଆଉ ନୂଆଖାଲିର ସ୍କେଚ ଦେଖୁଥିବାବେଳେ ସେମାନେ ଭିୱାଣ୍ଡି ଦଙ୍ଗାର ସମ୍ବାଦ ପଢ଼ୁଛନ୍ତି ।

କିଛି ପରିବର୍ତ୍ତନ ହେଇନି । ସବୁ ସେଇ ବଣମଣିଷ ପ୍ରବୃତ୍ତିର ପୁନରାବୃତ୍ତି ।

ଆଜି ଗୋଟେ ଟ୍ରାଫିକ୍ ପୋଷ୍ଟରେ ଠିଆହୋଇ ଏ ଅଥର୍ବ, ସ୍ଥାଣୁ ପିଲାମାନେ ଦେଖୁଛନ୍ତି ସାମ୍ନାରେ ରାସ୍ତା ଅନେକ । କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରି ମଣିଷ–ମାଙ୍କଡ଼କୁ ଅସ୍ଵୀକାର କରିବା ଏମାନଙ୍କର ଏକ ଜାନ୍ତବ ସଉକ ।

ରାତି ଅନେକ ହେଲାଣି । ଅପସାରିତ ଜଳରେ ରାଜାଙ୍କ ସ୍ଵର୍ଣ୍ଣ ମୁକୁଟର ପ୍ରକୃତ ସୁନାର ପରିମାଣ ଜାଣିଥିବା ଆର୍କମେଡ଼ିସ୍‍ର ‘ଇଉରେକା’ ମୋ ମୁହଁରେ । ମୁଁ ମୋ ଘରଆଡ଼େ ଧାଇଁଛି ବାପାଙ୍କୁ କହିବି ପିଲାମାନେ ସେମାନଙ୍କ ବଂଶ ଇତିହାସ ମନେ ରଖିବା ନିହାତି ଆବଶ୍ୟକ ।

ଘରେ ଦେଖିଲି ବାପାଙ୍କର ଆଉ ଅନୁଶୋଚନା ନାହିଁ । ସେ ଖାଇପିଇ ଆରାମରେ ଶୋଇଛନ୍ତି । ତାଙ୍କ ଦୁଇ ହାତରେ ମୋ ପିଲା ଦୁଇଟିକୁ ନିଜ ପାଖକୁ ଜାକି ନେଇଛନ୍ତି । ମୁହଁଟି ତାଙ୍କର ଶରତର ମେଘମୁକ୍ତ ଆକାଶ, ସେଥିରେ ଅନେକ ଆଶା ଆଉ ଆଶ୍ୱାସନାର ଚିହ୍ନ ।

Image

 

ସମୟ : ସହଯାତ୍ରୀ

 

ଦିନେ ଦିନେ ରାତିରେ ଏମିତିବି ହୁଏ ବିରୁପାକ୍ଷ ହଠାତ ବିଛଣାରୁ ଉଠିପଡ଼େ ଏବଂ କବାଟ ଖୋଲି ବାହାରକୁ ଚାଲିଯାଏ । ବାଲକନିରେ ଠିଆ ହୋଇ ସେ ଦେଖେ ଗୋଟିଏ ସହର, ଜହ୍ନ ଆଲୋକରେ ଶୀତ ମିଶି ସେ ସହର ଉପରେ ଥଣ୍ଡାର ଏକ ସୂକ୍ଷ୍ମ ଆସ୍ତରଣ ବୋଳି ଦେଇଛି: ଯେମିତି ଭୟଙ୍କର ସହରଟି କିଛି ସମୟପାଇଁ ନିର୍ଦ୍ଦୋଷ ବ୍ୟକ୍ତିର ଅଭିନୟ କରୁଛି ।

 

ବିରୁପାକ୍ଷର ଇଚ୍ଛା ହୁଏ ପାଦ ଚିପି ଚିପି ସେ ସହର ଭିତରେ ପ୍ରବେଶ କରନ୍ତା ଏବଂ ତା’ଉପରେ ଶୀତର ସେ ପରଦାଟାକୁ ଟାଣି ଦେଇ ତା’ର ଅସଲ ରୂପକୁ ରୋକ୍‍ଠୋକ୍ ପଦାରେ ପକେଇ ଦିଅନ୍ତା । କିନ୍ତୁ ସେ ରୂପକୁ ଦେଖିବ କିଏ ! ଯେଉଁମାନଙ୍କର ସ୍ୱରୂପ ପ୍ରକାଶ ପାଇବ ସେମାନେ ପ୍ରତ୍ୟେକ ସେ ସହରର ଜଣେ ଜଣେ ସମ୍ଭ୍ରାନ୍ତ କିମ୍ବା ନିଓ ସମ୍ଭ୍ରାନ୍ତ ବ୍ୟକ୍ତି । ସେମାନେ ହୁଏତ ବିରୁପାକ୍ଷର ଏ ଆଚରଣରେ ଉତ୍ୟକ୍ତ ହେବେ ଏବଂ କୌଣସି ସମୟରେ ତା’ର ସ୍ଥିତି ଗୋଟାଏ ଫୁଟା ଶିମୁଳି ତୁଳା ପରି ଆକାଶରେ ଉଡ଼ୁଥିବ ।

 

ସହରଟା ତା’ ଆଖିରେ କ୍ରମେ ପୃଥିବୀରେ ପରିଣତ ହୁଏ ଏବଂ ଜହ୍ନ ଆଲୋକରେ ନିରୀହ ଦିଶୁଥିବା ଅତିକାୟ କୋଠାମାନଙ୍କ ଉପରେ ମୁଣ୍ଡମାଳ ସବୁ ଦେଖାଯାଏ ଭୟଙ୍କର ଆଉ ବିକୃତ । ସେମାନେ ବିରୁପାକ୍ଷର ଚତୁର୍ଦ୍ଦିଗରେ ନୃତ୍ୟ କରନ୍ତି; ସେ ଅତିଷ୍ଠ ହୁଏ ଓ ଘର ଭିତରେ ପଶିଯାଇ କବାଟ ବନ୍ଦ କରେ । ପୁଣି କିଛି ଗୋଟାଏ ମାଡ଼ି ମାଡ଼ି ପଡ଼ିବାର ଭାବ ତା’ ଚାରିପଟରେ ଘୂରିବୁଲେ । ସେ ଲାଇଟ୍ ବନ୍ଦ କରେ ଓ ନିରୂପମାର ଅର୍ଦ୍ଧଲଗ୍ନ ଦେହଟା ଉପରେ ହାତ ବୁଲାଉ ବୁଲାଉ ଅନ୍ଧାରରେ ଉପରକୁ ଚାହେଁ ।

 

ଅନ୍ୟ କୌଣସି ରାତିରେ : ବିରୁପାକ୍ଷ ସଂକ୍ଷିପ୍ତ ଦୂରତ୍ୱରେ ରହି ନିରୂପମାର ଉଲଗ୍ନ ଦେହକୁ ନିରୀକ୍ଷଣ କରେ । ଦେହରେ ଅବଶିଷ୍ଟ ଅଂଶରେ ଥିବା ଆବରଣକୁ ଧୀରେ ଖୋଲିଦିଏ, ହାତରେ ସେ ଦେହକୁ ଅନୁଭବ କରେ ଓ ଖୋଜେ କେଉଁଠି ସେ ଆକର୍ଷଣ ଚାବିକାଠି ଯାହାଫଳରେ ତା‌’ର ଦେହଟା ବିରୁପାକ୍ଷ ପାଇଁ ଏକ ଆବଶ୍ୟକତାରେ ପରିଣତ ହୋଇଛି ।

 

କିଛି ପାଏନା ସେ, ବରଂ ପରମୁହୂର୍ତ୍ତରେ ନିରୂପମାର ନିଜସ୍ଵ ଅହଂକାର ଏବଂ ଆତ୍ମବଡ଼ିମା ସେ ଦେହରେ ପ୍ରତିଫଳିତ ହୁଏ । ବିରୁପାକ୍ଷ ନିଜକୁ ଚାହେଁ, ନିଜର ସର୍ବାଙ୍ଗରେ ହାତ ବୁଲାଇ ନିଜକୁ ଅନୁଭବ କରେ । ତା‌’ର ପୌରୁଷ ଆଉ ନିରୂପମାର ଅହଂକାର ଦୁଇ ବିରୋଧୀ ଶକ୍ତି ହେଇ ଦିନରେ କିଛି ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରନ୍ତି ।

 

ବନ୍ଦୀ ବିରୁପାକ୍ଷ ନିକଟରେ ମୁକ୍ତି କେବଳ ଗୋଟିଏ ସ୍ଵରରେ ରୂପାନ୍ତରିତ । ଫଳରେ ସାମ୍ପ୍ରତିକ ଦୁନିଆ ଏବଂ ବିରୁପାକ୍ଷ ସାମନାସାମନି ।

 

ରାତିରେ ଏମିତି ଦୃଶ୍ୟ ଘଟୁଥିବାବେଳେ ନିରୂପମା ତା‌’ର ସ୍ଵାଭାବିକ ଢଙ୍ଗରେ କର ମୋଡ଼େ ଓ ମସୃଣ ଗୋଡ଼ଟିକୁ ବିରୁପାକ୍ଷର ପେଟ ଉପରେ ଥୋଇଦିଏ ଯେମିତି ରାତିଟାଇ କେବଳ ବିରୁପାକ୍ଷ ତା‌’ ମଧ୍ୟରେ କିଛିଟା ବୁଝାମଣା ।

 

ବିରୁପାକ୍ଷ ଚିନ୍ତାକରେ ଗୋଟିଏ ରାତିପାଇଁ ଏଇ ଯେଉଁ ବୁଝାମଣା ତା‌’ ପଛରେ ଥିବା କ୍ରିୟାଟା କେଡ଼େ କୁତ୍ସିତ । ୟାର ଉପରେ ପୁଣି ଆତ୍ମା ଆଉ ତାକୁ ନିୟନ୍ତ୍ରଣ କରୁଥିବା ଚେତନାରେ ଯଦି ବୁଝାମଣା ହୋଇ ନ ପାରିଲା ..ମୁକ୍ତି କାହିଁ !

 

ଦିନେ ଏମିତି ହେବ ବିରୁପାକ୍ଷ ତା‌’ ପରିବେଶରୁ ମୁକ୍ତ ହେବାପାଇଁ ଘରୁ ଚାଲିଯିବ ଓ ଏ ସହରର ପ୍ରତ୍ୟେକଟି ଗଳିରେ ବୁଲି ସାମାଜିକ ଲୋକମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିବ । ସେମାନଙ୍କୁ କହିବ : ଚାଲନ୍ତୁ ଆମେ କିଛି ଗୋଟେ ଆରମ୍ଭ କରିବା, ମାନେ ନିଜକୁ ଧୋଇ ନେବା ଓ ଦେହରେ ଥିବା ଅନେକ ଦିନର ପୋଷାକପତ୍ରକୁ ଖୋଲି ଦେଇ ନୂଆ ପୋଷାକ ପିନ୍ଧିବା । ତା’ପରେ ଘରକୁ ଛାଡ଼ି ଦିଗ୍‌ବଳୟ ଆଡ଼େ ଚାହିଁବା । ସେଥିରେ ଆମେ କ୍ଷତିଗ୍ରସ୍ତ ହେବାନି, ବରଂ ଆମର ଦୃଷ୍ଟିଶକ୍ତି ବଢ଼ିବ ଓ ଦୁନିଆର ବିରାଟ୍ ଅଂଶକୁ ଦେଖି ପାରିବା ।

 

ଲାଭ କ’ଣ ! ପୁରୁଣା ପୋଷାକରେ ତ ଆମେ ଅଭ୍ୟସ୍ତ ହେଇ ଗଲୁଣି, ତା‌’ଗନ୍ଧରେ ଆମେ ମୁଗ୍ଧ, ସେଇ ପୋଷାକରେ ଆମେ ବାହାରେ ଚିହ୍ନିତ । ପୁଣି ନୂଆ କ’ଣ ! ତା‌’ଛଡ଼ା ନୂଆ ପୁରୁଣା ଏଡ଼େ ନିକଟବର୍ତ୍ତୀ ସେଥିରେ କୌଣସି ଆବଶ୍ୟକତା ନାହିଁ ବୋଲି ଆମର ଧାରଣା । ତେଣୁ, ତମେ ଦୂରରେ ରହ । ତମର କୌଣସି ପ୍ରକାର ଉପଦେଶ ଗ୍ରହଣ କରିବା ଅର୍ଥ ଦୀର୍ଘ ଦିନର ଅଭ୍ୟାସଠାରୁ ଦୂରକୁ ଚାଲିଯିବା ।

 

ବିରୁପାକ୍ଷ ଘରକୁ ଫେରି ଆସିବ...ସେଇ ପୁରୁଣା ଘର, ନିରୂପମା, ବଗିଚାରେ ଅଯତ୍ନ ବର୍ଦ୍ଧିତ ଫୁଲଗଛ କେତୋଟି; ଗୋଟିଏ ରୁଦ୍ଧ ପରିବେଶ ଯେଉଁଠି ମୁକ୍ତିର ଚିନ୍ତା ଶୀର୍ଣ୍ଣକାୟ ।

 

ଏମିତି ଗୋଟାଏ ରାତି ।

 

ବିରୁପାକ୍ଷ ଉଠି ପଡ଼ିଲା । ନାଇଟ ଗାଉନ୍ ଦେହରେ ଗଳାଇ ଝରକା ଦେଇ ବାହାରକୁ ଚାହିଁଲା । ପରିଚିତ ଦୃଶ୍ୟ, ସହର ଉପରେ ଶୀତରାତି । ସହରଟି ଶୋଇ ପଡ଼ିଛି ତା‌’ର ଜୀବମାନଙ୍କୁ ନେଇ । ସେମାନେ ହୁଏତ ଶାନ୍ତିରେ ନିଃଶ୍ୱାସ ମାରୁଥିବେ ଜୀବନ ସହିତ ବୁଝାମଣା କରି ନେଇଛନ୍ତି ବୋଲି । କ’ଣ ସେମାନଙ୍କର ଇଚ୍ଛା ! ସମୟ ସହିତ ଜୀବନଟା କ’ଣ ସ୍ଥିର ହୋଇଗଲା । ...ନା ଗୋଟାଏ ଗତି ଅଜଗର ପରି ଯାହାର ଚାଲିବାଟା ଅନାକର୍ଷଣୀୟ ଏବଂ ଉତ୍ତେଜନାହୀନ ।

 

ବିରୁପାକ୍ଷ ଝରକା ବନ୍ଦ କଲା ଓ କାନ୍ଥ ଘଣ୍ଟାକୁ ଚାହିଁଲା । ଅଳ୍ପ ସମୟ ପୂର୍ବରୁ ଦୁଇଟା ବାଜିଯାଇଛି ଏବଂ ଆସନ୍ତା କାଲି ଠିକ୍ ଏଇ ସମୟକୁ ମଧ୍ୟ ଏମିତି କିଛି ପୂର୍ବରୁ ଦୁଇଟା ବାଜିଯାଇଥିବ । ମଣିଷକୁ ଠକିବାପାଇଁ ସମୟର ଏହା ଯେମିତି ଏକ ଫିକର । ପ୍ରତିଦିନ ଏକ ନିୟମିତ ସମୟକୁ ନିର୍ଦ୍ଦେଶ କରୁଥିଲେବି ମଣିଷ କହିବ ସମୟ ଚାଲିଯାଉଛି । ସମୟରେ ବିରୁପାକ୍ଷ ପାଇଁ ଏଇଟାବି ଏକ କନ୍‌ଫିଉଜନ୍ : ସମୟ ସ୍ଥିର ନା ତା’ର ଗତି ଅଛି ।

 

ସମୟ ସ୍ଥିର ହେଉ କି ତା’ର ଗତି ଥାଉ ସେ ବିଷୟରେ ଚିନ୍ତା କରି ଅଯଥା ଭାରାକ୍ରାନ୍ତ ହେବାକୁ ବିରୁପାକ୍ଷ ବେଳେବେଳେ ପସନ୍ଦ କରେନା । କିନ୍ତୁ କାନ୍ଥ ଘଣ୍ଟା ଯେତେବେଳେ ଗୋଟାଏ ଶାନ୍ତ ପରିବେଶକୁ ନଷ୍ଟ କରି ବିରୁପାକ୍ଷର ଚିନ୍ତାରେ ବିଶୃଙ୍ଖଳା ଆଣି ଠନ୍ ଠନ୍ କରି କେତୋଟି ନିୟମିତ ଶବ୍ଦ କରେ ସେତେବେଳେ ବିରୁପାକ୍ଷ ବିବ୍ରତ ହୁଏ ଓ ଦର୍ପଣରେ ମୁହଁକୁ ଦେଖେ । ମୁହଁ ଉପରେ କେତୋଟି କଳା ଗାର ଯେମିତି ତାକୁ କହେ ସମୟ ତମ ଦେହ ଉପରେ ତା’ର ସୂକ୍ଷ୍ମ ପଦଚିହ୍ନ ରଖି ଚାଲିଯାଉଛି । ସେମିତି କିଛି ଆରମ୍ଭ ଶେଷ ନଥିଲେବି ତମ ଚାରିପଟେ ଅନ୍ତତଃ ଥରେ ଲେଖା ଘୂରିଯାଇ ତମକୁ ସତର୍କ କରୁଛି ମୋର ଗତି ଅଛି ।

 

ଅନାବଶ୍ୟକ, ସମୟର ଯାହା ଇଚ୍ଛା ସେ କରୁ ।

 

କିନ୍ତୁ ପୁଣି ଏକ ପରିବର୍ତ୍ତନ ଯାହାର ମୁଦ୍ରାଙ୍କ ତା’ର ଦେହ, ମନ ତଥା କାର୍ଯ୍ୟ-କାରଣରେ ପ୍ରତିଫଳିତ । ସମୟ ଦୁଃସହ ବିରୁପାକ୍ଷ ନିକଟରେ, ପୁଣି ସ୍ତ୍ରୀ-ସମାଜ-ସମ୍ପର୍କ ବିଚାରରେବି ।

 

ବିରୁପାକ୍ଷ ଉଠି ପଡ଼ିଲା ଏବଂ କିଛି ସମୟ ପଦଚାରଣ କରି ଇଜିଚେୟାରକୁ ଟାଣିନେଲା ବିଛଣାର ଖୁବ୍ ନିକଟକୁ ଯେଉଁଠି ନିରୂପମାର କଞ୍ଚା ଦେହଟା ଗଡ଼ୁଛି ଅପର୍ଯ୍ୟାପ୍ତ ଧର୍ଷିତ ଗୋଟିଏ ନାରୀର ଶରୀର ପରି ।

 

ନିରୂପମା ଶରୀର ଉପରେ ନୀଳ ଆଲୋକ ପ୍ରତିଫଳିତ । ତା’ର ଗୋଲାପ ରଙ୍ଗ ଦେହରେ ନୀଳ ଆଲୋକ ମିଶିଯାଇ ତାକୁ ପରିଣତ କରି ଦେଇଛି ଏକ ପରୀରେ । ଅନାବୃତ୍ତ ସ୍ତନ ଦୁଇଟିରେ ଅହଂକାର, ମୁହଁରେ ସାମୟିକ ସନ୍ତୋଷ, ଖୋଲା ଗୋଡ଼ ଦୁଇଟିରେ ଉତ୍ତେଜନା ।

 

ବିରୁପାକ୍ଷ ଠିଆ ହେଲା ଓ ପରେ ନିରୂପମାର ଶରୀର ଉପରେ ଝୁଙ୍କି ପଡ଼ିଲା । ବିରୁପାକ୍ଷ ଅନୁଭବ କରୁଛି ଯେମିତି ଦେହଟା ତା’ର ଆୟତ୍ତର ବାହାରକୁ ଚାଲିଯାଉଛି ଏବଂ କିଛି ମୁହୂର୍ତ୍ତ ପରେ ସେ ଦେହରେ ପ୍ରଳୟ ଘଟିବ । ତା’ର ଖର ନିଃଶ୍ୱାସପ୍ରଶ୍ୱାସରେ ନିରୂପମା ଉପରେ ଝୁଲି ପଡ଼ିଥିବା ସରୁ ବାଳ କେରାକ ହଲିଯାଉଛି ।

 

ବିରୁପାକ୍ଷ ତା’ର ଦୁଇ ହାତରେ ନିରୂପମା ଗାଲର ମସୃଣତାକୁ ଅନୁଭବ କଲା ଅତି ସଂତର୍ପଣରେ । ପ୍ରତି ମୁହୂର୍ତ୍ତରେ ତା’ର ପ୍ରତ୍ୟୟ କମିଯାଉଛି, ଯଦି ନିରୂପମାର ନିଦ ଭାଙ୍ଗିଯାଏ ! ସେ ହୁଏତ ହଠାତ ରିଏକ୍ଟ କରିବ ! ଅଭଦ୍ର କଉଠିକାର ।

 

–ମୁଁ ତୁମର ସ୍ଵାମୀ ନିରୂ ।

 

–ସୋ’ ହ୍ୱାଟ୍ ! ସମୟ ଜ୍ଞାନ ନାହିଁ ?

 

ତା’ପରେ ବିରୁପାକ୍ଷର ଆତ୍ମା ‘ମୋର ଅଧିକାର’ ‘ମୋର ଅଧିକାର’ ବୋଲି ଚିତ୍କାର କରିବ ଏବଂ ସେ ବିରୁପାକ୍ଷ କୋଠରିର ଚାରିକାନ୍ଥରେ ଧଳା ରଙ୍ଗ ଉପରେ ଅସହାୟ ଦୃଷ୍ଟି ବୁଲାଇନେବ ।

 

ଦୁର୍ବଳ ବିରୁପାକ୍ଷ ନିରୂପମାର ମୁହଁ ଉପରୁ ଥରିଲା ହାତ ଦୁଇଟିକୁ କାଢ଼ି ଆଣିଲାବେଳେ ତା’ର ସ୍ତନ ନିକଟରେ ସ୍ଥିର ହେଇଗଲା । ଆପାତତଃ ଦୁଇଟି ନିଷିଦ୍ଧ ଫଳ ବିରୁପାକ୍ଷ ପାଇଁ ତାକୁ କେବଳ ଦେଖାଯାଇପାରେ ନିରୂପମାର ଅଜାଣତରେ ।

 

ଗୋଟିଏ ଦୁର୍ଦ୍ଦଶାଗ୍ରସ୍ତ ନାୟକ ପରି କିଛି ସମୟ ଚିନ୍ତାକରି ପରେ ପୁଣି ବସିପଡ଼ିଲା ଇଜି ଚେୟାରରେ ।

 

ବିରୁପାକ୍ଷ ଗୋଟାଏ ନାମ, ଗୋଟାଏ ଶରୀରର ଅସ୍ତିତ୍ଵ ପରିଚୟରେ । ସେ ଭଦ୍ର ସାମାଜିକ, ଯୁବତୀ ସ୍ତ୍ରୀ, ଦୁନିଆ ଦୃଷ୍ଟିରେ ସମ୍ଭ୍ରାନ୍ତ ।

 

ପୁଣି ତା’ ଭିତରେ ଆଉ ଏକ ବିରୁପାକ୍ଷ । ତା’ର ସ୍ୱତନ୍ତ୍ର ପରିଚୟ ଅସ୍ଵୀକୃତ, ସ୍ଥିତି ବିପର୍ଯ୍ୟସ୍ତ । ସେ ସର୍ବଦା ଗୋଟିଏ ବନ୍ଦୀ ରାଜକୁମାର । ତା’ର ଅଧିକାରଠାରୁ ବସ୍ତୁଜଗତ୍ ବହୁଦୂରରେ । ତା’ର ଅଧିକାର କହିଲେ ତା’ର ଏକାନ୍ତ ନିଜସ୍ଵ ଉପଲବ୍‌ଧି । ତା’ ସହିତ ଅନ୍ୟର ଉପଲବ୍‌ଧି ମିଶି ଗୋଟାଏ ସାର୍ବଜନୀନ ଉପଲବ୍‌ଧି ବିରୁପାକ୍ଷର ଇଚ୍ଛା ହେଲେବି ସେଥିପ୍ରତି ଅନ୍ୟର ବିଶେଷ କରି ନିରୂପମାର ଅସହଯୋଗ ତାକୁ ବନ୍ଦୀ କରି ରଖିଛି ।

 

ବିରୁପାକ୍ଷ ନିକଟରେ ମୁକ୍ତି ଏକ ଲୋଭନୀୟ ବସ୍ତୁ ହେଲେବି ତା’ର ପ୍ରାପ୍ତିହିଁ ତା’ପାଇଁ ଏକ ସଂଗ୍ରାମ ।

 

ପାଖ ସେଲଫରୁ ଖଣ୍ଡେ ମେଗାଜିନ୍‌ ଟାଣି ଆଣି ବିରୁପାକ୍ଷ ହାତରେ ଧରିଲା । କିନ୍ତୁ ପୃଷ୍ଠାଗୁଡ଼ିକୁ ଖୋଲିବା ଯେମିତି ଏକ ବିରକ୍ତିକର ବ୍ୟାପାର । ସେ ଖଣ୍ଡକୁ ପୁଣି ଯଥାସ୍ଥାନରେ ଥୋଇ ଦେଲା ।

 

ବର୍ତ୍ତମାନ ସେ ହୁଏତ କିଛି ଚିନ୍ତାକରି ପାରେ କୌଣସି ସମସ୍ୟା ନେଇ । କିନ୍ତୁ ଗୁଡ଼ାଏ ଚିନ୍ତା ତା’ର ମାନସିକ ଅବସ୍ଥାକୁ ଏମିତି କରି ଦେଇଛି ଫଳରେ କିଛି ଚିନ୍ତା କରି କୌଣସି ସିଦ୍ଧାନ୍ତରେ ପହଞ୍ଚିବାର ଧୈର୍ଯ୍ୟର ଅଭାବ ତା’ ପାଖରେ । ଆଜିକାଲି ତା’ ଚିନ୍ତାରେ କ୍ରମିକତା ନାହିଁ, ବରଂ ଟୁକୁରା ଟୁକୁରା ହେଇ ବ୍ୟାପକ ।

 

ବିରୁପାକ୍ଷ ଉଠି ପଡ଼ିଲା ଏବଂ ସେ କୋଠରି ମଧ୍ୟରେ ପାୟଚାରୀ ଆରମ୍ଭ କରିଦେଲା ।

 

ସମାଜ ସହିତ ତା’ର ସମ୍ପର୍କ ନେଇ ବିବ୍ରତ ହେବା ତା’ପାଇଁ ସାମୟିକ ।

 

କିନ୍ତୁ ନିରୂପମା ! ସେ ଯଦି ଦିନେ ଆତ୍ମହତ୍ୟା କରିଦିଏ... !!

 

ବିରୁପାକ୍ଷ ମୁଣ୍ଡରେ ହଠାତ ଏକ ଧାରଣା ପଶିଗଲା ନିରୂପମାକୁ ନେଇ । ନିରୂପମା କୌଣସି ଦିନ ଆତ୍ମହତ୍ୟା କରି ଦେଇପାରେ । କାରଣ ବିରୁପାକ୍ଷ ସହିତ ତା’ର ବୁଝାମଣା ଦିନେ ଏମିତି ଏକ ଅଚଳ ଅବସ୍ଥାକୁ ଆସିଯିବ ଫଳରେ କିଛି ଉପାୟ ନ ଦେଖି ସାଧାରଣ ସ୍ତ୍ରୀ ବୁଦ୍ଧିରେ ଯାହା କରିଦେବା କଥା ସେ କରିଦେବ ।

 

ଅବସନ୍ନ ବିରୁପାକ୍ଷ ଘରକୁ ଫେରିବ ଓ ଗେଟ୍ ଖୋଲିବାକୁ ଯାଇ ଦେଖିବ ତା’ କ୍ଵାଟର ସାମ୍ନାରେ ଅନେକ ଲୋକ ଯେମିତି ତାକୁ କେବଳ ଅପେକ୍ଷା କରିଛନ୍ତି । ସେମାନଙ୍କ ମୁହଁ ଗମ୍ଭୀର । ନିରୂପମାର ମୃତଶରୀରକୁ ସମବେଦନା ଦେଖାଇବାକୁ ଯାଇ ତା’ ପ୍ରତି ଘୃଣା ପ୍ରକାଶ କରୁଥିବେ । ବିରୁପାକ୍ଷ ହଠାତ କିଛି ବୁଝିନପାରି ସେ ଲୋକମାନଙ୍କୁ ପଛ କରି ଘରେ ପଶିବ ଓ ପଙ୍ଖା ଦେହରେ ଲଟକି ଥିବା ନିରୂପମାର ଶରୀରକୁ ଦେଖି ଆଶ୍ଚର୍ଯ୍ୟ ହେବ । (ଯେହେତୁ ଡରିଯିବାର ଲୋକ ସେ ନୁହେଁ)

 

ଟେବୁଲ ଉପରେ ଖଣ୍ଡେ କାଗଜରେ ଲେଖା ଥିବ ‘ମୋ ମୃତ୍ୟୁପାଇଁ କେହି ଦାୟୀ ନୁହେଁ-।’ ତା’ପରେ ଅନ୍ତତଃ ସେ ଆଶ୍ୱସ୍ତ ହେବ ଜୀବନରେ ଗୋଟେପ୍ରକାର ଝମେଲା ଶେଷ । ପରବର୍ତ୍ତୀ କାର୍ଯ୍ୟକ୍ରମ ଠିକ୍ କରିବା ପୂର୍ବରୁ ବିରୁପାକ୍ଷର ପରିଚୟ ହେଇଥିବ ସେ ଜଣେ ଖୁଣି ଆସାମୀ-। ସମାଜ ମଧ୍ୟରେ ସେ ଏକ ବ୍ୟତିକ୍ରମ ।

 

ବିରୁପାକ୍ଷ ସାମନା କରିବ ଗୋଟାଏ ବିରାଟ୍ ଦୁନିଆ ଯେଉଁଠି ସେ ନିଜେ କେବଳ ନିଜର ସମର୍ଥକ ।

 

ବିରୁପାକ୍ଷ ବିରୁଦ୍ଧରେ ଅଭିଯୋଗ ନିହାତ ସହଜ : ନିରୂପମା ସହିତ ବୁଝାମଣାର ଅଭାବ ଏବଂ ତା’ପ୍ରତି କର୍ତ୍ତବ୍ୟର ଅବହେଳା ଯୋଗୁଁ ସେ ଆତ୍ମହତ୍ୟା କଲା ।

 

ଯଦି ମୁଁ ଆତ୍ମହତ୍ୟା କରିଥାନ୍ତି କିମ୍ଵା ସମାଜର ପ୍ରତ୍ୟେକ ଲୋକ ମୋ ସହିତ ବୁଝାମଣାରେ ପହଞ୍ଚି ପାରୁ ନାହାନ୍ତି ବୋଲି ଆତ୍ମହତ୍ୟା କରିଥାନ୍ତେ... !

 

ବିରୁପାକ୍ଷ ଦାସ, ଗୁଡ଼ାଏ ଅନାବଶ୍ୟକ କଥା କହି କୋଟ୍‍ର ଅବମାନନା କରନା । ବରଂ ନିଜ ସପକ୍ଷରେ କିଛି ବଳିଷ୍ଠ ଯୁକ୍ତି ଥିଲେ ଧର୍ମାବତାରଙ୍କ ସାମ୍ନାରେ ପେଶ୍ କରି ନିଜକୁ ଦୋଷମୁକ୍ତ କର ।

 

ଦୋଷମୁକ୍ତ ! ଦୋଷ କ’ଣ, ମୁକ୍ତି କ’ଣ ! ବଞ୍ଚିବାରେ ଯେତେବେଳେ ମୁକ୍ତି ନାହିଁ, ଦୋଷରୁ ପୁଣି ମୁକ୍ତି କ’ଣ ! ତେବେ କିଛି କହିବାକୁ ହେବ । କ’ଣ ସେହି କିଛି···, ଯାହାକୁ କହିଦେଲେ କୋଟ୍‍ର କାଠଗଡ଼ାରେ ଦେହକୁ ଝାଡ଼ିଝୁଡ଼ି ଦେଇ ସେଲୁନ୍‌ରୁ ବାହାରି ଆସିଲାପରି ଦରଜା ମୁହଁରେ ସାର୍ଟ କଲାର ଟେକିଦେବ ।

 

ନା, ମୋର କିଛି କହିବାର ନାହିଁ । ନିରୂପମା ନିଜର ପ୍ରତିନିଧି । ତା’ ଉପରେ ମୋର କିଛି କର୍ତ୍ତୃତ୍ୱ ନଥିଲା । ସେ ଯଦି ପରିବେଶକୁ ସମ୍ମୁଖୀନ ହେଇ ନ ପାରିଲା ସେଥିରେ ମୋର କିଛି କରିବାର ନାହିଁ । ସେମିତି ତା’ ଆତ୍ମହତ୍ୟାରେ ମଧ୍ୟ ମୋର କିଛି କହିବାରେ ନାହିଁ । ସେ ହୁଏତ ଚାହିଁଥିଲେ ମୋ ପରି ବଞ୍ଚିପାରିଥାନ୍ତା । କିନ୍ତୁ ପାରିଲା ନାହିଁ, ଆତ୍ମହତ୍ୟା କଲା ।

 

ଆସାମୀ ବିରୁପାକ୍ଷ ଦାସ ନିଜ ସପକ୍ଷରେ କିଛି ଯୁକ୍ତି ବାଢ଼ି ନ ପାରିବାରୁ ଅଦାଲତ ବିଚାରରେ ଦୋଷୀ···ତେଣୁ ଏତେ ବର୍ଷ ସଶ୍ରମ କାରାଗାର… ।

 

ଏମିତିଗୁଡ଼ାଏ ଅଜବ ଚିନ୍ତାର ଶେଷ ପର୍ଯ୍ୟାୟରେ ବିରୁପାକ୍ଷ ମନକୁ ମନ ହସିଲା । ବାଃ, ଶଳା ଦୁନିଆଟେ ତ; ଚାଲିଛି ଗୋଟେ ଢଙ୍ଗରେ ।

 

ନିରୂପମା କର ମୋଡ଼ିଲା, କିଛି ପ୍ରଳାପ କଲା ଓ ପରେ ପୁଣି ନୀରବରେ ଶୋଇପଡ଼ିଲା-

 

ବର୍ତ୍ତମାନ ବିରୁପାକ୍ଷ ନିରୂପମାକୁ ଡାକିପାରେ । ନିରୂପମା ଉଠିବ ଏବଂ ହାତପାପୁଲିର ପଛପଟରେ କିଛି ସମୟ ଦୁଇ ଆଖିକୁ ଦଳିସାରିଲା ପରେ ବିରୁପାକ୍ଷକୁ ଚାହିଁ ହାଇମାରିବ, ପୁଣି ହୁଏତ ପରେ ପରେ ବିଛଣାରେ ଗଡ଼ି ପଡ଼ିବ । ଠିକ୍ ସେତିକିବେଳେ ବିରୁପାକ୍ଷ କହିବ, ନିରୂ ତମ ସହିତ ଦିପଦ କଥା ଥିଲା । କଥାଟା ସେ ଗ୍ରହଣ କରିବା ପୂର୍ବରୁ ଗୋଟାଏ ଖାମ୍‍ଖିଆଲ ଦୀର୍ଘ ହୁଁ ମାରିବ ଏବଂ ପରେ ପ୍ରକୃତିସ୍ଥ ହୋଇ କହିବ : କୁହ ।

 

–ଏଇ ଯଦି ତମ ମୋ ଭିତରେ ଗୋଟେ ରାଜିନାମା ହେଇଯାନ୍ତା··· ।

 

–ରାଜିନାମା ! ରାଜିନାମା କ’ଣ ?

 

–ମାନେ, ମୋତେ ତମେ ବୁଝିବାକୁ ଚେଷ୍ଟା କରନ୍ତ, ଦେଖନ୍ତ ମୁଁ କେମିତି ପରିବେଶର ଚାପରେ ଗୋଟିଏ ବିନ୍ଦୁରେ ପରିଣତ ହେବକୁ ଯାଉଛି ।

 

–ତମେ କେବେ ମୋ ମନକୁ ଜାଣିବାକୁ ଚାହିଁଛ ? ଦେଖନା, ମଣିଷ କେମିତି ଜହ୍ନରେ ଥେଇ ଥେଇ ନାଚୁଛି । ଆଚ୍ଛା, ସେମାନେ ଯେତେବେଳେ ଆପୋଲ ଯାନରେ ଚାଲିଯାଉଥିବେ ଏ ପୃଥିବୀ ତାଙ୍କୁ କେମିତି ଦିଶୁଥିବ ? ସତରେ କ’ଣ ଶୂନ୍ୟ ମଣ୍ଡଳରେ ଏମିତି ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟଙ୍କର ଆଲୋକ ପ୍ରତିଫଳିତ ? ଆଉ କେତେଦିନ ପରେ ଲୋକ କୁଆଡ଼େ ମଙ୍ଗଳଗ୍ରହକୁ ଯିବ; ଆମେ ଏମିତି ଘରେ ବସିଥିବା ! ପୁରୀ, କୋଣାର୍କ, ଦାର୍ଜିଲିଂ, ସିମଳା ସବୁର ଦୂରତ୍ଵ କେତେ ? ତମେ ସନ୍ଧ୍ୟାରେ ଫେରିବାବେଳେ ମୋର ମନ ହୁଏ ତମେ ଜଣେ ରୁଗ୍‌ଣ ଲୋକ, ତମ ବଞ୍ଚିବା ମରିବା ସମାନ । ଗୋଟିଏ ନିର୍ଜୀବ ବସ୍ତୁ ସହିତ ବୁଝାମଣା କ’ଣ ସମ୍ଭବ... !!!

 

–ତମକୁ ବିବାହ କରିବା ମୋର ଇଚ୍ଛାକୃତ ନୁହେଁ । ନା, ମୁଁ ପ୍ରେମ ବୋଲି କିଛି ବୁଝେ, ନା ମୋର ଯୌନ କାମନାରେ କିଛି ଧାରାବାହିକତା ଅଛି । ବେଳେବେଳେ ଦେହରେ ଉତ୍ତେଜନା ଆସେ । ତେଣୁ ଯୌନକ୍ରିୟାର ଉପଚାର ଅପେକ୍ଷା ରେପ୍‌କୁ ମୁଁ ପସନ୍ଦ କରେ । ତଥାପି ଯେହେତୁ ତମର ମୋର ଅବଶିଷ୍ଟ ଜୀବନ ଗୋଟାଏ ବିଛଣାରେ ପରିକଳ୍ପିତ ସେ ଦୃଷ୍ଟିରୁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ମିଳିତ ହେବା ଅନାବଶ୍ୟକ ।

 

–ମୋର ସେଥିରେ ବିଶ୍ଵାସ ନାହିଁ ।

 

ଡେମ୍ ଇୟୋର ଫେଥ, ନିଜ ଭିତରେ ନିରୂପମାର ଯୁକ୍ତିକୁ ଚିନ୍ତାକରି ବିରୁପାକ୍ଷ ରିଆକ୍ଟ କଲା । ପରେ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଲଗାଇ ବିରୁପାକ୍ଷ ଇଜିଚେୟାରରେ ଚିତ୍ ହୋଇ ପଡ଼ିଯାଇ ସିଲିଂ ଫେନ୍ ଉପରେ ଦୃଷ୍ଟି ନିବଦ୍ଧ କଲା । ସିଗ୍ରେଟ୍ ସରିବା ପରେ କେତେବେଳେ ବିରୁପାକ୍ଷ ଆଖିକୁ ନିଦ ଆସି ଯାଇଛି ହୁଏତ ।

 

ସକାଳର ମେଞ୍ଚାଏ ସୂର୍ଯ୍ୟାଲୋକ ଯେତେବେଳେ ଝରକା ଦେଇ ବିରୁପାକ୍ଷର ମୁହଁ ଉପରେ ପଡ଼ିଲା, ସେ ହଠାତ ଉଠି ପଡ଼ିଲା ଓ ଦେଖିଲା ନିରୂପମା ଆଉ ବିଛଣାରେ ନାହିଁ ।

 

ନିରୂପମା ସ୍ୱାଭାବିକଭାବେ ଡ୍ରଇଂ ରୁମ୍‌ରେ ସେଦିନ ସକାଳର ଚା’ ପ୍ରସ୍ତୁତ କରୁଛି । ବିରୁପାକ୍ଷ ଗୋଟେ ଚେୟାର ଅଧିକାର କରୁ କରୁ ପ୍ରଥମ କପ୍‍ଟା ନିରୂପମା ତା’ ହାତକୁ ବଢ଼େଇ ଦେଲା । ତା’ପରେ ନିଜ କପ୍‌ରେ ଚୁମକ ଦେଇ ବିରୁପାକ୍ଷର ମୁହଁକୁ ଲକ୍ଷ୍ୟ କଲା । କ’ଣ ବୁଝିଲା କେଜାଣି ତା’ର ବିରୁପାକ୍ଷ ପ୍ରତି ସେ ଦିନର ପ୍ରଥମ ସଂଳାପ ହେଲା : ରାତିରେ ଅନେକ ସମୟ ଧରି ଶୋଇନା ବୋଧହୁଏ ?

 

ନା, ଅନ୍ୟମନସ୍କ ବିରୁପାକ୍ଷ ଉତ୍ତର ଦେଲା ।

Image

 

ବିବର୍ତ୍ତନ

 

ସନାତନର ମାନସିକ ବିକୃତି ଘଟିଛି ବୋଲି ଜଣାଗଲା ପରେ ଡାକ୍ତର ଶର୍ମାଙ୍କ ମାନସିକ ଚିକିତ୍ସାଳୟରେ ତା’ର ଚିକିତ୍ସା ବ୍ୟବସ୍ଥା କରାଗଲା । ମନ ପରିବର୍ତ୍ତନ ପାଇଁ ଚିକିତ୍ସାଳୟଟିରେ ଡେନ୍‌ସ ହଲ୍‌ଠାରୁ ଫୁଲ ବଗିଚା, କୃତ୍ରିମ ପାହାଡ଼ଠାରୁ ବନଝରଣା ପର୍ଯ୍ୟନ୍ତ ସବୁ କିଛି ରହିଛି । ସାମ୍ନାରେ ବିରାଟ୍ ପାର୍କ ଯେଉଁଥିରେ ଦୁଇଫୁଟ୍ ପାଣି ଥିବା ଛୋଟ ଜଳାଶୟରେ ମାଛମାନେ ପହଁରନ୍ତି । ତାକୁ ଲାଗି ପକ୍କା ଚାନ୍ଦିନୀ ।

 

ପାଞ୍ଚ ଏକର ଜମି ଉପରେ ଏହି ଅନୁଷ୍ଠାନର ପ୍ରତିଷ୍ଠା ମୂଳରେ କ’ଣ ଗୋଟେ ଇତିହାସ ରହିଛି ବୋଲି ଅନେକ ମନ୍ତବ୍ୟ କରୁଥିଲେବି ତା’ର ପ୍ରକୃତ ତଥ୍ୟ କ୍ୱଚିତ୍ ଲୋକେ କହି ପାରନ୍ତି । ବୋଧହୁଏ ଏ ସମ୍ପର୍କରେ ସଠିକ୍ ବିବରଣୀ ମିଳେ ମୁଖ୍ୟ ନର୍ସ ଶ୍ରୀଲତା ଦାସଙ୍କଠାରୁ । ମୁଖ୍ୟତଃ ଶର୍ମାଙ୍କର ଡାକ୍ତରଖାନାଟି ହେଲେବି ଶ୍ରୀଲତା ଦାସ ସେଥିର ସର୍ବମୟୀ କର୍ତ୍ତ୍ରୀ । ସେଥିପାଇଁ ଅନ୍ୟ ନର୍ସ ଯେ କେତେବେଳେ ମନ୍ତବ୍ୟ ନକରନ୍ତି ତା’ ନୁହେଁ, ତେବେ ନିଜର ଜୀବିକାପାଇଁ ସେଥିରେ ସଞ୍ଜତ ଭାବ ଥାଏ ।

 

ଅନେକ ଜହ୍ନ ରାତିରେ ଯେତେବେଳେ ଚିକିତ୍ସାଳୟ ଶାନ୍ତ ଡାକ୍ତର ଶର୍ମା ନିଜର ଭାୟୋଲିନ୍‌ ଖଣ୍ଡକ ଧରି ସେ ଚାନ୍ଦିନୀ ଉପରେ ବସନ୍ତି ଏବଂ ତା’ପରେ ଚୁରୁଟର ଶେଷ ଅଂଶକୁ ଫିଙ୍ଗି ଦେଇ ଗୋଟେ ଅଜଣା ସ୍ଵରର ମୂର୍ଛନା ତୋଳନ୍ତି । ଶର୍ମାଙ୍କ ଭାୟୋଲିନ ଶବ୍ଦରେ ଅନ୍ୟ ନର୍ସମାନେ ଉତ୍ତେଜିତ ହେଲେବି କେବଳ ଶ୍ରୀଲତା ଦାସ ଶର୍ମାଙ୍କ ନିକଟକୁ ଆସିବାକୁ ସାହସ କରେ-। ସେତେବେଳେ ତା’ ଦେହରେ ଧଳା ଏପ୍ରନ୍ ଥାଏ ଯେଉଁଟା ତାଙ୍କ ଲୋଳିତ ଯୌବନର ଇଚ୍ଛାକୃତ ଗର୍ବିତ ରୂପକୁ ଢାଙ୍କି ରଖିଥାଏ ଅନ୍ୟ ସମୟରେ । ବୟସ୍କା ଶ୍ରୀଲତା ଦାସ ଗୋଟିଏ କିଶୋରୀ ହେଇଯାଏ ଏବଂ ଶର୍ମାଙ୍କର ଚନ୍ଦାମୁଣ୍ଡରେ ଆଙ୍ଗୁଳି ସଞ୍ଚାଳନ କରେ । ଶର୍ମାଙ୍କ ଭାୟୋଲିନ୍ ସ୍ୱର ନୀରବ ହୋଇ ଆସେ । ତାଙ୍କର ଦୃଷ୍ଟି ନିବଦ୍ଧ ହୁଏ ଶ୍ରୀଲତା ଦାସ ଉପରେ । ଶ୍ରୀଲତା ଦାସର ଓଠ ଥରେ, ତା’ର ହୃଦୟ କହେ...ଆଉ କାହିଁକି ଶ୍ୟାମ ଏ ବଂଶୀ ସ୍ୱନ ! ଏ ଦେହ ଯୌବନ ତମରି ସେବାରେ । ନା, ରାଧା କୁଳଟା, ନା କୃଷ୍ଣ ଚରିତ୍ରହୀନ...ଏହା ଏକ ଆଧ୍ୟାତ୍ମିକ ମିଳନ । ଖାଲି ଯାହା ଆମର ଅସହିଷ୍ଣୁ ମଣିଷ ତାକୁ ଗୋଟେ ଅପବାଦ ବୋଲି ପ୍ରଚାର କରେ ।

 

ସେତେବେଳେ ଡାକ୍ତର ଶର୍ମା କହନ୍ତି ତାଙ୍କ ଚିକିତ୍ସାଳୟର ପ୍ରତିଷ୍ଠା ମୂଳରେ ଥିବା ଇତିହାସ । ସେ କେତେବର୍ଷ ତଳର କଥା ମାତ୍ର । ସେ ଥିଲେ ଯୁବକ ଏବଂ ସୁରଭୀର ଉଲଗ୍ନ ଶରୀରକୁ ଅନୁଧ୍ୟାନ କରିବା ତାଙ୍କର ଥିଲା ଏକ ବ୍ୟସନ । ଗୋଟିଏ ସାମାନ୍ୟ କାରଣରୁ (ଶର୍ମାଙ୍କର ଅନ୍ୟ ସ୍ତ୍ରୀ ଆସକ୍ତି) ସୁରଭୀର ମସ୍ତିଷ୍କବିକୃତି । କିଛିଦିନର ଶାରୀରିକ ଅସୁସ୍ଥତା ପରେ ସୁରଭୀ ଆଖି ବୁଜିଦେଲା । ସମାଜରେ ଶର୍ମା ନିଜର ସମ୍ମାନ, ପ୍ରତିଷ୍ଠା ଚାହୁଁଥିଲେ । ତେଣୁ ଦେହର ଆବଶ୍ୟକତାକୁ ଚାପିଦେଇ ସେ ଦ୍ଵିତୀୟ ବିବାହର ସ୍ୱପ୍ନ ଦେଖିଲେନି । କିନ୍ତୁ ସୁରଭୀର ମୃତ୍ୟୁ ପରେ ସେ ନିଜକୁ କେମିତି ଏକ ଦୋଷୀ ଆସାମୀ ମନେ କଲେ ଆଉ ତା’ର ପ୍ରାୟଶ୍ଚିତ୍ତ ଏ ଡାକ୍ତରଖାନା ।

 

ଶର୍ମା କ୍ରମେ ଭାବପ୍ରବଣ ହେଇ ପଡ଼ନ୍ତି ଏବଂ ଶ୍ରୀଲତା ଦାସର ହାତକୁ ନିଜ ଛାତିରେ ଚାପି ଧରନ୍ତି । ସେ କହନ୍ତି–ଆଦର୍ଶ ଆଉ ଆବଶ୍ୟକତା; ଗୋଟିଏ ସମାଜ ପ୍ରତି ନକଲି ଆନୁଗତ୍ୟ ହେଲେ ଅନ୍ୟଟି ବ୍ୟକ୍ତିର ଏକାନ୍ତ ନିଜସ୍ୱ ଯନ୍ତ୍ରଣା । ମୁଁ ଏବେ କାହାକୁ ଧରିବି, କାହାକୁ ଛାଡ଼ିବି ! ଏମିତି ବରଂ ବେଶ୍...ବାହାରେ ଅଭିଜ୍ଞ ଭଦ୍ର ଡାକ୍ତର ଶର୍ମା ତମ ପାଖରେ ବୃଦ୍ଧ ପ୍ରେମିକ । ବଞ୍ଚିବାପାଇଁ ମୋର ଏ ଦ୍ୱୈତ ରୂପ ଶ୍ରୀଲତା, ଆଉ ସେପାଇଁ ଯାହା ଅନୁଶୋଚନା ।

 

ଚିକିତ୍ସାଳୟରୁ କୌଣସି ରୋଗୀର ଚିତ୍କାର ଶୁଭେ । ଶର୍ମା ପ୍ରକୃତିସ୍ଥ ହୁଅନ୍ତି । ଯାଇ ଦେଖନ୍ତି ଯୁବତୀ ନର୍ସ ପ୍ରତି ଅସଦ୍‌ବ୍ୟବହାର । ବ୍ଲାଉଜ୍ ଚିରି ଯାଇଛି, ବର୍ତ୍ତୁଳ ସ୍ତନ ଉପରେ ରାମ୍ପୁଡ଼ା ଚିହ୍ନ, ଗାଲରେ ରୋଗୀର ଦାନ୍ତକ୍ଷତ । ଶର୍ମା ସେତେବେଳେ ଯେମିତି କଳା ପୋଷାକରେ ଆଚ୍ଛାଦିତ ଜଣେ ଜଜ୍, ଖୁନ୍ କରିଥିବା ଲୋକକୁ ଫାଶୀ ଦଣ୍ଡ ଦେବା ତାଙ୍କର ଏକମାତ୍ର କର୍ତ୍ତବ୍ୟ । ରୋଗୀ ପ୍ରତି ଆଉ ଗୋଟିଏ ଇଲେକ୍‌ଟ୍ରି ସକ୍‍ର ଆଦେଶ ଦେଇ ନିଜ ଭିତରେ ମୃତ୍ୟୁଯନ୍ତ୍ରଣା ଅନୁଭବ କରନ୍ତି ଏବଂ ହସ୍‌ପିଟାଲର ଚଉଡ଼ା କରିଡ଼ରରେ ଲମ୍ବା ଷ୍ଟେପ୍ ପକାଇ ଚୁରୁଟ ଟାଣନ୍ତି । ରାତିର ନୀରବତାରେ ରୋଗୀର କରୁଣ ଚିତ୍କାର ଫେଣ୍ଟାଫେଣ୍ଟି ହେଇ ପରିବେଶଟା ଶର୍ମାଙ୍କୁ କେମିତି ଭାରି ଭାରି ମନେ ହୁଏ ।

 

ୟା’ ମଧ୍ୟରେ ସନାତନକୁ ଦୁଇଥର ସକ୍ ଦିଆଯାଇଛି । ଅଥଚ ତା’ର କିଛି ପରିବର୍ତ୍ତନ ହେଇନି ଏଯାଏଁ, ବରଂ ଦିନକୁଦିନ ପାଗଳାମି ବଢ଼ୁଛି ।

 

ସନାତନ ପାଗଳାମିର ଇତିହାସ ହୁଏତ ଡାକ୍ତର ଶର୍ମା ରେକର୍ଡ଼ କରିନାହାନ୍ତି । ସେ କେବଳ ପ୍ରିୟ-ପରିଜନଙ୍କଠାରୁ ଶୁଣିଥିବେ ତା’ର ପାଗଳାମି ଆକସ୍ମିକ । ତେଣୁ ଚିକିତ୍ସାପାଇଁ କେସ୍ ଷ୍ଟଡ଼ିର ଆବଶ୍ୟକତା ନଥିବ । କିନ୍ତୁ ଯେଉଁ ଦିନ ସାମାଜିକ ଲୋକମାନେ ସେମାନଙ୍କ ଅନୁମାନ ଠିକ୍ ବୋଲି ଶେଷ ସିଦ୍ଧାନ୍ତରେ ପହଞ୍ଚିଲେ ଏବଂ ପରେ ପରେ ଘୋଷଣା କଲେ ସନାତନର ମସ୍ତିଷ୍କବିକୃତି ଘଟିଛି ସେଦିନ ସନ୍ଧ୍ୟାରେ ସେଉଁ ଘଟନା ସବୁ ଘଟିଗଲା ତାହା ତା’ର ମାନସିକ ପ୍ରତିକ୍ରିୟାର କେତୋଟି ସୂଚନା ମାତ୍ର ।

 

ସେଦିନ ସନ୍ଧ୍ୟାରେ ପରିବାରର ଲୋକମାନେ ହଠାତ ସନାତନର ପଢ଼ାଘରେ ବହିପତ୍ର ଫିଙ୍ଗା ହେବାର ଶବ୍ଦ ଶୁଣିଲେ । ତା’ପରେ ସନାତନ ପାଟିକରି କାନ୍ଦିଲା ଯେମିତି ଚାହାଳିରେ ଲୀଳାବତୀ ସୂତ୍ର ଘୋଷି ପାରି ନ ଥିବା ଚାଟ ଅବଧାନଙ୍କ ବେତ୍ରାଘାତରେ ଚିତ୍କାର କରେ । ଏମିତି ଏକ ଆକସ୍ମିକ ଶବ୍ଦରେ ଘରର ସମସ୍ତ ସଭ୍ୟ ତଟସ୍ଥ ହୋଇ ଯାଇଥିଲେ ଏବଂ ଘଟନା କ’ଣ ଜାଣିବାପାଇଁ ତା’ ପଢ଼ାଘର ନିକଟରେ କାନ ଡେରିଥିଲେ ।

 

ସନାତନର ପାଟିଶୁଣି ପାଖ ପଡ଼ିଶାରୁ କେତେଜଣ ଭଦ୍ରଲୋକ ଆସି ପରିବାର ଲୋକଙ୍କ ସହିତ ମିଶିଗଲେ । ସମସ୍ତଙ୍କ ମନରେ ଆଶଙ୍କା ।

 

ସନାତନକୁ ଅନେକ ଡାକିବା ସତ୍ତ୍ୱେ କବାଟ ଖୋଲିବା ଦୂରର କଥା କିଛି ଉତ୍ତର ମିଳିଲା ନାହିଁ । କେବଳ ସେ କାନ୍ଦୁଥିଲା ।

 

ଶେଷରେ ବଳପ୍ରୟୋଗ ପୂର୍ବକ କବାଟ ଖୋଲା ହେବାର ବ୍ୟବସ୍ଥା ହେଲା ଏବଂ ଖୋଲା ହେଲା ମଧ୍ୟ । ସନାତନ ଏକାଥରକେ ଏତେଗୁଡ଼ିଏ ଲୋକ ଦେଖି କେମିତି ସଂକୁଚିତ ହେଇ ପଡ଼ିଲା । ମାର୍କେଟ ସାମ୍ନାରେ ଟହଲ ମାରୁଥିବା ସଂଖ୍ୟାଠାରୁ ଏମାନେ ଯେ ଅଧିକ ତାହା ନୁହେଁ, ତେବେ ସନାତନର ଚେତନାରେ ଏମାନେ ଅନ୍ୟ ଲୋକ । ତେଣୁ ସେମାନଙ୍କଠାରୁ ଆତ୍ମରକ୍ଷାର କୌଣସି ଉପାୟ ନ ଦେଖି ସନାତନ ଖଟତଳେ ପଶିଗଲା ଏବଂ ଗୋଟାଏ କୋଣରେ ଯାକିଯୁକି ହୋଇ ମାଡ଼ ଭୟରେ କାକୁସ୍ତ ବୁଢ଼ୀଟିଏ ପରି ନିଜର ଅସହାୟତା ପ୍ରକାଶ କଲା ।

 

ପରିବାରର ଲୋକଙ୍କୁ ଛାଡ଼ିଦେଲେ ଉପସ୍ଥିତ ସଜ୍ଜନଙ୍କ ପାଇଁ ଏହା ଏକ ଆକର୍ଷଣୀୟ ଦୃଶ୍ୟ । କାରଣ ସନାତନ ଦେହରେ କୌଣସି ରୋଗର ଲକ୍ଷଣ ନାହିଁ । ସେ ବଳିଷ୍ଠ, ସୁସ୍ଥ । ତେଣୁ ଜଣେ ବ୍ୟକ୍ତିର ଅସହାୟତା ଦେଖି ଅନ୍ୟମାନଙ୍କ ପକ୍ଷେ ସହାନୁଭୂତି ପ୍ରକାଶ କରିବାର ଯେଉଁ ମାନସିକ ପ୍ରସ୍ତୁତି ଦରକାର ସେଇ ମୁହୂର୍ତ୍ତରେ ସନାତନକୁ ଦେଖି ସେମାନଙ୍କର ସେ ଧାରଣା ଆସିପାରିଲା ନାହିଁ । ବରଂ ତା’ର ଏ ଅବସ୍ଥା ଦେଖି ସେମାନେ କେମିତି କୌତୁହଳି ହେଇ ଉଠିଲେ ଯଦିଓ ବାହ୍ୟ ଆଚରଣରେ କିଞ୍ଚିତ୍ ଭଦ୍ର ।

 

ତା’ପରେ ସନାତନର ବାପା ଅନ୍ୟମାନଙ୍କ ମୁହଁକୁ ଚାହିଁଲେ...କ’ଣ ଆପଣମାନେ ଭାବୁଛନ୍ତି ? ବାଉତି ଲାଗିଛି, ହିଷ୍ଟ୍ରିଆ, ନା ଆଉକିଛି...ଆଖିରେ ସେମିତି ଉତ୍ତର–ଆମକୁ କ’ଣ ଜଣା, ଆଜିକାଲି ତ ଅନେକ ରୋଗ ।

 

ଦଳ ଭିତରୁ ଜଣେ ଲୋକ ବାହାରି ଗଲେ ଯାହାଙ୍କର ମୁଣ୍ଡ ପାଲିସ୍ ଚନ୍ଦା । ସେ ଜଣେ ସାମାଜିକ ଲୋକ । ଖଟ ପାଖରେ ନଇଁପଡ଼ି ହାତରେ କଅଁଳ ଘାସରୁ କେରାଏ ଧରି ପଶୁକୁ ପ୍ରଲୋଭିତ କଲା ସ୍ଵରରେ ଡାକିଲେ ।

 

ସନାତନକୁ ଭଦ୍ରଲୋକଙ୍କ କଥା ଏମିତି ଶୁଣାଯାଉଥିଲା–ବାପା ସନାତନ ସେଠାରେ ବସନ୍ତି ନାହିଁ, ବାହାରି ଆସ । ଛି, ସୁନାଟା ପରା ଚାଲି ଆସ । ଏଇ ଦେଖୁନା ବାପା ତମପାଇଁ କେତେ ବ୍ୟସ୍ତ, କାନ୍ଦି କାନ୍ଦି ମା’ଙ୍କ ଆଖି ଫୁଲିଗଲାଣି । ଭାଇଭଉଣୀମାନେ ବୋକା ହେଇଗଲେଣି-। ଆଉ ଆମମାନଙ୍କ କଥା କ’ଣ ଅବା କହିବି...ତମ ଅବସ୍ଥା ଦେଖି ଆମକୁ ବହୁତ ହସ ମାଡ଼ୁଥିଲେବି ସାମାନ୍ୟ ସୌଜନ୍ୟବୋଧରୁ ଦେଖୁନା ଆମେ କେମିତି ସହାନୁଭୂତି ଦେଖାଉଛୁ । ବାପାଟା ପରା, ଆଉ ଏତେ ଲୋକଙ୍କୁ ହଇରାଣ ନ କରି ବାହାରି ଆସ ।

 

ସନାତନ କାନ୍ଥ ପାଖକୁ ଆହୁରି ଲାଗିଯାଉଥିଲା । ଖଟତଳେ ତାକୁ ଦେଖା ଯାଉଛି କେବଳ ଅନ୍ୟମାନଙ୍କର ଗୋଡ଼ ଦୁଇଟି ଲେଖା । ସେମାନଙ୍କ ମଧ୍ୟରୁ କେତେକ ଆଣ୍ଠୁରେ ହାତ ଭରାଦେଇ ନଇଁ ପଡ଼ିଥିଲେ ମଧ୍ୟ ।

 

କିଛି ହଟ୍ଟଗୋଳ, ଅନୁରୋଧ ବିଫଳ ହେଲା ସନାତନ ପାଖରେ । ସେ ତଥାପି ସ୍ଥିର ।

 

ଶେଷରେ ନଇଁ ପଡ଼ିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଟତଳେ ପଶିବାକୁ ଆରମ୍ଭ କଲେ । ଆତ୍ମରକ୍ଷାର ଅନ୍ୟ ଉପାୟ ନଥିଲା ସନାତନ ପାଖରେ । ଶେଷଥର ପାଇଁ ସେ ନିଜକୁ ପ୍ରସ୍ତୁତ କରିନେଇଥିଲା; ଯଦିବା ମୁକ୍ତିପାଏ ।

 

ସନାତନଠାରୁ ମଣିଷର ଶେଷ ଲକ୍ଷଣ ଟିକକ ଦୂରେଇ ଗଲା । ସେ ଗୋଟିଏ ହିଂସ୍ର ପଶୁପରି ବ୍ୟବହାର କରିବାକୁ ଲାଗିଲା । ଲୋକମାନଙ୍କ ଭିତରୁ କେହି ସେତେବେଳେ ସନାତନକୁ ଧରିବାକୁ ଯାଉଥିବା ଭଦ୍ରଲୋକଙ୍କ ଉଦ୍ଦେଶ୍ୟରେ ସତର୍କ ବାଣୀ ଶୁଣାଇଥିଲେ–ସାବଧାନ ଆଜ୍ଞା, କାମୁଡ଼ି ଦେଇପାରେ ।

 

ସନାତନ କିନ୍ତୁ କାହାକୁ କ୍ଷତାକ୍ତ କଲାନି । କାରଣ ସେ ଜାଣିଥିଲା ତା’ର ବିଶେଷ ଚେଷ୍ଟାରେବି ମୁକ୍ତି ଅସମ୍ଭବ । ତେଣୁ କିଛି ଯୁଦ୍ଧ ପରେ ସେ ଆତ୍ମସମର୍ପଣ କଲା ।

 

ସନାତନକୁ ଖଟ ଉପରେ ଶୁଆଇ ଦିଆଗଲା ପରେ ଚାରିପଟୁ ସେମାନେ ତାକୁ ଦେଖୁଥିଲେ । ସେ ଚନ୍ଦାମୁଣ୍ଡିଆ ଲୋକ ଜଣକ ତା’ ମୁହଁକୁ ଗୋଟିଏ ଲକ୍ଷ୍ୟରେ ଚାହିଁଥିଲେ । ...ମେଞ୍ଚଡ଼ ଟୋକା ଖଣ୍ଡେ, ତୋର ପୁଣି ଏତେ ଦିମାକ । ଦେଖୁଚୁ, ଦେଖୁଚୁ ଏ ମୁଣ୍ଡକୁ; ଉପରେ ଯେମିତି ପାଲିସ୍ ଭିତରେ ସେମିତି ବନ୍ଧୁର । ବାନ୍ଧିହୋଇ ଚଳିବାପାଇଁ ଏ ମୁଣ୍ଡ ଆଇନ କରିଛି । ସେ ନିୟମକୁ ତମ ଚଉଦପୁରୁଷ ମାନି ଆସିଛନ୍ତି, ତମେବି ମାନିବ...ଏହା ସତ୍ୟ ।

 

ନା...ଆ, ସନାତନ ଚିତ୍କାର କଲା । ତା’ପରେ ହାତ ମୁଠା ମୁଠା କରି ଥରିବାକୁ ଲାଗିଲା-

 

ସନାତନର ବାପା ସାମାଜିକ ଲୋକମାନଙ୍କୁ ଚାହିଁଲେ । ସେମାନେ ମତବ୍ୟକ୍ତ କଲେ–ତା’ର ମସ୍ତିଷ୍କବିକୃତି ଘଟିଛି । କୌଣସି ମାନସିକ ଚିକିତ୍ସାଳୟରେ କିଛିଦିନ ରହିଲେ ସେ ହୁଏତ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରେ; ଯେହେତୁ ରୋଗ ବେଶି ଦିନର ନୁହେଁ । ତା’ପରେ କିଛି ସାନ୍ତ୍ଵନା ଓ ସମବେଦନା ଜଣାଇ ସେମାନେ ବିଦାୟ ନେଲେ । ପରଦିନ ସକାଳେ ସନାତନକୁ ଡାକ୍ତର ଶର୍ମାଙ୍କ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଗଲା ।

 

ସନାତନ ବେଳେବେଳେ ପ୍ରଳାପ କରେ ତା’ ସାମ୍ନାକୁ ଯେଉଁମାନେ ଆସୁଛନ୍ତି ପ୍ରତ୍ୟେକଙ୍କ ହାତରେ ଗୋଟେ ଲେଖା ଧାରୁଆ ଛୁରି । ସେମାନେ ତା’ ନିକଟରେ ଠିଆ ହୋଇ ଛୁରିକୁ ଧାର କରୁଛନ୍ତି । ତାକୁ ହତ୍ୟା କରିବାପାଇଁ ଚାରିଆଡ଼େ ଏକ ବ୍ୟାପକ ଷଡ଼ଯନ୍ତ୍ର କୁଆଡ଼େ ।

 

ଅନ୍ୟ କେତେବେଳେ ସେ ତା’ ଡାଏରୀର ପୃଷ୍ଠା ଓଲଟାଏ ।

 

ଶର୍ମା ଦେଖନ୍ତି ତାଙ୍କ ଚିକିତ୍ସାଳୟରେ ଅଧିକାଂଶ ରୋଗୀ ଯୁବକ । ସେମାନେ ଯେମିତି ଗୋଟିଏ ମିଳିତ ସ୍ୱରର ଖଣ୍ଡିତ ଲହରୀ । ତାଙ୍କୁ ଚିକିତ୍ସା କରିବାକୁ ହେଲେ ସମସ୍ତ ସ୍ୱରକୁ ଚିହ୍ନିବାପାଇଁ ପଡ଼ିବ । ସେପାଇଁ ଅନେକ ସମୟରେ ସେ ଚିନ୍ତିତ ହୋଇ ପଡ଼ନ୍ତି ।

 

ସନାତନର ଆବିର୍ଭାବ ଶର୍ମାଙ୍କପାଇଁ ଗୋଟେ ନୂଆ ସମସ୍ୟା । ସେ ଯେତେ ଚେଷ୍ଟା କଲେବି କୌଣସି ଏକ ମୂଳରେ ପହଞ୍ଚି ପାରୁ ନାହାନ୍ତି । କରିଡ଼ରରେ ଟହଲ ମାରୁ ମାରୁ ଶର୍ମା ସନାତନର ରୁମ୍ ପାଖରେ ଠିଆ ହେଇଗଲେ । ଦେଖିଲେ ସନାତନ ଶୋଇ ଯାଇଛି ଏବଂ ତା’ ଡାଏରୀଟି ବିଛଣା କଡ଼ରେ ଖୋଲା ହେଇ ପଡ଼ିଛି ।

 

ପ୍ରଥମ ପୃଷ୍ଠାଟି ଦେଖି ସାରିଲା ପରେ ଡଃ. ଶର୍ମାଙ୍କର ମନେ ହେଲା ସେ ଯେମିତି କ୍ରମେ ସନାତନର ପରିବର୍ତ୍ତିତ ମାନସିକ ପ୍ରତିକ୍ରିୟାକୁ ଆବିଷ୍କାର କରିବାକୁ ଯାଉଛନ୍ତି ଓ ତାକୁ ନୂଆ କରି ଚିକିତ୍ସା କରିବାର ଏକ ସହଜ ସୂତ୍ର ପାଇଯିବେ । ସେ ଉତ୍ସାହିତ ହେଲେ ଓ ପାଟିକରି ଶ୍ରୀଲତା ଦାସଙ୍କୁ ଡାକିଲେ ।

 

ଶ୍ରୀଲତା ଦାସ ଟେବୁଲରେ ଝୁଙ୍କି ପଡ଼ିଥିଲାବେଳେ ଡାକ୍ତର ଶର୍ମା ଡାଏରୀର ପୃଷ୍ଠା ଓଲଟାଉ ଥିଲେ :

 

“ଜୀବନର କିଛି ବିଶିଷ୍ଟ ଘଟନା ଡାଏରୀରେ ରେକର୍ଡ଼ିଂ କରିବାର ଆଗ୍ରହ ମୋର ନାହିଁ । କାରଣ ଗୋଟେ ପାରମ୍ପରିକ ଜୀବନର କ’ଣଟା ବା ନୂତନତା ଅଛି । ସେଇ ଖାଇବା, ଶୋଇବା–ଯୌବନରେ ଗୋଟେ ବିବାହ ଏବଂ କିଛି ପିଲାଛୁଆ... । ତା’ପରେ କିଛିଦିନ ସାଂସାରିକ ଜୀବନ, ପୁଣି ହିପୋକ୍ରେସି...ଗୀତା, ଭଗବତ, କୋରାନ୍, ବାଇବେଲ...ଅନେକ ଜୀବନ ପରି ଗୋଟିଏ ସମ୍ପୂର୍ଣ୍ଣ ଜୀବନ । ତେଣୁ ଏପରି ଏକ ନିୟମବନ୍ଧା ଇତିହାସର ଆବଶ୍ୟକତା କ’ଣ !

 

କିନ୍ତୁ ହଠାତ ଦିନେ ମୁଁ ଦେଖିଲି ମୋ ପିଲାଦିନଗୁଡ଼ା ଅବୈଧ ସନ୍ତାନ ପରି ପରିଚୟହୀନ । ହାତରେ ଗଢ଼ିଥିବା ବାଲିଘରକୁ କେତେଜଣ ସାମାଜିକ ଲୋକ ସେମାନଙ୍କ ଜୋତା ଟୋ’ରେ କିକ୍ ମାରି ସମାନ କରି ଦେଇଛନ୍ତି ଏବଂ ମୁଁ ହେଇଯାଇଛି ଏକ ବ୍ୟକ୍ତି ସ୍ଵତନ୍ତ୍ର ପୃଥିବୀର । ଗାଁ ଲୋକଙ୍କର ପାଣିପବନ ମୋତେ ମନା, ଗାଁ ଦାଣ୍ଡର ସରକାରୀ ରାସ୍ତାରେ ଚାଲିବାକୁ ହେଲେ ମୋପାଇଁ ଅନେକ କଟକଣା ।

 

ମୁଁ ନିଜକୁ ବିଶ୍ଳେଷଣ କରେ : ସତରେ କ’ଣ ମୋର କିଛି ପରିବର୍ତ୍ତନ ହେଇଛି ! କିଛି ପାଏନା, ଅଥଚ ମୋ ପ୍ରତି ଏକ ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ । ପ୍ରଥମେ ପ୍ରଥମେ ବେଶ୍ କୌତୁହଳପୂର୍ଣ୍ଣ । ମୁଁ ଡାଏରୀ ଲେଖିବାକୁ ଠିକ୍ କଲି କିଛି ବିଶେଷ ଘଟନା ରେକର୍ଡ଼ିଂ କରିବାକୁ ନୁହେଁ, ଏହିପରି ଏକ ବ୍ୟତିକ୍ରମକୁ ଲକ୍ଷ୍ୟ କରିବାପାଇଁ ।

 

(ଡାଏରୀର ଆଉ ଏକ ଅଂଶ)

 

ଆଜି ଘରକୁ ଫେରି ଶୁଣିଲି ବାପା ମୋ ଉପରେ ଭୀଷଣ ରାଗିଛନ୍ତି ଏବଂ ପରିବାରର ଅନ୍ୟାନ୍ୟ ସଭ୍ୟମାନେ ଏକ ବିରୋଧୀ ଗୋଷ୍ଠୀର ଲୋକପରି ମୋତେ ବ୍ୟବହାର କରୁଛନ୍ତି । ବାପାଙ୍କର ରାଗିବା କାରଣ ହେଲା ମୁଁ କୁଆଡ଼େ ଆଜି ବୁଲି ବାହାରିଲାବେଳେ ଆମ ପଡ଼ୋଶୀ ରମାନାଥବାବୁଙ୍କ ଝିଅକୁ (ଯେଉଁ ଝିଅଟି ତା’ ବାପାଙ୍କ ବନ୍ଧୁ ସହିତ ଅବୈଧ ପ୍ରେମରେ ଲିପ୍ତ ରହି ଗୋଟିଏ ପାପଗର୍ଭ ନଷ୍ଟ କରିଛି ବୋଲି ଜନରବ) ଆଖି ମାରିଲି ବୋଲି ନିଜେ ରମାନାଥବାବୁ ବାପାଙ୍କ ପାଖରେ ଅଭିଯୋଗ କରିଛନ୍ତି । ବୋଉ ପୁଣି କହିଲା : ମୁଁ ଛାତ୍ର ଆନ୍ଦୋଳନରେ ଭାଗ ନେଉଛି ବୋଲି ବାପାଙ୍କ ସରକାରୀ ଚାକିରିରେ ଆଞ୍ଚ ଆସୁଛି । ଏହା ବ୍ୟତୀତ ଆହୁରି କେତେକ ଅଭିଯୋଗ; ଯେମିତି ମୁଁ କେବଳ ‘ଏଡ଼ଲ୍‌ଟସ୍ ଓନ୍‌ଲି’ ସିନେମା ଦେଖୁଛି, ରାସ୍ତାରେ ବଜାରୀଗିରୀ କରୁଛି ଏବଂ ଆମର ଅନ୍ୟ ଏକ ପଡ଼ୋଶୀ ପ୍ରାଣକୃଷ୍ଣବାବୁ (ଯେ ଅତ୍ୟଧିକ ମଦ୍ୟପାନ କରନ୍ତି ଏବଂ ପରସ୍ତ୍ରୀକୁ ନିଜର ମନେ କରନ୍ତି)ଙ୍କୁ ଦେଖିଲେ ହୁଇସିଲ୍ ମାରୁଛି ଇତ୍ୟାଦି ! ଏଭଳି କେତେକ ଅଭିଯୋଗ ସହିତ ବୋଉ ମାଧ୍ୟମରେ ସେ ସତର୍କ କରିଛନ୍ତି ମୋର ଚରିତ୍ର ଗଠନ ଏକାନ୍ତ ଆବଶ୍ୟକ । ମୋ ପଛରେ ଗୁଡ଼ାଏ ଟଙ୍କା ସେ ବେକାର ଇନ୍‌ଭେଷ୍ଟ କରୁ ନାହାନ୍ତି । ତାଙ୍କର ଅନ୍ୟ ପିଲା ଅଛନ୍ତି, ଅନେକ ଦାୟିତ୍ଵ ମଧ୍ୟ ।

 

ବୋଉ ଏତକ କହିଦେଇ ଚାଲିଗଲା, କିନ୍ତୁ ତା’ର କଥାଗୁଡ଼ାକ ମୋତେ ନୂଆ ନୂଆ ଲାଗିଲା । କ’ଣ ଗୋଟେ ଘଟୁଛି ନିଶ୍ଚୟ ।

 

ଆଜି ମୋର ଗୋଟେ କଥା ମନେ ପଡ଼ୁଛି–ଯେଉଁ ଦିନ ମୁଁ ଅନୁଭବ କଲି ମୋର ଅତୀତ ଏକ ଅବୈଧ ସନ୍ତାନ ପରି ସୁଅରେ ଭାସିଗଲା ଆଉ ମୋ ହାତଗଢ଼ା ବାଲିଘର ଅନ୍ୟମାନଙ୍କ ଜୋତା ଟୋ’ରେ ସମାନ ହେଇଗଲା ସେଇ ଦିନ ରାତିରେ ବାପାବୋଉ ହାତରେ ଗୋଟିଏ କବଚ ଦେଇଥିଲେ ମୋ ବାହୁରେ ବାନ୍ଧିଦେବାକୁ । ଏଇ ମଣିଷ ସମାଜକୁ ଗଢ଼ିଥିବା ଜଣେ ସାଧୁ କୁଆଡ଼େ ସେଇ କବଚରୁ ଗୋଟେ ଲେଖା ପ୍ରତ୍ୟେକ ବାପାଙ୍କ ହାତରେ ଦେଇ ଈଶ୍ୱରଙ୍କ ରାଣ ଦେଇଥିଲେ ସେମାନଙ୍କ ପୁଅମାନଙ୍କ ହାତରେ ବାନ୍ଧି ଦେବାକୁ । ମୁଁ କିନ୍ତୁ ସେଟାକୁ ପିନ୍ଧିବାପାଇଁ ଅସ୍ୱୀକାର କଲି । ମୁଁ କହିଥିଲି ମୋର ଏଇ ଖୋଲା ଦେହ ଭଲ, ମୋର ରଙ୍ଗ ଅନ୍ୟମାନେ ଦେଖି ପାରିବେ, ମୋର ହୃଦୟର କଥା ଅନ୍ୟମାନେ ଶୁଣିପାରିବେ । ତେଣୁ କବଚ ମୋର ଦରକାର ନାହିଁ ।

 

ମୁଁ ଲକ୍ଷ୍ୟ କଲି ବୋଉ କେମିତି ମୁହଁଟାକୁ ଭାରି ଭାରି କଲା ଆଉ ବାପା ସେଇ ଦିନଠୁ ମୋତେ ସନ୍ଦେହ କରିବାକୁ ଲାଗିଲେ ।

 

X X X

 

ବେଳେବେଳେ ମୁଁ କିଛି ବୁଝିପାରେନା; ମୋତେ କେହି ବୁଝିବାକୁ ଚେଷ୍ଟା କରୁନି କାହିଁକି-? ଅଥଚ ଅନ୍ୟମାନଙ୍କ ପ୍ରତି ମୋର ତ କିଛି ବିଦ୍ଵେଷ ନାହିଁ, ବରଂ ଅନ୍ୟକୁ ଶ୍ରଦ୍ଧା କରିବାକୁ ଚେଷ୍ଟା କରେ । ବିଲେଇ ପରି ସେମାନଙ୍କ ଦେହରେ ଘସିହେବାକୁ ଇଚ୍ଛା କରେ । କିନ୍ତୁ ସେମାନେ ମୋଠାରୁ ଏକ ନିରାପଦ ଦୂରତ୍ୱରେ ରହି ମୋତେ ଘୃଣା କରୁଛନ୍ତି । ମୁଁ କୁଆଡ଼େ ଜଣେ ଅସାମାଜିକ ଲୋକ ଯେ ସାମାଜିକତାର ଖୋଳକୁ ଲୋକଗଳ୍ପର କୌଣସି ରାଜକୁମାରୀ ପରି ନିଆଁ ଲଗେଇ ଜାଳିଦିଏ ।

 

ବେଳେବେଳେ ମୋର ଇଚ୍ଛା ହୁଏ ମୁଁ ବଡ଼ ପାଟି କରି କହିବି–ମୁଁ ଯାହା କହୁଛି ସତ କହୁଛି, ଯାହା କରୁଛି ଠିକ୍ କରୁଛି । ମୋତେ ବିଶ୍ଵାସ କର, ଛଳନାକୁ ମୁଁ ଘୃଣା କରେ ।

 

ସେମାନେ କିନ୍ତୁ ମୋର କୌଣସି କଥାକୁ ଗ୍ରହଣ କରନ୍ତି ନାହିଁ ।

 

ଆଜିକାଲି ଗୋଟେ ଅସ୍ଵାଭାବିକ ପରିବେଶରେ ବଢ଼ିଲା ପରି ମୋର ମନେ ହେଉଛି...ମୋର ସନ୍ଦେହ ହୁଏ, ମୁଁ ଯଦି ପାଗଳ ହୋଇଯାଏ, ଯଦି ମୁଁ ପାଗଳ ହେଇଯାଏ; ପାଗଳ ହେଇଯାଏ ଯଦି ମୁଁ.. !!! ଚାରିଆଡ଼େ ସେଇ ଗୋଟିଏ କଥାର ପ୍ରତିଧ୍ଵନି... ।

 

ମୁଁ ରାତିରେ ଶୋଇ ପାରିଲି ନାହିଁ ।”

 

ଡାକ୍ତର ଶର୍ମାଙ୍କ କପାଳର ରେଖାଗୁଡ଼ିକ କୁଞ୍ଚିତ ହେଇ ଯାଇଥିଲା । ଶ୍ରୀଲତା ଦାସ ଡାଏରୀର ପରବର୍ତ୍ତୀ ପୃଷ୍ଠାକୁ ଅପେକ୍ଷା କରୁଥିଲାବେଳେ ଜଣେ ନର୍ସ ଆସି ରିପୋର୍ଟ କଲା ସନାତନ ତା’ ବିଛଣାରେ ନାହିଁ ।

 

ସେଇ ମୁହୂର୍ତ୍ତରେ ସମ୍ବାଦଟା ଶର୍ମାଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । କୌଣସି ଆଶୁ ବିପଦର ଆଶଙ୍କାରେ ସାଇରନ୍ ଚିତ୍କାର କଲାପରି ଡାକ୍ତର ଶର୍ମା ଚିକିତ୍ସାଳୟର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସନାତନର ସନ୍ଧାନ କରିବାକୁ । ତା’ପରେ ଦ୍ରୁତ ପଦକ୍ଷେପରେ ଚିକିତ୍ସାଳୟର ସାମନା ଲନ୍‌କୁ ଯାଇ ସେଇ ଅନ୍ଧକାରରେ ଯେମିତି ସନାତନର ଗିତିବିଧି ଲକ୍ଷ୍ୟ କରୁଥିଲେ ।

 

ଜଣକ ପରେ ଜଣେ କର୍ମଚାରୀ ଆସି ଖବର ଦେଲେ ସନାତନର କିଛି ସନ୍ଧାନ ମିଳୁନି । ଶର୍ମା ଚିକିତ୍ସାଳୟର ଶେଷ କର୍ମଚାରୀ ଜଣକର ସମ୍ବାଦକୁ ଅପେକ୍ଷା କଲେ । କିଛି ଫଳ ହେଲାନି କିନ୍ତୁ । ସନାତନ ସେତେବେଳକୁ ହୁଏତ ଅନେକ ଦୂର ଚାଲିଯାଇଥିବ ।

 

ପରଦିନ ସକାଳେ ଅବଶ୍ୟ ଡାକ୍ତର ଶର୍ମାଙ୍କ ଚିକିତ୍ସାଳୟ ଚିରାଚରିତ ପ୍ରଥାରେ ମୁଖରିତ ହେଲା, କିନ୍ତୁ ଜଣକର ଅନୁପସ୍ଥିତି ସମସ୍ତେ ଅନୁଭବ କଲେ । ସେ ହେଲେ ଡାକ୍ତର ଶର୍ମା ନିଜେ । ତାଙ୍କ ଅଫିସ୍ କକ୍ଷରେ ଖଣ୍ଡିଏ ଅର୍ଜେଣ୍ଟ ସ୍ଲିପ୍‌ରେ ଦି’ଧାଡ଼ି ଲେଖିଦେଇ ଯାଇଥିଲେ ଯାହା ଥିଲା ଶର୍ମାଙ୍କର ଶ୍ରୀଲତା ଦାସ ପ୍ରତି ଶେଷ ଅନୁରୋଧ ।

 

“ଗୋଟାଏ କଳଙ୍କିତ ଚରିତ୍ର ନେଇ ଏପରି ପବିତ୍ର ଅନୁଷ୍ଠାନକୁ ପରିଚାଳନା କରିବାକୁ ଅଧିକାର ମୋର ନାହିଁ । ଆଜିଠାରୁ ତମେ ୟାର ପରିଚାଳିକା । ଇଲେକ୍‌ଟ୍ରି ସକ୍‌ରେ ବିଚରାମାନଙ୍କୁ ଅଧିକ ଆତଙ୍କିତ ନକରି, ପାରିଲେ ହୃଦୟ ଦେଇ ସେମାନଙ୍କର ମନ ପରିବର୍ତ୍ତନ କର ।”

Image

 

ବିବର୍ଣ୍ଣ ବଂସତ

 

...ଘରର ଅନ୍ୟାନ୍ୟ ଆଲୁଅ ସବୁ ନିଭି ଗଲାଣି, କେବଳ ଟେବୁଲ ଲ୍ୟାମ୍ପଟା ହତାଶା ଭିତରେ କ୍ଷୀଣ ଆଶା ପରି ଜଳି ରହିଛି... । ଦୁଧ ଗିଲାସ ଉପରେ ତାଜମହଲ ଛାପଥିବା ଟିଣ ଢାଙ୍କୁଣି...ଗୋଟେ ଗିଲାସ ଦୁଧ...ଭବନ୍‌ସ ଜର୍ନାଲରୁ ଗୋଟେ ଯୋଡ଼ା ପୃଷ୍ଠା...ତା’ପରେ ସାମାନ୍ୟ ବିଶ୍ରାମ, ବିଶ୍ରାମ କର୍ମକ୍ଳାନ୍ତ ଜୀବନର ଟିକେ ଆରାମପାଇଁ ।

 

ବାରିପଦାରୁ ସୁନୀତା ଆଜି ଖଣ୍ଡେ ଚିଠି ଲେଖିଛି । ଜଗମୋହନଟା ଅକାଳରେ ମରିଗଲା । ସମସ୍ତେ ତ ମରିବେ, କିଏ ଆଗରେ, କିଏ ବା ପଛରେ । ସମସ୍ତ ପ୍ରକାର ଭୁଲ୍ ଠିକ୍ ଭିତରେ ଏଟା ଗୋଟେ ମହାସତ୍ୟ । ତେବେ ଏକ ବିରାଟ୍ ସଂସାରର ଜୀବଗୁଡ଼ାକ ବିଶୃଙ୍ଖଳିତ ଥିବା ଅବସ୍ଥାରେ ଜଗମୋହନର ମୃତ୍ୟୁ ସେ ପରିବାର ପ୍ରତି ଏକ ଅଭିଶାପ ।

 

ସୁନୀତା ଏଥର ଇକୋନୋମିକସ୍‍ରେ ଏମ. ଏ. ପାସ କଲା । ଏ ଯାଏଁ ଚାକିରି ପାଇନି-। ତା’ ତଳକୁ ଆହୁରି ଚାରିପାଞ୍ଚ ଭଉଣୀ, ଭାଇଟା ନିହାତି ଛୋଟ । ପରିବାରର ପୂରା ଦାୟିତ୍ଵ ତା’ରି ଉପରେ କହିଲେ ଚଳେ ।

 

ସୁନୀତା ଅନୁରୋଧ ଜଣାଇଛି ବାରିପଦା ଯିବାକୁ । ଜଗମୋହନ ମୃତ୍ୟୁ ପରେ ସେମାନେ ସବୁ ଅସହାୟ, ଯିବାଟା ନିହାତି ଆବଶ୍ୟକ । ନ ହେଲେ କର୍ତ୍ତବ୍ୟରେ ଅବହେଳା ।

 

ନଳୀନାକ୍ଷବାବୁ ଟେବୁଲ ଲ୍ୟାମ୍ପର ସୁଇଚ୍ ପାଖକୁ ହାତ ବଢ଼ାଉ ବଢ଼ାଉ ଦୁଧ ଗିଲାସଟା ଉପରେ ଆଖି ପଡ଼ିଛି...ସଂଜର ମା’ ସେଦିନର କାମ ସାରି କେତେବେଳୁ ଶୋଇଗଲେଣି । ତାଙ୍କୁ ଦୁଧ ଗିଲାସଟା ପିଇବାକୁ ପଡ଼ିବ, ଏଟା ଗୋଟେ ଫର୍ମୁଲା...ଅଫିସ୍ ଭିତରେ ଥାକଥାକ ଫାଇଲ୍‍ରେ ‘ଏଜ୍‌ ପ୍ରପୋଜଡ଼’ ବା ‘ଏପ୍ରୁଭ୍ଡ଼’ ଲେଖି ସିଗ୍ନେଚର ଦେବା ମଧ୍ୟ ଗୋଟେ ଫର୍ମୁଲା । ସଂଜୟର ମା ବୁଢ଼ୀ ହୋଇ ଗଲେଣି । ୧୯୪୩ର ବିବାହ ଫଟୋଟା କାନ୍ଥରେ ଝୁଲୁଛି । ସେତେବେଳେ ସେ ସଂଜୟର ମା’ ନୁହନ୍ତି, ସୁଲେଖା...ତେୟାଳିଶରୁ ଅଡ଼ଷଠି, ଦୀର୍ଘ ପଚିଶବର୍ଷର ଧାରାବାହିକ ଜୀବନଯାତ୍ରା... ତା’ ଭିତରେ ସଂଜୟ, ରୀତା, ପ୍ରଶାନ୍ତଙ୍କ ପରି କେତେକ ନୂତନ ଆଗନ୍ତୁକ । ସେମାନେ ସବୁ ନଳୀନାକ୍ଷଙ୍କ ରୋମାନ୍‌ସର ଫଳ, ଅଥଚ ନୂତନର ପ୍ରତିବନ୍ଧକ । ତା’ ପାଖକୁ ଲାଗି ଏବେକାର ଆଉ ଗୋଟିଏ ଫଟୋ । ସଂଜୟ ମା’ଟା ନିହାତି ଗୋଟେ ଆଈ ମା’ ପରି ବୁଢ଼ୀ ହୋଇ ଗଲାଣି । କିନ୍ତୁ ସେ ଯେମିତି ସଂଜୟ ମା’ର ଗୋଟେ ଯୁବକ ନାତି । ସ୍ତ୍ରୀଲୋକଗୁଡ଼ା ଗୋଟେ ଯୋଡ଼େ ପିଲାର ମା’ ହେଲାପରେ ସାଧାରଣତଃ ବୁଢ଼ୀ ହୋଇଯାନ୍ତି...ପିଲାଛୁଆ ତ ଦୂରର କଥା, ଏଇମାତ୍ର ଗୋଟେ ମୁହୂର୍ତ୍ତର କଥା...ଠିକ୍ ବିବାହ ପରେ ନିହାତି ସରଳ ସୁନ୍ଦର ଝିଅଟେ ଯେମିତି ବୟସରେ କିଛି ଆଗେଇ ଯାଇଛି ପରି ମନେହୁଏ । ବୟସ ତା’ର ନିର୍ଦ୍ଦିଷ୍ଟ ମାପରେ, ଅଥଚ ବହୁତ କିଛି ପରିବର୍ତ୍ତନ ।

 

ନଳୀନାକ୍ଷ ଦୁଧ ଗିଲାସଟା ଢକଢକ କରି ପିଇ ଗଲେ, ସେଟା ଗୋଟେ କର୍ତ୍ତବ୍ୟ । ସଂଜୟର ମା’ ଶୋଇ ଗଲାଣି, ଆରପଟ ରୁମ୍‍ରୁ ଜୋର୍ ଶବ୍ଦ ହେଉଛି । ହୋପ୍‌ଲେସ୍ ସ୍ତ୍ରୀଲୋକଟା...ପାଖରେ ରହି ଦୁଧ ଗିଲାସଟା ପିଇବାପାଇଁ ଅନୁରୋଧ ଜଣାଇବା ବୋଧେ ତା’ ଜାତକରେ ନାହିଁ । ନିଶ୍ଚିତଭାବେ ବୟସ ଖସି ଯାଇଛି...ତା’ମାନେ ନୁହେଁ ସ୍ତ୍ରୀ ପୁରୁଷର ସମ୍ପର୍କଟା ମରିଯାଇଛି । ସେ ଗିଲାସଟା ଜୋର୍ କରି ଫିଙ୍ଗି ଦେଲେ । କାଚ ଗିଲାସଟା ସ୍ଵାଭାବିକ ଶବ୍ଦ କରି ଭାଙ୍ଗିଗଲା । ନଳୀନାକ୍ଷ ଚମକି ଗଲେ, ଗୋଟିଏ ଦୀର୍ଘ ନିଃଶ୍ଵାସ ।

 

ଆଜି ମାର୍କେଟ୍‌ରୁ ଫେରିଲାବେଳେ ଗୋଟେ ଦୃଶ୍ୟରେ ଖୁବ୍ ଖୁସି ହୋଇଥିଲେ ସେ । ପଞ୍ଜାବୀ ଭଦ୍ରମହିଳା ଜଣେ, ବୟସ ପ୍ରାୟ ପଇଁଚାଳିଶ । ସେ ବୋଧହୁଏ କୌଣସି ବନ୍ଧୁଙ୍କର ଝିଅ ବା ପୁଅ ବାହାଘରକୁ ଯାଉଥିଲେ । ହାତରେ ଦାମୀ ପ୍ରେଜେଣ୍ଟେସନ୍ ପ୍ୟାକେଟ୍ । ପୋଷାକପତ୍ର ତାଙ୍କର ବୟସର ଗୁରୁତ୍ଵ କମାଇ ଦେଇଥିଲା । ପାତଳା ସ୍କିଉଲେସ୍‌ ତଳୁ ବ୍ରେସିୟରଟା ଫୁଟି ଦିଶୁଥିଲା । ବକ୍ଷ ଷୋଳସତର ବର୍ଷପରି ସ୍ଫୀତ । କସ୍‌ମେଟିକ୍‌ର ଛାପ ସୁସ୍ପଷ୍ଟ...ଓଠଟା ଆଶ୍ଚର୍ଯ୍ୟଭାବେ ଗୋଲାପି । ଶାଢ଼ିର କ୍ରିଜଗୁଡ଼ିକ ଗଣିଲା ପରି । ଚାଲିଟା ଖୁବ୍ କ୍ଲାସିକାଲ୍, ଧଳା ରୁମାଲରେ ଧୀର ଛାପ ଦେଉଥିଲେ ମୁହଁ ଉପରେ । ନଳୀନାକ୍ଷ ଖୁବ୍ ଖୁସିହେଲେ, ଏ ବୟସରେ ଦେହପ୍ରତି ତାଙ୍କର ଯତ୍ନ ଦେଖି । ସେ ନିଶ୍ଚୟ ଜୀବନର ଗୁରୁତ୍ଵ ବୁଝିଛନ୍ତି । ନଳୀନାକ୍ଷ କେପଷ୍ଟେନ୍‌ରେ ନିଆଁ ଧରାଇଲେ । ସାର୍ଲକ୍‌ସ ହୋମସ୍‌ ସିରିଜ୍‌ରୁ ଖଣ୍ଡେ ହାତରେ ଥିଲା...ତାକୁବି ଟିକେ ସଜାଇ ଧରିନେଲେ...ଏଇ ସେ ଭଦ୍ରମହିଳା ଜଣକ ମାଡ଼ି ଆସୁଛନ୍ତି । ଆରେ ଧକା ହୋଇ ଯିବ ନା କ’ଣ ! ସେ ଖୁବ୍ ଅନ୍ୟମନସ୍କ । ଆସନ୍ନ ଧକାରୁ ନିଜକୁ ସମ୍ଭାଳି ନେଇ ଭଦ୍ରମହିଳା ଜଣକ ବିଦେଶୀ ଭାଷାରେ ଦୁଃଖିତ ବୋଲି କହିଲେ, ମୁହଁରେ ହସ ଥିଲା । ସମତାଳରେ ନଳୀନାକ୍ଷବି କିଛି ନାହିଁ ବୋଲି କହିଲେ । ଭଦ୍ରମହିଳା ଆଗକୁ ମାଡ଼ି ଚାଲୁଥିଲେ । ସଂଜୟର ମା’କୁ ବହୁତ ଅନୁରୋଧ କଲେ ବ୍ରେସିୟର ତ ଦୂରର କଥା ବ୍ଲାଉଜ୍ ଖଣ୍ଡକୁ ଖୁବ୍ କଷ୍ଟରେ ପିନ୍ଧିବେ । ସେଥିରେବି ତଳପଟର ବୋତାମଗୁଡ଼ାକ ପୂରା ଦିଆ ଯାଏନା । କ୍ରମାଗତ ଚାରୋଟି ପିଲାଙ୍କର ଆକ୍ରମଣଫଳରେ ସ୍ତନ ଦୁଇଟି ଦୋଳିତ...ଓଃ ଗୋଟେ ଅସହ୍ୟ ଦୃଶ୍ୟ...ହୋପ୍‌ଲେସ୍‌...!!!

 

ସେଇ ସଂଜୟର ମା ଏତେ ରାତିରେ ଶୋଇ ପଡ଼ନ୍ତେନି ଆଉ କ’ଣ ବାତ୍ସାୟନଙ୍କ କାମଶାସ୍ତ୍ରର ଚଉଷଠି ବନ୍ଧର ଚିତ୍ର ଦେଖୁଦେଖୁ ବିଛଣା ଉପରେ ପେଟେଇ ପଡ଼ି ନଳୀନାକ୍ଷଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ ।

 

ଲେଡ଼ି ଷ୍ଟେନୋଗ୍ରାଫର ମିସ୍‌ ରୋଜି...ବୟସ ନିଶ୍ଚୟ ଅଠର, କୋଡ଼ିଏ ଭିତରେ ସୀମାବଦ୍ଧ । ଆଖି ଦୁଇଟା ତା’ର ଗୋଟେ ଦୁଷ୍ଟ ପିଲାପରି ବଦମାସ । ନଳୀନାକ୍ଷ ଅଫିସ୍ ଆଓ୍ୟାର ଭିତରେ ଏଣୁତେଣୁ କାମ ଭିତରେ ବୁଡ଼ିରହନ୍ତି । ଠିକ୍ ସାଢ଼େଚାରିଟା ପରେ ଡିକ୍ଟେସନ ପାଇଁ ରୋଜିର ଆବଶ୍ୟକତା ଅନୁଭବ କରନ୍ତି । ସେ ବିଚାରୀ ବ୍ୟସ୍ତ ହୁଏ । ସାଢ଼େ ପାଞ୍ଚଟାର ପ୍ରୋଗ୍ରାମ୍ ହୁଏତ ମାଟି ହୋଇଯାଇପାରେ । କାରଣ ଏ. ଜି.ର ଯୁବକ ସିନିଅର ଆସିଷ୍ଟାଣ୍ଟ ଯେ କି ତାକୁ ବିବାହପାଇଁ ବାରମ୍ଵାର ପ୍ରତିଶ୍ରୁତି ଦେଇଛି ଭୁଲ୍ ବୁଝିପାରେ । ରୋଜି କିନ୍ତୁ କିଛି କହି ପାରେନା । ଡିକ୍ଟେସନ୍‌ ନେବାଟା ତା’ର ଧର୍ମ । ନଳୀନାକ୍ଷ ଏଣୁତେଣୁ ମେଞ୍ଚେ ଭାବିଯାନ୍ତି । ଅଫିସ୍‌ ଫାଙ୍କା, ଆକାଶରେ ଇନ୍ଦ୍ରଧନୁ ପଡ଼େ । ସେ ରୋଜିର ବ୍ୟକ୍ତିଗତ ଜୀବନକୁ ବିଶ୍ଳେଷଣ କରନ୍ତି । ରୋଜିର ଘର ଦକ୍ଷିଣରେ । ଘରେ ତା’ର ନଳୀନାକ୍ଷଙ୍କ ବୟସର ବାପା, କିନ୍ତୁ ଅକର୍ମଣ୍ୟ...ନଳୀନାକ୍ଷଙ୍କ ମନରେ ଧକା ଲାଗେ...ରୋଜିର ବାପା ତାଙ୍କ ବୟସର, ରୋଜି କିନ୍ତୁ ଖୁବ୍ ସୁନ୍ଦରୀ । ସେ ବସନ୍ତ ଋତୁକୁ ଭଲପାଏ, ବୈଶାଖରେ ନୁହେଁ, ଫାଲ୍‍ଗୁନରେ । ନଳୀନାକ୍ଷଙ୍କ ଡିକ୍ଟେସନ ବନ୍ଦ ହୁଏ । ସେ ଇଚ୍ଛା କରନ୍ତି ରୋଜିକୁ ଅଗନାଅଗନି ବନସ୍ତ ବା ବୁଢ଼ୀ ଅସୁରୁଣୀ ଗପ ଶୁଣାନ୍ତେ ଏମିତି ରାତିରାତି ଧରି...ରାସ୍ତାକଡ଼ର କୃଷ୍ଣଚୂଡ଼ା ଗଛରେ ବହୁତ ନାଲି ଫୁଲ...ଆକାଶରେ ଜହ୍ନ ଆସିଛି, ସଂଜୟର ମା’ କିନ୍ତୁ ଶୋଇପଡ଼େ ରାତିର ପ୍ରଥମ ପ୍ରହରରେ... ।

 

ଆଜି ସୁନୀତାର ଚିଠି ପାଇଲା ପରେ ନଳୀନାକ୍ଷ ରୋଜିକୁ ଖୁବ୍ ଖୋଜିଥିଲେ । ରୋଜି ଛୁଟିରେ...ଅଫିସ୍ ଭିତରେ ପ୍ରାଧାନ ଆଲୋଚନାର ବସ୍ତୁହେଲା ସାହେବ ଷ୍ଟେନୋଙ୍କ ଛଡ଼ା ଦିନଟେ ଚଳି ପାରୁ ନାହାନ୍ତି । ଆଉ ଗୋଟେ କିଏ ଶୁଣାଇ ଶୁଣାଇ କହିଲାଣି–ଆହେ ଷ୍ଟେନୋଗ୍ରାଫର ନୁହେଁହୋ...ରୋଜି ରୋଜି, ଚନ୍ଦାମୁଣ୍ଡରେ ପୁଣି ବାଳ କଞ୍ଚେଇବ । ନଳୀନାକ୍ଷ ଦାନ୍ତ ରଗଡ଼ନ୍ତି, କୁକୁରଗୁଡ଼ା ପଛରେ ଭୁକିବା ଗୋଟେ ପ୍ରକାର ସଉକ । ସେ ନିଜେ ଏନ୍‌ଗେଜମେଣ୍ଟ ଦେଖିଲେ, ଆସନ୍ତା କାଲି କିଛି ପ୍ରୋଗ୍ରାମ୍ ନାହିଁ । ନିଶ୍ଚୟ ବାରିପଦା ଟୁର । ସୁନୀତା ତାଙ୍କୁ ଅନୁରୋଧ ଜଣାଉଛି ବାରିପଦା ଯିବାକୁ ।

 

ଶୋଇବା ପୂର୍ବରୁ ନଳୀନାକ୍ଷ ପୁଣିଥରେ ସୁନୀତାର ଚିଠି ଖୋଲିଲେ । ସୁନୀତା ଲେଖିଛି–ବାପା ମରିଗଲା ପରେ ଆପଣଙ୍କ ପ୍ରତି ମୋର ଅନେକ ଭରସା ଥିଲା...କିନ୍ତୁ ଏଯାଏଁ ଆପଣ ତ ଥରେ ଆସି ଆମ କଥା ବୁଝିଗଲେନି... I ସୁନୀତା ବିଚାରୀ ! କେତେ କ୍ଷତବିକ୍ଷତ କରିଛି ଆପଣାକୁ । ଏ ସୁନୀତା ସେତେବେଳେ ହାଇସ୍କୁଲ ଛାତ୍ରୀ ।

 

ବାପାଙ୍କର ଇଚ୍ଛା ମେଟ୍ରିକ୍ ପାସ୍ ପରେ ଝିଅମାନଙ୍କର ବିବାହ କରିଦେବା ଉଚିତ । ମେଟ୍ରିକ୍‍ରେ ଶିକ୍ଷା ସମାପ୍ତି ଘଟିବ । ନଳୀନାକ୍ଷ ଖୁବ୍ ପ୍ରତିବାଦ କରିଥିଲେ…ତାଙ୍କ କଥାରେ । ଏଇବେଳୁ ତା’ ମୁଣ୍ଡରେ ବିବାହ କଥା ପୂରାଇବା ଠିକ୍ ନୁହେଁ । ଆଜିକାଲି ପୁଅ, ଝିଅ ସମାନ, ପାଠ ପଢ଼ନ୍ତୁ...ସୁନୀତା ପୁଅଟେ ହୋଇଥିଲେବି ବହୁତ ପାଠ ପଢ଼ନ୍ତା ସୁତରାଂ ସେ ପଢ଼ିବ । ଜଗମୋହନ ନଳୀନାକ୍ଷର କଥା କାଟି ପାରି ନଥିଲେ । ସୁନୀତା ଉଚ୍ଚ ଶିକ୍ଷା ପାଇବ, ତା’ ତଳକୁ ଆଉ ଯେତେବି-। ଜଗମୋହନ ଟିକେ ବାହାରକୁ ଗଲେ, ଡ୍ରଇଂ ରୁମରେ ବସିରହିଥିଲେ ନଳୀନାକ୍ଷ । ହଠାତ ସୁନୀତା କୁଆଡ଼େ ଥିଲା ଦଉଡ଼ି ଆସି ତାଙ୍କ ବେକରେ ଲୋଟିଗଲା...ମଉସା ତମେ ଖୁବ୍ ଭଲ, ବାପାଙ୍କର ସବୁବେଳେ ଖାଲି ବାହାଘର ଚିନ୍ତା । ସେତେବେଳେ ନଳୀନାକ୍ଷ ଆତ୍ମସନ୍ତୋଷରେ ହସିଥିଲେ । ସୁନୀତାର ଆମ୍ବଫାଳ ପରି ପୂରିଲା ଗାଲରେ ଛୋଟ ଚାପୁଡ଼ା ମାରି କହିଥିଲେ–ତୁ ନିଶ୍ଚୟ ପଢ଼ିବୁ । ସୁନୀତା ଏଣୁତେଣୁ ଗୁଡ଼ାଏ ପ୍ରଗ୍‍ଳଭଙ୍କ ପରି ଗପୁଥିଲା, ନଳୀନାକ୍ଷ ଖୁସି ହେଉଥିଲେ... I

 

ରୋଜି ଗୋଟେ ଚରିତ୍ରହୀନା । କୌଣସି ଝିଅର ଚରିତ୍ର ଉପରେ ଆଲୋଚନା ହେଲେ ନଳୀନାକ୍ଷ ଖୁବ୍ ରାଗନ୍ତି । ତାଙ୍କ ମତରେ ଚରିତ୍ରଟା ଷ୍ଟେନ୍‍ଲେସ । କାମନାରେ ଚରିତ୍ରର ରୂପ । ରୋଜି କେବେ ଶାଢ଼ି ପିନ୍ଧେନା । ଚିପା ଡ୍ରେସ୍‌ଟା ତାକୁ ଖୁବ୍ ମାନେ ଗୋଟେ ମଡ଼େଲ ପରି...ମନ ଭିତରେ ତା’ର ମସୃଣ ଜାନୁ, ଉନ୍ନତ ବକ୍ଷ ଭାବିବାକୁ ତାଙ୍କୁ ସୁଖ ଲାଗେ । ଗାଁ ନଈ ପଠାରେ ଏବେ କାଶତଣ୍ଡି ଫୁଟିବଣି । ସନ୍ଧ୍ୟା ଶୀତରେ ନୂଆ ପବନ ଖୁବ୍ ଭଲ ଲାଗୁଥିବ ।

 

ନଳୀନାକ୍ଷଙ୍କ ବଡ଼ପୁଅ ସଂଜୟ ସୁନୀତାର ଦୁଇବର୍ଷ ଜୁନିୟର ! ସେ କେତେବେଳେ କେମିତି କହେ ସୁନୀତା ଗୋଟେ ଚରିତ୍ରହୀନା । ତା’ର ବହୁତ ବୟ ଫ୍ରେଣ୍ଡ, ସେ ପାର୍ଟି ପିକ୍‍ନିକ୍ ଏଟେଣ୍ଡ କରେ । ଘରେ ତା’ର ଅବାଧ ସ୍ଵାଧୀନତା । ଭଲ ପଢ଼େନି ମଧ୍ୟ । ଜଗମୋହନ ମୃତ୍ୟୁ ପରେ ସେ ଆଉ ଟିକିଏ ଫ୍ରି ହୋଇଥିବ । ସେ ନିଶ୍ଚୟ ବର୍ତ୍ତମାନ ଚାହୁଁଥିବ ଗୋଟେ ଚାକିରି । ଘରର ଭରଣପୋଷଣ ପାଇଁ ସେ ନିଶ୍ଚୟ ଆବଶ୍ୟକ କରୁଥିବ କିଛି ଟଙ୍କା । ଜଗମୋହନ ଯଦିଓ ଗୋଟେ ଭଲ ଓକିଲ ଥିଲା ତେବେ ତା’ର କୌଣସି ବ୍ୟାଙ୍କ୍ ବାଲାନ୍‌ସ ନାହିଁ ବୋଲି ନଳୀନାକ୍ଷ ନିଶ୍ଚିତ । ସୁନୀତା ଏଥର ଏମ୍.ଏ. ପାସ କଲା । ଆଜିକାଲି ଅଧ୍ୟାପିକା ଚାକିରି ଅଭାବ । ନଳୀନାକ୍ଷ ସୁନୀତାର ଚିଠି ଖଣ୍ଡକ ଆମୂଳଚୂଳ ପଢ଼ିବାକୁ ଚେଷ୍ଟା କରୁଥିଲେ ।

 

ବହୁତ ରାତି ହୋଇଯାଇଥିଲା...ସମସ୍ତ ଘର ସୁପ୍ତ । ବାହାରେ ଅଖଣ୍ଡ ନୀରବତା, ରାତିର ମାୟା...ବିଭିନ୍ନ କୀଟ ପତଙ୍ଗର ଶବ୍ଦ । ପବନ ଅଛି, ଆକାଶରେ ଜହ୍ନ । ସଂଜୟର ମା’ ଶୋଇ ଗଲାଣି...ରୋଜି କାହା ସହିତ ସେକେଣ୍ଡ ସୋ ସିନେମା ଯାଇଥିବ, ଆଉ ସୁନୀତା ଅପେକ୍ଷା କରିଥିବ ନଳୀନାକ୍ଷଙ୍କ ଉତ୍ତରକୁ... I

 

ନଳୀନାକ୍ଷ ଟେବୁଲ ଲ୍ୟାମ୍ପର ସୁଇଚ୍ ଟିପିଲେ । ଦେହରେ ଉତ୍ତାପ...ଶୀତବି ହେଉଛି । ଅନ୍ଧକାରର ଆତ୍ମା ଅଛି, ଦେଖି ହୁଏନା, ଉପଲବ୍‍ଧି କରି ହୁଏ । ସଂଜୟ ମା’ର ଘୁଙ୍ଗୁଡ଼ି ଆହୁରି ସ୍ପଷ୍ଟ ହେଲାଣି । ବିଚାରୀଟା ବହୁତ ଥର ତୁଳସୀ ମାଳଟେପାଇଁ ଜିଗର କଲାଣି...ଆଖିରେ ମୋଟା କାଚର ଚଶମା ଦେଇ ଲକ୍ଷ୍ମୀ ସହସ୍ର ନାମ ପଢ଼େ । ପେଟଟା ତା’ର କ୍ରମାଗତ ଶଙ୍କୁଚନ ପ୍ରସାରଣଫଳରେ ଏବେ ଲୋଳିତ । ଜଙ୍ଘ ଦୁଇଟାର ବ୍ୟବଧାନ ଖୁବ୍ ବେଶି ହୋଇଗଲାଣି ବେଙ୍ଗର ପଛ ଫଡ଼ିଆ ଦୁଇଟି ପରି...ଆଗ ଦାନ୍ତ ଅଭାବରେ ପାନପିକ ବୋହିଆସେ ଓଠ ତଳକୁ...ଇସ, ସଂଜୟ ମା’ର ଦେହଟା କେଡ଼େ ବୀଭତ୍ସ... !!!

 

X X X

 

ନଳୀନାକ୍ଷ ନିଜେ ଡ୍ରାଇଭିଂ କରୁଛନ୍ତି । ଆଉ ପାଞ୍ଚ ସାତ ମିନିଟର ବାଟ । ସୁନୀତା ତାଙ୍କୁ ଦେଖିଲେ ନିଶ୍ଚୟ ଖୁସି ହୋଇଯିବ । ଆଉ ତା’ର ମା...ବିଚାରୀ ଧଳା ଶାଢ଼ିଟେ ପିନ୍ଧି ନିଶ୍ଚୟ ବହୁତ କାନ୍ଦିବେ । କାନ୍ଦି ବା ଆଉ ଲାଭ କ’ଣ । ଗଲା ପୁଅ ଆଉ ବାହୁଡ଼ି ଆସିବନି । ସଂସାରଟା ତ ଗୋଟେ ମହାନାଟକ...ସେଥିରେ କାହା ଭୂମିକା କ୍ଷୁଦ୍ର ଆଉବା କାହାର ଟିକେ ବେଶି...ତେବେ ବହୁତ ଧକା ପାଇଥିବେ ସେ । ନଳୀନାକ୍ଷ ସାନ୍ତ୍ୱନା ଦେବେ, ସୁନୀତା ଏ ଘରର ବଡ଼ ଝିଅ । ସୁନୀତାର ସମସ୍ତ ସୁବିଧା ସେ ନିଶ୍ଚୟ କରିଦେବେ ଜଗମୋହନର ଅନ୍ତରଙ୍ଗ ବନ୍ଧୁ ହିସାବରେ ।

 

ନଳୀନାକ୍ଷ ହଠାତ ଗାଡ଼ିରେ ବ୍ରେକ୍ ଦେଲେ, ସେ କ’ଣ ରାସ୍ତା ଭୁଲିଗଲେ । ନା ଏଇଟା ନିଶ୍ଚୟ । ଏଇତ ସେ ଆଗ ଦି’ମହଲା ବିଲ୍‌ଡ଼ିଂଟା ସେ ପଞ୍ଜାବୀ କଣ୍ଟ୍ରାକ୍‌ଟରର । ଆଉ ଟିକେ ଡାହାଣକୁ ଭାଙ୍ଗିଗଲେ ଜଗମୋହନର ଚାଳ ଘରଟା । ଜଗମୋହନଟା ନିହାତି ଅପଦାର୍ଥ । ଏମିତି ଏକ ନାମଜାଦା ଓକିଲ ହୋଇ ମଧ୍ୟ ଖଣ୍ଡେ ଭଲ ଘର କରିପାରିଲା ନାହିଁ । ସେ ରାସ୍ତାଟା ଭୁଲି ଯାଉଥିଲେ କାରଣ ଅତ୍ୟଧିକ ଅନ୍ୟମନସ୍କ ।

 

ଏଇତ ବୋଧହୁଏ ଜଗମୋହନର ସ୍ତ୍ରୀ ଠିଆ ହୋଇଛନ୍ତି । ତାଙ୍କୁତ ଚିହ୍ନି ହେଉନି, ଠିକ୍ ଗୋଟେ ପାଗଳୀପରି । ଗାଡ଼ି ବ୍ରେକ୍ ଦେଇ ଭିତରୁ ବଡ଼ ପାଟିରେ ନମସ୍କାର ଜଣାଇଲେ । ଆରେ, ସେ କ’ଣ କିଛି ନ କହି ଭିତରକୁ ଚାଲିଗଲେ, ଚିହ୍ନି ପାରିଲେନି ବୋଧେ । ନଳୀନାକ୍ଷ ଷ୍ଟାର୍ଟ ବନ୍ଦକରି ଗାଡ଼ିରୁ ଓହ୍ଲାଉଛନ୍ତି ସୁନୀତା ଘରୁ ବାହାରି ଆସିଲା । ନଳୀନାକ୍ଷଙ୍କୁ ଦେଖି ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ବୋଧେ, ପରେ କିନ୍ତୁ ପ୍ରକୃତିସ୍ଥ ହୋଇ ନଳୀନାକ୍ଷକୁ ନମସ୍କାର କଲା । ସୁନୀତା ସମୁଦ୍ର ପରି ଗମ୍ଭୀର । ନିହାତ ସ୍ୱାଭାବିକ । ଜଗମୋହନର ମୃତ୍ୟୁ ପରେ ଘରର ସମସ୍ତ ଦାୟିତ୍ୱ ତା’ରି ଉପରେ….. ।

 

ସୁନୀତା କିଛି କହୁନି । ଆଖିରେ ଆଷାଢ଼ର ବାରି । ନିଜେ ନିଜେ କୈଫିଅତ୍ ଦେବାରେ ବ୍ୟସ୍ତ । ବହୁତ ଦିନରୁ ଆସିବାଟା ଗୋଟେ କର୍ତ୍ତବ୍ୟ ମନେ କରିଥିଲେ ମଧ୍ୟ ବିଭିନ୍ନ ଧନ୍ଦା ଭିତରେ ଆସିବାଟା ସମ୍ଭବ ହୋଇନି । ତାଙ୍କର ବହୁତ ସହାନୁଭୂତି ତଥା ଆନ୍ତରିକତା ଅଛି ବୋଲି ସେ ସୁନୀତାର ପିଠିରେ ହାତ ବୁଲାଇ ବୁଲାଇ କହିବାରେ ଲାଗିଛନ୍ତି । ଚା’ ପାନ ପରେ ସୁନୀତା ତା’ର ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଅଳ୍ପ କଥାବାର୍ତ୍ତା ଭିତରେ ସେ ବୁଝିଲା ନିକଟରେ ମଉସାଙ୍କର ଗୋଟେ ଟୁର୍ ଅଛି । ସେ ଆଜି ତାଙ୍କ ଘରେ ଅବସ୍ଥାନ କରିବେ । ନଳୀନାକ୍ଷଙ୍କ ଅନୁରୋଧରେ ସୁନୀତା ବାହାରିଛି... । ଘରେ କାହାରି ଆପତ୍ତି ନଥିଲା, ଦୁଇଘଣ୍ଟା ପରେ ଫେରିବ ସେ । ତା’ ଛଡ଼ା ନିଜର ନ ହେଲେବି ସୁନୀତାକୁ ନିଜର ଝିଅ ପରି ମନେକରନ୍ତି ନଳୀନାକ୍ଷ ।

 

ନଳୀନାକ୍ଷ ଡ୍ରାଇଭିଂ କରୁଥିଲେ । ଆକାଶରେ ସାମାନ୍ୟ କଳାମେଘ । ବାଁ କଡ଼ରେ ସୁନୀତା, ଖୁବ୍ ଗମ୍ଭୀର । କାରର ସ୍ପିଡ଼୍ ସ୍ୱାଭାବିକ । ନଳୀନାକ୍ଷ ମଝିରେ ଏଣୁତେଣୁ ପଦେଅଧେ ପଚାରୁଥିଲେ । ସୁନୀତାର ଉତ୍ତର ଖୁବ୍ ସଂକ୍ଷିପ୍ତ । ନଳୀନାକ୍ଷ ପ୍ରତିଶ୍ରୁତି ଦେଉଛନ୍ତି ସେ ନିଶ୍ଚୟ ଜଗମୋହନର ବନ୍ଧୁ ହିସାବରେ ତାଙ୍କର କର୍ତ୍ତବ୍ୟ କରିବେ ।

 

ସୁନୀତା ଜାଣି ନଥିଲା ନଳୀନାକ୍ଷଙ୍କ ଟୁର୍‌ର ସ୍ଥାନ । ନଳୀନାକ୍ଷ ଧୀରେ ଧୀରେ ନିଜର ବାଁ ହାତଟା ସୁନୀତାର କାନ୍ଧ ଉପରେ ରଖି ନିଜ ଆଡ଼କୁ ସାମାନ୍ୟ ଟାଣୁଛନ୍ତି । ସୁନୀତାର ଦେହରେ କମ୍ପନ ନଥିଲା । ତା’ର ମନେ ହେଉଥିଲା ଜଗମୋହନ ମରି ନାହାନ୍ତି···ନଳୀନାକ୍ଷ ଜଗମୋହନ । ଅନେକ ସନ୍ଧ୍ୟାରେ ସହରର ଉପକଣ୍ଠରେ ଝିଅ କାନ୍ଧରେ ହାତ ରଖି ବୁଲିଲା ପରି ନଳୀନାକ୍ଷର ହାତଟା ସୁନୀତାର କାନ୍ଧ ଉପରେ ପଡ଼ିଛି । କ୍ରମେ ତାଙ୍କ କଣ୍ଠରୁ କଥା ସରି ଆସୁଛି ।

 

କଳାମେଘ ଆକାଶର ବହୁତ ଅଂଶ ମାଡ଼ିଗଲାଣି । ଝଡ଼ର ସୂଚନା, ନଳୀନାକ୍ଷ ଡାହାଣ ହାତଟା ଷ୍ଟିଅରିଂ ଉପରେ ଥୋଇ ଆଗକୁ ଚାହିଁଛନ୍ତି । ଆଖିର ଡୋଳା ଦୁଇଟି ସ୍ଥିର···ଝଡ଼ ଆସୁଛି !!! ବାଁ ହାତର ଆଙ୍ଗୁଳିଗୁଡ଼ାକ ସୁନୀତାର ଚୂର୍ଣ୍ଣକୁନ୍ତଳ ଗୁଡ଼ାଇବାରେ ବ୍ୟସ୍ତ । ଝଡ଼ ଆସିଛି ଖୁବ୍ ଶବ୍ଦ । ନଳୀନାକ୍ଷର ହାତ ସୁନୀତାର ସ୍ଫୀତ ବକ୍ଷ ଉପରକୁ ଖସିଛି । ସେ ବ୍ଲାଉଜ୍‍ର ଫାଙ୍କ ଦେଇ ସୁନୀତାର ବର୍ତ୍ତୁଳ ସ୍ତନ ଉପରେ ଆଙ୍ଗୁଳି ଟିପା ମାରୁଥିଲେ । ନିଜର ମୁହଁକୁ ସୁନୀତାର ମସୃଣ ଗାଲ ଉପରେ ଘସୁଥିଲେ । ଆଗରେ ନେସନାଲ ହାଇୱେ । ପାଖକୁ ଲାଗି ଏଲ୍. ଆଇ. ସି. କଲୋନୀ । ଗାଡ଼ିରେ ବ୍ରେକ୍ ଦେଲେ, ସ୍ଥାନଟା ନିର୍ଜନ । ଝାଉଁ ବଣରେ ତୋଫାନ ଆସୁଛି । ସେ ସୁନୀତାକୁ ଅନୁରୋଧ ଜଣାଇଲେ ଏଇଠି ରହି ତୋଫାନ ସହିନେବା ପାଇଁ । ଏ ଯାଏଁ ସୁନୀତା ସ୍ଥାଣୁହୋଇ ବସିଥିଲା । ସେ କିଛି ଭାବି ପାରିଲାନି ମଉସା କ’ଣ ଚାହୁଁଛନ୍ତି । ସୁନୀତା ଚାହିଁଛି...ଦେହଟା ତା’ର ଖୁବ୍ ଥରୁଛି । ନଳୀନାକ୍ଷ ଜୋର୍‍ରେ କହିପାରୁ ନଥିଲା । ଓଠ ଦୁଇଟି ତାଙ୍କର ଥରି ଉଠୁଛି । ସୁନୀତା ଉପଲବ୍‌ଧି କରିପାରୁଥିଲା ତାଙ୍କର ଉତ୍ତପ୍ତ ନିଃଶ୍ଵାସପ୍ରଶ୍ୱାସ । କ୍ରମେ ନଳୀନାକ୍ଷଙ୍କର ଦୁଇଟି ହାତ ସୁନୀତା ଆଡ଼କୁ ପ୍ରସାରିତ ହୋଇ ଯାଉଛି । ସେ ଚିତ୍କାର କଲା...ନଳୀନାକ୍ଷ ଚାପା ଗଳାରେ କହୁଥିଲେ–ଭୟ କରନି ସୁନୀତା, ଝଡ଼ ଏମିତି ଆସେ, ଆସିବ । ଏ ବି ଚାଲିଯିବ...ତୋର ଚାକିରି ଦରକାର । ଟଙ୍କା ଦରକାର...ତୁ ସୁନ୍ଦର, ତୋର କିଛି ଅଭାବ ରହିବନି ସୁନୀତା । ବାହାରେ ମଟର ଦେହରେ ତୋଫାନ ଧକା ଖାଉଥିଲା । ସେ ସୁନୀତାକୁ ଉଲଗ୍ନ କରିବାକୁ ଚେଷ୍ଟା କରୁଥିଲେ...ସୁନୀତାର ଜାନୁଦୁଇଟା ଗୋଲ, ମାଂସଳ ଏବଂ ଲାଲ... । ସୁନୀତା ଯଥାସମ୍ଭବ ନିଜକୁ ସଞ୍ଜତ କରିବାକୁ ଚେଷ୍ଟା କରୁଥିଲା । ନଳୀନାକ୍ଷ ହଠାତ ଦେଖିଲେ ସୁନୀତା’ର ରୂପ ପ୍ରଳୟଙ୍କରୀ...ଭୟଙ୍କର । ସେ ଚିତ୍କାର କରି ଉଠିଲେ !!!

 

ନିଦ ଭାଙ୍ଗିଗଲା ପରେ ନଳୀନାକ୍ଷ ଦେଖିଲେ ସେ ଅସହାୟଭାବେ ବିଛଣାରେ ଗଡ଼ୁଛନ୍ତି-। ଦେହଟା ଥରୁଛି, ଖୁବ୍ ଝାଳ । ଟେବୁଲ ଲ୍ୟାମ୍ପର ସୁଇଚ୍ ଟିପିଲେ । କାନ୍ଥରେ ତାଙ୍କର ଯୁବକ ଅବସ୍ଥାର ଫଟୋ, ସଂଜୟ ମା ସହିତ ଚାରୋଟି ପିଲାର ବାପା ହେବାପରର ଫଟୋ-। ସବୁ ଫଟୋରେ ତାଙ୍କ ପ୍ରତି ଦୃଷ୍ଟି । ସେ ଫଟୋଗୁଡ଼ିକ ଆଗରେ ତାଙ୍କର ପାଣିଭିଜା ମୂଷା ପରି ଅସହାୟ ବ୍ୟକ୍ତିତ୍ଵ ଯାକିଯୁକି ହୋଇ ବସିଛି । ଆର ଘରେ ସଂଜୟର ମା’ ନିଘୋଡ଼ ନିଦରେ-। ସେ ପୁଣି ଲାଇଟ୍ ଅଫ୍ କରି ମୁହଁ ଘୋଡ଼ାଇ ଶୋଇଗଲେ...ଦେହରେ ଖୁବ୍ ତାତି !!!

Image

 

ବୁଦ୍ଧଂ ଶରଣମ୍

 

ଦଶଟା ରାତିର ପ୍ଲାଟଫର୍ମ । ସେ ଦିନ ସନ୍ଧ୍ୟାରେ ବେଶ୍ କିଛି ଅସରାଏ ମେଘ ବରଷିଥିଲା । ନୂଆ ମେଘ, ସ୍ଵତନ୍ତ୍ର ବାସ୍ନା । ଆକାଶରେ ଆଉ କିଛି ମେଘ ଥିଲା...ସେଗୁଡ଼ା ଝୁଲି ରହିଥିଲା ଗୋଟେ ସଦ୍ୟସ୍ନାତା ଋତୁସ୍ରବା ନାରୀର ଖୋଲା କେଶରାଶି ପରି ।

 

ଏ ମେଘ ଯେଉଁ କେତେଜଣଙ୍କ ମନରେ ରଙ୍ଗ ଲେସିଥିଲା ସେମାନେ ହେଲେ ମୋର ବନ୍ଧୁ ସମାଜ । ଆକସ୍ମିକ ମଡ଼ାର ଗନ୍ଧ ପାଇ ଗୁଧ୍ର ପଲ ପରି ସେମାନେ ସେଇ ସନ୍ଧ୍ୟା ଅବସରରେ ମୋ କ୍ୱାଟର ସାମନାରେ ପଟୁଆର କରିଥିଲେ । ଫୁଲବିହୀନ ସହରରେ ଦେହର ଉତ୍ତାପପାଇଁ ଓ୍ୟାଇନ୍ କର୍ଣ୍ଣରର ଆବଶ୍ୟକତା ଉପରେ ସେମାନଙ୍କର ଆଲୋଚନା ଚାଲିଥିଲା । ମୋ ମନରେବି ଟିକେ ସେଇ ପ୍ରକାର ନିଶା ଥିଲା, ତେବେ ଏକା ସମୟରେ ସାମାଜିକ ଜୀବ ହିସାବରେ ଭଲମନ୍ଦ ବିଚାରର ଭୟବି ଥିଲା । ତେଣୁ ସେମାନଙ୍କର ଉପସ୍ଥିତି ମୋତେ ବିଶେଷ ଉତ୍ସାହ ଦେଲା । ମିଳିତଭାବେ ଦୋଷ ବାଣ୍ଟିନେବାକୁ ମୁଁ ଭଲ ମନେ କଲି... ।

 

ଦୀର୍ଘ ଦୁଇଘଣ୍ଟାର ବ୍ୟବଧାନ ଭିତରେ ଦୁଇଚାରି ଆଉନ୍‌ସ ଫରେନ ଲିକର ସହିତ କେତେଟା କେପଷ୍ଟେନ୍ ଶେଷ କରି ସାରିଲା ପରେ ମୁଁ କେମିତି ନିଜକୁ ସାହେବୀ ବୋଧ କରୁଥିଲି-। ମୋର ବନ୍ଧୁଗୁଡ଼ିକ ମଧ୍ୟ ଅନୁରୂପ କାଇଦାରେ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ-। ଆମେ ଆସ୍ତେ ଆସ୍ତେ ମନଦେଇ ଓ୍ୟାଇନ୍ କର୍ଣ୍ଣରରୁ ବାହାରି ଆସିଲୁ । ସେତେବେଳେ ରାସ୍ତାକଡ଼ର ନିଅନ ଲାଇଟ୍‍ଗୁଡ଼ିକ ଆମ ଆଖିରେ ଅନ୍ୟ ରଙ୍ଗର । ମେଘ ଆକାଶରେ ଅସ୍ପଷ୍ଟ ଜହ୍ନ ବାରି ହେଉଥିଲା-। ଆମେ ଆଗକୁ ଝୁଙ୍କି ଝୁଙ୍କି ଚାଲୁଥିଲୁ । ମୋର ମନେ ହେଉଥିଲା ମୁଁ ଗୋଟେ ଭିନ୍ନେ ପୃଥିବୀର ନୂତନ ଶାସକ । ଆଉ ଯେଉଁମାନେ ମୋ କଥା ଉପରେ ହଁ ହାଁ ମାରି ଅବାସ୍ତବ କଥାରୁ ଗୁଡ଼ିଏ କହୁଥିଲେ, ସେମାନେ ସବୁ ମୋର ଅନୁଚରବର୍ଗ । ହାୟ, ମୋର ଅନୁଚରମାନଙ୍କର ଦୁର୍ବଳ ବ୍ୟକ୍ତିତ୍ଵ-! ସେମାନଙ୍କ କାନ୍ଧ ଉପରେ ଗୋଡ଼ ରଖି ମୁଁ ସେମାନଙ୍କର ନୂତନ ଶାସକ ।

 

ମୁଁ ହଠାତ ପ୍ରସ୍ତାବ ଦେଲି, ଏମିତି ଏକ ମୁଡ଼ରେ ଘରକୁ ନ ଫେରି ରେଲ୍‍ୱେ ପ୍ଲାଟଫର୍ମର ସେ ଅନ୍ଧାରିଆ କୋଣରେ କିଛି ସମୟ କାଟିବା । ମୋର ବନ୍ଧୁମାନେ “ବିଉଟିଫୁଲ ଆଇଡ଼ିଆ” ବୋଲି କୋରସ୍ ସୃଷ୍ଟି କଲେ । ମୁଁ ଆଉ ଟିକେ ଆଗକୁ ଝୁଙ୍କିପଡ଼ି ଚାଲିବାକୁ ଚେଷ୍ଟା କଲି । ତା’ପରେ ହାତ ତାଳିରେ ଇଶାରା ଦେଲି ମୋର ଆଉ ଗୋଟେ ସିଗ୍ରେଟ ଦରକାର… ।

 

ସେତେବେଳେ ରାତି ଦଶ । ନିକଟରେ ଟ୍ରେନ୍ ନଥିଲା । ଯାତ୍ରୀମାନେ ଶୋଇ ଯାଇଥିଲେ, ନାଇଟ୍ ପେଟ୍ରୋଲିଂର ଘୁମନ୍ତ କନେଷ୍ଟବଲ ପରି ଆମେ କେତେଜଣ ପ୍ଲାଟଫର୍ମରେ ଚାଲୁଥିଲୁ । ଆଗରେ ଆମର ଏକାନ୍ତ ନିଜସ୍ୱ କାମନା ପରି ସିଗନାଲ ପୋଷ୍ଟର ଲାଲ ଆଲୋକଗୁଡ଼ା ଦପଦପ କରୁଥିଲେ । ପ୍ଲାଟଫର୍ମର ଲୁହା ଖୁଣ୍ଟିରେ କେତେ ସବୁ ପୋଷ୍ଟର, କିନ୍ତୁ ନିର୍ଜୀବ । ଜୀବନ୍ତ କେବଳ ସେଠି ଆମେ, କେତେ ଅଣା ପଇସାପାଇଁ ଅପେକ୍ଷା କରିଥିବା ଚା’ବାଲା ଆଉ ଆମର ବିକ୍ଷିପ୍ତ ଚିନ୍ତାମାନେ । ବେଳେବେଳେ ପରସ୍ପରର ଆଲୋଚନା କାନରେ ପଡ଼ୁଥିଲା…ଦେଶ, ବିଦେଶ, ବହୁତ ବିଷୟରେ । କେତେବେଳେ ସିଦ୍ଧାନ୍ତରେ ବିଜେତାର ପହଞ୍ଚୁ ଥିଲୁ–ଆମେ ସବୁ ସ୍ଥାଣୁ, ଅଥଚ…ଦୁନିଆର ଯାହା ସବୁ ଘଟି ଯାଉଛି, ସେଗୁଡ଼ା କେବଳ ଗୋଟେ ସ୍ଵାଭାବିକ ସ୍ରୋତ; କୁଟା ଖିଅଟେ ପରି ସେଥିରେ ଭାସିବା ଆମର ଧର୍ମ । ସମସ୍ତ ସ୍ରୋତରେ ଆମେ କେବଳ ନିମିତ୍ତ ମାତ୍ର… !!!

 

ଏଇ ଆଲୋଚନାବେଳେ ବନ୍ଧୁ ଜଣେ ମୋର ହଠାତ ଉତ୍ତ୍ୟକ୍ତ ହୋଇ ଗଲେ । ତାଙ୍କ ମତରେ ଏହି ଚିନ୍ତାଧାରାହିଁ ଆମକୁ ସ୍ଥାଣୁ କରି ଦେଉଛି, ଆମର ପୌରୁଷକୁ ବରଫ ଦିଆ ମାଛ ପରି ଶେତା କରି ଦେଉଛି । ତାଙ୍କ ମତାମତ ଉପରେ କିଛିଟା ମନ୍ତବ୍ୟ ଦେବା ପୂର୍ବରୁ ଅନ୍ୟ ଜଣେ ବନ୍ଧୁ ମନରେ ଖରାଦିନିଆ କୋଲଡ଼ ବିଅରର ଶିହରଣ ଆଣିଦେଲେ । ସେ ଚାହୁଁଥିଲେ ବହୁତଗୁଡ଼ିଏ କଣ୍ଟାହୀନ ଗୋଲାପର ବଣ…ଗୋଡ଼ତଳେ କଲି କଲି ଘାସର ଗାଲିଚା ଆଉ ମେଞ୍ଚାଏ ଜହ୍ନ ଆଲୁଅ ।

 

ରୁଷିଆର ବୈଜ୍ଞାନିକ ପୃଥିବୀର ମଣିଷ ପାଖରେ ଚନ୍ଦ୍ରର ଫଟୋ ବାଣ୍ଟିଲାଣି । ଇସ ବଡ଼ ବୀଭତ୍ସ ଅନେକଗୁଡ଼ିଏ ବସନ୍ତ ଦାଗରେ ଗୋଟେ କାଳି ଝିଅର ମୁହଁପରି । ମୋ କ୍ଳାସମେଟ ସୁମିତ୍ରା ସାନ୍ୟାଲ ଖୁବ୍ ମେକ୍‌ପ ନିଏ, ମୁଁ ବି ସାଧାରଣଭାବେ ବହୁତଥର ତା’ ମୁହଁ ଦେଖିଛି । ବିରାଟ୍ ବିରାଟ୍ ବ୍ରଣ ତା’ ମୁହଁରେ, ନାକତଳେ ନିଶପରି ମେଞ୍ଚାଏ ଲୋମ । ତଥାପି ତାକୁ ଚିହ୍ନିଲା ଠାରୁ ମତେ ସେ ଭଲ ଲାଗେ ।

 

ଆମେ ଏମିତି ଚାଲୁ ଚାଲୁ ଷ୍ଟେସନର ଗୋଟେ କୋଣରେ ପହଞ୍ଚିଥିଲୁ । ସ୍ଥାନଟା ଅନ୍ଧାର-। ପାଖରେ ଗୋଟେ ସିମେଣ୍ଟ ବେଞ୍ଚ, ତା’ ପାଖକୁ ଲାଗି ଗୋଟେ କୃଷ୍ଣଚୂଡ଼ା ଗଛ, ଯେଉଁଥିରେ ବର୍ଷା ଋତୁର ଆରମ୍ଭରେବି କୃଷ୍ଣଚୂଡ଼ାର କେତୋଟି କ୍ଷୟିଷ୍ଣୁ ପେନ୍ଥା ଝୁଲୁଥିଲା । ରାତିରେ ସେ କିନ୍ତୁ କଳାମେଘର ଫାଙ୍କରେ ଝାପ୍‍ସା ଜହ୍ନ, ଆମେ ବସିଲୁ…ସେତେବେଳେ ଲିକରର ପ୍ରଭାବରେ ମୁଁ ସମ୍ପୂର୍ଣ୍ଣ ଥରୁଥିଲି । ମନଭିତରେ ମୋର କାହିଁକି ସେଦିନ ବହୁତ କଥା ମୁଣ୍ଡ ଟେକୁଥିଲା…ଗତ ଦିନର କଥା । ସେଗୁଡ଼ା ସବୁ ଚାହୁଁଥିଲେ ଆତ୍ମପ୍ରକାଶ କରିବାକୁ ଠିକ୍ ପ୍ରସବର ଅବ୍ୟବହିତ ପୂର୍ବରୁ ସ୍ତ୍ରୀର ଜରାୟୁକୁ ଚିରି ଶିଶୁ ପିଲାଟା ଦୁନିଆର ଆଲୋକ ଦେଖିବାକୁ ବାଟ ଖୋଜୁଥିଲାପରି, ମୋର ମନର ଓଜନ ବହୁତ ବଢ଼ି ଯାଇଥିଲା ସେତେବେଳେ…ମୁଁ ବଞ୍ଚିଗଲି–ହଠାତ ବନ୍ଧୁମାନେ ଅନୁରୋଧ କଲେ ନିଜର କିଛି ଅନୁଭୂତି ଶୁଣାଇବାକୁ । କାରଣ ପରିବେଶଟା ଖୁବ୍ ରୋମାଣ୍ଟିକ୍ ସେତେବେଳେ ।

 

ମୁଁ ସ୍ପଷ୍ଟ ଶୁଣାଇଦେଲି ମୋର ଅନୁଭୂତି ହୁଏତ ସେ ପରିବେଶରେ ସେମାନଙ୍କୁ ମଜଗୁଲ କରି ନ ପାରେ…ତଥାପି ସେମାନେ ଜିଦ୍ ଧରିଲେ– ।

 

...ମୁଁ କହୁଥିଲି, ମୋର ଗୋଟେ ପୋଷା ରାବିଟ ବିଷୟରେ ଯାହାର ଚୂନା ବରଫ କରି ମୁଲାଏମ ଧଳା ଲୋମଶ ଦେହ ମୋତେ ଖୁବ୍ ଭଲ ଲାଗେ ।

 

ସେ ମାତ୍ର ତିନି ଚାରିବର୍ଷ ତଳର କଥା । ତେବେ ସେତେବେଳେ ପାହାଡ଼ ଚଢ଼ିବାର ନିଶା ମୋର ପ୍ରବଳ ଥିଲା, କଣ୍ଟା ରାସ୍ତାରେ ଚାଲିବାରେ ଆନନ୍ଦ ଯଥେଷ୍ଟ ମିଳୁଥିଲା । ତା’ ସହିତ ପଶୁପକ୍ଷୀ ପୋଷିବାର ଏମିତିଗୁଡ଼ାଏ ଅଜବ ଖିଆଲବି ଥିଲା ।

 

ଏମିତି ଏକ ବ୍ୟତିକ୍ରମ ଜୀବନରେ ମୁଁ ତା’ର ସନ୍ଧାନ ପାଇଥିଲି । ଛୋଟ ଘାସବୁଦାରେ ଖେଳୁ ଖେଳୁ ମୋ ହାତରେ ସେ ଧରାଦେଲା ।...ମୁଁ ତା’ ଉପରେ ମୋର ସାର୍ବଭୌମତ୍ୱ ଦାବି କଲି-। ପଶୁ ହେଲେବି ସେ ମୋ ମନକଥା ବୁଝିଲା ।

 

ମୁଁ ତାକୁ ଯେବେ ପ୍ରଥମେ ମୋ ଘରକୁ ଆଣେ ମୋ ସ୍ତ୍ରୀ କେମିତି ମୋତେ ସନ୍ଦେହ ଦୃଷ୍ଟିରେ ଦେଖିଲେ । ସେ କହୁଥିଲେ‌–ଛି, ଛି, ମଣିଷ ହେଇ ଏ କି ପଶୁପ୍ରେମ ! ଯେମିତି ବାପାମାଆଙ୍କ କୋଳରେ ଆଉ ଗୋଟେ ନୂଆ ପିଲା ଦେଖି ଅବୋଧ ଶିଶୁଟା କିଛି କହିପାରୁ ନଥିଲେବି ନିଜର ସ୍ଥିତି ସମ୍ପର୍କରେ ସନ୍ଦେହୀ ହୋଇପଡ଼େ, ସେମିତି ମୋ ସ୍ତ୍ରୀ ଖାଲି ଗରଗର ହେବାକୁ ଲାଗିଲେ । କିନ୍ତୁ ମୋ କୁନିଝିଅ ଲିପା ତାକୁ ଦେଖି ବେଶ୍ କିଛି ଖୁସି ହେଲା । କାରଣ ରାବିଟ୍‌ଟା ମୋ ହାତରୁ ହଠାତ ଡେଇଁପଡ଼ି ତା’‌ ନାଲି ଟୁକୁ ଟୁକୁ କଅଁଳ ଜିଭରେ ଲିପା ଦେହକୁ ଚାଟିବାକୁ ଲାଗିଲା । ସେ ତାଳିମାରି ନାଚିଲା ।

 

ମୋ ମନରେ କ୍ରମେ ସନ୍ଦେହ ଆସିଲା । କାରଣ ସବୁ ସତ୍ତ୍ୱେ ସେ ପଶୁ, ମୋ ମନର ସୂକ୍ଷ୍ମତମ ପ୍ରଦେଶକୁ ବିଶ୍ଳେଷଣ କରିବା ବୋଧହୁଏ ତା‌’ ପାଖରେ ଦୁରୂହ ବ୍ୟାପାର, ତେଣୁ ମୁଁ ନିଷ୍ଠୁର ହେଲି, ଗୋଟେ ଲୁହା ପଞ୍ଜୁରିରେ ତାକୁ ଆବଦ୍ଧ କଲି ।

 

ତା’ ସାନ୍ନିଧ୍ୟରେ ମୋ ଦିନଗୁଡ଼ା ଚୈତ୍ରର ସନ୍ଧ୍ୟାପରି କଟିଲା...ଛୋଟ ଛୋଟ କଲିଘାସ ଖୋଜିବାରେ ମୁଁ ପାଗଳ ହେଲି । ତା‌’ର ସେବାହିଁ ମୋର ଆନନ୍ଦ । କିନ୍ତୁ ମୋ ହାତରୁ ବେଳେବେଳେ ଏଣୁତେଣୁ କିଛି ଖାଉ ଖାଉ ଖୁବ୍ ଜୋର୍‍ରେ ଆଙ୍ଗୁଠିଟାକୁ କାମୁଡ଼ି ଦିଏ । ଆଙ୍ଗୁଳିର ରକ୍ତ ଦେଖି ସେ କେମିତି ନିଜକୁ ଦୋଷୀ ମନେକରି ଯାକିଯୁକି ହୋଇ ପିଞ୍ଜରାର ଗୋଟେ କୋଣରେ ବସିରହେ–ମୁଁ ଡାକିଲେ ପୁଣି ହାତକୁ ଆସେ ।

 

କ୍ରମେ ମୁଁ ଦେଖିଲି ତା‌’ର ବେଶି ସମୟ ଲିପା ସହିତ କଟୁଛି‌–ଆଉ ସେତେବେଳେ ସେ ଯେମିତି ଖୁବ୍ ପ୍ରଫୁଲ୍ଲ । ମୋ ପାଖରେ ତା‌’ର ସ୍ଵାଧୀନତା ନାହିଁ, ଭବିଷ୍ୟତ୍ ନାହିଁ, ଖାଲି ମୋ ଖିଆଲର ଶିକାର‌–ମୁଁ ଚିନ୍ତାକରେ ଏମିତି ଗୋଟେ ପଶୁ ପୋଷିବାର ମାନେ ବା କ’ଣ ! ମୋର ଯତ୍ନପ୍ରତି ତା‌’ର ତ କୃତଜ୍ଞତା ନାହିଁ । ବରଂ ଗୋଟେ ଅବୋଧ ଏବଂ ସରଳ ଶିଶୁ ପାଖରେ ସେ ଖୁବ୍ ଖୁସି । ତା‌’ଛଡ଼ା ତା‌’ରିପାଇଁ ଅଧିକାଂଶ ସମୟରେ ଆମେ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଦେଖିଲେବି ମୁହଁମୋଡ଼ୁ । ଆଉ କେତେବେଳେ ଶୁଖିଲା ରୋଟି ଏବଂ ଥଣ୍ଡା ସନ୍ତୁଳା ପାଖରେ ଟୁକୁରା କାଗଜରେ ଲେଖାଥାଏ‌–ମୋ ଦେହ ଭଲ ନାହିଁ, ନିଜେ ଖାଇ ଦେବ... !! ମନେହେଲା ମୋର ଏ ସୀମିତ ସଂସାର ଭିତରେ ଆଉ ଏ ଅନାବଶ୍ୟକ ଖେଳର କିଛି ଅର୍ଥ ନାହିଁ, ୟାର ସମାପ୍ତି ଦରକାର-। ସେଇ ଦି‌ନ ରାତିରେ ମୋ ନିଦ ଭାଙ୍ଗିଗଲାପରେ ମୁଁ ଶୁଣିଲି ଜେଲ୍ ଘଣ୍ଟାରେ ଦୁଇଟା ବାଜିବାର-। କିନ୍ତୁ ନିଦକୁ ସେତେବେଳେ ମୁଁ ଅସ୍ୱାଭାବିକ ମନେକରୁଥିଲି । ମୁଁ ଆବିଷ୍କାର କଲି ଭାଲୁପରି ମୋ ଦେହଟା ଖୁବ୍ କଳା ଏବଂ ଲୋମଶ, ନଖ ସବୁ ଆଶ୍ଚର୍ଯ୍ୟଭାବେ ମୁନିଆ । ଦେହରେ ଉତ୍ତାପ, ଶିରାପ୍ରଶିରାରେ ତୀବ୍ର ରକ୍ତ-ପ୍ରବାହ....ହଠାତ ଆଖି ଆଗରେ ଝଲସିଗଲା ଆପଲ୍ କଟା ଛୁରିଟା...-! ମୁଁ ଶୋଇବା ଖଟରୁ ଉଠିଗଲି । ମୁଁ ଆଜି ସବୁ ଶେଷ କରିଦେବି, ମୋ ଖିଆଲର ବାସ୍ତବ ରୂପ ଖୁବ୍ ନଗ୍ନଭାବେ ପ୍ରକାଶ କରିବି । ରାବିଟ୍‌ଟାକୁ ଦୀର୍ଘଦିନ ଧରି ଏମିତି ଅର୍ଥହୀନଭାବେ ପୋଷିବା ଅପେକ୍ଷା ବରଂ ଶେଷଥର ପାଇଁ ତା‌’ର କଅଁଳ ମାଂସରେ କାମନା ପୂର୍ଣ୍ଣ କରିବି !!!

 

ମୁଁ ଆସ୍ତେ ଆସ୍ତେ ଗୋଡ଼ ଚିପି ଟେବୁଲ ପାଖରେ ପହଞ୍ଚିଲି, ଆପଲ୍ କଟା ଛୁରିଟା ଚିକ୍‍ଚିକ୍ କରୁଛି...ଆଉ ଦୁଇଟା ଷ୍ଟେପ୍ ମାତ୍ର । ତା’ପରେ... ? ମେଞ୍ଚାଏ ସଦ୍ୟଃ ରକ୍ତ ନିଶ୍ଚୟ ଦେଖିବି ।

 

ଅନ୍ଧାର ଭିତରେ ମୁଁ ଦେଖିପାରୁଥିଲି ରାବିଟ୍‌ର ନିରୀହ ଦେହଟା, ଖୁବ୍ କୋମଳ, ମୁଲାଏମ, ପିଞ୍ଜରା ପାଖକୁ ଲାଗିଗଲି, ରାବିଟ୍ ଶୋଇଛି...ଆଃ, କେଡ଼େ ଶାନ୍ତ ଜୀବଟା ! ଯଦି ତା’ର ନିଦ ହଠାତ ଭାଙ୍ଗିଯାଏ ? ମୋର ଏ କଦର୍ଯ୍ୟ ରୂପ ଆଉ ହାତରେ ଛୁରିଟା ଦେଖିଲେ ? ଇସ, ମୋର କି କୁତ୍ସିତ ପ୍ରବୃତ୍ତି !!! ଅଜାଣତରେ ମୋ ହାତରୁ ଛୁରିଟା ଖସି ପଡ଼ିଲା, ମୁଁ ପିଞ୍ଜରାର ଦ୍ଵାର ଖୋଲିଦେଲି... ।

 

ମୁଁ ଚମକି ପଡ଼ିଲି, ଷ୍ଟେସନ ପାଖ ଜେଲ୍ ଘଣ୍ଟାରେ ଦୁଇଟା ବାଜିଲା । ଜେଲ୍ ଗାର୍ଡ଼ ହୁଇସିଲ ଦେଉଛି କୌଣସି ଏକ ଦାଗୀ ଜେଲ୍ ପାଚେରି ଡେଇଁ ଚାଲିଯାଇଛି । ମୁଁ ଚିତ୍କାର କଲି...ମୋ ରାବିଟ୍... !!!

 

ସେତେବେଳେ ବନ୍ଧୁମାନଙ୍କର ନିଶା ଛାଡ଼ି ଯାଇଥିଲା । ସେମାନେ ଖୁବ୍ ଜୋର୍‍ରେ ହସୁଥିଲେ । ମୁଁ ନିଜକୁ ଅସହାୟ ମନେକଲି, ଲଜ୍ଜିତବି ହେଲି । ପାଖ କୃଷ୍ଣଚୂଡ଼ା ଗଛରେ ଯେଉଁ କେତୋଟି ପାଖୁଡ଼ା ଝୁଲୁଥିଲେ, ସେମାନେ ସବୁ ଅନ୍ଧାରରେ ଲୁଚିଗଲେଣି । ଆକାଶରେ ଜହ୍ନ ନଥିଲା ।

 

ବନ୍ଧୁମାନେ ତା’ପରେ ଛ’ଖଣ୍ଡ କାଠରେ ଗୋଟେ ଫ୍ରେମ ବାନ୍ଧିଥିଲେ । ମୋତେ ଜୋର୍ କଲେ ସେଥିରେ ଶୋଇ ଯିବାକୁ । ମୁଁ ଆପତ୍ତି କଲିନି । ମୁଁ କେବଳ କେତେଜଣକ କାନ୍ଧ ଉପରେ ଶୋଇ ଶୁଣୁଥିଲି–ହରିନାମ, ରାମନାମ, ସତ୍ୟ... । ସେମାନେ ମୋତେ ମୋର କ୍ୱାଟର ସାମ୍ନାକୁ ବୋହି ନେଲେ ଯେଉଁଠି ମୋ ସ୍ତ୍ରୀ ଫୁଲତୋଡ଼ା ଧରି ଅପେକ୍ଷା କରିଥିଲେ । ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଲି–ମୋ ମୃତ୍ୟୁରେ ତାଙ୍କର ଦୁଃଖ ନାହିଁ, ଶୋଚନା ନାହିଁ, ବରଂ ସ୍ତ୍ରୀ ମୋର ହସି ହସି କହୁଥିଲେ ହାଏ...ହାଏ, ଏତେଦିନ ପରେ–!!!

Image

 

ତରୁଣ ଦାସ ସମ୍ପର୍କର

ଶୀତ ରାତି । ଏକ ।

 

ଶୀତ ରାତି ।

 

ଚଉମୁହାଣି ଟ୍ରାଫିକ୍ ପୋଷ୍ଟରେ ଠିଆ ହେଇ ତରୁଣ ଦାସ ଚାହିଁଛି ଦୁରନ୍ତ ଆକାଶ ଆଡ଼େ । ଆକାଶ ଏକ କଳ୍ପନା ତା’ପାଇଁ । କାରଣ ଅତି ବେଶି ନିଅନ୍ ଆଲୋକର ଅଶ୍ଳୀଳ ପ୍ରକାଶରେ ଅନ୍ଧ ସେ । ତେଣୁ ଅନୁମାନ କରୁଛି ଆକାଶର ବ୍ୟାପ୍ତି ଏବଂ ଦେଖୁଛି ମୁଣ୍ଡ ଉପରେ ଧଳା ବିଲେଇର ଲୋମ ପରି କୁହୁଡ଼ିର ସ୍ତରୀଭୂତ ଢାଲୁ ଏକ ମୁଲାଏମ ସାମିଆନା ।

 

ତା’ ତଳକୁ ତରୁଣ ଦାସର ଦୃଷ୍ଟି ଆକର୍ଷଣ କରୁଥିଲା ଏକ କୃଷ୍ଣଚୂଡ଼ା ଗଛର ଥାକଥାକ ସବୁଜ ପତ୍ର ଏବଂ ସେ ପତ୍ର ଫାଙ୍କ ଭିତରୁ ହଠାତ ବାହାରି ଆସିଥିବା ସମାନ୍ତର କେତୋଟି ଟେଲିଫୋନ୍ ତାର । ତରୁଣ ଦାସର ଉପସ୍ଥିତିକୁ ବେଖାତିର କରି ସେ ତାର ଉପରେ ଘୁମେଇ ପଡ଼ିଥିଲେ ଦୁଇଟି ରାତି ପକ୍ଷୀ । ମୁକ୍ତ ପକ୍ଷୀ ଦୁଇଟି, ଶୀତ ରାତିରେ ସେମାନଙ୍କର ଦୁଇଟି ଉଷୁମ ଆତ୍ମା । ତରୁଣ ଦାସର ମନେହେଲା ଏ ଦୃଶ୍ୟଟି ତା’ ପ୍ରତି ଗୋଟାଏ ଆହ୍ଵାନ ।

 

ଶୀତ ରାତିର ସ୍ଥିର ପରିବେଶରେ ଯେ ଆଲୋଡ଼ନ ସୃଷ୍ଟିକଲା ସେ ତରୁଣ ଦାସର ହାତରୁ ଖସିଯାଇଥିବା ଖଣ୍ଡେ ଇଟା । ଲକ୍ଷ୍ୟ ନିର୍ଭୁଲ ଥିଲା, କିନ୍ତୁ ପକ୍ଷୀ ଦୁଇଟି ଦେହରେ ବାଜିବା ପୂର୍ବରୁ ଟେଲିଫୋନ ତାରରେ ବାଧାପାଇ ଇଟା ଖଣ୍ଡକ ଖସି ପଡ଼ିଲା । ତରୁଣ ଦାସକୁ ଉପହାସ କରି ସେମାନେ ଉଡ଼ିଗଲେ ।

 

ଟେଲିଫୋନ ତାରର ଅସଂଘତ ଅର୍କେଷ୍ଟ୍ରା ହଠାତ ତରୁଣ ଦାସଙ୍କୁ ବିବ୍ରତ କଲା । ଶୀତ ରାତିରେ ଜଳି ଯାଉଥିବା ମନ ସହିତ ଏ ସ୍ଵର ନିତାନ୍ତ ଅପରିଚିତ, ତଥାପି ବର୍ତ୍ତମାନର ଅନୁଭବରେ ଯେମିତି ଖୁବ୍ ତୀବ୍ର ଏବଂ ଉତ୍କଟ । ସେଇ ତାର ଭିତରେ ଛନ୍ଦିହେଇ ଚାଲିଛି ତା’ର ମନ କିଛି ଆଗକୁ ।

 

ତରୁଣ ଦାସ ନିର୍ବୋଧ ବ୍ୟକ୍ତିଟିଏ ପରି ଉପରକୁ ଚାହିଁଛି ।

 

ଅରଣ୍ୟ ବଂଲୋଟିଏ ପରି ପୁରୁଣା ସହରର ଉପକଣ୍ଠରେ ଯେଉଁ ସିମେଣ୍ଟ ରଙ୍ଗର ଏକୁଟିଆ ଏକମହଲା କୋଠା ଘର ସେଇଟି ବାରିଷ୍ଟର ସୁବୋଧ ଦାସଙ୍କର । ସେଇ ଘରର ଏକ ଅଭିଜାତ ଡ୍ରଇଂ ରୁମ୍‌ରେ ତରୁଣ ଦାସ ଦେଖୁଥିଲା ଗୋଟାଏ ବିରାଟ୍ ଗୋଲ ଟେବୁଲକୁ ବେଢ଼ିକରି ବସିଥିବା ଗୁଡ଼ାଏ ମଣିଷ ଏବଂ ଟେବୁଲ ଉପରକୁ ଝୁଙ୍କି ପଡ଼ିଥିବା ଗୋଟିଏ ମୁହଁ ।

 

ଟେବୁଲ ଉପରେ ସ୍ଥିର ହେଇଥିବା ମୁହଁଟି ସୁବୋଧ ଦାସଙ୍କର ଏବଂ ତାଙ୍କୁ ବେଢ଼ି କରି ବସିଥିବା ଲୋକମାନେ ତାଙ୍କର ମହକିଲ୍‌ ।

 

ସୁବୋଧ ଦାସ ଗୋଟେ ଫୋନ୍ କଲ୍ ଏଟେଣ୍ଡ କରୁଥିଲେ । ତାଙ୍କ କଣ୍ଠ ସ୍ଵର ସହିତ ମୁହଁର ଭାବଭଙ୍ଗୀ, ପୁଣି ହାତଟିର ମୃଦୁ ଶିହରଣ–ସବୁଥିରେ ଯେମିତି କିଛି ବର୍ଷ ତଳକୁ ଖସିଯିବାର ଛାପ । କିଛି ବର୍ଷ ତଳକୁ ଅର୍ଥ, ଯେମିତି ପ୍ରୌଢ଼ ସୁବୋଧ ଦାସ କଲେଜରୁ ଫେରି ହଠାତ ବାପାଙ୍କୁ ଅନୁପସ୍ଥିତ ଦେଖି କୌଣସି ବାଳିକା ବନ୍ଧୁଙ୍କ ଫୋନ୍ ନମ୍ବର ଉଦ୍ଦେଶ୍ୟରେ ଡାଏଲ୍‌ ଘୂରାଉ ଥିଲେ ।

 

ହେଃ..., ସୁବୋଧ ଦାସ କେମିତି ଯୁବକ ହେଇ ପାରିବେ ! ବିରକ୍ତିକର ମନେହେଲା ତରୁଣ ଦାସକୁ, ଆହୁରି ବିରକ୍ତିକର ସୁବୋଧ ଦାସଙ୍କର କେତେଗୋଟି ଅସମ୍ପୂର୍ଣ୍ଣ ସଂଳାପ–‘ଉର୍ବଶୀର ବୋଧହୁଏ ଧନପାଇଁ ଅହଂକାର ନଥିଲା...’ କିମ୍ଵା ‘ସେଦିନ ପରି ପ୍ଳେନ୍‌ଟା ଯଦି ଦୁଇଘଣ୍ଟା ବିଳମ୍ବିତ ହେଇଯାନ୍ତା ସୁଷମା...’ ।

 

ଅସହାୟ ସୁବୋଧ ଦାସ ଅତି ଦୟନୀୟଭାବେ ଅପେକ୍ଷା କରିଥିଲେ କାଳ୍ପନିକ ଉର୍ବଶୀ ବା ସୁଷମାର ଉତ୍ତରକୁ । କିଛି ସମୟ ପରେ ସେ ଦ୍ୱିଧାଗ୍ରସ୍ତ ମୁହଁରେ ହସର ଏକ ଛୋଟ ରେଖା ଦେଖା ଦେଇ ମିଳେଇ ଗଲା କ୍ରମେ ।

 

ତରୁଣ ଦାସର ଆଖି ସ୍ଥିରହେଲା ସମାନ୍ତର ସେଇ ଟେଲିଫୋନ ତାରମାନଙ୍କ ଉପରେ ।

 

ତଥାପି ସେ ଝଙ୍କାର ତା’ ମନକୁ ବ୍ୟସ୍ତ କରୁଛି । ସେଥିରେ କେତେ ଜନ୍ମ-ମୃତ୍ୟୁ, ପ୍ରେମ-ବିରହ, ଅଭିନନ୍ଦନ-ଏକ୍‍ସିଡ଼େଣ୍ଟ..., ସବୁ ଚାଲିଯାଉଛି ଆମ ମୁଣ୍ଡ ଉପରେ । ଆଖିରେ ଦେଖିବି କିଛି ବୁଝି ହେଉନି । ଅଥଚ ସବୁବେଳେ ଘଟୁଛି କିଛି ।

 

ହଠାତ ଏଇ ଘଟିବାଟାକୁ ଯଦି ସ୍ଥିର କରିଦିଆଯାଇ ପାରନ୍ତା, ତରୁଣ ଦାସ ଭାବୁଥିଲା ମନେ ମନେ ।

 

ଗୋଟାଏ ଆକସ୍ମିକ ଝଡ଼ରେ ଟେଲିଫୋନ୍ ଖୁଣ୍ଟି ସବୁ ଉପୁଡ଼ି ପଡ଼ନ୍ତେ ଏବଂ ପରଦିନ ଏକ ଶାନ୍ତ ସକାଳରେ ସୁବୋଧ ଦାସ ବେଡ଼୍ ଟି’ ପରେ ସେ ଦିନର ଏନ୍‌ଗେଜମେଣ୍ଟ ସ୍ଥିର କରିବାକୁ ଉର୍ବଶୀ କିମ୍ବା ସୁଷମା ଉଦ୍ଦେଶ୍ୟରେ ଫୋନ୍ ଉଠାନ୍ତେ... Please connect me such and such number....Line disorder...ଏକ୍‌ସ୍‌ଚେଞ୍ଜରୁ ଆଉ କିଛି ଶୁଣାଯାନ୍ତା ନାହିଁ-। ବିଚରା ସୁବୋଧ ଦାସ ପରବର୍ତ୍ତୀ ମୁହୂର୍ତ୍ତରେ ହାଲୋ...ହାଲୋ...କହି ବଡ଼ ବିବ୍ରତ ହେଇ ପଡ଼ନ୍ତେ-। ମୁହଁର ଭଙ୍ଗୀ ଅସହାୟ ଦେଖାଯାନ୍ତା, ଠିକ୍ ଗୋଟିଏ Over drunk ମଣିଷର ଖଣ୍ଡିଏ ଚିକେନ୍‌କୁ ଝୁଣି ଝୁଣି ଖାଉଥିବା ପରି ବିକୃତ । ଡ୍ରଇଂ ରୁମ୍‌ଟାରେ ସକାଳୁ ସକାଳୁ ଏକ ଅପ୍ରତ୍ୟାଶିତ ଗଣ୍ଡଗୋଳର କାରଣ ବୁଝି ନ ପାରି ଉପରମହଲାରୁ ସ୍ତ୍ରୀ ଏବଂ ପିଲାମାନେ ଦଉଡ଼ି ଆସନ୍ତେ ଏବଂ ଦେଖନ୍ତେ ସାମାନ୍ୟ ଆମିଷ ଗନ୍ଧପାଇଁ କେମିତି ମୂଷାଟି ଜନ୍ତାଭିତରେ ପଡ଼ିଯାଇ ଛଟ୍‌ପଟ‌ ହେଉଛି-

ନା...ନା, ବିଶେଷ କିଛି ହେଇନି–ଏଇ ଗୋଟେ କଲ୍ କରୁଥିଲି ଯେ ଲାଇନ୍ ଡିଜ୍‌ଅର୍ଡ଼ର–ତଥାପି ଆତ୍ମରକ୍ଷାର ଗୋଟେ କୌଶଳ ହେଇପଡ଼ନ୍ତା ସୁବୋଧ ଦାସଙ୍କପାଇଁ । ସ୍ତ୍ରୀ ପିଲାମାନେ ଫେରିଯାନ୍ତେ । ସୁବୋଧ ଦାସ ଜଣେ ସନ୍ଦେହଜନକ ବ୍ୟକ୍ତି ନୁହନ୍ତି, ସେ ତାଙ୍କ ହାତଗଢ଼ା ସମାଜରେ ରୁଚିଶୀଳ ଭଦ୍ରଲୋକ, ଏ ଶତାବ୍ଦୀର ଲଙ୍ଗଳା ପିଲାଙ୍କ ପରି ସେ ଅଶ୍ଳୀଳ ନୁହନ୍ତି ।

ତରୁଣ ଦାସ ନିଜ ମୁହଁ ଉପରେ ଥରେ ହାତ ବୁଲେଇ ନେଲା । ଗାଲ ଦୁଇଟି ମିଶିଯିବା ପାଇଁ ବ୍ୟବଧାନ ଖୁବ୍ ଅଳ୍ପ । ମୁହଁର ବିଭିନ୍ନ ଅଂଶରେ ବଡ଼ବଡ଼ ବ୍ରଣ କେତୋଟି । ସୁବୋଧ ଦାସ ସମ୍ପ୍ରଦାୟ ମତବ୍ୟକ୍ତ କରନ୍ତି ବାରମ୍ବାର ବ୍ରହ୍ମଚର୍ଯ୍ୟ ନଷ୍ଟଫଳରେ ତରୁଣ ଦାସମାନଙ୍କର ମୁହଁ ଅବସ୍ଥା ଶୋଚନୀୟ । ସେପାଇଁ ସମୟ ସମୟରେ କଡ଼ା ମୁରବିତ୍ୱ ପ୍ରକାଶ ପାଏ, ଯେମିତି ଆଜିକାଲି ଯୁବକମାନେ ସେମାନଙ୍କର ଅଧିକ ସମୟ ଯୌନ ଚର୍ଚ୍ଚାରେ କଟାନ୍ତି । ଅବଶ୍ୟ ଏ ପ୍ରକାର ମତ ନିହାତ ଅଯୌକ୍ତିକ ନୁହେଁ ଯେହେତୁ ସୁବୋଧ ଦାସର ପ୍ରତିନିଧିମାନେ ଏତେଟା ଅଶ୍ଳୀଳ ନୁହନ୍ତି, ବେଶି ହେଲେ ସେମାନେ କେତେବେଳେ ଦୁଇଟି ଲଙ୍ଗଳା ପାଦରେ ଦୁଇଧାର ଅଳତା ଗାର ଦେଖି ଖୁସି ହେଇଥିବେ କିମ୍ବା ମିନି ସ୍କାର୍ଟ ପିନ୍ଧା ଝିଅମାନଙ୍କର ହାତକୁ ପ୍ରାଇଜ୍ ପ୍ୟାକେଟ୍ ବଢ଼ାଉ ବଢ଼ାଉ ସେ ନରମ ଲାଲ ପାପୁଲିଗୁଡ଼ିକୁ ନିଜ ହାତରେ ଚାପି ଦେଉଥିବେ ଏବଂ ତା’ର ନିର୍ଦ୍ଦୋଷ ଗାଲରେ କାମନାରହିତ ଛୋଟ ଚାପୁଡ଼ା ମାରୁଥିବେ ।

ତରୁଣ ଦାସ ନିଜକୁ ବୁଝାଉଥିଲା ।

ସେମାନଙ୍କୁ କ୍ଷମା ଦିଆଯାଇପାରେ । ମଣିଷକୁ ବୁଢ଼ା କରିବାରେ ବୟସ ବୋଲି ଯେଉଁ ମାପକାଠିଟି ହୁଏତ ଆଗେଇ ଯାଇଛି କିଛିବାଟ, କିନ୍ତୁ ସେମାନଙ୍କର ପ୍ରାଣ ଏଇ କୃଷ୍ଣଚୂଡ଼ାର ପତ୍ରପରି ସବୁଜ । ତେଣୁ ସୁବୋଧ ଦାସଙ୍କପାଇଁ ଟେଲିଫୋନ୍ ତାରମାନେ ଅଧିକ ସକ୍ରିୟ ହେଇପାରନ୍ତି ।

ରାତିର କାକର ବିନ୍ଦୁରେ ତରୁଣ ଦାସର ବ୍ଳେଜର ଖଣ୍ଡକ ହେମାଳ ଲାଗିଲାଣି । ସେ ଲକ୍ଷ୍ୟକଲା ତା’ ସାମ୍ନାରେ ଧାଡ଼ି ବନ୍ଧା କ୍ଵାଟରମାନଙ୍କରୁ ଆଲୋକ ସବୁ ଲିଭିଗଲାଣି । କେବଳ ସ୍କାଇଲାଇଟ୍‍ରେ କେଉଁଠି କେମିତି ଜିରୋ ପାୱାର ବଲ୍‍ବ୍‍ର ଦୁସ୍ଥ ପ୍ରକାଶ ଏବଂ ହାଲି ତିଆରି ହୋଇଥିବା ପୋର୍ଟିକୋମାନଙ୍କରେ ନୀଳ ଆଲୋକ । ସେଗୁଡ଼ିକବି କୁହୁଡ଼ିରେ ଆଢ଼ୁଆଳରେ ସେତେ ସ୍ପଷ୍ଟ ନୁହେଁ । ସେମାନେ ଯେମିତି ଶୀତ ରାତିରେ ଅସହାୟଭାବେ ଜଳୁଛନ୍ତି ତରୁଣ ଦାସ ପରି ।

ପୋର୍ଟିକୋକୁ ଲାଗି ଛୋଟ ଲନ୍–ସେଥିରେ ଅନେକ ଫୁଲ ଆଉ ଅନ୍ୟାନ୍ୟ ଗଛ, ଗୋଟିଏ ସ୍ୱରପାଇଁ ଯେମିତି ଅର୍କେଷ୍ଟ୍ରାର ଭିନ୍ନ ଭିନ୍ନ ବାଦ୍ୟଯନ୍ତ୍ର । ଏଇ ଫୁଲମାନେ ହୁଏତ ସେ କ୍ଵାଟରରେ ଶୋଇଥିବା ଲୋକମାନଙ୍କର ଇଚ୍ଛା । ଦୂରରୁ ରହି ତରୁଣ ଦାସ ଦେଖେ କେବଳ, କିନ୍ତୁ ଠିକ୍ କରିପାରେନା ସେମାନଙ୍କର ରଙ୍ଗ ।

 

ଭଲ, ଏଇ ଦୂରରୁ ରହି ଫୁଲର ଝାପ୍‍ସା ରୂପ ଦେଖିବା । କିଛି ଲାଭ-କ୍ଷତିର ପ୍ରଶ୍ନ ନାହିଁ, ବରଂ ହାଲୁକା ମନରେ ଘୂରିବାର କିଛିଟା ଆତ୍ମତୃପ୍ତି ।

 

କିନ୍ତୁ ଏଇ ତୃପ୍ତିଟାଇ ଦ୍ଵନ୍ଦ୍ୱ, ମନେ ମନେ ଯୁକ୍ତିକରେ ତରୁଣ ଦାସ । ହାତରେ ପାଇ ପୁଣି ହରେଇବାରେ ଅତୃପ୍ତି କାହିଁକି ! ତାହାହେଲେ ତୃପ୍ତି ବୋଲି ଗୋଟେ କିଛି ନାହିଁ । ଯଦି ଥାଏ ତାହା ଏକ ମାନସିକ ବୁଝାମଣା ।

 

ସତରେ ଅଛି କି !

 

ଥାଇପାରେ... !!

 

ନା, ନାହିଁ ବୋଧହୁଏ... !!!

 

ତରୁଣ ଦାସର ମନେ ପଡ଼ିଯାଏ ଶୀତରାତି ଆଠଟାରେ ବଡ଼ ବଜାରର ସାମ୍ନାରେ ସେ ଚଉଡ଼ା ରାସ୍ତା ଏବଂ ରାସ୍ତାକଡ଼ର ଫୁଟପାଥ । ସନ୍ଧ୍ୟା ସାତଟାରୁ ସେ ଫୁଟପାଥ ଉପରେ ଗୋଟାଏ ଆରମ୍ଭରୁ ଆର ଶେଷ ପର୍ଯ୍ୟନ୍ତ ମାର୍ଚ୍ଚ କରିବା ଏକ ମାନସିକ ତୃପ୍ତି, ନା ଅତୃପ୍ତି ! ପୁଣି କେତେ ପ୍ୟାକେଟ୍ ଚାର୍‍ମିନାର ଟାଣି ଟାଣି ଲାଲ ସ୍ୱେଟର ଉପରେ ଫୁଟି ଦିଶୁଥିବା ଝିଅମାନଙ୍କର ବକ୍ଷକୁ ଚାହିଁବା କିମ୍ବା ସେମାନଙ୍କ ମୁହଁରୁ ରଙ୍ଗକୁ ପରୀକ୍ଷା କରିବାର ଆବଶ୍ୟକତା କ’ଣ !

ତରୁଣ ଦାସ ତା’ ମାନସିକ ଅବସ୍ଥାକୁ ନେଇ ଏଇ ସିଦ୍ଧାନ୍ତରେ ପହଞ୍ଚେ ଯେ ତୃପ୍ତି ଏକ ଅନୁଭବ । ଅବଶ୍ୟ ଏଇ ଜିନିଷଟା ସେ ପରୀକ୍ଷା କରିଛି ନିଜ ଭିତରେ । କାରଣ ଅନ୍ୟ ସ୍ଥାନରେ ଉଚିତ ମୂଲ୍ୟରେ ଗୋଟେ ପଦାର୍ଥ ମିଳୁଥିବାବେଳେ ତରୁଣ ଦାସ କାହିଁକି ସେ ସରକାରୀ ଷ୍ଟୋରରେ କିଣିବାକୁ ପସନ୍ଦ କରେ । ତରୁଣ ଦାସର କୌଣସି ଜିନିଷ ଅପେକ୍ଷା ବେଶି ଆକର୍ଷଣୀୟ ସେ ସେଲ୍‍ସ ଗାର୍ଲର ଦୁଇଟି ଉଦାସ ଆଖି ଏବଂ ତା’ ଅପ୍ରଶସ୍ତ କପାଳରେ ଧାରେ ଚନ୍ଦନ ସହିତ ଫିକା ଲାଲ କୁଙ୍କୁମ ଠୋପାଟି ।

ଯା, ଯେତେ ସବୁ ବାଜେ କଥା ମୁଣ୍ଡକୁ ଆସୁଛି । ତରୁଣ ଦାସ ସଚେତନ ହେଲା ଏବଂ ହଠାତ ଅନୁଭବ କଲା ଯେ ସେ ଶୀତରେ ପୂରା ଥରୁଛି । ଖଣ୍ଡେ ସିଗ୍ରେଟରେ ନିଆଁ ଧରାଇ ସେ ଧୀରେ ଧୀରେ ଟ୍ରାଫିକ୍ ଷ୍ଟାଣ୍ଡ୍ ଉପରକୁ ଉଠିଲା । ସେଠାରୁ ଅଳ୍ପ ଦୂରରେ ଧୁନି ଜାଳି ଖଞ୍ଜଣିମାଡ଼ କରୁଥିବା ସାଧୁମାନଙ୍କର ଉପସ୍ଥିତିକୁ ଅସ୍ଵୀକାର କରି ତରୁଣ ଦାସ ମୂତ୍ର ତ୍ୟାଗ କରିବାକୁ ଲାଗିଲା ।

ଶୀତ ରାତିରେ ଅନ୍ୟମାନଙ୍କର ଉପସ୍ଥିତିକୁ ବେଖାତିର କରିବା ତରୁଣ ଦାସର ଏକ ସଉକ ।

ବିଚରା ତରୁଣ ଦାସ, ବେକେ ପାଣିରେ ଠିଆ ହୋଇ ଚାହିଁଛି ସେ କ୍ଵାଟରମାନଙ୍କ ଆଡ଼େ...ଟାଣ୍ଟାଲସ୍‌ର ସାମ୍ନାରେ ଝୁଲୁଛି ଲାଲ ଆପେଲ୍ ।

ସେ ଶେଷଥର ପାଇଁ ସେ ଧାଡ଼ି ବନ୍ଧା ଅସ୍ପଷ୍ଟ କ୍ଵାଟରମାନଙ୍କ ଆଡ଼େ ଚାହିଁଲା । ଦେହଟା ତଥାପି ଥରୁଛି । ପକେଟରେ ସିଗ୍ରେଟ ନାହିଁ । ପୁଣି ଗୋଟେ ପ୍ୟାକେଟ୍ କିଣାଯାଇପାରେ ଏବଂ ସେଇ ଛକ ପାନ ଦୋକାନରୁ ନୂଆ କରି ଯାତ୍ରାଟା ଆରମ୍ଭ କରାଯାଇପାରେ ।

 

ତରୁଣ ଦାସ ପକେଟରୁ ଅଧଲିଟିଏ ବାହାର କରି ତା’ର ପରିଚିତ ପାନ ଦୋକାନୀ ଆଡ଼େ ହାତ ବଢ଼ାଇଛି...ଆବଶ୍ୟକ ଗୋଟିଏ ପ୍ୟାକେଟ୍ ଚାର୍‍ମିନାର, ପାନ ଦୋକାନୀ ଚାପି ଚାପି ହସିବାକୁ ଆରମ୍ଭ କରିଦେଇଛି ।

 

ବାହାରିଲା ଶଳାର ବଜାରୀ ଢଙ୍ଗ..., ମନେ ମନେ ବିରକ୍ତ ହେଇ ଆସୁଥିଲା ତରୁଣ ଦାସ ।

 

ଯେତେ ସବୁ ବଜାରୀ ଡହରା ଏଇ ରାସ୍ତା ଛକରେ ପାନ ଦୋକାନୀ ମାନେ । ବର୍ତ୍ତମାନ ଏକୁଟିଆ ଦେଖି ହସିବାକୁ ଆରମ୍ଭ କରିଛି ସେ । କ’ଣଟା ଏବେ ଜାଣିଛି ! ବେଶି ହେଲେ କହିପାରେ ଏକଦା ଚନ୍ଦ୍ରାବତୀ ତରୁଣ ଦାସର ପ୍ରେମିକା ଥିଲା ଏବଂ ଦିନାକେତେ ବେଶ୍ ଦି’ଜଣ ଉଡ଼ିଛନ୍ତି...ଏୟା ତ ଆଉ କ’ଣ !

 

ସମୟରେ ତରୁଣ ଦାସ ଅନୁତାପ କରେ । ଚନ୍ଦ୍ରାବତୀକୁ ସାଙ୍ଗରେ ଧରି ଏମିତି ପାନ ଦୋକାନୀଙ୍କଠାରୁ ପାନ ଖାଇବା ବିରାଟ୍ ଭୁଲ୍ । ଇସ, କେଡ଼େ ବଜାରୀଟେ–ପାନରେ ଚୂନ ଲଗାଉ ଲଗାଉ ଚାହିଁଥିବ ସେମିତି ଚନ୍ଦ୍ରାବତୀ ଆଡ଼େ । ସେତେବେଳେ ଏ ଦୟନୀୟ ପରିସ୍ଥିତିରୁ ନିଜକୁ ମୁକ୍ତ କରିବାପାଇଁ ତରୁଣ ଦାସ ଚନ୍ଦ୍ରାବତୀ ସହିତ ଅନ୍ୟ କଥା ଆରମ୍ଭ କରିଦିଏ । ଚନ୍ଦ୍ରାବତୀ କିନ୍ତୁ ସେଇ ସମୟତକ ପାନଦୋକାନୀ ସହିତ ନଷ୍ଟ କରେ–କେଉଁ ମସଲାରୁ କେତେ, ଟିକେ ଚମନବାହାର ପଡ଼ିବ କି ନାହିଁ ଇତ୍ୟାଦି । ପାନ ଦି’ଖଣ୍ଡ ମୋଡ଼ି ଦେଇ ଚନ୍ଦ୍ରାବତୀ ହାତକୁ ବଢ଼ାଇ ଦିଏ ଏବଂ ତରୁଣ ଦାସ ଦଶ ପଇସିଟିଏ ବଢ଼ାଇ ଦେଲାବେଳେ ସେ ହସି ଦିଏ । ଓଃ, କେଡ଼େ ଅସହ୍ୟ ସେ ହସ ।

 

ତରୁଣ ଦାସ ମନେ ମନେ ଠିକ୍ କରେ ଏ ଶଳାଟାଠାରୁ ପାନ ନ ଖାଇବା ଭଲ । କିନ୍ତୁ ଚନ୍ଦ୍ରାବତୀର ଏକାନ୍ତ ଜିଦ୍ । ଚନ୍ଦ୍ରାବତୀ ବିଭାହେଇ ଯାଇଛି, ତରୁଣ ଦାସ ରାତି ଦୁଇଟାରେ ରାସ୍ତାରେ ଘୂରୁଛି–ଏଇ ହେଲା ଦୋକାନୀର ହସିବା କାରଣ ।

 

ତରୁଣ ଦାସ ଦେହରେ ନିଆଁ ଲାଗିଛି । ସେ ନିଜକୁ ଆୟତ୍ତ କରି ପାରୁନି । ତା’ ପାଟି କ୍ରମେ ଖୋଲି ଯାଉଛି ।

 

–କାହିଁକିବେ; ଏମିତି ଅଭଦ୍ରଙ୍କ ପରି ହଉଛୁ ? ମୋ ବିଷୟରେ କ’ଣ ଜାଣୁ...ଆଁଏ...ଆଁଏ, କ’ଣ ଜାଣିଛୁ ? ଜାଣୁ ଚନ୍ଦ୍ରାବତୀ ସମ୍ପର୍କରେ ମୋର ଭଉଣୀ...ସେଥିପାଇଁ ମୋ ସହିତ ତା’ର ଅବାଧ ମିଳାମିଶା...ଶଳା ମନେ ମନେ ଭାବି ନେଇଛି ମୋର ପ୍ରେମିକା ବୋଲି । ଆ...ମୋ ଘରେ ଦେଖିବୁ ତା’ର ଟିକେ ଯଦି ଚିହ୍ନବର୍ଣ୍ଣ ଅଛି...ଖଣ୍ଡେ ଫଟୋ ଥିଲା, ଏଇ ତମରିମାନଙ୍କ ଦାଉରୁ ରକ୍ଷା ପାଇବାପାଇଁ ସେ ଖଣ୍ଡକ ଟୁକୁରା ଟୁକୁରା କରି ଚିରି ସେଥିରେ ପରିସ୍ରା କରି ଦେଇଛି । ମୁଁ ତୋ ପରି ଲଫଙ୍ଗା ନୁହେଁ, ମୁଁ ଚନ୍ଦ୍ରାବତୀକୁ କେୟାର କରେନା...କ’ଣ ଭାବିଛୁ ମୋତେ ?

 

ତଥାପି ପାନ ଦୋକାନୀ ହସୁଛି ।

 

ନା, ଶଳାଟାର ପିଠି ଗଲୁ କଲାଣି । ଚିହ୍ନିଛୁ ମୋତେ ? ଇଚ୍ଛା କଲେ ଜୋତାରେ ଗାଲ ସେକି ଦେବି କେଉଁ ବୋପା ପିଠିରେ ପଡ଼ିବେନି । ଜାଣିଛୁ...ଜାଣିଛୁ..., ତରୁଣ ଦାସ ତା’ ଜୋତାର ଲେସ ଖୋଲୁଛି । ତା’ ପାଟିରେ ରାସ୍ତାକଡ଼ର କୁକୁରମାନେ ଭୁକି ଉଠିଲେ । ପାଖ ଗଛରୁ ପକ୍ଷୀ ଉଡ଼ିଗଲେ । ତରୁଣ ଦାସ ପ୍ରକୃତିସ୍ଥ ହେଲା ଏବଂ ଦେଖିଲା ବିରାଟ୍ ଦର୍ପଣରେ ନିଜର ପ୍ରତିବିମ୍ବ ଦେଖିଥିବା କୁକୁରଟି ପରି ରାଗରେ ସେ ଥରୁଛି । ପାନ ଦୋକାନୀ ଅନେକ ଆଗରୁ ଦୋକାନ ବନ୍ଦ କରି ଚାଲିଯାଇଛି ।

 

ତରୁଣ ଦାସ ଆଗଉଥିଲା ପ୍ଲାଟଫର୍ମର ଅନ୍ଧକାର ତଳି ଅଞ୍ଚଳ ଆଡ଼େ । ଏ ନିର୍ଜନ ରାଜପଥରେ ସେ କେବଳ ବର୍ତ୍ତମାନ ଜୀବନ୍ତ । ବିରାଟ୍ ସହରର ପ୍ରତ୍ୟେକ କୋଠରିରେ ସୁବୋଧ ଦାସ ମାନେ ବନ୍ଦି ସୈନିକ ପରି ।

 

ଅଞ୍ଚଳଟି ସମ୍ପୂର୍ଣ୍ଣ ଅନ୍ଧକାର । ସବୁ ଚୁପ୍‍ଚାପ୍ । ସେ ଭିତରେ ନୀରବ ସେଣ୍ଟ୍ରିପରି କେତୋଟି ଛାଇ । ଚଳପ୍ରଚଳ ସେମାନେ ।

 

ତରୁଣ ଦାସ ଅନୁଭବ କଲା ସେଇ ଅନ୍ଧାର ଭିତରେ ତା’ ହାତକୁ କେହି ଜୋର୍ କରି ଟାଣୁଛି । ସ୍ପର୍ଶଟା କିଛି ପରିମାଣରେ ଚିହ୍ନା, ନୂଆ ନ ହେଲେବି ଅଳ୍ପ ଦିନର ଗ୍ରାହକ ଯେହେତୁ । ତରୁଣ ଦାସପାଇଁ ସମସ୍ତ ପୃଥିବୀ ଅନ୍ଧକାର ହେଇଗଲା ସେଇ ସମୟଟାରେ ।

 

ପଚାଶ ପଇସାରେ ତଥାପି ଶୀତ ରାତିକୁ ଅସ୍ଵୀକାର କରି ଏକ ସାମୟିକ ସନ୍ତୋଷରେ ତରୁଣ ଦାସ ଦେଖୁଥିଲା ସୁବୋଧ ଦାସଙ୍କ ଏକୁଟିଆ ଘର ଏବଂ ବଡ଼ ବଜାର ସାମ୍ନାରେ ସେ ଧାଡ଼ିବନ୍ଧା କ୍ୱାଟରଗୁଡ଼ିକରେ ନିଆଁ ଲାଗିଛି ଏବଂ ସେ ଉତ୍ତାପରେ ସେମାନଙ୍କର ବିକଳ ଆତ୍ମାମାନେ ଛଟପଟ କେମିତି... !!!

Image

 

ଶୀତରାତି । ଦୁଇ ।

 

ପୁନଶ୍ଚ ଶୀତ ରାତି ।

 

ତରୁଣ ଦାସ ଆମେରିକା ସରକାରଦ୍ଵାରା ଆୟୋଜିତ ଚନ୍ଦ୍ରଶିଳା ପ୍ରଦର୍ଶନୀରୁ ଫେରିଥିଲା ଠିକ୍ । ଚନ୍ଦ୍ରଶିଳା ବାଦାମ ରଙ୍ଗର ପଥର ଖଣ୍ଡଟେ, ଗୋଟିଏ କାଚ ପାତ୍ରରେ ଏକ ଟୁକୁରା କଲିଜା ପରି । ତା’ ପରଠାରୁ ଚନ୍ଦ୍ର ସମ୍ପର୍କରେ ତରୁଣ ଦାସ ମନରେ ସଞ୍ଚିତ ସମସ୍ତ କୋମଳ ଅନୁଭୂତି କ୍ଷତବିକ୍ଷତ ହୋଇଗଲା । ଚନ୍ଦ୍ର ପୃଷ୍ଠରେ ଠେକୁଆ ଏକ କଳ୍ପନା ଏବଂ ତାକୁ ସୁନା ରୂପରେ ପାଇବାପାଇଁ ତଅପୋଈର ଜିଦ୍‌ ଓ ତଦ୍‍ଜନିତ ଚେଷ୍ଟାରେ ସାଧବସାଧବାଣୀର ମୃତ୍ୟୁ ମଧ୍ୟ ଏକ କାହାଣୀ ।

 

ତରୁଣ ଦାସର ଲୋମମୂଳ କ୍ରମଶଃ ସ୍ଫୀତ ହେଲା । ଭୟଙ୍କର ଚନ୍ଦ୍ରାବତୀର ଶରୀରରୁ ଯଦି ସମସ୍ତ ଆବରଣ ଖୋଲି ଦିଆଯାଏ । ଦୁଇଟି ଗୋଲ ମାଂସ ପିଣ୍ଡ, ସରୁ କଟି ଏବଂ ତା’ର ଯୌନାଙ୍ଗ । ଓଃ, କିଏ ଅଛରେ ! ବନ୍ଦକର ଏ ସବୁ ଖିଆଲ–ତରୁଣ ଦାସର ଅନ୍ତର ଭିତରେ କେହି କୋରଡ଼ା ପାହାରଟେ କସିଦେଲା ହୁଏତ । ବୀଭତ୍ସ । ବୀଭତ୍ସ ।

 

ଆଲୋକିତ କୋଠରିରେ ନଗ୍ନ ତରୁଣ ଦାସ । ଫ୍ଳାଟ କ୍ଵାଟରରେ ଛୋଟ ବାଲକନି । ସାମ୍ନାରେ ମହିଳା କଲେଜ, ପାଖରେ ଅସମ୍ପୂର୍ଣ୍ଣ ୱାଟର ଟାୱାର; ଝାପ୍‍ସା ଅନ୍ଧାରରେ ଏକ ଶିଳ୍ପାଞ୍ଚଳର ଭ୍ରମ । ସିଲ୍‍ହଟ ପଟ୍ଟଭୂମିରେ ତମ୍ବା ରଙ୍ଗର ଜହ୍ନ ଏଇ ମାତ୍ର ଆକାଶରେ ଦେଖା ଦେଇଛି । ଗୋଟିଏ ସଦ୍ୟଃ କୁସୁମିତ କନ୍ୟାର ପ୍ରେମ ପରି ଶୀତ ।

 

ନା, ଚାରିକାନ୍ଥର ସୀମାରେଖାରେ ତରୁଣ ଦାସର ମୃତ୍ୟୁ ଅସମ୍ଭବ ।

 

ତରୁଣ ଦାସ ଅନ୍ୟମନସ୍କ । ତେବେ ନିଜର ଧାରଣା ଭିତରେ ଥିବା ରାସ୍ତାଟି ଉପରେ ଗୋଡ଼ ଠିକ୍ ଚାଲିଛି । ଖୋଲା ପଡ଼ିଆ ।

 

ଦଳେ ରାତିପକ୍ଷୀଙ୍କର କାକଳି ପରି ସୂକ୍ଷ୍ମକଣ୍ଠର ହଟ୍ଟଗୋଳ ଶୁଣାଗଲା । ତରୁଣ ଦାସ ପ୍ରକୃତିସ୍ଥ ହେଲା । କିଛି ଅପ୍ରାପ୍ତବୟସ୍କା ତରୁଣୀ । ସେମାନେ ଧାଡ଼ିବାନ୍ଧି ମହିଳା କଲେଜ ଆଡ଼େ ଚାଲିଛନ୍ତି । ସେମାନେ ବୋଧହୁଏ ପ୍ରେମ ବୁଝନ୍ତି । କାରଣ ତରୁଣ ଦାସକୁ ଦେଖିଲା ପରେ ସେମାନେ ବିକ୍ଷିପ୍ତ ହେଲେ ପରସ୍ପରକୁ ଧକା ମାରି । ସେମାନଙ୍କ ଅନାବୃତ ଗୋଡ଼ ସବୁ ଉତ୍ତାପ ବିକିରଣ କରୁଥିଲା । ଶୀତରାତିରେ ତରୁଣ ଦାସର ଦେହ ଘର୍ମାକ୍ତ ହେଲା ।

 

ଚନ୍ଦ୍ରାବତୀ ଶୀତଦିନ ପାଇଁ ଏଣ୍ଡିପୋକର ଏକ ଖୋଳପା ତିଆରି କରିଛି । ତା‌’ଭିତରେ ସେ ଶୀତର ପ୍ରାଦୁର୍ଭାବରୁ ନିଜକୁ ଉଷ୍ମ ରଖିପାରୁଛି ହୁଏତ । କିନ୍ତୁ ଛତା ତଳେ ରହିବା ଅପେକ୍ଷା ବର୍ଷାରେ ଭିଜିବା କ’ଣ ଅଧିକ ରୋମାଞ୍ଚକର ନୁହେଁ ! ବିଚାରୀ ଚନ୍ଦ୍ରାବତୀ ।

 

ଗଲା ଫଗୁଣରେ ଚନ୍ଦ୍ରାବତୀର ବାହାଘର ହେଲା । ତା‌’ ପୂର୍ବରୁ ଦିନେ ସେ ତରୁଣ ଦାସକୁ ଭେଟକଲା ରାଜପଥର କୌଣସି ଏକ କୃଷ୍ଣଚୂଡ଼ା ଗଛ ମୂଳରେ । ସେତେବେଳେ ଏକଦା ଯୌବନରେ ପ୍ରମତ୍ତ କାଳୀକୁତି, ଜୀବନର ସମସ୍ତ ମୋହମମତା ତୁଟାଇ ଖୁବ୍ କାକୁସ୍ତ ହୋଇ ଗଛ ମୂଳରେ ଶୋଇଥିଲା । ଚନ୍ଦ୍ରାବତୀ କହିଲା :

 

–ବୁଝିଲ ତରୁଣ ଦାସେ, ଏଥର ନୂଆଖାତା ଖୋଲିଲି । ତମ ହିସାବ ଉପରେ ଗୋଟିଏ ଛକ ମାରି ଦେଇଛି । କିଛି ଭାବିବନି । ଜାଣୁଛି ତମେ ମୋର ରସିକ ଗ୍ରାହକ । ତେବେ ଯେଉଁ ଲୋକଟି ନାଁରେ ନୂଆଖାତା ଖୋଲିଲି, ତା‌’ର କିଛି ଦରକାର ନିଶ୍ଚୟ । ନ ହେଲେ ମୋ ଦ୍ୱାରସ୍ଥ କାହିଁକି ହେଇଥାନ୍ତା !

 

ହେଲା, ପୋଛି ଦେଲି, ପୋଛି ଦେଲି ତମର ସବୁ ସ୍ମୃତିକୁ । ତମେ କିନ୍ତୁ ମରିଗଲ । ଆଜିଠାରୁ ତମ ଦୋକାନରେ ତମେ କେବଳ ମାଂସ ବିକ୍ରି କରିବ, ଫୁଲ ନୁହେଁ‌–ତରୁଣ ଦାସ କହିଲା-

 

ଚନ୍ଦ୍ରାବତୀ ବସିଥିଲା ଗୋଟିଏ ଉଦାସ ଗୋଧୂଳି ପରି ।

 

ତା‌’ପରେ ତରୁଣ ଦାସ ପ୍ୟାକେଟ୍‍ଟେ ସିଗ୍ରେଟ କିଣି ଫ୍ଲାଟକୁ ଫେରିଥିଲା । ନିଜ ଭିତରେ କିଛିଟା ଯନ୍ତ୍ରଣା । ଚନ୍ଦ୍ରାବତୀ ବୋଧହୁଏ ଜାଣି ପାରିଲା ନାହିଁ ତରୁଣ ଦାସ ତାକୁ ନେଇ ଗୋଟେ ଅନିଶ୍ଚିତ ବସାର କଳ୍ପନା କରିଥିଲା ବୋଲି ।

 

ଶୀତ ରାତିଟା ତରୁଣ ଦାସପାଇଁ ଏକ ଜଞ୍ଜାଳ । ସେତେବେଳେ ଚନ୍ଦ୍ରାବତୀଠାରୁ ଆରମ୍ଭ କରି ଏଇ ଅପ୍ରାପ୍ତବୟସ୍କା ତରୁଣୀମାନେ ତା’ ସାମ୍ନାରେ ଉଲଗ୍ନ ହୋଇ ନୃତ୍ୟ କରନ୍ତି । ରକ୍ତ ତା‌’ର ରମ ସାଙ୍ଗରେ ମିଶି ଏକ ନୂଆ ପାନୀୟରେ ପରିଣତ ହୁଏ । ତରୁଣ ଦାସ ଜଳେ ।

 

ତରୁଣ ଦାସ ମହିଳା କଲେଜର ସାମ୍ନା ରାସ୍ତାକୁ ଛୁଇଁଲା । ସେ ରାସ୍ତାରେବି ଅନେକ ବାଳିକା ଧାଡ଼ି ବାନ୍ଧି ଚାଲିଛନ୍ତି । କିଛି ଗୋଟିଏ ଉତ୍ସବ ଅଛି ବୋଧହୁଏ । ଅନେକଗୁଡ଼ିଏ କାର ପାର୍କ ରହିଛି । ସେ ଭିତରେ ଆସିଛନ୍ତି ଭଦ୍ର ସୁବୋଧ ଦାସମାନେ, ଯେଉଁମାନେ ତରୁଣ ଦାସକୁ ଘୃଣା କରନ୍ତି । ଯେହେତୁ ତରୁଣ ଦାସ କୌଣସି ପ୍ରକାର ହିପୋକ୍ରେସିକୁ ରୋକ୍‌ଠୋକ୍ ପଦାରେ ପକେଇଦିଏ ।

 

ତରୁଣ ଦାସ କହେ–ତମେ ଶଳେ ଏଇ ସବୁ ଫଙ୍କସନ୍‌ରେ ନିଜ ସାଙ୍ଗସାଥୀମାନଙ୍କ ଝିଅଙ୍କୁ କଡ଼କୁ ଜାକି ନେଇ ଦେହର ଉତ୍ତାପରୁ କିଛିଟା ଉପଶମ କର ! କିମ୍ବା ମିସେସ୍ ଅମୁକଙ୍କ ସହିତ କରମର୍ଦନ କଲାବେଳେ ଶୁଷ୍କ ଓଠରେ ଜିଭ ବୁଲାଇ ନେଇ ନିଜର ଅସହାୟତା ପ୍ରକାଶ କର-। ମୋର କିନ୍ତୁ ସେ ଧନ୍ଦା ନାହିଁ । ହେଲାତ ଖୋଲାଖୋଲି, ନ ହେଲେ ହାଡ଼କଟା ଗଳି-। ଦେହର କ୍ଷୁଧା ବଡ଼କଥା, ଲାଜ କ’ଣ !

 

ତରୁଣ ଦାସ କଡ଼ରେ ଗୋଟିଏ କାର ପାସ୍ କଲା । ତରୁଣ ଦାସର ମନେ ହେଲା ସେଥିରେ ବସିଥିବା ଝିଅମାନେ କୌଣସି ସମ୍ଭ୍ରାନ୍ତ ହୋଟେଲକୁ ବାଉଁଶ ବାସ୍କେଟ୍‌ରେ ବୁହାହୋଇ ଯାଉଥିବା କେତେଗୁଡ଼ିଏ ନାଲି କୁକୁଡ଼ା ।

 

ଶୀତ ରାତିରେ କୁକୁଡ଼ା ମାଂସ । ତରୁଣ ଦାସର ଓଠଦେଇ ବୁନ୍ଦାଏ ଲାଳ ବହି ଆସିଲା-

 

ଆଗରେ କାର୍‌ଟା ପାର୍କ କଲା । ତରୁଣ ଦାସ ଅପେକ୍ଷାକୃତ ଲମ୍ବା ଷ୍ଟେପ୍ ପକେଇବାକୁ ଭଲ ମନେ କଲା । ଅଳସ ଭିଡ଼ି ପାଞ୍ଚ, ଛ’ଟି ଯୁବତୀ (କିମ୍ବା ମାଈକିନିଆ) ପଦାରେ ଠିଆ ହେଲେ ଏବଂ ଜଣେ ପ୍ରୌଢ଼ ପାଖ ପାନ ଦୋକାନରୁ କେତେଟା ପାନ ବରାଦ କଲେ । ସେଇ ଝିଅମାନଙ୍କ ଭିତରେ ଜଣେ ଚନ୍ଦ୍ରାବତୀ ବୋଲି ତରୁଣ ଦାସ ଆଶ୍ଚର୍ଯ୍ୟ ହେଲା । ଚନ୍ଦ୍ରାବତୀ ଅପ୍ରତ୍ୟାଶିତ ।

 

ଚନ୍ଦ୍ରାବତୀ ହସିଲା, ତରୁଣ ଦାସବି । ସେ ହସର ବିଶେଷତ୍ଵ ବା କ’ଣ ! ଦାନ୍ତୁରୀ ଝିଅର ହସ-କାନ୍ଦ ସମାନ ପରି ଉଭୟଙ୍କ ହସ । ଯେମିତି ତାକୁ ଅର୍ଥ କରାଯାଇପାରେ ।

 

ଗୋଟାଏ ସ୍ଥିର ପରିବେଶରୁ ମୁକ୍ତି ପାଇବାପାଇଁ ତରୁଣ ଦାସ ପାଖ ପାନ ଦୋକାନରେ ପାନ ବରାଦ କଲା । ସେତେବେଳେ ପ୍ରୌଢ଼ ଜଣକ ତା’ ପୋଷାକପତ୍ର ଏବଂ ଚେହେରା ପ୍ରତି ଆଗ୍ରହୀ ହୋଇଥିଲେ ।

 

ଦୋକାନୀ ପାନ ଦେଲାପରେ ତରୁଣ ଦାସ ବୁଝିଲା ସେ ଅଧିକ ଖଣ୍ଡେ ବିଡ଼ିଆ ପାନପାଇଁ ବରାଦ କରିଛି । ଚନ୍ଦ୍ରାବତୀ ସବୁବେଳେ ବିଡ଼ିଆ ପାନଟେପାଇଁ ଜିଦ୍ କରେ । ତରୁଣ ଦାସ ହାତରୁ ପାନଟେ ନେବାପାଇଁ ଚନ୍ଦ୍ରାବତୀ’ର କିଛି ସଙ୍କୋଚ ନଥିଲା ଯଦିଓ ପ୍ରୌଢ଼ ଜଣକ ସେଥିପ୍ରତି କିଛିଟା ଆଗ୍ରହ ପ୍ରକାଶ କରୁଥିଲେ ।

 

ତରୁଣ ଦାସ ସ୍ଥିର । ଚନ୍ଦ୍ରାବତୀ ଅନ୍ୟମାନଙ୍କ ସହିତ ଅଡ଼ିଟୋରିଅମ୍‌ରେ ପଶିଲା ।

 

ସୁଅର ପ୍ରତିକୂଳରେ ତରୁଣ ଦାସ । ଶୀତରାତି ସବୁବେଳେ ନୂଆ । କିନ୍ତୁ ପୁରୁଣା ହେଇଗଲା ଚନ୍ଦ୍ରାବତୀ । ଚନ୍ଦ୍ରାବତୀ ଜଣେ ହିପ୍ନୋଟାଇଜଡ଼ ବ୍ୟକ୍ତି ପରି ଚାଲିଗଲା । ତା’ର ସ୍ପର୍ଶ ଶକ୍ତି ତା’ଠାରୁ ଦୂରେଇ ଯାଇଛି ଯେମିତି । ତରୁଣ ଦାସର ଇଚ୍ଛା ହେଲା ଦୌଡ଼ିଯାଇ କହିବ–ଚନ୍ଦ୍ରାବତୀ, ମୁଁ କିନ୍ତୁ ଏଯାଏଁ ନୂଆ ଖାତା ଖୋଲିନି, ଖୋଲିନି କ’ଣମ ! ବରଂ ଚେଷ୍ଟା କରି ପାରିଲି ନାହିଁ ।

 

ତରୁଣ ଦାସ ଫେରୁଥିଲା ଏକ ରିକ୍ତହସ୍ତ ଜମିଦାର ପରି ଯେ ନିଲାମରେ ଚାଲି ଯାଇଥିବା ତା’ର ପ୍ରିୟ ଆମ୍ବତୋଟାକୁ ଆଉ ଜଣେ ଭୋଗ କରୁଥିବାର ଦେଖୁଛି ।

 

କଲିନ୍‌ସ, ଆଲଡ଼୍ରିନ୍, ଧନ୍ୟବାଦ ତମର ରୋମାଞ୍ଚକର ସଫଳତା ପାଇଁ–ତରୁଣ ଦାସ ଖଣ୍ଡେ ସିଗ୍ରେଟ୍‌ରେ ନିଆଁ ଧରିଲା । ଆଖି ଆଗରେ କାଚ ପାତ୍ରରେ ଥିବା ଚନ୍ଦ୍ରଶିଳା, ଏକ ଟୁକୁରା କଲିଜା ପରି ।

 

ତରୁଣ ଦାସପାଇଁ ଚନ୍ଦ୍ର, ଚନ୍ଦ୍ରାବତୀ ଏକ କଥା । ଚନ୍ଦ୍ରଶିଳାବି ଚନ୍ଦ୍ରାବତୀ ହୃଦୟର ଏକ ଅଂଶ ହୋଇପାରେ ।

Image

 

ବୃହନ୍ନଳା

 

କୋଠରିକୁ ଖୋଲି ଦେଲେ ଅପର୍ଯ୍ୟାପ୍ତ ମଲ୍ଲୀଗଛ ଓ ତା’ର ପ୍ରତିଟି ଶାଖାରେ ପେନ୍ଥା ପେନ୍ଥା ଫୁଲ । ଯେମିତି କେହି କିଛି ବାସ୍ନା ଠୁଳ କରି ରଖିଥାଏ, କବାଟ ଖୋଲିଗଲା ପରେ ହଠାତ ଧୀର ପବନରେ ଛାଡ଼ିଦିଏ । ସୁରଭିତ କୋଠରି, ବସନ୍ତ ଋତୁ ।

 

କୋଠରି ସାମ୍ନାକୁ ବଖୁରିଟିଏ ଚାଳଘର । ତାକୁ କିଚେନ୍ କମ୍ ଷ୍ଟୋର କୁହାଯାଇପାରେ-। ସକାଳ ସାତଟାରୁ ଦିନ ଦଶଟା ଓ ସନ୍ଧ୍ୟା ଛ’ରୁ ରାତି ଦଶ ପର୍ଯ୍ୟନ୍ତ ତା’ ଭିତରେ କର୍ମରତ ବାଳକଟିର ନାମ ଗଙ୍ଗା । ସମ୍ବିତ ତାକୁ ଶ୍ରଦ୍ଧାରେ ଡାକେ ଗଙ୍ଗୋତ୍ରୀ । ଗଙ୍ଗୋତ୍ରୀ ଡାକିବା ତା’ର ଇଚ୍ଛାକୃତ ନୁହେଁ, ବରଂ ଗଙ୍ଗାର ଚାଲିଚଳନ ଓ ଆଚାରବିଚାରକୁ ନେଇ ତାକୁ ସେ ନାମରେ ଡାକିବା ତା’ର ଏକ କୌତୁହଳ ।

 

ଗଙ୍ଗା ଆଧୁନିକ ପରିଭାଷାରେ କୁକ୍, ବୟ ଓ ସର୍ବୋପରି ସମ୍ବିତର ନିଃସଙ୍ଗ ଜୀବନରେ ଏକମାତ୍ର ସହଯାତ୍ରୀ ମଧ୍ୟ ।

 

ବସନ୍ତ ଋତୁ ।

 

ବାହାରେ ମଲ୍ଲୀଫୁଲ ଓ ତା’ର ବାସ୍ନା ।

 

ଏକୁଟିଆ ଚାଳଘରେ ଗଙ୍ଗା କର୍ମରତ ।

 

ପାଖ ଡାକବଙ୍ଗଳାରେ ଅଜସ୍ର ଲୋକଭିଡ଼, ଘର ଭଙ୍ଗାଠାରୁ ବଳଦ କିଣିବା ପର୍ଯ୍ୟନ୍ତ ଯାବତୀୟ ଋଣ । ରେସ୍ତୋରାଁରେ କପ୍‌ଟିଏ ଚା’ ମଧ୍ୟ ପିଇ ହୁଏନା ସ୍ୱଚ୍ଛନ୍ଦରେ । ଅଯତ୍ନ ବର୍ଦ୍ଧିତ ପିଲାଟାର ବୃହତ୍ ପେଟ, ସରୁ ସରୁ ହାତ ଦୁଇଟି, ତା’ର ସମସ୍ତ ନିଷିଦ୍ଧ ଅଞ୍ଚଳ ଦିଶୁଥିବା ସତ୍ତ୍ୱେବି ପୋଷାକ ହିସାବରେ ଚିରା ପେଣ୍ଟ ଓ ସର୍ବୋପରି ତା’ର କରୁଣ ଆଖି ଦୁଇଟିରେ ଯେମିତି ବଞ୍ଚିଯିବା ପାଇଁ ଅନୁନୟ ।

 

ସମ୍ବିତର ହାତରେ କେତେବେଳେ ଚା’ କପ୍‍ଟା ଥଣ୍ଡା ହେଇଯାଏ, କିମ୍ବା ଅନ୍ୟ କେତେବେଳେ ତା’ର ଇଚ୍ଛା ହୁଏ ସେ ଛୋଟା ଅଧିକାରୀ (ରେସ୍ତୋରାଁର ମାଲିକ) ମୁହଁକୁ କପ୍‌ଟା ଫିଙ୍ଗି ଦେଇ କହିବାକୁ : ଦେଖ, ଦେଖ ସେ ଛୁଆଟାକୁ କେମିତି ପବନରେ ତା’ ପେଟଟା ଫୁଲି ଯାଇଛି, ଡାକବଙ୍ଗଳା ସାମ୍ନାକୁ ଚାହାଁ କେଇଟଙ୍କା ଋଣ ବା ସାହାଯ୍ୟପାଇଁ କେମିତି ଲୋକଭିଡ଼, ଆଉ ଅଧିକ ଯଦି କିଛି ଚାହୁଁଛୁ ମୋ ରହିବା ସ୍ଥାନକୁ ଯାଇ ଦେଖ କେମିତି ମଲ୍ଲୀଫୁଲ ଫୁଟିଛି । ଏଥିରେ ତୋ ଚା’ କେମିତି ପିଇବି !

 

ସମ୍ବିତ ଉଠି ଆସେ । କିନ୍ତୁ ଚା’ କପ୍‌ର ଦାମ୍ ଦେବାକୁ ଭୁଲି ଯାଏନା ଯେହେତୁ ତା’ର ପିଇବା ନ ପିଇବା ସହିତ ଅଧିକାରୀର କୌଣସି ସମ୍ପର୍କ ନାହିଁ ।

 

ଆଜି କେମିତି ସମ୍ବିତ ଆଶ୍ୱସ୍ତିକର ବୋଧକରୁଛି । ଅନେକ ଦିନ ପରେ ଆଜି କ୍ଳାସ୍‌ଟା ଫେଲିଓର । ସେଥିପାଇଁ ପିଲାମାନେ ଦାୟୀ କିମ୍ବା ନିଜର ଅପ୍ରସ୍ତୁତ ଅବସ୍ଥା ସେ ସିଦ୍ଧାନ୍ତ ମଧ୍ୟ ଏକ ଜଟିଳ କଥା । ତେବେ କେତେକାଂଶରେ ସେ ଦାୟୀ ଯେହେତୁ ଇଚ୍ଛା ବିରୁଦ୍ଧରେ କ୍ଳାସର ପ୍ରଥମ ବେଞ୍ଚକୁ ସେ ଆଜି ଚାହିଁ ଦେଲା । ପ୍ରଥମ ଧାଡ଼ିର ଡାହାଣ ପଟକୁ ଝିଅପିଲାମାନେ ଏବଂ ବାମ ପଟକୁ କେତେକ ଆଗୁଆ ପୁଅ ପିଲା । ସମ୍ବିତ ସବୁବେଳେ କ୍ଳାସ୍‌ର ଶେଷ ଧାଡ଼ିକୁ ଚାହେଁ । ତା’ରବି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ; ହୁଏତ ତଦ୍ଦ୍ୱାରା ସମସ୍ତ ପିଲା ତା’ ମୁହଁକୁ ଦେଖି ପାରିବେ କିମ୍ବା ନାରୀମାନଙ୍କ ପ୍ରତି ସ୍ଵାଭାବିକ ଦୁର୍ବଳତା ବଶତଃ ସେଥିରୁ ମୁକ୍ତିପାଇଁ ସେ ପଛ ବେଞ୍ଚକୁ ଚାହେଁ ।

 

ଆଜି କିନ୍ତୁ ଯେତେବେଳେ ଅନେକ ସରଳ ଭାଷାରେ ବୁଝାଇବା ସତ୍ତ୍ୱେ ପଛବେଞ୍ଚର ପିଲାମାନଙ୍କ ମୁହଁ ତାକୁ ନିର୍ବୋଧ ବୋଲି ମନେ ହେଲା ସେ କୌତୁହଳରେ ସମସ୍ତଙ୍କ ମୁହଁକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ କ୍ରମେ ଆଗକୁ ଆସୁ ଆସୁ ଭୁଲ୍‍ରେ ସାମ୍ନାବେଞ୍ଚକୁ ଚାହିଁ ଦେଲା । ସେଇ ଯେ ସେ ଚାହିଁଛି ତା’ର ଆଉ କିଛି କଥା ମନେ ନାହିଁ । ତା’ର ଏ ସମାଧି ଅବସ୍ଥା ପିଲାମାନଙ୍କ ପାଇଁ ଏକ ନୂତନ ଦୃଶ୍ୟ । ତେଣୁ କୌଣସି ପ୍ରକାର ବିଶୃଙ୍ଖଳା ନଥିଲା ପ୍ରାୟ ଦଶ ମିନିଟ ପର୍ଯ୍ୟନ୍ତ । ପିରିଅଡ଼ ଓଭର ହେଲା । ସମ୍ବିତ ପ୍ରକୃତିସ୍ଥ ହେଲା ଓ ହଠାତ ‘ସରି’ କହି କ୍ଳାସ୍‌ରୁ ଏକମୁହାଁ ହେଇ ବାହାରି ଆସିଲା । ବିଶ୍ରାମ କକ୍ଷରେ ଦୁଇଗିଲାସ ପାଣି ପିଇ ଉପରକୁ ଚାହିଁ ବସିଗଲା କିଛି ସମୟ ।

 

ହାତ୍, ଶଳା ଗୋଟେ ଦୁର୍ବଳତା । ପୁଣି ସମ୍ବିତ ଯେତେବେଳେ ସେ ପରିସ୍ଥିତିକୁ ଗଭୀରଭାବେ ଅନୁଶୀଳନ କଲା ଏଇ ସିଦ୍ଧାନ୍ତରେ ପହଞ୍ଚିଲା ଯେ ତାହା ନାରୀମାନଙ୍କ ପ୍ରତି ସ୍ଵାଭାବିକ ଦୁର୍ବଳତା ବଶତଃ ନୁହେଁ ।

 

କଥା ହେଲା ପ୍ରଥମ ବେଞ୍ଚରେ ବସିଥିବା ଝିଅ ପିଲା ଓ ବାମ ପାଖର ପୁଅ ପିଲାଙ୍କ ମଧ୍ୟରେ ସାଦୃଶ୍ୟ ଏତେ ବେଶି ଥିଲା ଯେ ଏସବୁ ସାମ୍ୟ ତଥା ତା’ ପଛରେ ଥିବା ଚିନ୍ତା ବିଷୟରେ ସେ କିଛି ସମୟ ଭାବିବାକୁ ଲାଗିଲା । ଏମିତି ଏକ ଆତ୍ମନିମଗ୍ନ ସମୟରେ ଘଣ୍ଟା ବାଜିଲା ଓ ତା’ର ଦୁର୍ବଳତା ଧରା ପଡ଼ିଗଲା ପିଲାମାନଙ୍କ ଆଗରେ ।

 

ଝିଅ ଏବଂ ସେ ପିଲାମାନଙ୍କ ମଧ୍ୟରେ ଅନେକ ମିଶିଗଲା ପରି ଲକ୍ଷଣ ରହିଛି । ପ୍ରଥମତଃ ସେମାନେ ଲତାଟିଏ ପରି ନରମ । ସେମାନଙ୍କର ବାବୁରି ବାଳ, ଲମ୍ବ ଗାଲମୁଛା, ବିଭିନ୍ନ ପ୍ରିଣ୍ଟ୍‍ର ପୋଷାକ ଓ ପାଲିସ୍ ମୁଖମଣ୍ଡଳ ତାଙ୍କୁ ଅନେକାଂଶରେ ନାରୀସୁଲଭ ଗୁଣର ଅଧିକାରୀ କରି ଦେଇଛି । ଯଦିଓ ତାଙ୍କର ପଟୁଆର ବିରାଟ୍ ତଥାପି ସେଥିରେ ଦାମ୍ଭିକତା ଅପେକ୍ଷା ଆତ୍ମନିବେଦନର ଭାବ ଯଥେଷ୍ଟ ।

 

ସେମାନେ ତେଣୁ ଏଇ ଯୁବତୀମାନଙ୍କ ନିକଟବର୍ତ୍ତୀ ଓ ସେମାନଙ୍କ ସହିତ ଏଇ ଘନିଷ୍ଠତାକୁ ଦୃଢ଼ କରିବାପାଇଁ ହୁଏତ ନିକଟରେ ବସନ୍ତି ।

 

ସମ୍ବିତ କେବେ କେମିତି କଲେଜ କରିଡ଼ରକୁ ନୀରବରେ ଲକ୍ଷ୍ୟ କରେ । ଦେଖେ ଏଇ ଯୁବକମାନଙ୍କୁ । ସେମାନେ ଦଳଦଳ ହେଇ ଯୁବତୀମାନଙ୍କ ସହିତ ହସଖୁସି କରନ୍ତି, ସେମାନଙ୍କୁ ବିଭିନ୍ନ ଉପାୟରେ ଆମୋଦିତ କରନ୍ତି । କିନ୍ତୁ ସେମାନଙ୍କଠି କ’ଣ କିଛି ଅଭାବ ରହିଯାଏ ବୋଧହୁଏ, ଫଳରେ ତାଙ୍କ ପ୍ରତି ଆକୃଷ୍ଟ ହେବା ତ ଦୂରର କଥା ବରଂ, ସମ୍ବିତ ପ୍ରସଙ୍ଗକ୍ରମେ କେବେ ଶୁଣିଛି, ତାଙ୍କୁ ସେ ଯୁବତୀମାନେ ସହଚରୀ ହିସାବରେ ଗ୍ରହଣ କରନ୍ତି ।

 

ସହଚରୀ ମନୋରଞ୍ଜନ କରେ, କିନ୍ତୁ ଅନ୍ୟକଥା, ଯେମିତିକି ନାରୀର ସେକ୍‌ସ ବା ନିରାପତ୍ତାରେ ସହଚରୀର ଭୂମିକା ବିଷୟରେ ସମ୍ବିତ ସନ୍ଦେହରେ ପଡ଼େ ।

 

ଯୁବକମାନଙ୍କର ଶରୀର ଉପରେ ପରିବର୍ତ୍ତନର ପରୀକ୍ଷା ଚାଲିଛି । ଏଇ ପରୀକ୍ଷାର ଆତ୍ମିକ ପ୍ରକାଶ କ’ଣ ! ନା ସମୟ ସହିତ ଖାଲି ଗୋଟେ ବୁଝାମଣା ।

 

ଶରୀର ଉପରେ ପରୀକ୍ଷା ହେଉ କିଛି କ୍ଷତି ନାହିଁ । କିନ୍ତୁ ସମ୍ବିତ ବିବ୍ରତ ହୁଏ ଯେତେବେଳେ ଦେଖେ ଏଇ ପରିବର୍ତ୍ତନ ସହିତ ପୁରୁଷର ମୌଳକ ଗୁଣରେବି ପରିବର୍ତ୍ତନ ଘଟୁଛି । ପୁରୁଷକୁ ନାରୀ ପାଖରେ ଯାହା ପ୍ରତିଷ୍ଠିତ କରେ ସେଇ ଗୁଣଟି ଯେମିତି ସେମାନଙ୍କଠାରୁ ଅପହୃତ-

 

କ’ଣଟା ହବ ଆଉ ! କୋଣାର୍କ ମନ୍ଦିର ଗାତ୍ରରେ ମିଳିତ ଯୌନମୁଦ୍ରା, ଝାଉଁ ବଣରେ ବିକ୍ଷିପ୍ତ ଲୁଣି ହାଉଆ, ପାତି ବାଲି ଶେଯରେ ଆତ୍ମରତି । ସମାନ୍ତରାଳ ଗୋଟାଏ ଦୁନିଆ ସେତେବେଳେ ଡାକବଙ୍ଗଳାରେ ଭିଡ଼ କରୁଛି ଓ ସେ ପିଲାର କରୁଣ ଆଖି ଯୋଡ଼ିକ ସ୍ଵଚ୍ଛନ୍ଦରେ ଚା’ ଟିକେବି ପିଆଇ ଦେଉନି ।

 

ଅବସନ୍ନ ସମ୍ବିତ କଲେଜରୁ ଫେରୁଥିବା ସମୟରେ : ଆଗରେ ଯୁବକ ଦଳକ ଚାଲୁଥିଲେ ଯେଉଁମାନଙ୍କ ପାଇଁ କ୍ଳାସ ଆଜି ଫେଲିଓର । ସେମାନେ ରାସ୍ତାକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ଚାଲିଥିଲେ । ଯେମିତି ଦଳେ ରଙ୍ଗବେରଙ୍ଗ ପ୍ରଜାପତି । ଚାଲିରେ ତରଙ୍ଗ, ବହୁ ଭାବରେ ରାସ୍ତାକୁ ମୁଖରିତ କରୁଥିଲେ ।

 

ସମ୍ବିତ ସେମାନଙ୍କଠାରୁ ଅଳ୍ପ ବ୍ୟବଧାନ ରକ୍ଷା କରୁଥିଲା । ସେମାନଙ୍କ ବେପରୁଆ ଢଙ୍ଗ ଯଦିଓ ସମ୍ବିତପାଇଁ ବିରକ୍ତିକର ତଥାପି ସେମାନଙ୍କୁ ଦେଖିବାରେ ତା’ର କୌତୁହଳ । ସେମାନେ ଆଲୋଚନା କରୁଥିଲେ ଝିଅଙ୍କ ବିଷୟରେ । ସମ୍ବିତ ହୁଏତ ସେମାନଙ୍କୁ ରୋକ୍‌ଠୋକ୍ କିଛି ଶୁଣେଇ ଦେଇ ପାରନ୍ତା, କିନ୍ତୁ ପାରିଲା ନାହିଁ । ପରମୁହୂର୍ତ୍ତରେ ସେମାନଙ୍କୁ ତା’ର ଦୟା କରିବାକୁ ଇଚ୍ଛା ହେଲା । ବିଚରାମାନେ, ଫଳକୁ ଚାହିଁବାରେ ତାଙ୍କର ଆନନ୍ଦ, ସେଥିରେ କିଛି ଆତ୍ମସନ୍ତୋଷ । ଦୁର୍ବଳ ଅର୍ଥନୀତି, ସଂକୀର୍ଣ୍ଣ ଅଣ୍ଟା, ଏମାନଙ୍କ ଉପର ବିଶ୍ୱାସ ଝିଅମାନଙ୍କର !

 

ସମ୍ବିତର ଏ ଭାବଟା କେବଳ ତଳକୁ ମୁହଁପୋତି ଚାହିଁବାରେ ପ୍ରକାଶିତ ହେଉଛି ।

 

ସମ୍ବିତ ଅଗଣାକୁ ଚାହିଁଲା ।

 

ଅପରାହ୍ନ ।

 

ଗଙ୍ଗା ସେ କୋଠରି ମଧ୍ୟରେ କର୍ମରତ ।

 

ସମ୍ବିତ ତା’ କାନ୍ଥରେ ଲଟକୁଥିବା ପଟ୍ଟଚିତ୍ରକୁ ଚାହିଁଲା : ଯୁଦ୍ଧ ଅଭିଯାନରେ ଓଡ଼ିଆ ପାଇକ ପୁଅ । ବେକ ଉପରେ ଝୁଲି ପଡ଼ିଛି ଗୋଛାଏ ଲେଖା ବାଳ, କାନରେ କୁଣ୍ଡଳ, ଲମ୍ବା ଗାଲମୁଛା, ଆକର୍ଣ୍ଣ ନିଶ...ସମସ୍ତ ଚେହେରାରେ ବୀରତ୍ୱର ମୁଦ୍ରାଙ୍କ । ନୀରବରେ ଲକ୍ଷ୍ୟକଲେ କାନରେ ଯେମିତି ସେମାନଙ୍କ ଉଦ୍ଦାମ ଗତି ପ୍ରତିଧ୍ୱନିତ ।

 

ସମ୍ବିତ ମନକୁ ପ୍ରଶ୍ନ କଲା : ଯଦି ଏଇ ଯୁବକମାନଙ୍କୁ ଠିକ୍ ସେମିତି ସଜାଇ ଦିଆଯାଇ ଯୁଦ୍ଧ ଯାତ୍ରାର ଦାୟିତ୍ଵ ଦିଆଯାଏ ! ହସିଲା ତା’ପରେ । ହସରେ ପୁଣି ଯନ୍ତ୍ରଣା ଥାଏ ଏକଥା ସେ କାହାକୁ କହିବ ।

 

ସମ୍ବିତ ବାହାରକୁ ଆସିଲା । ହଳଦି ରଙ୍ଗର କ୍ଷୟିଷ୍ଣୁ ଖରା । ପରେ ପରେ ଗୋଟେ ନୀରବ ଶୀତଳତା । ଏଇଟାଇ କ’ଣ ଜୀବନ ! ମଧ୍ୟାହ୍ନ ଶୀତଳ ହେଇ ଯାଉଛି କ୍ରମେ । କ’ଣଟା ହବ ଆଉ ! ଏମିତି, ଏମିତି...ପରେ ଅନ୍ଧକାର, ସୂର୍ଯ୍ୟର ଅପମୃତ୍ୟୁ, ପରେ ହୁଏତ ପୁନର୍ଜନ୍ମ !

 

କିନ୍ତୁ ବର୍ତ୍ତମାନ ?

 

ବର୍ତ୍ତମାନ ଏଷ୍ଟାବ୍ଳିଶ୍‌ମେଣ୍ଟ, ତା’ର ଶୋଷଣ ଡାକବଙ୍ଗଳାରେ ଋଣ ବା ସାହାଯ୍ୟ ମାଗିବାଠାରୁ ବିକଳାଙ୍ଗ ଶିଶୁର ଚା’ ପିଆଇ ନ ଦେବା ପର୍ଯ୍ୟନ୍ତ । ପୁଣି ପ୍ରତିବାଦ ଲମ୍ବାବାଳ, ଅସ୍ଵୀକୃତ ଆଦବ କାଇଦାରେ ବିଶୃଙ୍ଖଳିତ ଯୁବକ ।

 

କିଛି କଥା ନାହିଁ, ଅନାବଶ୍ୟକ ଅଯଥା ପୌରୁଷ । ତାକୁ କିକ୍ କରି ଗୋଟାଏ ଫୁଟ୍‌ବଲ ପରି ଗଡ଼ାଇ ଦିଆଯାଇପାରେ । ନିଜକୁ ନିଜଠାରୁ ମୁକ୍ତ କରି ଚାରମିନାର ସିଗ୍ରେଟ୍‌ରେ ମାଲ୍ ଭର୍ତ୍ତିକରି ଉତ୍ତପ୍ତ ବାଲିରେ ଶୋଇ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଅନାଯାଇପାରେ ।

 

କ’ଣଟା ହବ ଆଉ ଏ ପ୍ରତିବାଦରେ !

 

ସମ୍ବିତର ଶରୀରରେ ନାଗପାଶ । ସେ ଏ ଯୁବକମାନଙ୍କୁ ଘୃଣା କରେ ଯେମିତି, ସେମାନଙ୍କ ପ୍ରତିକ୍ରିୟାକୁ ନିଜ ଭିତରେ ଅନୁଭବ କଲେ ଗୋଟାଏ ଘୂର୍ଣ୍ଣାୟମାନ ଦୁନିଆ ଦେଖେ ଆଗରେ । ତେଣୁ ଏ ଯୁବକମାନଙ୍କର କ’ଣ ଆବଶ୍ୟକ ସେ ଡାକବଙ୍ଗଳାର ଲୋକ ଭିଡ଼ର ଗୁରୁତ୍ଵ ବିଚାର କରିବାକୁ ବା ସେ ପିଲାର ଭଗ୍ନସ୍ଵାସ୍ଥ୍ୟ ପ୍ରତି ସମ୍ବେଦନଶୀଳ ହେବାକୁ ।

 

ତେବେ ବାଟ କ’ଣ !

ବାଟ ଖୋଜିବାକୁ ଗଲେ ସେ ଅଧିକ ଗୋଳମାଳରେ ପଡ଼େ । ତା’ର ନିଯୁକ୍ତି ଭବିଷ୍ୟତ୍ ବଂଶଧରଙ୍କୁ ଆଲୋକର ପଥ ଦେଖାଇବାକୁ । କିନ୍ତୁ ଏଷ୍ଟାବ୍ଳିଶ୍‌ମେଣ୍ଟ ଗୋଟାଏ ପୁରୁଣା ବୁନିଆଦିକୁ ଜାବୁଡ଼ି ଧରି ଅନ୍ଧକାରରେ ଆତ୍ମଗୋପନ କରିବାକୁ ପସନ୍ଦ କରେ । ନିଜର ନିରାପତ୍ତା ପାଇଁ ଅନ୍ଧକାରରେ ନକଲି ଆସ୍ଥା ସ୍ଥାପନ କରୁଥିବା ସମ୍ବିତ ସେମାନଙ୍କୁ କି ପ୍ରକାର ଆଲୋକର ସନ୍ଧାନ ଦେବ ଅବା ।

ଅନାସ୍ଥା ଭାବ । ପ୍ରତିବାଦ । ଏଷ୍ଟାବ୍ଳିଶ୍‌ମେଣ୍ଟ ବିରୁଦ୍ଧରେ ପ୍ରତିବାଦ ପାଇଁ ଶକ୍ତିର ଅଭାବ, ତେଣୁ ପ୍ରତିକ୍ରିୟା ।

ସମ୍ବିତର ଚାରିକଡ଼ରେ ଲୁହାର ପ୍ରାଚୀର । ତା’ ଧମନୀରେ ନୀଳରକ୍ତ ଆସ୍ତେ ଜମାଟ ବାନ୍ଧିଛି । ସବୁଆଡ଼େ ଗୋଟାଏ ତୀବ୍ର ସତର୍କତା, ପୂର୍ବପ୍ରଚଳିତ ଧାରାର ନିୟନ୍ତ୍ରଣରୁ ମୁକ୍ତ ହେବାର ଚେଷ୍ଟା କ୍ଷତିକାରକ ।

ସମ୍ବିତ ମୁହଁରେ ଦୀର୍ଘଶ୍ୱାସ । ହାତ ନିକଟରେ ମଲ୍ଲୀଫୁଲ, ନାକରେ ବାସ୍ନା । ବସନ୍ତ ଋତୁ-। ସେକ୍‌ସ୍, ଅର୍ଥନୀତି, ଈଶ୍ୱର, ଆତ୍ମବିଶ୍ଵାସ ସବୁ କିଛି ତା’ ମନକୁ ଦୁର୍ବଳ କରୁଛି କ୍ରମେ-। ସେ ନାଗପାଶରେ । ପ୍ରତିଦିନ ବା ବିଦ୍ରୋହ କେବଳ କାରୁଣ୍ୟ ।

ଆସନ୍ତା ବୈଶାଖରେ ତୋର ବିବାହ ଯେମିତି ହେଲେ ହେବାକୁ ବାଧ୍ୟ । କନ୍ୟା ଘର ବ୍ୟସ୍ତ କଲେଣି । ତୋର ଅମତ ହେବାର କିଛି ନାହିଁ । ଶ୍ଵଶୁର ରିଟାୟାର୍ଡ଼ ଆଇ.ଏ.ଏସ. ଅଫିସର୍ । କନ୍ୟା ରୂପବତୀ, ଶିକ୍ଷିତା । ବାଟଖର୍ଚ୍ଚ ପାଞ୍ଚହଜାର ନଗଦ କେଶ୍, ସ୍କୁଟର, ରେଫ୍ରିଜେରେଟର ଇତ୍ୟାଦି ଇତ୍ୟାଦି ।

ଏଷ୍ଟାବ୍ଳିଶ୍‌ମେଣ୍ଟ ପୋଜେସିଭ୍ । ତା’ ଅକ୍ତିଆରରେ ସମସ୍ତ ଜିନିଷକୁ ଠୁଳ କରି ତା’ ଉପରେ ବସି ସେ ଅନ୍ୟମାନଙ୍କୁ ଚାହିଁବ ।

ସମ୍ବିତ ଶିକ୍ଷିତ । ବାପା ତାକୁ ବଜାର ଛକରେ ଠିଆ କରାଇ ଅକ୍‌ସନ୍ କରୁଛନ୍ତି । ଦରଦାମ ପକ୍କା ସୁନ୍ଦରୀ ସ୍ତ୍ରୀ, ବର୍ଷେ ଲେଖା ବ୍ୟବଧାନରେ ଜନସଂଖ୍ୟାରେ ଗୋଟିଏ କରି ସରଳ ଶିଶୁଙ୍କ ଯୋଗଦାନ, ସମ୍ବିତ ଏଷ୍ଟାବ୍ଳିଶ୍‌ମେଣ୍ଟର ଅଙ୍ଗ ।

ସମ୍ବିତ, ନିଜକୁ ଉପଲବ୍‌ଧି କରିବାର ଯେଉଁ ଟିକକ ସ୍ଵାଧୀନତା ଅନ୍ତତଃ ତୁମର ଅଛି ସେତକ ନଷ୍ଟ କରନା । ତୁମେ ସ୍ପଷ୍ଟ ମନା କରିଦିଅ । ସମ୍ବିତ ଅନ୍ତରର ଏଇ ଭାବ କାଗଜ କଲମରେ ରୂପ ପାଇଲା । ଆପାତତଃ ବିବାହ ବନ୍ଦ ।

ସନ୍ଧ୍ୟା ଆସୁଛି ।

ଗଙ୍ଗା କର୍ମରତ ।

ସମ୍ବିତ ଛୋଟ ବଗିଚାଟିରେ ପାଦ ହେଲା । ସନ୍ଧ୍ୟା ଆସୁଛି । ପଛପଟ ରାସ୍ତାରେ ଲୋକ ଗହଳି, ସାନ୍ଧ୍ୟ ଭ୍ରମଣ । ରାସ୍ତା କଡ଼ର ଧାଡ଼ି ଧାଡ଼ି ଝାଉଁଗଛ ପାଣ୍ଡୁର ଦିଶିଲେଣି । କିଛି ପୂର୍ବରୁ ପରିଷ୍କାର ଦିଶୁଥିବା ଗ୍ରାମ ଆଉ ସେଠିକି ଲମ୍ବିଯାଇଥିବା ରାସ୍ତାର ଗୈରିକ ରୂପ ଅନ୍ଧକାରରେ ଅସ୍ପଷ୍ଟ ହେଲେଣି । ରାସ୍ତାରେ ଦଳଦଳ ଯୁବକ ଓ ସେମାନଙ୍କର ଆତ୍ମନିବେଦନର ଆଖିଗୁଡ଼ିକ ।

 

ସମ୍ବିତ ପଶ୍ଚିମକୁ ମୁହଁକଲା । ଅନେକ ବେଳୁ ସୂର୍ଯ୍ୟ ବୁଡ଼ି ଗଲେଣି । ତା’ର ଶେଷ ସ୍ମାରକ ଈଷତ୍ ନାଲିର ଏକ ଆଭା । ସେ ଆଡ଼େ ନିବିଷ୍ଟ ଚିତ୍ତରେ ଚାହିଁଛି ସମ୍ବିତ । ସେଇ ଈଷତ୍ ନାଲି ଆଭା ମଧ୍ୟରୁ ଏକ ନୂତନ ଦୃଶ୍ୟର ସୃଷ୍ଟି ହେଉଛି । ଚିତ୍ରବିଚିତ୍ର ପୋଷାକରେ, ଏଇ ଯୁବକମାନଙ୍କର ଏକ ଶୋଭାଯାତ୍ରା । କାନ୍ଧରେ ଖୋଳ, ହାତରେ ଗିନି, ବେକରେ ତୁଳସୀ କଣ୍ଠର ମାଳ । ମୁଣ୍ଡର ବାଳ ଅବିନ୍ୟସ୍ତ, ଶ୍ମଶ୍ରୁହୀନ ମୁହଁରେ କରୁଣ ଦୃଷ୍ଟି । ସେମାନେ ହୁଏତ ଉଚ୍ଚାରଣ କରୁଥିଲେ ‘ହରେକୃଷ୍ଣ ହରେରାମ’ ଅଥଚ ଶବ୍ଦ ସମ୍ବିତ କାନରେ ଶୁଣାଯାଉଥିଲା ‘ଆଲୋକ’ ‘ଆଲୋକ’ । ଚିତ୍ରଟି ସମସ୍ତ ଦିଗକୁ ବ୍ୟାପୁଛି । ସେମାନଙ୍କ ମଧ୍ୟରୁ କେତେକ ସମ୍ବିତକୁ ହାତଠାରି ଡାକୁଛନ୍ତି : ଚାଲି ଆସ, ମଧ୍ୟ ସ୍ଵର୍ଗ କାହିଁକି ? ଆଲୋକର ସନ୍ଧାନ ନିଅ, ନ ହେଲେ ବାପାଙ୍କ ସର୍ତ୍ତରେ ରାଜି ହୋଇଯାଅ ।

 

ସମ୍ବିତ କାନରେ ହାତ ଦେଲା ଏବଂ ହଠାତ ଆଖି ବନ୍ଦ କରି ଦେଲା ।

 

ଗଙ୍ଗା ଡାକରେ ସମ୍ବିତ ପ୍ରକୃତିସ୍ଥ ହେଲା ।

 

ଗଙ୍ଗା ଠିଆ ହେଇଛି । ତା’ର ବାବୁରି ବାଳ, ଗୋଲଗାଲ ଶ୍ୟାମଳ ଦେହ । ସେ ସନ୍ଧ୍ୟାରେ ମେନୁ ସମ୍ପର୍କରେ ଆଦେଶ ଅପେକ୍ଷା କରିଛି ।

 

ସମ୍ବିତକୁ ନୀରବ ଦେଖି ଗଙ୍ଗା ପୁଣି ଫେରି ଯାଉଛି । ବୋହୂଟିଏ ପରି ତା’ର ଚାଲି, କଥାବାର୍ତ୍ତା ମଧ୍ୟ । ସମ୍ବିତକୁ ଅତିଷ୍ଠ ମନେ ହେଲା ଗଙ୍ଗା ବର୍ତ୍ତମାନ ପାଇଁ । ସମ୍ବିତର ପିଠିରେ ହାତ ମାରିଦେବା ପାଇଁ ନିକଟରେ କେହି ଯେମିତି ନାହାନ୍ତି ।

 

ସମ୍ବିତ ଗଙ୍ଗୋତ୍ରୀକୁ ଡାକିଲା । ସେ ଆସି ଠିଆ ହେଲା ତା’ ସାମ୍ନାରେ । ମଲ୍ଲୀଫୁଲର ବାସ୍ନା ତୀବ୍ର ହେଲାଣି । ସନ୍ଧ୍ୟାପାଇଁ ଡାକବଙ୍ଗଳାରୁ ଭିଡ଼ କମିଗଲାଣି ଏବଂ କେଉଁ ଦୂର ଦୂରାନ୍ତରୁ ମାଗିବାପାଇଁ ଆସିଥିବା ସେ ବିକଳାଙ୍ଗ ଶିଶୁମାନେ ଚାଲିଗଲେଣି ।

 

ଗଙ୍ଗୋତ୍ରୀ ତା’ ସ୍ଵଭାବସୁଲଭ ଠାଣିରେ ଚାହିଁଛି ସମ୍ବିତକୁ, ସମ୍ବିତ ତାକୁ ମଧ୍ୟ । ଗଙ୍ଗାର ଆଖି ଯୋଡ଼ିକରେ ବୈଷ୍ଣବ ଗୀତି କବିତାର ଭାବ ।

 

ଆରେ ଗଙ୍ଗୋତ୍ରୀ ଚାଲ ଯିବା, ସମ୍ବିତର କଣ୍ଠର ବିକଳ ନିଃସଙ୍ଗତା ।

 

–କୁଆଡ଼େ ବାବୁ ?

 

–କୁଆଡ଼େ ? କୁଆଡ଼େ କ’ଣରେ ? ଆ, ମୋ ପାଖକୁ ଟିକେ ଲାଗି ଆସିଲୁ...ଆ, ଆ..., ସମ୍ବିତ ଗଙ୍ଗୋତ୍ରୀକୁ ନିଜ ନିକଟକୁ ଟାଣି ଆଣିଲା ଓ ପରେ ତା’ର ଅଣ୍ଟାରେ ହାତ ଛନ୍ଦି ରାସ୍ତା ଉପରେ ପାଦ ଦେଲା ।

 

ସମ୍ବିତ ମୁହଁରେ କଥା ନାହିଁ । ହାତରେ ଟର୍ଚ୍ଚର ଅସ୍ଥିର ଆଲୋକ । ଘନ ଅନ୍ଧକାର ପାଇଁ ଏ ଟର୍ଚ୍ଚଟି ଯେମିତି ପ୍ରଚୁର ନୁହେଁ । ସେ ରାଗରେ ରାସ୍ତା ଉପରେ କଚିଦେଲା ଟର୍ଚ୍ଚଟିକୁ ଓ ତା’ପରେ ସେମିତି ଗଙ୍ଗାର ଅଣ୍ଟାରେ ହାତ ଛନ୍ଦି ଆଗକୁ ପାଦ ବଢ଼େଇଲା ।

Image

 

ଆତ୍ମଭାବ

 

ଗତ କେତେଦିନ ହେଲା ମୋ ଭିତରେ ଏକ ପରିବର୍ତ୍ତନ ଦେଖା ଦେଇଛି । କେବଳ ମାତ୍ର ଏକ ପରିବର୍ତ୍ତନ, ପୁଣି ମୋ ସହିତ ସାମାଜିକ ଲୋକମାନଙ୍କ ସମ୍ପର୍କକୁ ଯୋଗ କରି ବିଚାର କଲେ ।

 

ମୋର ପରିଚୟ : ମୁଁ ଶ୍ରୀ...ଯେ କୌଣସି ଜଣେ ଯୁବକ, ଉଚ୍ଚ ଶିକ୍ଷିତ, ଏକଦା ସବୁଜ ଘାସର ଅରଣ୍ୟରେ ବୁଲୁଥିଲି । ଅଧୁନା ସାମାଜିକ ଲୋକମାନଙ୍କଦ୍ୱାରା ସ୍ଵୀକୃତ । ସରଳ ଭାଷାରେ କହିଲେ ମୋ ନାମ ପୂର୍ବରୁ ଏକ ବିଶେଷଣ ଯୋଗ କରାଯାଇ ମୋ ଉପରେ ଅଯଥା କିଛି ସମ୍ମାନ ଲଦି ଦିଆଯାଇଛି । ଫଳରେ ମୋ ସ୍ଵାଭାବିକ ନିଜପଣିଆ ମୁମୂର୍ଷୁ ଏବଂ ନୂତନ ଜୀବନ୍ତ ପ୍ରତିନିଧି ମୋ ନିକଟରେ ଅତିଥି । ତେଣୁ ଏଇ ସ୍ଵାଭାବିକ ନିଜପଣିଆ ଆଉ ନୂତନ ପ୍ରତିନିଧି ଦୁଇ ଭାବର ମୋ ଶରୀର ଉପରେ ପ୍ରଭାବ ସମ୍ପ୍ରତି ମୋପାଇଁ ଆଶ୍ଵସ୍ତିକର ।

 

ମୁଁ ମୋର ସ୍ଵାଭାବିକ ପରିବେଶରୁ ବିତାଡ଼ିତ । ମୋର ଅବସ୍ଥାନ ଏକ ନିର୍ଜନ ଦ୍ଵୀପରେ କିମ୍ବା ଏକ ପରିତ୍ୟକ୍ତ ସହରରେ ! ପରିତ୍ୟକ୍ତ ସହର, କାରଣ ଏଠାରେ ସ୍ଵାଭାବିକ 'ମୁଁ’ର ସ୍ଵଚ୍ଛନ୍ଦ ବିହାର ଏକବେଳେକେ ଅସମ୍ଭବ ନ ହେଲେବି କଷ୍ଟକର ଯେହେତୁ ମୋର ନିଜପଣିଆ ଏଠାରେ ସ୍ଵାଗତଯୋଗ୍ୟ ନୁହେଁ ।

 

ତଥାପି ବଞ୍ଚିବାକୁ ପଡ଼ିବ ।

 

ଏଇଟା ହେଲା ମୋ ଦୁଇ ବ୍ୟକ୍ତିତ୍ଵର ବୁଝାମଣା ।

 

କିନ୍ତୁ ଏଇ ବୁଝାମଣା କେଡ଼େ କଷ୍ଟପ୍ରଦ ଏବଂ ବିରକ୍ତିକର ଏକଥା କିଏ କାହାକୁ ଖୋଲି କହିବ ! କହିଲେବି କିଏ ଏଡ଼େ ସହୃଦୟ ପର ଯନ୍ତ୍ରଣାରେ ଆହା ବୋଲି କହିବ !!!

 

‘ଆହା’ ଶବ୍ଦଟିକୁ ଖୋଜିବାକୁ ଯାଇ ଅନେକ ସମୟରେ ମୋତେ ନିରାଶ ହେବାକୁ ପଡ଼େ ଏବଂ ଏ ବିଷୟରେ ସାମାଜିକ ଲୋକମାନଙ୍କୁ ବୁଝାଇବାକୁ ଗଲେ ସେମାନେ ହସି ଦେଇ କହନ୍ତି ‘ବୋକାଟିଏ’ ।

 

ମୋ ବାସସ୍ଥାନ ପନ୍ଦର ଫୁଟରେ କୋଡ଼ିଏ ଫୁଟ ଟାଇଲ ଛାତର କୋଠରିଟିଏ । ତିନି ପାଖ ଧାନ କ୍ଷେତ, ସାମ୍ନାରେ କଚା ରାସ୍ତା, ଯତ୍ନ ଅଭାବରୁ ତା’ର ଦୁଇକଡ଼ ଦନ୍ତୁରିତ । ରାସ୍ତାକଡ଼ରେ ଝାଉଁଗଛ କେତୋଟି ଏବଂ ରାସ୍ତାଟି ଅସମାନ ହୋଇଥିବାରୁ ରାତି କେଇ ଘଣ୍ଟା ଛାଡ଼ି ଦେଲେ ଅବଶିଷ୍ଟ ସମୟରେ ବଳଦଗାଡ଼ିର ଶବ୍ଦ ସେ ଅଞ୍ଚଳକୁ ମୁଖରିତ କରେ । କେତେବେଳେ କେମିତି ସେ ରାସ୍ତାରେ ଖଣ୍ଡେ ଅଧେ ସାଇକେଲ ଚାଲିଯାଏ । ଯଦିଓ ଆରୋହୀର ଘଣ୍ଟି ଶବ୍ଦ ପାଖଚଲା ଲୋକକୁ ଯଥେଷ୍ଟ ପୂର୍ବରୁ ସତର୍କ କରୁଥାଏ ।

 

ମୁଁ ସକାଳୁ ଉଠି ଦେଖେ ପ୍ରକାଣ୍ଡ ଏକ ସୂର୍ଯ୍ୟ ଯେ ରକ୍ତରେ ଜୁଡ଼ୁବୁଡ଼ୁ ଯେମିତି । ଆଶ୍ୱସ୍ତ ହୁଏ : ମୋର ଅଧିକାର ହୁଏତ ରକ୍ତ ହେଇ ସୂର୍ଯ୍ୟ ଦେହରେ ଲେସିହୋଇ ଯାଇଛି । କିନ୍ତୁ ଶୀତ ପ୍ରକୋପରେ ଗାଡ଼ିଆଳର କାକୁସ୍ତ ଦେହ ପ୍ରତ୍ୟୟକୁ ଊଣା କରେ ।

 

ତା’ପରେ ଗୋଟାଏ ଦିନ ଶୃଙ୍ଖଳାର । ନିର୍ଦ୍ଦିଷ୍ଟ ସମୟ, ସମସ୍ତ ପ୍ରକାର ନିତ୍ୟକର୍ମ, ଭୋଜନ ଏବଂ କେତେ ମିନିଟ ବିଶ୍ରାମ । ଦର୍ପଣରେ ବାରମ୍ବାର ନିଜର ପ୍ରତିବିମ୍ବ, ଅଜାଣତରେ କିଛି ଆତ୍ମସନ୍ତୋଷ, ସୁନ୍ଦର ପୁରୁଷଟିର ଅନ୍ୟ ଆଗରେ କିଛି କହିବାପାଇଁ ପୂର୍ବ ପ୍ରସ୍ତୁତି ।

 

ଦିନରେ ମୋ ପରିଚୟ ରୂପାନ୍ତରିତ !

 

ସନ୍ଧ୍ୟା ଆସେ ।

 

ପୁଣି ନିସ୍ତେଜ ହୁଏ ମୋର ନୂତନ ବ୍ୟକ୍ତିତ୍ଵ ଏବଂ ଜୀବନ୍ତ ନିଜପଣିଆ ।

 

କୋଠରିର କବାଟ ବନ୍ଦ କଲା ପରେ ମୁଁ ଅନୁଭବ କରେ ଯେମିତି ମୁଁ ଏକ ମୁକ୍ତ ରାଜକୁମାର ଦୀର୍ଘ ଦିନ ଧରି ଶତ୍ରୁ ଶିବିରରେ ବନ୍ଦି ଥିଲି । ସେତେବେଳେ କୋଠରି ମଧ୍ୟରେ ମୁକ୍ତ ରାଜକୁମାର ଏକାକୀ ବିଚରଣ କରେ ।

 

ମୁଁ ଝରକା ବନ୍ଦ କରେ, କୋଠରିର ପ୍ରତିଟି ଛିଦ୍ର । ଫ୍ଳୋରୋସେଣ୍ଟ ଆଲୋକରେ ଅନ୍ଧକାର ଦୂର ହୁଏ । କ୍ରମେ ମୁଁ ଉଲଗ୍ନ ହୁଏ, ମୋର ନଗ୍ନ ଶରୀର । ଦର୍ପଣ ଆଗରେ ଗୋଟିଏ କାପୁରୁଷର ଆକର୍ଷଣୀୟ ଶରୀର ଜଡ଼ ବସ୍ତୁଟିଏ ପରି ଠିଆ ହୋଇଥାଏ ଖାଲି । ବାହାରେ ରାସ୍ତାରେ ଏବଂ ପରିତ୍ୟକ୍ତ ସହରର ପ୍ରତି ସ୍ଥାନରେ ସାମାଜିକ ଲୋକମାନଙ୍କର ଶୋଭାଯାତ୍ରା । ସେମାନଙ୍କର ଶବ୍ଦ ଓ ସମ୍ମାନ ମୋ ନିଜପଣିଆକୁ ବିବ୍ରତ କରେ ।

 

ମୁଁ ସଚେତନ ହୁଏ । ମୋର କୋଠରି ଏବଂ ବାହାର ସହିତ ସମ୍ପର୍କ ରକ୍ଷା କରୁଥିବା ସମସ୍ତ ଛିଦ୍ର ବନ୍ଦ ସେତେବେଳେ । ତେଣୁ ମୋର ପୋଷାକ ସହିତ ମନର ଆବରଣରୁ ମୁକ୍ତ ହୋଇ ମୁଁ ନାଚେ ସେ କୋଠରି ମଧ୍ୟରେ ଏବଂ ଇଚ୍ଛାହୁଏ ସାମାଜିକ ଲୋକମାନଙ୍କୁ ଉଦ୍ଦେଶ୍ୟ କରି କହିବାକୁ : ମୁଁ ମୁକ୍ତ...ମୁକ୍ତ... ।

 

ମୋ ନୃତ୍ୟର ଛନ୍ଦ କ୍ରମେ ହଜିଯାଏ ଓ ଉଦ୍ଦୀପନା କାରୁଣ୍ୟରେ ପରିଣତ ହୁଏ । ମୁଁ ଗୋଟିଏ ଅତିକ୍ରାନ୍ତଯୌବନା ନାରୀ ପରି ନିଜ ଅତୀତକୁ ରୋମନ୍ଥନ କରେ ।

 

ଠିକ୍ ସେତିକିବେଳେ : ବାହାରେ ମୋ ପଦ୍ମବନ ବିଧ୍ୱସ୍ତ, ମୋ ସ୍ଵପ୍ନ ଉପରେ କୁହୁଡ଼ିର ଘନ ଆସ୍ତରଣ ଏବଂ ଝାଉଁଗଛଗୁଡ଼ିକ ଉପରେ ଯେମିତି କେହି ଖଳ ଲୋକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି । ସେ ଉତ୍ତାପ ମୋ ଦେହକୁ ଉତ୍ତପ୍ତ କରେ, ମୋ ସ୍ନାୟୁଗୁଡ଼ିକ ସତେଜ ହୁଏ ଓ କି ଏକ ଯନ୍ତ୍ରଣାରେ ମୋ ଦେହ ସମ୍ପୂର୍ଣ୍ଣ ଥରୁଥିଲାବେଳେ ମୁଁ ଇଚ୍ଛା କରେ କୋଠରିର ନୀରବତାକୁ ଭାଙ୍ଗି ଦେଇ ମୁଁ ବାହାରକୁ ଦଉଡ଼ି ଯିବି । ଏ ସହରର ପ୍ରତ୍ୟେକ ଲୋକ ଦେହରେ ମୋ ଉତ୍ତାପକୁ ଛୁଆଁଇ ଦେଇ ସେମାନଙ୍କ ଶରୀରକୁ ଉତ୍ତପ୍ତ କରିବି । ସେମାନଙ୍କୁ ବଡ଼ ପାଟି କରି କହିବି : ତମ ମନର ସମସ୍ତ ଆବରଣ ଖୋଲି ଦିଅ ତମେ ସ୍ଵାଭାବିକ ହୁଅ । ଦେଖ ଚନ୍ଦ୍ରାବତୀ (କାଳ୍ପନିକ ନାୟିକା) ଛାଲରେ ନିଆଁ ଲାଗିଥିବା ଗଳ୍ପର ନାୟିକା ପରି ରାଜରାସ୍ତା ବିକଳରେ ଧାଉଁଛି, ଆକାଶର ରଙ୍ଗ ସମ୍ଭାର ତମକୁ ହାତ ଠାରି ନିମନ୍ତ୍ରଣ କରୁଛି । ବେଶ୍, ତା’ପରେ ଆମ ସମସ୍ତଙ୍କ ଭିତରେ ଏକ ସ୍ୱାଭାବିକତା...ସହଜ ବଞ୍ଚିବାର ଏକ ସ୍ଵାଭାବିକ ଧାରା ।

 

ମୋର ଏ ଆଚରଣରେ ସେମାନେ କିନ୍ତୁ କହିବେ ପାଗଳଟିଏ ଆଉ ତା’ର ଶାସ୍ତିସ୍ୱରୂପ ମୋ ପଛରେ ଥିବା ସାମାଜିକ ପଦବିକୁ ମୋ ଠାରୁ କାଢ଼ିନେଇ ପୁନଶ୍ଚ ମୋତେ ଫେରେଇ ଦେବେ ମୋର ପୁରୁଣା ପରିବେଶକୁ ।

 

କିନ୍ତୁ ମଣିଷର ତ ପୁଣି ଏକ ସାମାଜିକ ସ୍ଵୀକୃତି ଆବଶ୍ୟକ ।

 

ତେଣୁ, ହେ ମୋର ସ୍ଵାଧୀନ ଇଚ୍ଛା, ମୋର ପରାଜିତ କାମନା ସମ୍ପ୍ରତି ତମେମାନେ ନୀରବ ରହ ମୋ ଅନ୍ତର ଭିତରେ । ତମର ସାମୟିକ ଲୀଳାକ୍ଷେତ୍ର ହେଉ ମୋର ଏ ନିବୁଜ କୋଠରି । ତମର ଦିନେ ଜୟ ହେବ । କାରଣ ଦିନେ ଏ ସହରର ନକଲି ବଞ୍ଚିବାର ଧାରା ରୋକ୍‍ଠୋକ୍ ପଦାରେ ପଡ଼ିଯିବ । ସେତେବେଳେ ତମେମାନେ ସକ୍ରିୟ ହେବ । ପୁଣି ମୋର ପଦ୍ମବନ ବିକଶିତ ହେବ, ଝାଉଁ ଗଛର ମର୍ମର ଲୋକ ଭିତରେ ନୂତନ ଜୀବନ ଶକ୍ତି ଆଣି ଦେବ ଆଉ ଆକାଶର ବର୍ଣ୍ଣ ବିଭବ ତା’ ଆଖିରେ ଇନ୍ଦ୍ରଧନୁ ସୃଷ୍ଟି କରିବ ।

 

ବର୍ତ୍ତମାନ କିନ୍ତୁ ମୋର ଅଭିନୟ ଏକ ସାମାଜିକ ଭୂମିକାରେ ଯେହେତୁ ବଞ୍ଚି ରହିବାପାଇଁ ବୁଝାମଣା (Adjustment) ଏକାନ୍ତ ଆବଶ୍ୟକ । ଅନ୍ୟଥା ମୋର ସ୍ଥିତି ଅନିଶ୍ଚିତ ।

Image